
ଦକ୍ଷିଣର ରେଳଗାଡ଼ିରୁ ଜିନିଷପତ୍ର ଓ ପିଲାପିଲି ଓହ୍ଲାଇ ନେଇ ସେତେବେଳର ରାଜଧାନୀକୁ ନୂଆ ବଦଳି ହୋଇଥିବା କର୍ମଚାରୀ ସଦାଶିବ ଯେତେବେଳେ ଷ୍ଟେସନ ଫାଟକ ଟପି ପଦାକୁ ଆସିଲା, ସେତେବେଳେ ଝିଅ ମନ୍ଦାକ୍ରାନ୍ତା ଆହୁରି ଥରେ ପଚାରିଲା, “ବାପା, ଆମ ଘର?” ତା’ଠୁ ଦୁଇ ବର୍ଷ ସାନ ପୁଅ ଶାର୍ଦ୍ଦୂଳବିକ୍ରୀଡ଼ିତ ଉଲ୍ଲାସରେ ଷ୍ଟେସନ ଘରଭିତରରେ କୁଦା ମାରିଲା ପାଟି କରି କରି, “ଆମ ଘର, ଆମ ଘର।”
ସାନ ପୁଅ ଅନୁଷ୍ଟୁପ ଓ ସାନ ଝିଅ ଗାୟତ୍ରୀ ଏତିକିରୁ ବୁଝିଲେ ଯେ, ଏ ଉତ୍ସବ ପାଳିବା ଉଚିତ, ତେଣୁ ଦୁହେଁ ବେକ ଓ ହାତ ଛନ୍ଦାଛନ୍ଦି ହୋଇ ଡେଇଁ ଡେଇଁ ବୁଲିଲେ ପାଟି କରି କରି, “ଆମ ଗଲ, ଆମ ଗଲ।” ପଛରେ ଆସୁଛନ୍ତି ତାଙ୍କ ମା’ ଦମୟନ୍ତୀ କହିଲେ, “ପାଣି ସୋରେଇଟା କ’ଣ ରେଲରେ ରହିଗଲା କି?”
“ନା, ଅଛି ଚାଲ”, ସଦାଶିବ କହିଲା। ପିଲାଙ୍କୁ ଆକଟି କହିଲା, “ହେଇ, ପାଟି କରନା।” ଲୋକେ ଚାହିଁଛନ୍ତି। ଚାହିଁବାର ବି କଥା, ମାଲ ବହୁତ। “ବାବୁ, ଗାଡ଼ି? ବାବୁ?” କହି ଗାଡ଼ିବାଲାମାନେ ଯେତେବେଳେ ଘେରିଗଲେ, ମନ୍ଦାକ୍ରାନ୍ତା ଆଉ ଥରେ ପଚାରିଲା, “ବାପା, ଆମ ଘର ଏଠୁ କେତେ ଦୂର?”
ସଦାଶିବ କିଛି ଜବାବ ଦେଲା ନାହିଁ। ଜିନିଷପତ୍ର ପଠାପଠି କରିଦେଇ ପିଲାଙ୍କୁ ଧରି ଗୋଟିଏ ଘୋଡ଼ାଗାଡ଼ିରେ ବସି ଯାତ୍ରା ଆରମ୍ଭ କରିଦେଲା।
ଗାଡ଼ି ଭିତରେ ସ୍ତ୍ରୀକୁ ଚହିଁଲା, ସେ ଆସନ୍ନ-ପ୍ରସବା। “କେମିତି ଅଛ?”
“ଭଲ।”
“ଆରେ ପିଲାଏ, ବୋଉ ଉପରେ ମାଡ଼ି ହୁଅ ନାହିଁ।”
ଶାର୍ଦ୍ଦୂଳବିକ୍ରୀଡ଼ିତ ସ୍ଲୋଗାନ ଦେଲା, “ଆମ ଘର।” ସଙ୍ଗେ ସଙ୍ଗେ ସମସ୍ତେ ମିଶି ସମସ୍ବରରେ ଚିତ୍କାର କଲେ, “ଆମ ଘର, ଆମ ଘର।”
ଦି’ପାଖ ସିଟ୍ରୁ ସ୍ବାମୀ ସ୍ତ୍ରୀ ମୁହଁ ଚାହାଁଚାହିଁ ହେଲେ। ଦମୟନ୍ତୀ ହସିଲା, ସଦାଶିବ ମୁହଁ ପୋତିଲା।
ବାର ବର୍ଷ ପରେ ସେ ରାଜଧାନୀକୁ ‘ବଦଳି’ ହୋଇଛି। ମଝିରେ ବର୍ଷେ ଦି’ ବର୍ଷରେ ଥରେ ଅଧେ ନ ଆସିଛି ନୁହେଁ, କିନ୍ତୁ ସଂସାର ସମେତ ବଦଳି ଏହି ପ୍ରଥମ। ଏହି ସେହି ପୁରୁଣା କଟକ, ତା’ର ବାଲ୍ୟର, ଯୌବନର, ଆଉ ଏଠି ଚାରି କ୍ରୋଶ ଦୂରରେ ନଈ ସେପାରିରେ ସାନ ଗାଁ’ଟିଏ, ଯେଉଁଠି ସେ ଜନ୍ମ ହୋଇଥିଲା।
ଜନମମାଟିର ଡିହ ଉପରେ ଲଙ୍କାମରିଚ, ବାଇଗଣ ଲାଗିଥିବ। ଡିହ ବାଇଗଣ ଭଲ ଫଳୁଥିବ। ଆଉ ଥିବ କଖାରୁ ଡଙ୍କ, ତା’ର ଚେକା ଚେକା ଟାଆଁସିଆ ପତ୍ର।
ଦୁଇ
କୋଠା-କୋଠା-କୋଠା ଠିଆ ହୋଇଛି, ତିଆରି ଚାଲଛି, ଇଟା ଗଦା ହେଉଛି, ବାଲି ଗଦା ହେଉଛି। ଇଟା ବୋଝେଇ ହୋଇ, ଲୁହାଛଡ଼ ବୋଝେଇ ହୋଇ ବିକଟ ବେଗରେ ଚାଲିଛନ୍ତି ଟ୍ରକ୍ ମାଳ ମାଳ। ମଟର ଚାପିହୋଇ ମରିଗଲା ବା କିଏ-ଏମିତି ମରି ନଥାନ୍ତା, ସେମିତି ମରନ୍ତା-ପ୍ରଗତି ଅଟକୁ ନାହିଁ।
ଭଁ ଭାଁ ମଟରଗାଡ଼ି, କେତେ ବଡ଼ଲୋକ। ଉଦ୍ବୁଦ୍ଧ କଟକ, ସମୃଦ୍ଧ କଟକ। ଜାତି ଜାତି ଲୋକ। ଗହଳି ସହର। ବାର ବର୍ଷ ତଳେ ଏଠୁ ଯାଇଥିଲା ସେ। ଜିଲ୍ଲାପରେ ଜିଲ୍ଲା-ବିଶାଳ ଓଡ଼ିଶା। ମନ୍ଦାକ୍ରାନ୍ତା ବାଲେଶ୍ୱରରେ ଜନ୍ମ, ଶାର୍ଦ୍ଦୂଳବିକ୍ରୀଡ଼ିତ କୋରାପୁଟରେ, ଅନୁଷ୍ଟୁପର ଜନ୍ମଭୂମି ବୋଡ଼ାସମ୍ୱର, ଗାୟତ୍ରୀ ଭଞ୍ଜଭୂମିର ଝିଅ-ଜନ୍ମ ରସୁଲକୋଣ୍ଡାରେ, ଆଉ ଯେଉଁଟି ଜନ୍ମ ହେବାର ଅଛି, ତାର ପରିକଳ୍ପନା ସୁଦୂର ଅରଣ୍ୟାନୀ ଭିତରେ ମାଙ୍କଡ଼ନଚା ସବ୍ଡ଼ିଭିଜନରେ-ସେ କଟକରେ ସୂର୍ଯ୍ୟ ଦେଖିବ। କିନ୍ତୁ କେଉଁଠି? କାହିଁ ତା’ପାଇଁ ଘର।
“ଏ ସହର ବଡ଼ଲୋକଙ୍କର”, ସଦାଶିବ ସ୍ତ୍ରୀକୁ କହିଲା, “ଆମ ପାଇଁ ଏଠି ସ୍ଥାନ ନାହିଁ।”
“ଚାଲ ତ”, ସ୍ତ୍ରୀ କହିଲା।
“ସମସ୍ୟାଟା କ’ଣ ଜାଣ?” ଦୁଃଖିତ ହୋଇ ସଦାଶିବ କହିଲା, “ଯେଉଁ ଯୁଗରେ ଯେଉଁମାନେ ମରିଯିବା ଉଚିତ, ସେମାନେ ମରନ୍ତି ନାହିଁ।”
“ଏତେ ବ୍ୟସ୍ତ ହେଲେ କ’ଣ ହେବ କହିଲ?” ଦମୟନ୍ତୀ ବୁଝେଇଲା, “ଘର ଖଣ୍ଡେ ମିଳିଯିବ ନାହିଁ ଯେ-!”
“ମିଳିବ ନିଶ୍ଚୟ”, ଦାନ୍ତ ଚିପି ଚିପି ସଦାଶିବ କହିଲା, “କିନ୍ତୁ ଡେରି ଅଛି।”
ତା’ର ଜଳନ୍ତା ଦୃଷ୍ଟି ଆଉ ଫମ୍ପା ଦୀର୍ଘଶ୍ୱାସ ନିଷ୍ଫଳ ରାଗରେ ଆକ୍ରମଣ କଲା ରାସ୍ତା ଧୂଳିକୁ।
ମଟର ପଛରେ ମଟର ଚାଲିଛି।
ତିନି
ଗନ୍ତବ୍ୟ ଲକ୍ଷ୍ୟ, ବନ୍ଧୁ ରତ୍ନାକରର ଘର। ରତ୍ନାକର ଯୁଦ୍ଧୋତ୍ତର ବଜାରରେ ଲୁହା ବ୍ୟବସାୟ କରେ। ଅଣଓସାର ବାଟଘରକୁ ଛାଡ଼ି ଖୁବ୍ ସାନ ଗୋଟିଏ ଚାଳଘର। ଖଟକୁ ଖଟ ଯୋଡ଼ି ତଳେ ଜିନିଷପତ୍ର ଗଦେଇ ରଖି, ଶିକାରୁ ଓହଳେଇ ବାକି ଯେତିକି ସ୍ଥାନ ଫାଙ୍କା ରହିଲା, ସେତିକିରୁ ରତ୍ନାକର ତା’ର ଓ ନିଜର ପିଲାମାନଙ୍କ ପାଇଁ ନିଃଶ୍ୱାସ ଗ୍ରହଣ କରେ। ପିଲା ତା’ର ବି ପାଞ୍ଚୋଟି, ସ୍କୁଲଯାତ୍ରୀ, ସ୍ତ୍ରୀ, ସେ ଓ ଚାକରବାକର। ତା’ ଛଡ଼ା ଘରେ କୁକୁର, ବିଲେଇ, ମୂଷା ଓ ଗାଈଗୋରୁ।