ବହୁ ଆୟାସରେ ଯୋଗାଡ଼ କରିପାରିଲା ସାତ ହାତର ଖଣ୍ଡେ ପିଣ୍ଡା, ବାବୁଆନିର ଭେକ ରଖିବାକୁ ଖଣ୍ଡେ ଟେବୁଲ, ଖଣ୍ଡେ ଚଉକି, ସାମ୍ନାରେ ଦି’ଖଣ୍ଡ ବେଞ୍ଚ।
ଚଉକିରେ ବସି ଟେବୁଲରେ ହାତ ରଖି ଅଣ୍ଟା ସଳଖେଇ ବଡ଼ ବଡ଼ ଆଖି କରି ସଦାଶିବ ସାମ୍ନାକୁ ଚାହିଁଲା। ସେ କର୍ମଚାରୀ। ଏଠି ତା’ର ଆଧିପତ୍ୟ। ଚାରିଆଡ଼କୁ ନିଘା କଲା। ଛେଳିଲଣ୍ଡି ପଡ଼ିଛି। କିଛି ଗୋବରର ଚିହ୍ନ। ଛେଳିଗନ୍ଧ ଯକ୍ଷ୍ମାର ପ୍ରତିଷେଧକ କହନ୍ତି, ଗୋମୟ ଡିସିନ୍‌ଫେକ୍ଟାଣ୍ଟ। ଅନୁଭବ କଲା-ଏଠି ବି ସେ ଏକଛତ୍ର ନୁହେଁ।

କିଛି ସମୟ ପରେ କୁତୂହଳୀ ହୋଇ ଆସି ପହଞ୍ଚିଲା ଗୋଟିଏ ଛେଳି ଓ ତା’ର ତିନୋଟି ଛୁଆ। ଆଶ୍ଚର୍ଯ୍ୟ ହୋଇ ଚାହିଁରହିଲେ ମୁହାଁମୁହିଁ।
ସାତ

ସଦାଶିବ ଘର ପାଇଁ ଖଣ୍ଡିଏ ଆବେଦନ କରିଥିଲା, ତା’ର କାର୍ଯ୍ୟାଳୟରେ। ଉପରିସ୍ଥ ଉତ୍ତର ଦେଇଥିଲେ- “ସେ ଦାୟିତ୍ବ ଆମର ନୁହେଁ।” ତା’ପରେ ପୁଣି ବ୍ୟକ୍ତିଗତ ଉଦ୍ୟମ। ପରାମର୍ଶ ମିଳିଥିଲା-ବ୍ୟକ୍ତିଗତ ଉଦ୍ୟମରେ କମ୍ପାନୀ ବସେ, କୋଠା ତୋଳା ହୁଏ, ଚାଲେ ଆମଦାନୀ ରପ୍ତାନୀ ବେପାର। ତେବେ ଅସମ୍ଭବ କ’ଣ? ନ ମିଳିଲେ ଉଦ୍ୟମର ଅଭାବ, ଅଳସପଣ, ନିହାତି ନ ହେଲେ ଭାଗ୍ୟର ଦୋଷ।

ପଚାରିଲେ ପ୍ରତିଶ୍ରୁତି ମିଳେ, ବଡ଼ ସହରର ଭଦ୍ରଲୋକମାନେ ଯେପରି କି ସାହାଯ୍ୟ କରିବାକୁ ବ୍ୟାକୁଳ ସମସ୍ତେ। ପାଟିରେ ପାନ ଓ ହସ, ବ୍ୟବହାରରେ ଶିଷ୍ଟାଚାର- “ଆଜ୍ଞା, ମୁଁ ନିଘା ରଖିଲି। ଆପଣଙ୍କ ପାଇଁ ମିଳିବ ନାହିଁ ଖଣ୍ଡେ ଘର?”

ଆର ଦିନ ଦେଖାହେଲେ ପୁଣି ନୂଆ ହୋଇ ପ୍ରସ୍ତାବ- “କ’ଣ ବୁଝିଲେ ଆଜ୍ଞା?”
“କେଉଁ କଥା?”

“ଘର ଖଣ୍ଡେ ବୁଝି ଦେଉଥିଲେ ପରା!”

“ଓ, ସେ କଥା। ବୁଝୁଚି ଆଜ୍ଞା! ପାଇଲେ କହିବି ଯେ-” ପ୍ରତିଶ୍ରୁତି ମିଳେ, ଘର ମିଳେ ନାହିଁ।
ରତ୍ନାକର ସହିଯାଏ।

ପ୍ରତ୍ୟହ ସଞ୍ଜବୁଡ଼େ ଦମୟନ୍ତୀ ପଚାରେ- “ଘର କଥା କ’ଣ ହେଲା?” ନୂଆ ଶିଶୁ ପ୍ରକାଶ ପାଇଁ ଚହଳ ପକାଏ, ତା’ର ଘର ଦରକାର। ଏହିପରି ଦିନେ, ଉଦ୍ଧାର କଲା ଦମୟନ୍ତୀ।
ତା’ର ପ୍ରସୂତି କାର୍ଯ୍ୟ ପାଇଁ ଦରଖାସ୍ତ କରି ଡାକ୍ତରଖାନାରେ ମିଳିଗଲା ଖଣ୍ଡିଏ ବଖୁରିକିଆ ବସା। ସଦାଶିବ ସଦଳବଳେ ସେଠିକି ଉଠିଗଲା।

ଶାର୍ଦ୍ଦୂଳବିକ୍ରୀଡ଼ିତ ପରମ ଆନନ୍ଦରେ ବସା ସାମ୍ନାର ଘାସ ଅରାକରେ ନୃତ୍ୟ ଆରମ୍ଭ କରିଦେଲା- “ଆମ ଘର, ଆମ ଘର।”

ଅନୁଷ୍ଟୁପ, ମନ୍ଦାକ୍ରାନ୍ତା ଓ ଗାୟତ୍ରୀ ସେହି ଘାସରେ ଡେଇଁବାକୁ ଲାଗିଲେ। ସୁନ୍ଦର ଘାସ, ସୁନ୍ଦର ନୁଆଣିଆଁ ଖରା। ପିଣ୍ଡାରୁ ଦମୟନ୍ତୀ ହସୁଛି।

ସଦାଶିବ ମେଘକୁ ଅନାଇଛି, ଭାବୁଛି ଏଥର ଯେ ଜନ୍ମ ହେବ କ’ଣ ହେବ ତା’ ନାଁ’?

ସେ ପାଖରେ ଖଞ୍ଜାର କବାଟ ଖୋଲିଲା। ବାହାରିଗଲା ଗୋଟାଏ ମୃତ୍ୟୁର ପଟୁଆର। ସଦାଶିବ ଚମକିପଡ଼ି ପାଟିକଲା-“ହେ ପିଲେ, ଭିତରକୁ ଚାଲ, ଭିତରକୁ ଚାଲ।”

-୦-

‘‘ଏହି ଗଳ୍ପ ଏବଂ ଉପରୋକ୍ତ ଚିତ୍ରଟି ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୧୯୮୦ ମସିହାରେ ପ୍ରକାଶିତ ‘ଗଳ୍ପ ଏକାଙ୍କିକା’ ପୁସ୍ତକରୁ ସଂଗୃହୀତ।’’

Pages: 1 2 3 4