ନମସ୍ତେ ପ୍ରଭୁ ଜଗନ୍ନାଥ। ଅନାଥ ଲୋକଙ୍କର ନାଥ।
ନମସ୍ତେ ପ୍ରଭୁ ବାସୁଦେବ। ଭକତ ଜନଙ୍କ ବାନ୍ଧବ।
ନମସ୍ତେ ପ୍ରଭୁ ହୃଷିକେଶ। ଭକତ ଜନଙ୍କ ବିଶ୍ୱାସ।
ନମସ୍ତେ ପ୍ରଭୁ ବିଶ୍ୱରୂପୀ। ସକଳ ହୃଦେ ଅଛୁ ବ୍ୟାପି।
ତୁ ସୃଷ୍ଟି ସ୍ଥିତି ଲୟ କରୁ। ଆବର ଗର୍ଭରେ ସଂହରୁ।
ଅଶେଷ କୋଟି ବସୁନ୍ଧରୀ। ତୋହର ଗର୍ଭେ ଛନ୍ତି ପୂରି।
ଚଉଦ ଭୂବନ ଯା’ କିଣା। ଏ ସର୍ବ ତୋହର ରଚନା।
ତୁ ବ୍ରହ୍ମା ରୁଦ୍ର ବିଷ୍ଣୁ ତୁହି। ତୋ ବିନୁ ଅନ୍ୟଗତି ନାହିଁ।
ସୃଷ୍ଟି ତୋହର ଖେଳ ଘର। ଅଶେଷ ମାୟା ତୋ ଆବର।
ତୋହର ନିଶ୍ୱାସ ମରୁତ। ଦେବେ ହୋଇଲେ ତହୁଁ ଜାତ।
ତୁହିଟି ଅଗ୍ନିଦେବ ଇନ୍ଦ୍ର। ନୟନୁ ଜାତ ସୂର୍ଯ୍ୟ ଚନ୍ଦ୍ର।
ଭୁଜରୁ ଅନନ୍ତ ମୂରତି। କଣ୍ଠରୁ ଜାତ ସରସ୍ୱତୀ।
ସଦା ଚଞ୍ଚଳ ନିଦ୍ରା ନାହିଁ। ଏ ରୂପେ ଶୂନ୍ୟେ ଅଛୁ ରହି।
ଅଶେଷ ତୋହର ମହିମା। କେ ଜାଣିପାରେ ଗୁଣସୀମା।
ତୋ ନାମ କରୁଥିଲେ ଲୟ। କୋଟିଏ ଜନ୍ମ ପାପ କ୍ଷୟ।
ନାମ ଘୋଷିଲେ ସର୍ବସିଦ୍ଧି। ଖଣ୍ଡଇ ରୋଗ ଶୋକ ଆଦି।
ଆରତ ଭଞ୍ଜନ ତୋ ବାନା। ଆତଙ୍ଗ କାଳେ ବଜ୍ର ସ୍ନେହା।
ହୋଇଲୁ ଦଶ ଅବତାର। ନାଶିଲୁ ଅବନୀର ଭାର।
ଦୃଷ୍ଟ ନିବାରି ସନ୍ଥ ପାଳୁ। ତୁ ନାଥ ପରମ ଦୟାଳୁ।
ତୁ ଅଟୁ ଦରିଦ୍ରଙ୍କ ଧନ। ତୋ ପାଦେ ରହୁ ମୋର ମନ।
ସତୀ ଯୁବତୀଙ୍କ ମନେ। ନିଜର ସ୍ୱାମୀ ଥାନ୍ତି ଯେହ୍ନେ।
ସେହି ପ୍ରକାରେ ମୋର ମନ। ତୋ ପାଦେ ରହୁ ଭଗବାନ।
କହଇ ଜଗନ୍ନାଥ ଦାସ। କମଳ ଚରଣକୁ ଆସ।
-୦-
ଏହି କବିତାଟି ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ୧୯୮୪ ମସିହାରେ ପ୍ରକାଶିତ ‘ପ୍ରାଚୀନ ଓଡ଼ିଆ କବିତା’ ସଙ୍କଳନରୁ ସଂଗୃହୀତ।