ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଧର୍ମନିରପେକ୍ଷ ରାଜନୀତି

ଗୋଟିଏ ବାପର ଥିଲେ ତିନିପୁଅ। ସେମାନେ ସବୁ ବଡ଼ ହୋଇଗଲେ। ବାହା ହେଲେ। ଘରକୁ ଆସିଲେ ତିନି ବୋହୂ। ତିନି ବୋହୂଙ୍କର ମଧ୍ୟ ଗୋଟିଏ ଗୋଟିଏ ପିଲା ଜନ୍ମ ହେଲେ। କ୍ରମେ ଘରଟି ହୋଇଗଲା ଗୋଟିଏ ଏକାନ୍ନବର୍ତ୍ତୀ ପରିବାର। ସବୁ ଭାଇଙ୍କ ଭିତରେ ସାଧାରଣ ଭାବେ ସ୍ନେହ ସୌହାର୍ଦ୍ଦ୍ୟ ଥିଲା। ବୋହୂମାନେ ମଧ୍ୟ ମିଳିମିଶି ଚଳୁଥିଲେ। ସୌଭାଗ୍ୟର କଥା ଯେ-ପରିବାରଟିରେ କୌଣସି ମନୋମାଳିନ୍ୟ ନ ଥିଲା।

କିନ୍ତୁ ତିନିଭାଇ ଧର୍ମରେ ହିନ୍ଦୁ ହେଲେ ବି ପ୍ରତ୍ୟେକେ ନିଜ ନିଜ ମତାନୁସାରେ ଧର୍ମ ପାଳୁଥିଲେ। ବଡ଼ଭାଇ ଥିଲେ ପରମ ବୈଷ୍ଣବ। ମଥାରେ ତିଳକ, ବେକରେ ତୁଳସୀ ମାଳି, ବାଆଁ ହାତରେ ତମ୍ବା କଡ଼ା ଓ ପାଞ୍ଚ ଆଙ୍ଗୁଳିରେ ରାମ ଓ କୃଷ୍ଣଙ୍କ ନାମ ଖୋଦିତ ତମ୍ବା ମୁଦି। ତାଙ୍କ ଠାକୁର ଘର ଅଲଗା। ସେଠି ରାମାଭିଷେକ ଫଟୋ ରଖି ପୂଜା କରାଯାଏ। ଶାଳଗ୍ରାମ ପୁଜା ହୁଏ ଓ ହନୁମାନଜୀଙ୍କର ଫଟୋକୁ ମଧ୍ୟ ପୁଷ୍ପ ତୁଳସୀ ଦେଇ ପୁଜା କରାଯାଏ। ପ୍ରତିଦିନ କର୍ପୂର ଆଳତି ହୁଏ ଓ ତିଳକ ଲାଗି ହୁଏ। କ୍ଷୀରୀ, ଖେଚୁଡ଼ି ଡାଲମା, ପିଠା, ପଣା ଭୋଗହୁଏ।

ସବାସାନ ପୁଅ ଶାକ୍ତମତରେ ପୁଜା ଉପାସନା କରନ୍ତି। ତାଙ୍କର ଠାକୁରଘର ଅଲଗା। ସେ ରୁଦ୍ରାକ୍ଷ ମାଳା ଓ ରକ୍ତଚନ୍ଦନ ମାଳା ପିନ୍ଧିଥାନ୍ତି। ଦେହଯାକ ଚନ୍ଦନରେ ଓଁ ହ୍ଲିଂ କ୍ଲୀଂ ଛପା ହୋଇଥାଏ। ସେ ନାଲିପାଟ ପିନ୍ଧନ୍ତି। ଠାକୁର ଘରେ ଶାୟିତ ଶିବଙ୍କ ଉପରେ ଉଲ୍ଲଗ୍ନା, ଆଲୁଳାୟିତା କେଶ, ଭୟଙ୍କରୀ କାଳୀ ହାତେ ଜିଭ କାଢ଼ି ଠିଆ ହୋଇଥିବାର ଏକ ଫଟୋ ପୂଜାହୁଏ। ମହିଷାମର୍ଦ୍ଦିନୀ ଦୁର୍ଗା ଓ ବ୍ୟାଘ୍ରବାହିନୀ ମଙ୍ଗଳା ଠାକୁରାଣୀଙ୍କ ଫଟୋ ମଧ୍ୟ ପୂଜାହୁଏ। ତାଙ୍କ ପାଖେ ମନ୍ଦାର ଫୁଲ ସଜା ହୋଇଥାଏ ଏବଂ ପ୍ରତିଦିନ ମାଛମାଂସ ତରକାରି ସହ ଦିନେ ଦିନେ ସାମାନ୍ୟ ମଦ ମଧ୍ୟ ଭୋଗ ହୁଏ।

ମାତ୍ର ମଝିଆଁ ଭାଇଙ୍କର କୌଣସି ସ୍ୱତନ୍ତ୍ର ମତ ନଥିଲା କି ତାଙ୍କର ସେ ଆଡ଼କୁ ମନ ନ ଥିଲା। ସେଥିପାଇଁ ତାଙ୍କର ସ୍ୱତନ୍ତ୍ର ଠାକୁର ଘର ନ ଥିଲା। କିନ୍ତୁ ତାଙ୍କର ଥିଲା ଏକ ସ୍ୱତନ୍ତ୍ର ବୈଠକ ଘର। ସେ ବୈଠକ ଘରେ ସେ ସବୁ ଦେବଦେବୀଙ୍କର ଫଟୋ ରଖିଥିଲେ। ବୁଦ୍ଧ ଓ ଯିଶୁଖ୍ରୀଷ୍ଟଙ୍କ ଫଟୋ ବି ରଖିଥିଲେ। ପବିତ୍ର କୋରାନ୍‌ର କେତେକ ମନ୍ତ୍ର ମଧ୍ୟ ଫଟୋ ବନ୍ଧାଇ କରି ରଖିଥିଲେ। ମୋଟ ଉପରେ ସେ କାନ୍ଥଯାକ ସବୁ ଦେବାଦେବୀ ଓ ସାଧୁସନ୍ଥ ବାବାଜୀ ବେଷ୍ଣବମାନଙ୍କ ଫଟୋ ଟଙ୍ଗା ହୋଇଥିଲା। ମଝିଆ ଭାଇ କାହାକୁ ପୂଜାଧ୍ୱଜା କରୁ ନଥିଲେ। ମାତ୍ର ସବୁ ଫଟୋରେ ସବୁଦିନ ଲାଗି ନାଇଲନ୍‌ ଫାଇବର୍‌ ନିର୍ମିତ ବିଭିନ୍ନ ରଙ୍ଗର କୃତ୍ରିମ ଫୁଲର ମାଳା ଲମ୍ବିଥିଲା।

ହଁ-ମୁଁ କହିବାକୁ ଭୁଲିଯାଇଛି ଯେ, ମଝିଆଁ ଭାଇ ରାଜନୀତି କରୁଥିଲେ ଓ ଦୁଇଥର ଚେୟାର୍‌ମେନ୍‌ ହେଲାପରେ ଓ ମାତ୍ର ଥରେ ଭୋଟରେ ହାରିଗଲା ପରେ ଏବେ ଗୋଟିଏ ଧର୍ମ-ନିରପେକ୍ଷ ରାଜନୈତିକ ଦଳର ନେତା ରୂପେ ଏମ୍‌. ଏଲ. ଏ. ହୋଇଛନ୍ତି। ତେଣୁ ସେ ତାଙ୍କର ବୈଠକଖାନାଟିକୁ ମନେକରନ୍ତି ଏକ ଧର୍ମ-ନିରପେକ୍ଷ ଉପାସନା ଗୃହ। କାରଣ ସେ ଗୋଟିଏ ଗୃହରେ ରାସଲୀଳା ପ୍ରମତ୍ତ ଶ୍ରୀକୃଷ୍ଣଙ୍କ ସହିତ କ୍ରୁଶବିଦ୍ଧ ଯିଶୁଖ୍ରୀଷ୍ଟ ଓ ଧ୍ୟାନରତ ବୁଦ୍ଧଙ୍କ ସହିତ ଉଲଗ୍ନ ମହାବୀରଙ୍କୁ ଏକ ଧର୍ମନିରପେକ୍ଷ ସୂତ୍ରରେ ବାନ୍ଧି ରଖିଛନ୍ତି।

ଏଥିପାଇଁ ରାଜନେତା ମଝିଆଁଭାଇ ଖୁବ୍‌ ଗର୍ବ ମଧ୍ୟ ଅନୁଭବ କରୁଥିଲେ ଏବଂ ସେଥିପାଇଁ ସବୁ ଧର୍ମ ଓ ସମ୍ପ୍ରଦାୟର ଭୋଟଦାତାମାନେ ତାଙ୍କ ବୈଠକ ଖାନାରେ ଆସି ରୁଣ୍ଡ ହେଉଥିଲେ। କିନ୍ତୁ ସେ ଘରେ କେବେ ଗୀତା, ଭାଗବତ, ଚଣ୍ଡୀ, ବାଇବେଲ୍‌, କୋରାନ୍‌ ଆଦି ପାଠ ହେଉ ନ ଥିଲା।

ଦିନକର କଥା! ସେଦିନ ବଡ଼ଭାଇ ତାଙ୍କର କେତେକ ବୈଷ୍ଣବ ବନ୍ଧୁଙ୍କୁ ସଂକୀର୍ତ୍ତନ ଓ ପ୍ରସାଦ ସେବନ ପାଇଁ ନିମନ୍ତ୍ରଣ କରିଥିଲେ ଏବଂ ଠିକ୍‌ ସେହିଦିନ ସାନଭାଇ ତାଙ୍କର କେତେକ ଶାକ୍ତ ବନ୍ଧୁଙ୍କୁ ଚଣ୍ଡୀପାଠ ଓ ପ୍ରସାଦ ସେବନ ଲାଗି ନିମନ୍ତ୍ରଣ କରିଥିଲେ ଏବଂ ସେହିଦିନ ମଧ୍ୟ ମଝିଆଁ ଭାଇ ଆସନ୍ତା ନିର୍ବାଚନ ପ୍ରସ୍ତୁତି ପାଇଁ ତାଙ୍କର କେତେଜଣ ମିନିନେତା ବନ୍ଧୁଙ୍କୁ ତାଙ୍କ ଗୃହରେ ଆଲୋଚନା ଓ ଭୋଜନ ଲାଗି ନିମନ୍ତ୍ରଣ କରିଥିଲେ।

କିନ୍ତୁ ବର୍ତ୍ତମାନ ଦୁଇଭାଇଙ୍କ ଭିତରେ ଆମିଷ ନିରାମିଷ ରନ୍ଧନ ଲାଗି ବିବାଦ ଦେଖାଦେଲା। ବୈଷ୍ଣବ ଉପାସକ ବଡ଼ଭାଇ କହିଲେ- “ମୁଁ ଆଜି ଭାଗବତ ପାରାୟଣ ଓ ସଂକୀର୍ତ୍ତନ ଲାଗି ବୈଷ୍ଣବ ଭାଇମାନଙ୍କୁ ପ୍ରସାଦ ସେବନ କରାଇବି। ତେଣୁ ଆମଘରେ ଆଜି ନିରାମିଷ ରନ୍ଧାହେବ।” ଶାକ୍ତ ଉପାସକ ସାନଭାଇ କହିଲେ- “ଆଜି ମୁଁ ମୋର ଶାକ୍ତ ଭାଇମାନଙ୍କୁ ଚଣ୍ଡୀପାଠ ପାଇଁ ଓ ଆମିଷ ପ୍ରସାଦ ସେବନ ପାଇଁ ଡାକିଛି। ତେଣୁ ନିଶ୍ଚୟ ମାଛ ତରକାରି ହେବ। କାରଣ ମାଛମାଂସ ନ ଥିଲେ କାଳୀମାତା ସେ ତରକାରୀ ଚାହିଁବେ ନାହିଁ।”

ରାଜନୈତିକ ନେତା ମଝିଆଭାଇ ଏକଥା ଶୁଣୁଥିଲେ ଚୁପ୍‌ ହୋଇ। କିଛି କ୍ଷଣ ପରେ ସାମାନ୍ୟ ମୁରୁକି ହସି ବଡ଼ଭାଇ ଓ ସାନଭାଇଙ୍କ ଉଦ୍ଦେଶ୍ୟରେ କହିଲେ- “ଠିକ୍‌ ଅଛି। ଏଇ ସାମାନ୍ୟ କଥା ନେଇ ଆମର ଏକ ଏକାନ୍ନବର୍ତ୍ତୀ ପରିବାରରେ ବିଭେଦ ସୃଷ୍ଟି ହେବ? ତା’ ହେଲେ-ଆମେ ଆମର ଏଇ ମହାନ୍‌ ଦେଶ ଭାରତକୁ ଏକାଠି ରଖିବା କିପରି? ତୁମେମାନେ ଗୋଟେ କଥା କର। ସବୁ ପରିବା, ଡାଲି ଓ ମାଛ କି ମାଂସ ଏକାଠି ମିଶାଇ ଗୋଟେ ଘାଣ୍ଟ ବା ଜନ୍ତାଳ କରି ରାନ୍ଧ। ଶେଷରେ ଗରମମସଲା ପକାଇ ଯେଝା ଠାକୁରମାନଙ୍କ ପାଖେ ଭୋଗ ଲଗାଅ।

କେବଳ-ବୈଷ୍ଣବ ପୂଜାଗୃହରେ ଯେଉଁ ତରକାରି ଭୋଗ ଲଗାଇବ ସେଥିରୁ ପରିବାତକ କାଢ଼ିଦେବ। ବାସ୍‌-ଦୁଇଭାଇଙ୍କ କଥା ରହିଲା। ଏବେ ସେଇ ଘାଣ୍ଟ ବା ଜନ୍ତାଳ ତରକାରି ମୋର ରାଜନୈତିକ ବନ୍ଧୁମାନଙ୍କୁ ଖାଇବାକୁ ଦିଅ। ଆମ ଧର୍ମନିରପେକ୍ଷ ନେତାମାନେ ସବୁକୁ ଏକାଠି ମିଶାଇ ଖାଇଦେବୁ। ଆମର କିଛି ବାଛବିଚାର ନାହିଁ। ବୁଝିଲ।”

ପାଠକେ! ଏବେ ଆପଣମାନେ ସବୁକଥାର ମର୍ମ ବୁଝିଲେ ତ?
-୦-

ପାଠକୀୟ ଆଦୃତି

339 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

୰ ମହାପାତ୍ର ନୀଳମଣି ସାହୁ

ମହାପାତ୍ର ନୀଳମଣି ସାହୁ (୧୯୨୬-୨୦୧୬) ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଜଣେ ପ୍ରବୀଣ ସାରସ୍ବତ ସାଧକ। ସେ ଗଳ୍ପ, ଉପନ୍ୟାସ, କବିତା, ପ୍ରବନ୍ଧ, ରମ୍ୟରଚନା, ଫିଚର, ଶିଶୁ ସାହିତ୍ୟ, ଅନୁବାଦ ଆଦି ସବୁ ବିଭାଗରେ ନିଜର ସିଦ୍ଧହସ୍ତତା ପ୍ରମାଣିତ କରିଛନ୍ତି।

ତାଙ୍କର ଅମର କୃତି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସାରଳା ପରୁସ୍କାର ଓ ଭାରତୀୟ ଭାଷା ପରିଷଦ ପକ୍ଷରୁ କୋଣାର୍କ ପୁରସ୍କାର ସମେତ ବହୁ ପୁରସ୍କାର ଓ ସମ୍ମାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛିନ୍ତି। ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ଯେଉଁ କେତେଜଣ ପ୍ରତିଭାଶାଳୀ କଥାଶିଳ୍ପୀ ଆମ କଥା ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି, ସେମାନଙ୍କ ମଧ୍ୟରେ ମହାପାତ୍ର ନୀଳମଣି ସାହୁ ଅନ୍ୟତମ।

ତାଙ୍କ ରଚିତ ଗଳ୍ପ ସଙ୍କଳନ ମଧ୍ୟରେ-‘ପ୍ରେମ ତ୍ରିଭୁଜ’, ‘ମିଛ ବାଘ’, ‘ସୁମିତ୍ରାର ହସ’, ‘ଅନ୍ଧରାତିର ସୂର୍ଯ୍ୟ’, ‘ଆକାଶ-ପାତାଳ’, ‘ଅଭିସପ୍ତ ଗନ୍ଧର୍ବ୍’, ‘ଲୌକିକ ଆଲୌକିକ’, ‘ବାବା ଡହରାନନ୍ଦଙ୍କ ଅଭିନବ ପ୍ରବଚନମାଳା’ ଆଦି ଅନ୍ୟତମ। ସେହିଭଳି ତାଙ୍କ ରଚିତ ଉପନ୍ୟାସ ମଧ୍ୟରେ ‘ଧରା ଓ ଧାରା’, ‘ତାମସୀ ରାଧା’ ଓ ‘ହଂସ ମିଥୁନ’ ଆଦି ଅନ୍ୟତମ। ତାଙ୍କ ରଚିତ କବିତା ସଙ୍କଳନ ମଧ୍ୟରେ ‘କିଛି କବିତା, କିଛି କବିତା ଭଳି’, ‘କବିତା ନୁହେଁ, କବିତା ଭଳି’ ଆଦି ଅନ୍ୟତମ।

ଏହା ସହିତ ସେ ‘ଝଙ୍କାର’ ଏବଂ ‘ଉତ୍କଳ ପ୍ରସଙ୍ଗ’ ଆଦି ପତ୍ରିକା ସମ୍ପାଦନା କରିବା ସହିତ ଅନେକ ଆଲୋଚନା ସାହିତ୍ୟ ଏବଂ ବିଭିନ୍ନ ପ୍ରତିଷ୍ଠିତ ଓଡ଼ିଆ ସମ୍ବାଦପତ୍ରରେ ନିୟମିତ ସ୍ତମ୍ଭ ରଚନା ମଧ୍ୟ କରିଥିଲେ।

କ୍ରମେ ସବିଶେଷ →
ଆଉ କେତୋଟି ସଂଗ୍ରହ

ଅନ୍ଧାରୁଆ

ବେକରେ ହାଡ଼ ବାନ୍ଧିଲା। ଦାନ୍ତରେ ତିରଣ ଦେଲା। ଜିଭ ଥାଉ ଥାଉ ଖନା ହୋଇ ପହଲି ପଧାନ ବାରଦୁଆର ଶୁଣ୍ଢିପିଣ୍ଡା ବୁଲି ଖପରା ପତେଇଲା।

-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP