
“ଓଃ ! ଜବର୍ ଜୱାନଟାଏ ଥିଲା। ମୁଁ ତାକୁ ସେଦିନୁ କହୁଛି ପରା…ହା…ନିଜ ଦୋଷରୁ ମଲା।”
କାହା କଥା ପଡ଼ିଛି? ବାପା ଏମିତି ଅଥୟ ହେଉଛନ୍ତି କାହିଁକି?
“ବାପା, କିଏ ମଲା,?”
“ପାଣୁଆ ବଢ଼େଇ। ତୁ ତାକୁ ଜାଣିନାହୁଁ।”
ପାଣୁଆ ବଢ଼େଇ ମରିଗଲା। ସେ ବାପାଙ୍କର କିଏ? ଯାହ-ହେଉ ସେ ମରିଗଲା ବୋଲି ବାପା ତାକୁ ଗାଳିଦେଉଛନ୍ତି କାହିଁକି?
ତାକୁ ଗାଳିଦେବା ଉଚିତ ନୁହଁ। ସମସ୍ତେ ସାନ, ସମସ୍ତେ ସମାନ। ବଞ୍ଚିବାର ମାନେ ନୁହେଁ ଯେ, କିଏ ଭୂସ୍କିନି ଉପରକୁ ଉଠିଗଲା। ମରିବାର ମାନେ ନୁହେଁ ଯେ, କିଏ ଧୂସ୍କିନି ତଳେ ପଡ଼ିଗଲା। ଛାଇତଳେ କେହି ଉପରକୁ ଉଠିଯାଆନ୍ତି ନାହିଁ, କେହି ତଳେ ପଡ଼ିଯାଆନ୍ତି ନାହିଁ। ସମସ୍ତେ ଚାଦର ତଳେ ଗୁଡ଼ୁ ରୁଗୁଡ଼ୁ ହୁଅନ୍ତି, ଖୁସୁରୁ ଖୁସୁର ହୁଅନ୍ତି। ଆଉ ତାଙ୍କ ପାଖଦେଇ ଟ୍ରେନ୍ ଧପ୍ ଧପ୍ କରି ଚାଲିଯାଏ-ତାକୁ ପଚାରୁଛି କିଏ? ଧର, ପାଣୁଆ ଗୋଟିଏ ଘାସ ହୋଇଯାଇଛି, ନହେଲେ ପାଣିରେ ବୁଡ଼ିକରି ଉଠୁଥିବା ଗୋଟିଏ ଫଡ଼ଫଡ଼ିଆ ଚଢ଼େଇ। ସେ ମରିଗଲା ତ କ’ଣ ହୋଇଗଲା!
କିନ୍ତୁ ଛାଇ ଚାଲିଯାଉଛି…ଅନ୍ଧାର ମାଡ଼ିଆସୁଛି…ସବୁଦିନେ ସବୁବେଳେ ଛାଇପଡ଼ିଥିଲେ ଭଗବାନଙ୍କର କ’ଣ କ୍ଷତି ହୋଇଯାଉଥିଲା? ଉଁ, ଏଇକ୍ଷଣି ସବୁରଙ୍ଗ ବିଲିବିଲା ହୋଇଯିବ, ସେଇଠୁ କଳାରଙ୍ଗ ଲେସି ହୋଇଯିବ। ପାଣୁଆ ସତସତକା ମରିଯିବ, ଲିଭିଯିବ, ପଚ୍କିନି ହୋଇ ଲେସି ହୋଇଯିବ-ଯେମିତି ସେ ପୋକଟା।
ସେଇ ପୋକଠୁଁ ସବୁ ଆରମ୍ଭ। ଘରୁ ବାହାରିଲା ବେଳକୁ ସେଇ ପୋକଟା ମରିଯାଇ ନଥିଲେ ସବୁ ଭଲରେ ଭଲରେ କଟିଯାଇଥାଆନ୍ତ। ଏ ନିଶୁଆ ଆସି ନଥାଆନ୍ତା, ଆଉ ପାଣୁଆର ମରିବା କଥା କହି ନଥାଆନ୍ତା…ଛାଇରୁ ଅନ୍ଧାର ଆସି ନଥାଆନ୍ତା।
ନା, ମୁଁ ଆଉ ଝରକାବାଟେ ଅନେଇବି ନାହିଁ। ମୁଁ ସାନ ଦାଦାଙ୍କର ବାହାଘର କଥା ଭାବିବି। ସାନଦାଦା ଯାହାଙ୍କୁ ବାହାହେବେ, ସେ କ’ଣ ବୋଉ ଭଳିଆ ଦେଖିବାକୁ ହୋଇଥିବେ। ମୁଁ ତାଙ୍କୁ ପ୍ରଥମେ ଯାଇ ଦଣ୍ଡବତ ହେବି, କହିବି-ମୋ ନା ମଞ୍ଜୁ। ସେଇଠୁ ସେ ମୋତେ ପାଖକୁ ଟାଣି ଆଣିବେ। ଛିଃ, ମୋତେ ଲାଜ ମାଡ଼ିବ…
(କଳାହାଣ୍ଡିଆ ମେଘରୁ ପାଣି ଝରିଲା ଏବଂ ଟ୍ରେନ୍ ଧୀରେ-ଧୀରେ ଗୋଟିଏ ଜଙ୍କ୍ସନ୍ ଷ୍ଟେସନରେ ଆସି ଛିଡ଼ା ହେଲା)
ଏଇଟା ହେଉଛି ବଡ ଷ୍ଟେସନ। ଏଇଠି ଗାଡ଼ି କେଜାଣି କେତେ ସମୟ ରହିବ? ଗୁଡ଼ାଏ ଲୋକ ଭର୍ତ୍ତି ହୋଇଯିବେ।
ଓଃ!କେଡ଼େ ପାଟି ହେଉଛି ମ!
ବାପା ପୁଣି ଥରେ ୟେଁ କହିଲେ? ନା, ମୋର ମୁଣ୍ଡ ବାଉଳା ଧରିଲାଣି? ହଁ, ସେ ଆଉ ତାଙ୍କ ସାଙ୍ଗଜଣକ ତରତର ହୋଇ ବର୍ଷା-ପାଣି ନମାନି ଓହ୍ଲାଇ ଯାଉଛନ୍ତି, ଅନ୍ୟମାନେ ତାଙ୍କ ପଛେପଛେ ଗୋଡ଼ଉଛନ୍ତି। କ’ଣ ହେଲା?
ଆଉ ଥୋକେ ପଶିଆସୁଛନ୍ତି। ବାପା କୁଆଡ଼େ ଗଲେ? ମୁଁ କଅଣ ଏଠି ଏକୁଟିଆ ବସିଥିବି? ବାପା ଆସନ୍ତୁ, ମୁଁ ତାଙ୍କୁ-। ହେଇଟି ବାପା ଆସିଲେଣି, ଆଖିଯୋଡ଼ାକ ବଡ଼ବଡ଼ କରି ଅନ୍ୟମାନଙ୍କୁ କହୁଛନ୍ତି, “ମୁଁ ବୁଝିଆସିଲି। ଏଇ ଦି’ ତିନି ଘଣ୍ଟା ଆଗରୁ ଚାଲିଗଲେ। କିଛି କୁଆଡୁ ନଥିଲା, ହଠାତ୍ ହାର୍ଟଫେଲ୍।” ଆଉଜଣେ ପିନ୍ପିନିଆ ପାତଳା ଟୋକା, ସାନ ଦାଦାଙ୍କ ଭଳିଆ ଦେଖିବାକୁ, ପକେଟ୍ରେ ହାତ ପୂରେଇଛି, ଆଉ ଇଂରାଜୀରେ ପଦେଅଧେ ଛାଡ଼ି ଦେଉଛି। ପଦେଅଧେ କଅଣ, ଖାଲି କହୁଛି-ଆଇ ନୋ, ଆଉ ନୋ, ଆଉ ମୁଣ୍ଡ ଟୁଙ୍ଗାରୁଛି। କଅଣ ହେଲା? ବାପା କଅଣ ମୋ ଆଡ଼କୁ ଅନଉଛନ୍ତି ଯେ, ପଚାରିବି? ପଚାରିଲେ ବି ମୁଣ୍ଡ ହଲେଇଦେବେ, କହିବେ-ତୁ ଜାଣିନାହିଁ, ତୁ ବୁଝିପାରିବୁ ନାହିଁ।
ପ୍ରେସିଡେଣ୍ଟ ମରିଗଲେ! କୋଉ ପ୍ରେସିଡେଣ୍ଟ?
ପଚାରିଲାରୁ ବାପ ରାଗିଲାଭଳି କହୁଛନ୍ତ-ଆମ ପ୍ରେସିଡେଣ୍ଟ, ଭାରତର ପ୍ରେସିଡେଣ୍ଟ- ଡକ୍ଟର ଜାକୀର ହୁସେନ୍।
ବାପା ରାଗୁଛନ୍ତି କାହିଁକି? ଠିକ୍ ଅଛି, ମୁଁ ବାପାଙ୍କୁ କେବେହେଲେ କିଛି ପଚାରିବି ନାହିଁ। କିନ୍ତୁ ଏମିତି କାହିଁକି ହେଲା ମ? କୁଆଡୁ କିଛି ନାହିଁ ହଠାତ୍ ମରିଗଲେ! କି ଆଶ୍ଚର୍ଯ୍ୟ!
ସେଇଠୁ କ’ଣ ହେବ? ଆଉ କେହି ନୁହେଁ, ନିଜେ ଭାରତର ପ୍ରେସିଡେଣ୍ଟ ମରିଯାଇଛନ୍ତି। ପାଣୁଆ ନୁହେଁ, ଏଣୁତେଣୁ କେହି ବାଜେ ଲୋକ ନୁହେଁ। ତାହାହେଲେ? ଗାଡ଼ି ଚାଲିବ ତ? ସାନ ଦାଦାଙ୍କର ବାହାଘର ହେବ ତ?
ସେମାନେ ଖାଲି ଗଡ଼ଗଡ଼ ହେଉଛନ୍ତି। ସେଇ ଟୋକା ପକେଟରେ ହାତ ପୁରାଇ ଲେକ୍ଚର ଦେଉଛି। କହୁଛି ଯେ, ଭାରି ଗଣ୍ଡଗୋଳ ହେବ, ଗିରିଙ୍କୁ ପ୍ରେସିଡେଣ୍ଟ ହେବାକୁ ଦେବେ ନାହିଁ। ମୁଁ ଜାଣେ ଗିରି ହେଉଛନ୍ତି ଭାଇସ୍-ପ୍ରେସିଡେଣ୍ଟ। ତାଙ୍କୁ ପ୍ରେସିଡେଣ୍ଟ କଲେ ଗଣ୍ଡେଗୋଳ କାହିଁକି ହେବ?
ବଡ଼ ମୁସ୍କିଲ! କେଉଁ ଦୁର୍ଯ୍ୟୋଗରେ ଘରୁ ବାହାରିଥିଲି କେଜାଣି। ପ୍ରଥମେ ପୋକ, ତା’ପରେ ପାଣୁଆ, ତା’ପରେ ନିଜେ ଭାରତର ପ୍ରେସିଡେଣ୍ଟ। ମୁଁ ଆଉ ଟ୍ରେନ୍ରେ ଆସିବି ନାହିଁ, ଟ୍ରେନ୍ରେ ଆସିଲାରୁ ଏତେ କଥା। ନା, ଟ୍ରେନ୍ ବିଚାରାର ଦୋଷ ନାହିଁ। ସେ ତ ତା’ର ହୋମୱାର୍କ କରିଚାଲିଛି। ତା’ ପାଇଁ ପୋକ ଯାହା, ପାଣୁଆ ସେଇୟା….
ମୋତେ ଭାରି ଭୋକ କଲାଣି। ଏତିକି ବେଳକୁ ଭୋକ କରିବାକୁ ଥିଲା! ମୁଁ ଜାଣିଥିଲେ ପଛ ଷ୍ଟେସନରେ ବେଶିକରି ସିଙ୍ଗଡ଼ା ଖାଇଦେଇ ଥାଆନ୍ତି। କିନ୍ତୁ ମୁଁ କେମିତି ଜାଣିଥାଆନ୍ତି! କିଏ କେମିତି ଜାଣିବ ଯେ, ପ୍ରେସିଡେଣ୍ଟ ଏମିତି ହଠାତ୍ ମରିଯିବେ! ଏଇକ୍ଷଣି ବାପାଙ୍କୁ ମାଗିପାରିବି ନାହିଁ। ଏଣେ ପ୍ରେସିଡେଣ୍ଟ ମରିଯାଇଛନ୍ତି, ଅଉ ସେ କହୁଛି କ’ଣ ନା-
ବାପା ହସୁଛନ୍ତି! ସେ ନିଶୁଆ କ’ଣ କହିଲା, ଯେ ତା’ରି କଥାରେ ଠୋଠୋ ହୋଇ ହସୁଛନ୍ତି। ଅନ୍ୟମାନେ ନିଜନିଜ ସିଟ୍ରେ ବସି କଥାବର୍ତ୍ତ ହେଉଛନ୍ତି। ସେ ପାତଳା ଟୋକା ଗୋଟାଏ ବହି ବାହାର କରି ପଢ଼ିଲାଣି, ଗପବହି ପରି ଦେଖାଯାଉଛି। ଏଇକ୍ଷଣି କ’ଣ ଗପବହି ପଢ଼ିବା କଥା ! ବଡମାନେ ସତରେ ଅଭୂତ ମଣିଷ। ଟିକିଏ ଆଗରୁ ଏଡ଼େ ମୁହଁ କରିଥିଲେ, ଛାଟିପିଟି ହେଉଥିଲେ, ରାଗୁଥିଲେ। ଆଉ ଏଇକ୍ଷଣି କିଛି ନ ହେଲା ପରି ଢ଼ଙ୍ଗ ଦେଖାଉଛନ୍ତି।
(ଗାଡ଼ି ଚାଲିଲା)
ଗାଡ଼ି ଚାଲିଲାଣି। ଠିକ୍ କଥା, ପ୍ରେସିଡେଣ୍ଟ ମଲେ ଗାଡ଼ି ଚାଲିବା ବନ୍ଦ ହେବ କାହିଁକି!
କିନ୍ତୁ ସବୁ ମଜା ମାଟି ହୋଇଗଲା। ବାହାରେ ଏକଦମ୍ ଅନ୍ଧାର, ବର୍ଷା ସରୁନାହିଁ। ବାପା କହୁଛନ୍ତି ଝରକାର କାଚ ପକେଇଦେବାକୁ, ଯେମିତି ଆରପାଖରେ ପକାହେଉଛି। ତାହାହେଲେ ପାଣି ଛିଟିକା ଆସିବ ନାହିଁ, ବାହାରର କିଛି ଦେଖାଯିବ ନାହିଁ। କିନ୍ତୁ କାଚରେ ମୁହଁ ଦିଶିବ। ମୁଁ ନିଜ ମୁହଁ ଦେଖିବି, ଏଇ ଲୋକମାନଙ୍କ ମୁହଁ ଦେଖିବି। ବାପାଙ୍କ ମୁହଁ ଦେଖିବି, ଦେଖିବି କିଏ ମନକୁମନ ଭୁରୁ ଟେକୁଛି, ନାକପୂଡ଼ା ଫୁଲଉଛି, ହସିଲା ପରି ହେଉଛି, କୁନ୍ଥଉଛି। କାହିଁକି ଦେଖିବି?
ବାହାର ବର୍ଷା ଅନ୍ଧାରଠାରୁ ଏଇ ଡବଲ୍ ଡବଲ୍ ମଣିଷଙ୍କ ମୁହଁ ଦେଖିଲେ କ’ଣ ବେଶି ଭଲ ଲାଗିବ? ପୁଣି ପ୍ରେସିଡେଣ୍ଟ ମରିଯାଇଛନ୍ତି, ସେଥିଲାଗି ତାଙ୍କ ଚେହେରା ବିଗିଡ଼ିଯାଇଛି। ଯେତେ ଯିଏ ହସିଲେ, ଗପବହି ପଢ଼ିଲେ କ’ଣ ହେବ,-ମୁଁ କ’ଣ ବୁଝିପାରୁନାହିଁ !
ବାପାଙ୍କ କଥା ଶୁଣିବି ନାହିଁ। କାଚ ଟିକିଏ ତଳକୁ କରିଦେବି, ପୁଣି ଉଠେଇ ଦେବି। ମୁଁ ଅନ୍ଧାରକୁ ଅନେଇବି।
ମୋତେ ଛାଇ ଭଲ ଲାଗେ। ମୁଁ ଅନ୍ଧାରକୁ ଡରେ, କିନ୍ତୁ ଠୁସାଠୁସି ଡବଲ୍ ଡବଲ୍ ମଣିଷଙ୍କ ମୁହଁ ଦେଖିବାଠାରୁ ଅନ୍ଧାରକୁ ଦେଖିବା ଭଲ।
ଅନ୍ଧାର ବାନ୍ଧିପକାଏ ନାହିଁ। ଅନ୍ଧାରକୁ କେହି ବାନ୍ଧିପାରେ ନାହିଁ। ପହିଲୁ ପହିଲୁ ଟିକେ ଡର ଲାଗିପାରେ, ତା’ପରେ ଦେଖିବ କେଡ଼େ ହାଲୁକା ଲାଗୁଛି। ହିଁ ମ! କିଛି ଦିଶୁ ନାହିଁ ସିନା, କିନ୍ତୁ ମନଇଛା କେତେ ଛବି, କେତେ ମୁହଁ ଆଙ୍କି ହୋଇଯାଉଛି। ଯେଉଁମାନେ ମଲେ, ଆଉ ଯେଉଁମାନେ ମରିବେ, ସ-ମ-ସ୍ତ-ଙ୍କ ଚେହେରା ଆଙ୍କି ଦେଇ ଲିଭେଇ ଦେଇ ହେଉଛି। ସତେକି ସେ ଗୋଟାଏ ସ୍ଲେଟ। ଏଇ ଦେଖ ପ୍ରେସିଡେଣ୍ଟଙ୍କ ଚେହେରା ଆଙ୍କି ଦେଲି, ଆଉ ପୋଛି ଦେଲି। ପାଣୁଆକୁ ଚିହ୍ନେ ନାହିଁ, ନହେଲେ ତାକୁ ବି ଡ୍ରଇଂ କରି ଥୋଇଦେଇ ଥା’ନ୍ତି। ଆଉ ପୋକ…ଧ୍ୟାତ୍, ପୋକମାନଙ୍କର ଚେହେରା ନ ଥାଏ।
ତାହାହେଲେ ମୁଁ କହୁଛି ଯେ ମଞ୍ଜୁ ଅନ୍ଧାରକୁ ଡରେ ନାହିଁ। ମଞ୍ଜୁ ମରିବାକୁ ଡରେ ନାହିଁ। ମୁଁ କଅଣ ବଡ଼ ମଣିଷ ହୋଇଛି ଯେ, ଚମକି ପଡ଼ିବି, ଘାବରେଇ ଯିବି, ଆଉ ମୁହଁକୁ ଏମିତି ସେମିତି କରି ଚୁପ୍ଚାପ୍ ବସି ରହିବି?
ମୋତେ ତଥାପି ଭୋକ କରୁଛି? ନାହିଁ ତ!
ମୁଁ ଯାଉଛି ଗୀତ ବୋଲିବି, ଅନ୍ଧାର ଭିତରକୁ ଗୀତ ଛାଡ଼ିଦେବି। ଡ଼ବାଭିତରେ ଥିବା ଲୋକମାନ ଶୁଣିପାରିବେ ନାହିଁ, ଅନ୍ଧାର ଭିତରେ ଥିବା ଲୋକମାନ ଶୁଣିବେ। ମ୍ୟାଜିକ୍!
କିନ୍ତୁ ଏମିତି କରୁକରୁ ଯଦି ବଞ୍ଚିଥିବା ଲୋକମାନେ କେହି ମୋ’ ଗୀତ ଶୁଣି ନପାରନ୍ତି! ଯଦି ଖାଲି ଅନ୍ଧାରେର ନ ଥିବା ଲୋକମାନ ମୋତେ ଘେରିଯିବେ ଆଉ କହିବେ-ମଞ୍ଜୁ ଅପା, ଗୋଟିଏ ଗୀତ ଶୁଣାଇବନି? ଯଦି ଅନ୍ଧାରର ମିଛିମିଛିକା ମଣିଷମାନେ ଲମ୍ବାଲମ୍ବା ହାତବଢ଼େଇ ମୋତେ ଟାଣିନିଅନ୍ତି…।
ନା-ନା, ମୁଁ ସେ ଅଡ଼ୁଆକୁ ଯିବି ନାହିଁ। ମୁଁ ବାପା ବୋଉଙ୍କ ଝିଅ। ମୁଁ ଡରୁ ନାହିଁ ସିନା, ମୋର ତମ ସାଙ୍ଗରେ କାରବାର କଅଣ?
(ମଞ୍ଜୁ ଚଟ୍କିନି ଝରକା କାଚ ତଳକୁ କରିଦେଲା। ସେତିକିବେଳଠୁ, ଗାଡ଼ି ଘର ଷ୍ଟେସନରେ ପହଞ୍ଚିବା ଯାଏ ସେ କାଚ ଉଠେଇ ନଥିଲା। କାଚ ଉଠେଇଲା ପରେ-)
ଆଲୁଅ! ଷ୍ଟେସନ ଆସିଗଲା! ଘର ଆସିଗଲା!
ଇସ୍, ଆମ ଷ୍ଟେସନରେ ଏତେ ଆଲୁଅ ଥାଏ’ ଯେତେକ ଅନ୍ଧାରକୁ ଉଡ଼େଇ ବୁଡ଼େଇ ଦେବ।
ଷ୍ଟେସନକୁ କିଏ ଆସିଚି? ଜେଜେବାପା ଆସିପାରି ନଥିବେ। ରାଜୁଭାଇ ଲେଖିଥିଲା ତାଙ୍କ ଦେହ ଭଲ ନାହିଁ। ତାହାହେଲେ ଜେଜେମା’ ଆସିଥିବେ। ଆଉ ବଡ଼ମା’ ଆସିଥିବେ। ଆଉ ରାଜୁଭାଇ ଆସିଥିବ, ନିଶ୍ଚୟ ଆସିଥିବ-ନହେଲେ ମୁଁ ତା’ର ମଜା ଦେଖିନେବି।
ହେଇ, ପ୍ରଥମରୁ ଭାଇନାର ମୁଣ୍ଡ ଦେଖାଗଲାଣି। ବତିଶଟା ଦାନ୍ତ ଦେଖେଇଛି। ଜେଜେମା’ କହନ୍ତି ପରା ଯେ, ଟୋକା କାମକୁ ଧପାଏ, ଅସଲ ଠାପୁଆ, ଖାଲି ଦାନ୍ତ ଦେଖେଇବାରେ ଓସ୍ତାଦ୍। କିନ୍ତୁ ସେ ଗୁନ୍ପୁସିକୁ ଦେଖିପାରେ, ତାକୁ ଲୁଚେଇଲୁଚେଇ ଦୁଧ ଦିଏ।
ରାଜୁଭାଇ!
ଆରେ ଗୁନ୍ପୁସି ଆସିଛି’ ରାଜୁଭାଇ ତାଙ୍କୁ ସାଙ୍ଗରେ ଆଣିଛି!!
(ଗାଡ଼ି ରହିବା ମାତ୍ରେ ହିଁ, ମଞ୍ଜୁ ପ୍ଲାଟଫର୍ମକୁ ଉତୁରି ଗଲା।)
“ମୋତେ ତାକୁ ଦେ, ସେ ହେଉଛି ମୋ-ଗୁନ୍ପୁସି।…କାହିଁ, ତା’ ଘାଆ କାହିଁ? ଘାଆଫାଆ କିଛି ନାହିଁ? ଆଗଠୁ ଆହୁରି ଗୋରା, ଆହୁରି ସୁନ୍ଦର ହୋଇଯାଇଛି। ମୋ ଗୁନ୍ପୁସି, ମୋ ଗୁନ୍-ଗୁନ୍ ଗୁନ୍ପୁସି।”
ରାଜୁଭାଇ କାନ ପାଖରେ ବିଡ଼ିବିଡ଼ି ହେଉଛି, କହୁଛି-ତୁ ଶୁଣିଛୁ ନା…ପ୍ରେସିଡେଣ୍ଟ…। ଜେଜେମା’ କ’ଣ ପଚାରୁଛନ୍ତି। କହୁଛି ବାବୁ, କହୁଛି…ସବୁର କର।
ପୋକ, ପାଣୁଆ ଓ ପ୍ରେସିଡେଣ୍ଟ ମରିଗଲେ, ଧର ସେମାନେ କେହି ମରି ନଥା’ନ୍ତେ, ଆଉ ଗୁନ୍ପୁସି-ନୋ ’ ନୋ’ ସେମତି ହୁଅନ୍ତା ନାହିଁ-ହୋଇ ପାରନ୍ତା ନାହିଁ।
(ଯଥା ସମୟରେ ଗାଡ଼ି ପୁଣି ଚାଲିବାକୁ ଆରମ୍ଭ କଲା।)
-o-
ଉକ୍ତ ଗଳ୍ପଟି ଲେଖକଙ୍କ ରଚିତ ଓ ପ୍ରକାଶିତ ‘ଠାକୁର ଘର’ ଗଳ୍ପ ସଙ୍କଳନରୁ ଆନୀତ। ଗଳ୍ପର ମୁଖ୍ୟ ଚରିତ୍ର ମଞ୍ଜୁ ତା’ ବାପାଙ୍କ ସହିତ ରେଳଗାଡ଼ିରେ ଯାତ୍ରା କରିବା ସମୟରେ ତା’ ମନରେ ଖେଳୁଥିବା ଚିନ୍ତା ଏହି ଗଳ୍ପ ମାଧ୍ୟମରେ ଦର୍ଶାଯାଇଛି।‘ଏହି ଗଳ୍ପଟି ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଦ୍ୱାରା ୧୯୮୩ ମସିହାରେ ଉଚ୍ଚ ମାଧ୍ୟମିକ ଶ୍ରେଣୀ ନିମନ୍ତେ ପ୍ରକାଶିତ ‘ଗଳ୍ପ-ଏକାଙ୍କିକା ମାଳା’ ପୁସ୍ତକରୁ ସଂଗୃହୀତ।’