ସବୁରି ସବୁ ଅଛି ମୋହର କେହି ନାହିଁ
ଏକା ମୋ ପ୍ରଭୁ ଜଗନ୍ନାଥ,
ତୁମ୍ଭରି ନାମ ଧରି ବିଷ ମୁଁ ଭକ୍ଷିଅଛି
ସେ ମୋତେ ହୋଇଛି ଅମୃତ ହେ, ମହାପ୍ରଭୁ।
ବାଲିରେ ପଡ଼ିଥାଇ ନୀଳଚକ୍ରକୁ ଚାହିଁ
ପ୍ରାଣ ମୋ ଶେଷ ହେଉଥାଇ,
ବାଲିରେ ପଡ଼ିକରି ମାଂସକୁ ମିଳାଇବି
ଚକ୍ର ଉହାଡ଼ିଥିବ ଧ୍ୟାଇ ହେ, ମହାପ୍ରଭୁ।
ସାଧୁମାନଙ୍କ ସଙ୍ଗେ ଦିନ ବଞ୍ଚିବି ରଙ୍ଗେ
ତୁମ୍ଭ ଚରଣେ ଚିତ୍ତ ଥାଉ।
ଛଡ଼ା ତୁଳସୀ ମୁଣ୍ଡେ ନିର୍ମାଲ୍ୟ ଥିବ ତୁଣ୍ଡେ
ହା’ କୃଷ୍ଣ ବୋଲି ପ୍ରାଣ ଯାଉ ହେ ମହାପ୍ରଭୁ।
ବଗଡ଼ା ଅନ୍ନ ସଂଗେ ବଡ଼ି ମହୁର ରଙ୍ଗେ
ସେବାରେ ପୂରାଇବି ପେଟ,
କଳର ହାତ ଠାରେ ଦର୍ଶନ କରୁଥିବି
ଛାମୁରେ ଧରି ମୁଁ ଆଲଟ ହେ, ମହାପ୍ରଭୁ।
ଏମନ୍ତେ କହୁଅଛି ଶୁଣ ହେ ଶିରିବତ୍ସି
ରୁକୁଣା ଦେବୀଙ୍କ କାନ୍ତ,
ରଘୁ ଯେ ଅରକ୍ଷିତ ଏ ଭାବରେ ଭଣିଲେ
ଏଥୁ ଉଦ୍ଧର ଜଗନ୍ନାଥ ହେ, ମହାପ୍ରଭୁ।
-0-
ଏହି କବିତାଟି ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ୧୯୮୪ ମସିହାରେ ପ୍ରକାଶିତ ‘ପ୍ରାଚୀନ ଓଡ଼ିଆ କବିତା’ ସଙ୍କଳନରୁ ସଂଗୃହୀତ।