ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

କବିତାରେ ବିଷୟ ବିଚାର

କବି କଳ୍ପିତ ବିଷୟରେ ନିଜର ପୂର୍ଣ୍ଣ ବିଶ୍ୱାସ ସମ୍ବନ୍ଧେ ଆମ୍ଭମାନଙ୍କ ମନରେ ଯଦି ଧ୍ରୁବ ଧାରଣା ଆଣିପାରେ, ତା’ହେଲେ ଯେକୌଣସି ଉପସଂହାରରେ ଉପନୀତ ହେଉ ପଛକେ, ସେଥିରେ ବିଶେଷ କିଛି ଯାଏଆସେ ନାହିଁ। କବିର ଧର୍ମ ବଡ଼ କଥା ନୁହେଁ, କିନ୍ତୁ ସେହି ଧର୍ମ ସମ୍ବନ୍ଧରେ ତା’ଦ୍ୱାରା ବିଶ୍ୱାସ ଓ ଅନୁରାଗ କବିତାର ପ୍ରଧାନ ଆଲୋଚ୍ୟ ବିଷୟ। (“We will allow the poets any conclusions they like, so long as we are persuaded of their own imaginative good faith’. We are willing to admit that it is not the creed that matters, but the faith and passion with which it is held”.)

ଏଇ ହେଲା ବିଲାତରେ ଜଣେ ଆଧୁନିକ ଖ୍ୟାତନାମା ସମାଲୋଚକ (Drank Water)ଙ୍କର ମତ। ମୋର ବିଶ୍ୱାସ, କବିତାର ସମାଲୋଚନା କରିବାକୁ ଗଲାବେଳେ ଏହି ସତ୍ୟଟି ପ୍ରତ୍ୟେକ ସମାଲୋଚକ ମନେରଖିବା ଉଚିତ୍‌। କବିକୁ ଧରି ବାନ୍ଧି ତୁମର ନିଜ ମତକୁ ଟାଣିଆଣିବା ଏବଂ ତୁମ୍ଭର ନିଜର ମତ ଓ ରୁଚି ଅନୁସାରେ କବିତାର ସମାଲୋଚନା କରିବା, କେତେଜଣ ସିଦ୍ଧହସ୍ତ ଆଲୋଚକଙ୍କ ପକ୍ଷରେ ସମ୍ଭବ ଓ ସୁନ୍ଦର ହୋଇପାରେ, କିନ୍ତୁ ସେଭଳି ବ୍ୟକ୍ତି ଅଛନ୍ତି କେତେ ଜଣ?

ବର୍ତ୍ତମାନ ଓଡ଼ିଆ ସାହିତ୍ୟରେ ଏହି ରୂପରେ ସମାଲୋଚନାର ବିଶେଷ ପ୍ରାଦୁର୍ଭାବ। କେତେକଙ୍କ ମନରେ ଯେଉଁ କବିତା ବା ଲେଖାରେ ‘ଧ୍ୱଂସ’, ‘ପ୍ରଳୟ’, ‘ସାମାଜିକ ବିପ୍ଳବ’ ଏବଂ ‘ଅନ୍ଧବିଶ୍ୱାସର ସଂସ୍କାର ନିମନ୍ତେ ଉଚ୍ଛୃଙ୍ଖଳ ଆହ୍ୱାନ’ ନାହିଁ- ତାହା କବିତା ନୁହେଁ। ପୁଣି ଆଉ କେତେକ କହନ୍ତି, ଯାହା ପୁରାତନ, ଯାହା ପରମ୍ପରାଗତ କବି ଜୀବନର ଅବଲମ୍ବନ, ତାହା ହିଁ କବିତା। ଏ ଧାରଣା ଯେ ଭ୍ରାନ୍ତ-ତାହାର ପ୍ରକୃଷ୍ଟ ପ୍ରମାଣ ସାହିତ୍ୟିକମାନେ ପାଇବେ-ସମ୍ପାଦକମାନଙ୍କର ସତ୍ୟର ଗୋପନ ନିମନ୍ତେ ଉଦ୍‌ଭ୍ରାନ୍ତ ପ୍ରଚେଷ୍ଟାରେ ଏବଂ ସହଜବୋଧ ସରଳ ଶବ୍ଦାବଳୀ ଭାଙ୍ଗିରୁଜି ସେଥିରୁ ଗୋଟାଏ ଅପ୍ରାକୃତ ଅର୍ଥ ବାହାର କରିବାରେ। ମୁଁ ଜାଣେ ମୋର ଏ କଥା ମିଥ୍ୟା ବୋଲି ଅନେକ ଚିତ୍କାର କରି ଉଠିବେ, କାରଣ ଅପ୍ରିୟ ସତ୍ୟ କାହାକୁ ଭଲ ଲାଗେ? ଓଡ଼ିଆ ସାହିତ୍ୟ ଅନୁନ୍ନତ, ଏ ଅନୁନ୍ନତ ଅବସ୍ଥାରେ ମଧ୍ୟ ଜାତିଗତ, ଦଳଗତ ଓ ରାଜକୀୟ ମତଭେଦ ଜନିତ ବିଦ୍ୱେଷ ଏତେ ବେଶୀ ପରିମାଣରେ ସାହିତ୍ୟର ଅଙ୍ଗକୁ ଛିନ୍ନଭିନ୍ନ କରିପକାଇଛି ଯେ, ତାହାର ସର୍ବାଙ୍ଗ ସୁନ୍ଦର ସମ୍ପ୍ରସାରଣ ଅଯଥା ବ୍ୟାହତ ହୋଇପଡ଼ିଅଛି।

‘ସାହିତ୍ୟ’ ସାର୍ବଜନୀନ। ଏଥିରେ ବ୍ୟକ୍ତିଗତ ବିଶ୍ୱାସ, ରୁଚି ଓ ମତର ଯଥେଷ୍ଟ ସ୍ଥାନ ଅଛି। ବିଶ୍ବସଂସାରକୁ ଦୁଇ ବାହୁ ଟେକି ହୃଦୟକୁ ଟାଣିନେବା ବିଷୟରେ, ସାହିତ୍ୟ ଏକା ସକ୍ଷମ। ବିଭିନ୍ନ ଦେଶରେ, ବିଭିନ୍ନ ଯୁଗରେ ଏକ ସମୟର ସାହିତ୍ୟକୁ ନିନ୍ଦା କରିବା ନିମନ୍ତେ ଯେ ସବୁ ଚେଷ୍ଟା କରାଯାଇଛି, ତାହାର ପରିମାଣ ହୋଇଛି-ଜଳ ବୁଦ୍‌ବୁଦ୍‌ ପରି। ଯଥେଷ୍ଟ ବାଗ୍‌ବିତଣ୍ଡା, ଅପର୍ଯ୍ୟାପ୍ତ ନିନ୍ଦା-ଦୁର୍ନାମ ପରେ ମଧ୍ୟ ମିଲ୍‌ଟନ୍‌, ପୋପ୍‌, ଗ୍ରେ, ବାଇରନ୍‌, ସେଲି, କିଟସ୍‌, ସ୍ବିନବର୍ଣ୍ଣ, ରସେଟି ବର୍ତ୍ତମାନ ଇଂରାଜୀ ସାହିତ୍ୟରେ ଶ୍ରେଷ୍ଠ କବିପଂକ୍ତି। ଜନ୍‌ସନ୍‌ ରାଜନୈତିକ ମତଭେଦ ହେତୁରୁ ମିଲ୍‌ଟନ୍‌ଙ୍କର କବିତ୍ୱକୁ କୁତ୍ସା କରିଥିଲେ। ଜେଫ୍ରେ ଓ ଅନ୍ୟାନ୍ୟ ସମାଲୋଚକମାନେ ରୁଚିଭେଦ ହେତୁରୁ ୱାର୍ଡ଼ସ୍‌ୱାର୍ଥ ଓ ସେଲି ପ୍ରଭୃତି କବିମାନଙ୍କୁ କବି ଆଖ୍ୟା ଦେବାକୁ କୁଣ୍ଠିତ ହେଉଥିଲେ। ତଥାପି ଭବିତବ୍ୟ ଯାହାର ଯାହା ପାଉଣା ତାକୁ ତାହା ଦେଇସାରିଛି।

ବିଷୟ ନେଇ କବିର ତୁଳନା ହୋଇପାରେ ନାହିଁ। ବ୍ୟକ୍ତି ମାତ୍ରକେ ଭିନ୍ନ ମତ, ଭିନ୍ନ ମାନସିକ ଅବସ୍ଥା। କେହି ସମାଜର କୁସଂସ୍କାରରେ କବିତ୍ୱର ପ୍ରେରଣା ପାଉଛନ୍ତି; କେହି ଆଧ୍ୟାତ୍ମିକ ପ୍ରେମରେ, କେହି ଆଧିଭୌତିକ ପ୍ରେମରେ, କେହି ପ୍ରକୃତିର ବାହ୍ୟ ସୌନ୍ଦର୍ଯ୍ୟରେ, କେହି ବା ପ୍ରକୃତିର ଆଭ୍ୟନ୍ତରୀଣ ପାରମାର୍ଥିକ ତତ୍ତ୍ୱରେ ନିଜ ନିଜ କବି ଜୀବନର ଉନ୍ମେଷ ଅନୁଭବ କରୁଅଛନ୍ତି। ବିଷୟ-କବିତାରେ ଅବାନ୍ତର। ଶିଳ୍ପୀ କେବଳ ଶିଳାରେ ନିଜର ସୌନ୍ଦର୍ଯ୍ୟବୋଧ କଳାଜ୍ଞାନ ଦେଖାଏ ନାହିଁ। କେହି ଶିଳାରେ, କେହି କାଷ୍ଠ ଖଣ୍ଡରେ, କେହି ଧାତବ ପଦାର୍ଥରେ, କେହି କାଗଜରେ। ଦେଖିବାର କଥା, ଗୃହୀତ ଉପାଦାନରେ ଶିଳ୍ପୀ ନିଜର କଳ୍ପିତ ଭାବ ବିକାଶ କରିବାକୁ କେତେଦୂର କ୍ଷମ ହୋଇଅଛି। କେବଳ ବିଷୟ ନେଇ କବିତାର ସମାଲୋଚନା କଲେ ପୃଥିବୀର କବି ଶ୍ରେଣୀର ଅର୍ଦ୍ଧେକଙ୍କୁ ରସାତଳକୁ ଯିବାକୁ ପଡ଼ିବ। ସେଲି ତାଙ୍କର ରାଜନୈତିକ ଓ ସାମାଜିକ ମତରେ ପୂର୍ଣ୍ଣ ବିପ୍ଳବବାଦୀ।

ଯଦି ମହାତ୍ମାଗାନ୍ଧୀଙ୍କର ଶିକ୍ଷା ଓ ଦୀକ୍ଷା ଆମ୍ଭମାନଙ୍କ ଦୃଷ୍ଟିରେ ଗ୍ରହଣୀୟ ହୁଏ, ତା’ହେଲେ ସେଲିଙ୍କର କବିତା ତା’ଠାରୁ ଆହୁରି ବେଶୀ ଭୟପ୍ରଦ ହେବା ଉଚିତ୍‌। ତଥାପି ଆମ୍ଭମାନଙ୍କ ଦେଶର କେତେଜଣ ନରମପନ୍ଥୀ ସେଲିଙ୍କର କବିତାକୁ ଆକ୍ଷେପ କରିବାକୁ ସାହାସୀ ହେବେ? ବର୍ଣ୍ଣାଡ଼ ଶ’ଙ୍କର କବିତା ସ୍ଥାନେ ସ୍ଥାନେ ବଡ଼ ଅଶ୍ଳୀଳ, ବଡ଼ ଅଧୀର ଏବଂ ବଡ଼ ଅସମ୍ଭ୍ରାନ୍ତ। କିନ୍ତୁ କହିବା ନିଷ୍ପ୍ରୟୋଜନ-ତାଙ୍କର ସେହି କବିତା ମଧ୍ୟରୁ ଅନେକେ ଇଂରାଜୀ ସାହିତ୍ୟର ଶ୍ରେଷ୍ଠ କବିତା ଭାବେ ଗୃହୀତ। ଆନାଶେଲ ଫ୍ରାଁ ଓ ରୋମା ରୋଲାଁ ନିଜେ ନିଜେ ବଡ଼ ସାଧୁ-ହୃଦୟ, ଋଷିପ୍ରାଣ, କବି ଓ ଔପନ୍ୟାସିକ। ସେମାନଙ୍କର ନୈତିକ ଜୀବନ ସମ୍ବନ୍ଧରେ ଆକ୍ଷେପ କରିବାର ବ୍ୟକ୍ତି ବଡ଼ କମ୍‌। ତଥାପି ଯେଉଁମାନେ ଥାୟା ଓ ଜନ୍‌ କ୍ରିଷ୍ଟୋଫର୍‌ ପଢ଼ିଥିବେ, ସେମାନେ ଦେଖିଥିବେ ତା’ର ମଧ୍ୟରେ କି ଉଲ୍ଲଂଘ ସୁବ୍ୟକ୍ତ ଅଶ୍ଳୀଳତା, ପାଶବିକ ପ୍ରେମ ଉପଭୋଗର ଜଘନ୍ୟ ଚିତ୍ର ସ୍ଥାନ ପାଇଛି! ତଥାପି ଆମର ହାମ୍‌ବଡ଼ା ନୈତିକମାନେ କହିପାରିବେ କି ଏହି ଦୁଇଜଣ ଅକବି, ଅଶିଳ୍ପୀ?

କାବ୍ୟର ବିଷୟ ଯାହାହେଉ, ସେହି ବିଷୟରେ ଉଦ୍‌ବୋଧର ସମ୍ପ୍ରସାରଣ ଓ ସମ୍ପ୍ରସାରଣରେ ହିଁ ପ୍ରକୃତ କବିତ୍ୱ ଶକ୍ତି। କବିତାର ବିଷୟ ‘ଯୌବନ’ର ଅବାଧ ଭୋଗେଚ୍ଛା ହୋଇପାରେ। ଅରୁଣ ଆଲୋକରେ ସାମାଜିକ କୁପ୍ରଥା ଓ ଅଜ୍ଞାନର ଉଚ୍ଛେଦ ସାଧନ ହୋଇପାରେ, କୃଷ୍ଣଲୀଳା ହୋଇପାରେ ବା ଚନ୍ଦ୍ରଭାନୁର ପ୍ରଣୟ କାହାଣୀ ହୋଇପାରେ, ତା’ସହିତ ସମାଲୋଚନାର ସମ୍ବନ୍ଧ ନାହିଁ, ତାକୁ ଧରି ସମାଲୋଚକ କବିତାକୁ ବାଜେ ବା ଅପାଠ୍ୟ ଆଖ୍ୟା ଦେଇପାରିବେ ନାହିଁ। ଦେଖିବାକୁ ହେବ ଶିଳ୍ପୀର ସୁବିଧାରେ କି କି ଶିଳ୍ପ ସାମଗ୍ରୀ ଉପସ୍ଥିତ ଥିଲା ଏବଂ ସେହି ସାମଗ୍ରୀର ବ୍ୟବହାରରେ କବି କେତେଦୂର ହସ୍ତନୈପୁଣ୍ୟ, କଳାକୁଶଳତା ଦେଖାଇ ପାରିଛନ୍ତି। ଗ୍ରୀସ୍‌ ଏବଂ ଇତାଲିର ଶିଳ୍ପୀମାନେ ବଡ଼ ବଡ଼ ପ୍ରସ୍ତର ଖଣ୍ଡର ସାହାଯ୍ୟରେ କୋଣାର୍କ ମନ୍ଦିର ବା ପିରାମିଡ଼ ନିର୍ମାଣ କରିପାରି ନାହାଁନ୍ତି ବୋଲି ସେମାନଙ୍କୁ ଶିଳ୍ପୀ ଶ୍ରେଣୀରୁ ଅନ୍ତରିତ କରିବା ଧିହୀନତାର ପରିଚୟ ମାତ୍ର।
-0-

ପ୍ରାବନ୍ଧିକ ଗୋବିନ୍ଦ ତ୍ରିପାଠୀଙ୍କ ଦ୍ୱାରା ଏହି ପ୍ରବନ୍ଧଟି ବେଶ୍ କିଛି ବର୍ଷ ପୂର୍ବେ ଲେଖାଯାଇଥିଲେ ସୁଦ୍ଧା ଏହି ଲେଖାର ଗୁରୁତ୍ୱ ଆଜି ମଧ୍ୟ ରହିଛି। ତେଣୁ ଏହି ପ୍ରବନ୍ଧଟି ପାଠକମାନଙ୍କ ପାଇଁ ପ୍ରକାଶିତ ହୋଇଛି।

ପାଠକୀୟ ଆଦୃତି

256 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

୰ ଗୋବିନ୍ଦ ତ୍ରିପାଠୀ

ଗୋବିନ୍ଦ ତ୍ରିପାଠୀ(୧୮୯୯-୧୯୬୨) ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଏକ ଉଲ୍ଲେଖଯୋଗ୍ୟ ବ୍ୟକ୍ତିତ୍ବ। ଅଳ୍ପ କିଛି ଉପନ୍ୟାସ ଏବଂ ନାଟକ ଲେଖିଥିଲେ ସୁଦ୍ଧା ବିଭିନ୍ନ ବିଷୟ ଉପରେ ତାଙ୍କ ଦ୍ବାରା ଲିଖିତ ପ୍ରବନ୍ଧଗୁଡ଼ିକ ପାଇଁ ସେ ପ୍ରତିଷ୍ଠା ଲାଭ କରିଥିଲେ। ତାଙ୍କ ପ୍ରବନ୍ଧଗୁଡ଼ିକରେ ଓଡ଼ିଆ ଏବଂ ଓଡ଼ିଶାର ସ୍ବାଭିମାନର ଚିତ୍ର ବେଶ୍‌ ବଳିଷ୍ଠ ରୁପରେ ପର୍ଯ୍ୟବେଶିତ।

ତାଙ୍କ ରଚିତ ପ୍ରବନ୍ଧଗୁଡ଼ିକରେ ଜୀବନ ଓ ସାହିତ୍ୟ ସମେତ ଜାତୀୟତାର ଭାବନା ପ୍ରତିଫଳିତ ହୋଇଥିଲା। ସେ ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଇତିହାସରେ ଏକ ଅଭିନବ ରୀତି ପ୍ରବର୍ତ୍ତନ କରି ନିଜପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଯାଇଛନ୍ତି। ତାଙ୍କ ରଚିତ ପ୍ରବନ୍ଧ ସଙ୍କଳନ ମଧ୍ୟରେ ବଟୁଆ, କଖାରୁ ଫୁଲ, ଆକାଶ କଇଁଆ ଆଦି ଅନ୍ୟତମ।

କ୍ରମେ ସବିଶେଷ →
ଆଉ କେତୋଟି ସଂଗ୍ରହ

ମୁକ୍ତାଦେଈ

ଅସ୍ତବ୍ୟସ୍ତ ହୋଇ ବୋଉ ଚୁଆରୁ ଗରାଏ ପାଣିନେଇ ଘର ଭିତରକୁ ଦଉଡ଼ି ଦଉଡ଼ି ଆସୁଥିଲା, କିନ୍ତୁ ଶେଷରେ ଗରାକ ପାଣି ପ୍ରତିବନ୍ଧକ ହେଲା, ସେ ପାହାଚ ଚାରିଟା…

ବ୍ୟାଘ୍ରାରୋହଣ

ରାଜଧାନୀ ସନ୍ନିକଟସ୍ଥ ରାଜ ଉଦ୍ୟାନରେ ପ୍ରଭାତରେ ଦେଖାଗଲା ଏକ ଅଦ୍ଭୂତପୂର୍ବ ଦୃଶ୍ୟ। କେତେ ରାତ୍ରି ଧରି କ୍ରମାଗତ ଭାବରେ ସୁନ୍ଦର ଉଦ୍ୟାନରେ ବିଭ୍ରାଟ ସୃଷ୍ଟି କରୁଥିବା ଗୋଟିଏ…

ଦେଢ଼ପଇସା

୧୯୩୨ ସାଲ। ଲବଣ ସତ୍ୟାଗ୍ରହୀ ଭାରତର ବିଭିନ୍ନ ସ୍ଥାନରେ ଜେଲବରଣ କରିଚନ୍ତି। ଗୋଟାଏ ବଡ଼ରକମର ସଂଘର୍ଷ ଆଗରେ ବିଫଳ ହେଇ ଗୋରାଶାସକ ଯୋଜନାକରି ଜନସାଧାରଣଙ୍କୁ ଉତ୍ତ୍ୟକ୍ତ କରୁଚି।…

-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP