ଅନେକ ତଥ୍ୟ ସଂଗ୍ରହ କଲା ଅନେକ ନୂଆ ଘରର ସନ୍ଧାନ ମିଳିଲା ଓ ନୂଆ ମଣିଷଙ୍କ ପରିଚୟ। ଖବର ପାଇବା ମାତ୍ରେ ଖାତାରେ ଟିପିନେଇ ସେ ସାଙ୍ଗେ ସାଙ୍ଗେ ଧାଇଁଯାଏ।
“ଘର ନାହିଁ।”

“ହେଇ ତ ଖାଲି ଘର।”
“ଜଣେ ବାବୁ କଥା କରି ଯାଇଛନ୍ତି।”

“ସେ ଯେଉଁ ନୂଆ ଘରଟି ତୋଳାହେଉଛି, ସରିଲେ ମିଳିବ?”
“ଆଗତୁରା ଭଡ଼ା ଟଙ୍କାରେ ଇଟା କିଣାହୋଇ ନିଅଁ ପଡ଼ିଥିଲା।”
“ଘର ନାହିଁ।”

କିନ୍ତୁ ସହରର ଭୂଗୋଳ ବିଷୟରେ ଧାରଣା ହେଲା ପ୍ରଚୁର। କେଡ଼େ ସହର! କେତେ ଗଳି! କେଡ଼େ ବଡ଼!

ସହର ବଡ଼ ହୋଇଛି। ସଦାଶିବ ଯେତେବେଳେ ତା’ର ‘କର୍ତ୍ତବ୍ୟ କାର୍ଯ୍ୟ’ରେ ବୁଲୁଥିଲା ଅରଣ୍ୟରୁ ଅରଣ୍ୟାନୀ, ସେତେବେଳେ ଏ ସହରର ଲୋକେ ଘର ତୋଳିଛନ୍ତି, ରାସ୍ତା ପକେଇଛନ୍ତି। ଯୁଦ୍ଧ ବଜାର, କଣ୍ଟ୍ରୋଲ କାଳ, ଲକ୍ଷ୍ମୀ ଏ ହାତରୁ ସେ ହାତ ହୋଇଛନ୍ତି ଅନ୍ଧାରେ ଅନ୍ଧାରେ। ସହରର ଅସଂଖ୍ୟ ବଡ଼ଲୋକ। ତା’ପାଇଁ ଘର ନାହିଁ।

ଯେଉଁଆଡ଼େ ଦେଖିଲେ ସହର ଦିଶୁଛି ଖୁବ୍‌ ବଡ଼ ବିସ୍ମୟ ପରି, ଚିହ୍ନା ସ୍ଥାନ ନାହିଁ, ତେଣୁ ସହରର ଚିହ୍ନୋଟ ହଜିଛି। ଯେଉଁଟା ଥିଲା ପୋଖରୀ, ହଂସ ଖେଳୁଥିଲେ, ସେଠି ଦି’ତାଲା କୋଠା। କେତେ ଥିଲା ଜଳାଭୂଇଁ, କଡ଼େ କଡ଼େ ନାଗଅଇରି ବଣ, ସେଠି ବସ୍ତି। ଅଣ୍ଟାଏ ପାଣିରେ ବି ଅଦ୍ୟାପି କୋଠା ଠିଆ ହୋଇଛି, କାମ ଚାଲିଛି। ସବୁ ଯେପରି କି ସଦାଶିବକୁ ହିଁ ଉପହାସ କରି ତାଳି ମାରି ଉଠୁଛି,- “ଆମେ ସବୁ ମାଡ଼ି ବସିଛୁ। ମଜୁରିଆର ଏଠି ସ୍ଥାନ ନାହିଁ, ଫେରିଯା-।”

ଏଇ ସହରରେ ଥିଲା ତା’ର ବସାଘର। ବାଟରେ ଗଲେ ପୁରୁଣା ସ୍ମୃତି ଫେରିଆସେ। ହେଇ ତ ସେ ନିମ୍ୱଗଛ। ବସାଘର ଧାଉଡ଼ିଟିଏ ତାହାର ତଳେ ଥିଲା। ଆଗ ମୁହଁ କିଛି ପରିବର୍ତ୍ତନ ହୋଇଛି। ହେଇ ସେ ଘର। ଦୁଆର ମୁହଁରେ ପହଞ୍ଚିଲା। ହୋମିଓପ୍ୟାଥି ଡାକ୍ତରଖାନା ଖୋଲିଛି। ଭିତରୁ ସମ୍ଭାଷଣ- “ଆପଣ କାହାକୁ ଖୋଜୁଛନ୍ତି, ଆଜ୍ଞା?”

“ନା, ଏମିତି।”
ଏ ଘର ତା’ର ନୁହେଁ, ତା’ରି ଅତୀତର।

ଆର ଗଳିରେ ଆହୁରି ଗୋଟିଏ ଘର, ସେଠି ସେ ଥିଲା ଚାରି ବର୍ଷ। ଦୁଆର ମୁହଁରେ ଠିଆହେଲେ ଭିତରଟାଯାକ ସବୁ ମନେପଡ଼େ, ଆଉ ପହିଲି ଯୌବନର ଦୃଶ୍ୟ କିଛି।
ପଢ଼ାଘର, ସେ ପାଖେ ପଡ଼ିଶାଘର, ଜହ୍ନରାତି, ହାର୍ମୋନିୟମ୍‌ ସହିତ ଗୋଟିଏ ଝିଅର ଗଳା।

ଦୁଆର ମୁହଁରେ ଠିଆହେଲା। ଭିତରୁ ଚହଳ ପଡ଼ିବ, ଦେହ ବଙ୍କେଇ ବଙ୍କେଇ ନାଟ କରି କରି ଦଉଡ଼ି ଆସିବ ତା’ର ପୋଷା କୁକୁର “ଭାଲୁ”। ଭାଲୁ ପେଡ଼ା ଖାଏ।
‘କାହାକୁ ଖୋଜୁଛନ୍ତି?” ଅତି କର୍କଶଗଳାରେ ରୁକ୍ଷଭାବେ ଗର୍ଜି ଉଠିଲେ ଜଣେ ମୋଟାସୋଟା ଭଦ୍ରଲୋକ। ସଦାଶିବ ଚମକି ପଡ଼ିଲା।

“ସଦାଶିବବାବୁ ଏଠି ଥାଆନ୍ତି?”
“ନା, ହେଇ ଆଗରେ ଦେଖନ୍ତୁ।”

ମୁଣ୍ଡ ନୁଆଇଁ ଆଗକୁ ଚାଲିଲା। ଚେତା ପଶିଲା-କାହାକୁ ଖୋଜୁଛ ବୋଲି କହିଥିଲା? ନିଜକୁ ତ! ଆଗରେ ନାହିଁ, ପଛରେ କେଉଁଠି ଥିବ ଅବା! ପଛରୁ ମାଡ଼ିଆସୁଛି ମଟରଗାଡ଼ି। କାନ୍ଥ କଡ଼କୁ ଲେପ୍‌ଟି ଯାଉ ଯାଉ ମଟର ଚକର ଆଘାତ ଖାଇ ରାସ୍ତାର ଗୋଳିପାଣି ପିଚକାରି ମାରିଦେଲା ତାହା ଉପରକୁ। ଇସ୍‌! ଦେହରୁ ଫାଳେ ଗଲା।

ମଟରରେ ଗଲେ ଧୋବ ଲୁଗା, ଧୋବ ପଞ୍ଜାବିପିନ୍ଧା ଗୋଲ୍‌ଗାଲ୍‌ ଭଦ୍ରଲୋକ। ସେ କ’ଣ ଜାଣିଥିବେ? କେବେ ନୁହେଁ। ହୁଏତ ତାଙ୍କ ବେଉସା ଚିନ୍ତାରେ ମଗ୍ନ। ମଟରର ଦାସ, ମଟର ଭିତରେ ଥିବା ମନୁଷ୍ୟ, ମଟରରେ କ୍ଷତିଗ୍ରସ୍ତ ରାସ୍ତାର ପଦାତିକ। ଦୁହେଁ ଦୁହିଁଙ୍କୁ ଚିହ୍ନନ୍ତି ନାହିଁ। ମଟର ଚାଲେ।

ରାସ୍ତାର ଅସନା ପାଣି ଲୁଗାରେ ବାଜିବାରୁ ଭାବୁକପଣ ଉଭେଇଗଲା। ଏଇ ସହରର ଅନେକ ସ୍ଥାନରେ ଥିଲା ତା’ର ଘର। କେବଳ ଏ ସହରରେ କାହିଁକି, ଏ ଦୁନିଆଁରେ ଅନେକଠିଁ। କେତେଠିଁ ତା’ପାଇଁ ଜଳିଛି ଚୂଲି, କେତେଠିଁ ବସି ସେ ଝାଳ ପୋଛିଛି, ବିଶ୍ରାମ କରିଛି, ବାହାର ପ୍ରକୃତିକୁ ଆବୋରି ନେଇ ନିଜର ଚିନ୍ତାକୁ, ନିଜର ଜୀବନକୁ ରୂପ ଦେଇଛି। ତା’ପରେ ତା ଯାଇଛି।
ଥରେ ମାଟି ଛୁଇଁଲା ପରେ କେତେ ଥର କେଉଁଠୁ ସେ ନିଶ୍ଚିହ୍ନ ହୋଇଛି, ପୁଣି ନୂଆ ମାଟିରେ ପଲ୍ଲବୀ ଉଠିଛି। କେତେ ଥର ମରିଛି, ପୁଣି ବଞ୍ଚି ଉଠିଛି। ଶୋଚନା ନାହିଁ।
ବୁଲି ବୁଲି ସଞ୍ଜରେ ଫେରିଲାବେଳକୁ ମେଘ ଦଲଦଲ ଆକାଶ। ଗୋଟାଏ ଦିନ ଶେଷ ହୋଇଛି। ଘର ମିଳି ନାହିଁ।

ଛଅ

ଚାରିଦିନ ସହରଯାକ ଏ ମୁଣ୍ଡ ସେ ମୁଣ୍ଡ ସେ ପାନିଆରେ କୁଣ୍ଡେଇବା ପରି ଶେଷ କରିସାରି ସଦାଶିବ ତା’ର କାର୍ଯ୍ୟରେ ଯୋଗଦେଲା। ଯୋଗଦେଲା କେବଳ କାଗଜରେ, ବସିବାକୁ ସ୍ଥାନ ନାହିଁ। ମହୁଫେଣା ପରି କାର୍ଯ୍ୟାଳୟ, ମହୁମାଛି ପରି କର୍ମୀ। କେତେ ମାଛି ଉଡ଼ି ଆସନ୍ତି, କେତେ ଯାଆନ୍ତି ଉଡ଼ି-ଏମିତି ଆବହମାନ କାଳରୁ। ତାଙ୍କ ଭିତରେ କେଉଁ ମାଛି ଟିକିଏ ବଡ଼, ଟିକିଏ ମୋଟା, କିଏ ଟିକିଏ ସାନ, ଟିକିଏ ସରୁ। କିଏ ଘାଉଁ ଘାଉଁ ଟିକିଏ ବେଶୀ, କିଏ ଟିକିଏ କାମୁଡ଼ା, ଆଉ କେତେ-ସେମାନଙ୍କ ସମବେତ ସାନ ସ୍ୱର ଶୁଭେ କ୍ଷୀଣ କରୁଣ ଆଳାପ ପରି।

Pages: 1 2 3 4