ଏପରି ଅବସ୍ଥାରେ ରତ୍ନାକର ଯେ ଦୂରାଗତ ବନ୍ଧୁର ଅଭ୍ୟର୍ଥନାର ଭାର ନେବ, ଏଥିରେ ଆଶ୍ଚର୍ଯ୍ୟ ହେବାର କଥା, କିନ୍ତୁ ଏ ସଂସାରରେ ଆଶ୍ଚର୍ଯ୍ୟ ଅପ୍ରତ୍ୟାଶିତ ଭାବେ ସମ୍ଭବ ହୋଇଥାଏ। ଅପ୍ରତ୍ୟାଶିତ ଉଦାରତା, ଅପ୍ରତ୍ୟାଶିତ ନିଷ୍ଠୁରତା ଓ ଆକସ୍ମିକ ଘଟନା, ବିଶେଷତଃ ସଦାଶିବ ସେହିପରି ଯୁକ୍ତି କରେ, କହେ ଆକସ୍ମିକତାରେ ବିଶ୍ୱାସ ନ ରଖିଲେ ଜୀବନ ରଖିବାର ପ୍ରୟୋଜନ ନାହିଁ। କାରଣ ନିଜର ଅବସ୍ଥା ଓ ରୋଜଗାରକୁ ଚାହିଁ ଯେଉଁପ୍ରକାର ସେ ଅଙ୍କ କଷୁ, ସେ ଦେଖେ ଅଙ୍କର ଫଳ କେବଳ ଅନାହାର, ଋଣ, ଇନ୍‌ସଲ୍‌ଭେନ୍‌ସ, ତା’ପରେ ଅନ୍ଧକାର, ଯଦି ଆକସ୍ମିକ କିଛି ନ ଘଟିବ। ସେ ସଂସାରରେ ଗ୍ରୀକ୍‌ ଟ୍ରାଜେଡ଼ିରେ ଆସ୍ଥାବାନ୍‌।

ତେଣୁ ରତ୍ନାକର ଚିଠିରେ ଅଣ୍ଟା ଭିଡ଼ିଥିଲା, “ରହ ମାସେ ପକ୍ଷେ, ମୋର ଆପତ୍ତି ନାହିଁ।”
ତା’ର ଗେଞ୍ଜାଗେଞ୍ଜି ବସାକୁ ଲାଗି ପଦାରେ ଖଣ୍ଡେ ଚାଳିଆ ଥିଲା, ଯାହା ଠିକ୍‌ ସଦାଶିବକୁ ହିଁ ଅପେକ୍ଷା କଲା ପରି ରହିଥିଲା।

ଝାଟିମାଟିର କାନ୍ଥ, ଉପରେ ଚାଳ, ଝରକା ନାହିଁ, ମେଲା ମେଲା ବାଉଁଶଜାଲିର ଦୁଆର କବାଟ, ଭିତରେ ଲୁହାର ଯନ୍ତ୍ରପାତି କିଛି, କିଛି କାଠ ଢାବଲ ଓ ଅନ୍ୟାନ୍ୟ ଦରକାରୀ ଜିନିଷ, ପିଲାଙ୍କ ବହି ଆଲମାରି ତିନୋଟି, ଯୋଡ଼ିଏ ଟେବୁଲ୍‌, ପାଞ୍ଚୋଟି ଚୌକି।

ତଥାପି ତିନୋଟି ଖଟ ପଡ଼ି କିଛି ଖାଲି ଜାଗା, ଦୁଇ କଡ଼ରେ କିଛି ଖାଲ ଭୂଇଁ।
“ଏଇ ଘର।” ସଦାଶିବ କହିଲା।

ରତ୍ନାକର ଆଗେଇ ଆସିଲା। ପଛେ ପଛେ ତା’ର ସ୍ତ୍ରୀ। ଦୁଇ ପକ୍ଷର ପିଲା ଦୁଇ ପକ୍ଷଙ୍କୁ ଅନାଇ ରହିଲେ।

ଚାରି

ଅନ୍ଧାର, ପ୍ରବଳ ବର୍ଷା।
ଖଟ ଉପରେ ବିଛଣା ବିଛେଇ ସମସ୍ତେ ଶୋଇଛନ୍ତି, ହଠାତ୍‌ ସଦାଶିବର ନିଦ ଭାଙ୍ଗିଗଲା। କାହିଁକି ସେ ଜାଣେ ନାହିଁ। ପଦାକୁ ଚାହିଁଲା। ଲାଗିଲା, ଏମିତି ଜୀବନ, ପଦାରେ ଅନ୍ଧାର ଓ ମେଘ, ଶୀତରେ ପାଣିରେ ମରିବାର ହିଁ କଥା, ତଥାପି ଲୋକ ମରେ ନାହିଁ, କୌଣସି ପ୍ରକାରେ ଆକସ୍ମିକ ଆଶ୍ରୟତଳେ ମୁଣ୍ଡ ଗୁଞ୍ଜି ପଡ଼ିରହେ।

ଭାଗ୍ୟ ପ୍ରତି କୃତଜ୍ଞତା ଜଣାଇଲା, ପୁଣି ରତ୍ନାକର ପ୍ରତି। ଚିନ୍ତାରେ ମନ ଦେଲା- ୟା’ପରେ କ’ଣ? ୟା’ପରେ କ’ଣ?

ହାତ ଉପରେ ଗୋଟାଏ ମୂଷା ଦଉଡ଼ି ପଳାଇବାର ଅନୁଭବ କଲା, ଚମକି ଉଠିଲା। ଏ ଘରେ ମୂଷାମାନଙ୍କର ଅବାଧ ଗତି ସେ ଜାଣେ। ଆଲୁଅ ଥାଇ ବି ସେମାନେ ଖେଳ କସରତ୍‌ କରନ୍ତି, ଆତଯାତ ହୁଅନ୍ତି। ଅନ୍ଧାରରେ ନିଘା କଲା ଘର ଭିତରେ ନାନା ଜାତି ଶବ୍ଦ ଲାଗି ରହିଛି। ତା’ପରେ ଆରମ୍ଭ ହେଲା ଗୋଟାଏ ଖଡ଼୍‌ ଖଡ଼୍‌ ଖଡ଼୍‌ ଖଡ଼୍‌ ଠିକ୍‌ ତା’ର ଶୋଇବା ଖଟତଳେ, ତା’ ସଙ୍ଗେ ସଙ୍ଗେ ଗୋଟାଏ କ’ଣ ଗନ୍ଧ।

ମୁଣ୍ଡତଳୁ ଟର୍ଚ୍ଚଲାଇଟ୍‌ କାଢ଼ି ଜାଳି ଦେଖିଲା ଖଟତଳେ ଗୋଟିଏ ବୁଢ଼ା କୁକୁର, ନାକ ଅଗଠୁ ଲାଞ୍ଜ ଅଗଯାକେ କେଉଁଠି ଗୋଟିଏ ବୋଲି ରୁମ ନାହିଁ, ସବୁ ଉପୁଡ଼ିଯାଇଛି। ୟା’ର ବି ଏ ଘରେ ଦଖଲ ଅଛି।
କିନ୍ତୁ-

ମଣିଷପଣ ବିସ୍ତାର କରି ଆତିଥେୟତାର ପ୍ରତିଦାନ ଦେବାକୁ ଯାଇ ସଦାଶିବ କୁକୁରକୁ ମାରି ଗୋଡ଼ାଇଲା। କୁକୁର ବି ଦୃଢ଼ପ୍ରତିଜ୍ଞ, ସେ ଅନ୍ଧାରକୁ ବର୍ଷାକୁ ଯିବ ନାହିଁ। ଏ କଡ଼ରୁ ସେ କଡ଼ ଗୋଡ଼େଇ ଯାଉ ଯାଉ ଅନେକ ପ୍ରତିବନ୍ଧକ-ଖଟ, ଆଲମାରି, ଚୌକି, ଜିନିଷପତ୍ର। ଲାଗିଗଲା ‘ମତେ ଛୁଁ’ ଖେଳ ଏ ପାଖୁ ସେ ପାଖୁ, ସେ ପାଖୁ ଏ ପାଖୁ। କୁକୁର ପ୍ରଚଣ୍ଡ ଆଗ୍ରହରେ ଯୋଗଦେଲା।

ଅଧଘଣ୍ଟାଏ ଏକଡ଼ ସେକଡ଼ ହୋଇ ସଦାଶିବ ବିଛଣାରେ ମୁହଁ ମାଡ଼ିଲା। କୁକୁର ମଧ୍ୟ ଆଉ କୁଣ୍ଡେଇ ହେଲା ନାହିଁ, କେବଳ ମଝିରେ ମଝିରେ ଫଁ ଫଁ ସଁ ସଁ ଦୀର୍ଘଶ୍ୱାସ, ଆଉ ତା’ ଦେହରୁ ଗନ୍ଧ, ଯେଉଁଥିପାଇଁ ସେ ଦାୟୀ ନୁହେଁ ଆଦୌ।

ଜୀବନ ସାଲିଶ୍‌ ଗ୍ରହଣ କରିନେଇ ସଦାଶିବ ବର୍ଷାର ଧ୍ୱନିକି କାନ ଡେରିଦେଇ କେତେବେଳେ ଶୋଇପଡ଼ିଲା।
ଆର ଦିନ ସକାଳ, ଅଳ୍ପ ଖରା ପଡ଼ିଛି।

ଲାଗିଲା, ଯେପରି କି ଦୁନିଆଁ ତାକୁ କୁମ୍ଭକର୍ଣ୍ଣ ବୋଲି ଠଉରେଇଛି ଓ ତା’ର ନିଜ ଭାଙ୍ଗିବାକୁ ଚାରିଆଡ଼ୁ ପଡ଼ିଛି କାନଫଟା ପାହାର।
ସହରର ଭାଷାରେ ପହଲି ସକାଳର ପ୍ରଥମ ସମ୍ବୋଧନ ଶୁଣିଲା, ଲୁହାପିଟା ଲାଗିଛି।

ମୁଣ୍ଡ ଟେକି ଅନାଇଲା, ପଲେ ମେଣ୍ଢା ଓ ଦି’ଟା ବଦଳ ତାର ଖାଲି ଦୁଆର ମୁହଁ ବାଟେ ପଶି ଆସୁଛନ୍ତି। ଆଉ ଅପେକ୍ଷା କଲା ନାହିଁ ସେ।

ପାଞ୍ଚ

ଘର ଖୋଜିବାକୁ ଅଣ୍ଟା ଭିଡ଼ିଛି ସଦାଶିବ, ପକେଟ୍‌ରେ ଡବାଏ ପାନ, କଠାଏ ବିଡ଼ି ଓ ଗୋଟାଏ ଦିଆଶିଲି। ସାମ୍ନାରେ ଗୋଟାଏ ରବିବାର। ଏ ଦେଶ ବ୍ୟକ୍ତିଗତ ଉଦ୍ୟମର ଦେଶ, ତେଣୁ ଏଠି ଅବସ୍ଥା ବ୍ୟକ୍ତିର ବ୍ୟକ୍ତିତ୍ୱକୁ ଆବିଷ୍କାର କରିବାକୁ ସୁଯୋଗ ଦିଏ। ସଦାଶିବ ମନକୁ ମନ ଯୁକ୍ତି କଲା। ସାଇକଲ ଧରି ଗତିକଲା ଅନିର୍ଦ୍ଦିଷ୍ଟ ଉଦ୍ୟମରେ। ରାଜଧାନୀକୁ ସେ ମନେ ମନେ ବାଣ୍ଟିନେଲା ଚାରି ଖଣ୍ଡ କରି, ଚାରି ଦିନର ଯୋଜନା।

ପାନ ଦୋକାନି, ଖଲିଫା, ପ୍ରତି ଗଳିରେ ସ୍ଥାନେ ସ୍ଥାନେ ଧୋବଧାଉଳିଆ କେହି ହାବୁଡ଼ିଲେ, କେହି ଚିହ୍ନା ଲୋକ, ହୁଏତ ସମ୍ବାଦ ଦେବେ ଏହିମାନେ, ତା’ଛଡ଼ା ରାଜକର୍ମଚାରୀ ବନ୍ଧୁମାନେ।

Pages: 1 2 3 4