ରାଜୁଭାଇ ଚିଠି ଲେଖିଥିଲା ଯେ, ଗୁନ୍ପୁସିର ଦେହଯାକ ଘା’ ହୋଇଛି, ତା’ର କେହି ଯତ୍ନ ନେଉନାହାନ୍ତି, ସେ କୁଆଡ଼େ ମୋତେ ଝୁରୁଛି। ଲେଖିଥିଲା ଯେ, ସେ ମରିଯାଇପାରେ। ରାଜୁଭାଇ କଅଣ ଜାଣିଛି? ସେ କ’ଣ ବିଲେଇକୁ ଧରେ ନା ଗେହ୍ଲା କରେ? ଗୁନ୍ପୁସି ମରିବ ନାହିଁ।
ଯେ ପର୍ଯ୍ୟନ୍ତ ମଞ୍ଜୁ ଅଛି, ତା’ର କେହି କିଛି କରିପାରିବେ ନାହିଁ,-ଟ୍ରେନ୍ ହେଉ କି ଭଗବାନ ହେଉ କି, କେହି ହେଉ।
…ତିନ ଚାରିଟା ଲୋକ ଆମ ଡବା ଭିତରକୁ ପଶିଆସୁଛନ୍ତି। ଏମାନ କେଉଁଠୁ ଆସିଲେ? ଏ ପର୍ଯ୍ୟନ୍ତ ଆମେ ବାପା ଝିଅ ଏକୁଟିଆ ଥିଲୁ। ମୁଁ ଭାବିଥିଲି ଏମିତି ଏକୁଟିଆ ଚାଲିଥିବ। ବାପା ବହି ପଢ଼ୁଥିବେ, ଆଉ ମୁଁ ମନେମନେ ଗପ କରୁଥିବି। ଏଥିରୁ ଗୁଡ଼ାଏ କେଉଁଠୁ ଆସିଲେ? ଆସିଲେ ଯେ, ଗୋଟାଏ ହେଲେ ପିଲାକୁ ସାଙ୍ଗରେ ଆଣି ନାହାନ୍ତି।
ସେ ନିଶୁଆ କ’ଣ ବାପାଙ୍କ ସାଙ୍ଗ? ମୁଁ ତାକୁ ଆଗରୁ ଦେଖି ନାହିଁ ତ। ମୋଟା ପେଟୁଆଟା। ସେ କିମିତି ଆମ ବାପାଙ୍କ ସାଙ୍ଗ ହେଲା?
ଦିହିଁକି ଦିହେଁ କୁଣ୍ଢାକୁଣ୍ଢି ହେଉଛନ୍ତି। ଏକା ସାଙ୍ଗରେ କଥା କହୁଛନ୍ତି, ହସୁଛନ୍ତି। ନିଶୁଆ ବାପାଙ୍କୁ ସିଗାରେଟ୍ ଯାଚୁଛି। ହୁଁ! ବାପା ଆମର ସିଗାରେଟ୍ ଖାଆନ୍ତି ନାହିଁ।
(…ଗାଡ଼ି ପୁଣି ଚାଲିବାକୁ ଆରମ୍ଭ କଲା।)
ଠିକ୍ ଅଛି। ଗପନ୍ତୁ କେତେ ଗପିବେ। ମୁଁ ମୋର ବାହାରକୁ ଅନେଇଥିବି। ଘରେ ପହଞ୍ଚିବା ଯାଏ ଆଉ ମୋଟେ ଶୋଇବି ନାହିଁ। ଗାଡ଼ି ଯେଉଁବାଟେ ଯିବ, ସବୁ ମନେରଖିବି। ଗୋଟି ଗୋଟି କରି ଟିପିନେବି।
ଏଇ ମନେ ରଖିଲି।
ଏକ-ଗୋଟାଏ ମୁଣ୍ଡକଟା ଥୁଣ୍ଟା ତାଳଗଛ।
ଦୁଇ-ପାଞ୍ଚଟା ନାଲି କଇଁ।
ତିନ-ଲୋକ ମୁଣ୍ଡରୁ ଗାମୁଛା କାଢ଼ି ଦେଇ ସେଇଥିରେ ବିଞ୍ଚି ହେଉଛି।
ଚାରି-ଗୋଟାଏ ବସ୍ ଆମ ଟ୍ରେନ୍ ସାଙ୍ଗରେ ରେସ୍ କରୁଛି। ଓଃ, ସତେ ଯେମିତି ଟପିଯିବ!
ପାଞ୍ଚ-ପାହାଡ଼ ପୋଡିଯାଉଛି। ପୋଡ଼ିଯାଉ ନଥିଲେ ଧୂଆଁ ବାହାରୁଛି କେମିତି?
ଛଅ- ପୋକ ପହଁରୁଛି।
ଧ୍ୟାତ୍। ଏ ଗାଡ଼ିଟା ଏତେ ଜୋରରେ ଦୌଡ଼ି ପଳାଉଛି ଯେ, କିଛି ଗଣି ହେଉନାହଁ। ପୋକ ପହଁରୁଛି ଦେଖିଲା ବେଳକୁ ପାଣି କୂଳରେ ଝିଅଟିଏ କ’ଣ କରୁଥିଲା, ଦେଖିହେଲା ନାହିଁ। ଝିଅକୁ ଛାଡ଼ି-ଦେଇ ପୋକକୁ ଗଣିବା କ’ଣ ଉଚିତ? ଏଇ ଦେଖ, ୟାରି ଭିତରେ କେତେ କଅଣ ପଳେଇ ଯିବଣି। କେତେ କିସମର ଫୁଲ, କେତେ ବଙ୍କାଢ଼ଙ୍କା ଗଛ, କେତେ ମୁନିଆ କୁଦ…। ସେମାନେ କଅଣ ଦୋଷ କରିଛନ୍ତ? କହିବାକୁ ଗଲେ ଏଇ ଯେଉଁ ଗୋଟିଗୋଟି ଟିକିଟିକି ଘାସ, ସେମାନଙ୍କୁ କ’ଣ ମନେରଖିବା ମନା? କିଏ କହିଛି ଯେ ଡେଙ୍ଗା ଗଛକୁ ଟିପିନିଅ, ଆଉ କୁନି ଘାସକୁ ଛାଡ଼ିଦିଅ? ଏଇ କଳା ଛେଳି ଛୁଆଟିକୁ ଟିପି ନିଅ, ଆଉ ଧଳା ଗାଈଟିକୁ ଛାଡ଼ିଦିଅ?
ଟ୍ରେନ୍ ଦୌଡ଼ି ପଳାଉଛି। ତା’ର ସେଇୟା ଗୁଣ। ତା’ବୋଲି କ’ଣ ଯାହା, ଆଖି ପଡ଼ୁଛି ସେତିକି ସତ, ବାକି ସବୁ ମିଛି?
ନାଃ, ମଞ୍ଜୁ କାହାକୁ ଠକେଇବ ନାହିଁ, ଆଡ଼େଇଦେବ ନାହିଁ। ମୁଁ ଛୋଟପିଲା ବୋଲି, ମୋତେ ଯଦି କିଏ ଆଡ଼େଇ ଦିଏ, ତାହାହେଲେ ମୁଁ ରାଗିବି ନାହିଁ?
କିନ୍ତୁ କଥା ହେଉଛି ଯେ ଉପାୟ କଅଣ? ମୁଁ ଗୋଟିଏ ବୋଲି ପିଲା, ଆଉ ଏଇ ସମୟଗୁଡ଼ାକ ଏତେ ଜଲ୍ଦି ଦୌଡ଼ି ପଳଉଛି…
କେଡ଼େ ସୁନ୍ଦର ଛାଇ ପଡ଼ିଲାଣି। ଭଲ, ଭଲ, ମୋତେ ଛାଇ ଭଲ ଲାଗେ। ଛାଇରେ ତାତି କମିଯାଏ। ସବୁଦିନ ସଞ୍ଜବେଳେ, ମୁଁ ଆଉ ମୋ ସାଙ୍ଗ ମୀନା, ଆମ ଛୋଟିଆ ପାଚେରୀ ଉପେର ବସୁ। କେହି କାହା ସାଙ୍ଗରେ କଥା କହୁନା, କିନ୍ତୁ ମନେହୁଏ ଆମେ ଭତିରେ ଭିତରେ କୁହା-କୁହି ହେଉଛୁ, ଛୁଆଁଛୁଇଁ ହେଉଛୁ। ପଡ଼ିଆରେ ପୁଅମାନେ ପାଟିତୁଣ୍ଡ କରୁଥାଆନ୍ତି, ସେମାନଙ୍କୁ ଦେଖିଲେ ଚିଡ଼ିମାରେ। ପୁଅମାନେ ଅତି ଅସଭ୍ୟ!
ଛାଇରେ କିଛି ଲୁଚିଯାଏ ନାହିଁ, କିନ୍ତୁ କେହି ମୁଣ୍ଡଟେକି ଛିଡ଼ା ହୁଅନ୍ତି ନାହିଁ। କେହି କଟମଟ କରି ଚାହାନ୍ତି ନାହିଁ। ସମସ୍ତେ ଏକାଠି-ହୋଇ ଆସନ୍ତି, କିନ୍ତୁ ମିଶିଯାଆନ୍ତି ନାହିଁ। ସମସ୍ତେ ସୁନ୍ଦର ହୋଇଯାଆନ୍ତି, ଏକାଭଳି ସୁନ୍ଦର ହୋଇଯାଆନ୍ତି।
ଇସ୍, ଛାଇ ଆସ୍ତେଆସ୍ତେ କେଡ଼େ ବହଳିଆ ହୋଇଗଲାଣି! ଅନ୍ଧାର ହୋଇଯିବନା କଅଣ? ନା-ନା-ମୋତେ ଅନ୍ଧାର ଭଲ ଲାଗେ ନାହିଁ, ଡର ମାଡ଼େ। ଅନ୍ଧାରରେ ସବୁ ଖତମ୍। ନିଦ ହୋଇଗଲା ତ ଗ-ଅ-ଲା। ଭଲ ହେଉଛି ଏଇ ଆଖିପତା ତଳକୁ କରି ଚେଇଁବା, ପର-ଆପଣାକୁ ଦେଖାଦେଖି ହବା, ପାଟି ବନ୍ଦ କରି ଭିତରେ ଭିତରେ କୁହା-କୁହି ହେବା….ସବୁ ସମାନ ହୋଇଯିବା….
“ୟେଁ! ମୁଁ ତାକୁ ଏବେ ଦେଖିଲି ପରା!”
ବଡ଼ମାନେ ଏଡ଼େ ପାଟିକରି କଥାବାର୍ତ୍ତା ହୁଅନ୍ତି। ଆଉ ଆମ ପିଲାମାନେ ଟିକିଏ ପାଟିକଲେ ତାଙ୍କର ମୁଣ୍ଡ କ’ଣ ହୋଇଯାଏ। କିନ୍ତୁ ବାପା ଏମିତି ଚମକିଉଠିଲେ କାହିଁକି? ସେ ନିଶୁଆ ତାଙ୍କୁ କ’ଣ କହିଲା କି? ଛାଡ଼, ମୋର କ’ଣ ଯାଉଛି। ମୁଁ ମୋର ପୁଣି ଗଣିବି, ମନେ ରଖିବି।
ଗଣିବି? କାହିଁକି ଆଉ ଗଣିବି? ଏଡ଼େ ସୁନ୍ଦର ଛାଇ ତଳେ ସମସ୍ତେ ଏକାଭଳି ଦିଶୁଛନ୍ତି। ଗୋଟିଏ ବୋଲି ଛବି, ସେଥିରେ ନରମ ନରମ ଶାଗୁଆ ରଙ୍ଗ, ମାଟିଆ ରଙ୍ଗ, ପାଣି ରଙ୍ଗ ଲଗାଲଗି ହୋଇଛନ୍ତି, ଗେହ୍ଲେଇ ହୋଇ ଆଖିପତା ତଳକୁ କରିଛନ୍ତି। ଯେମିତି ମୁଁ ଆଉ ମୀନା। ଘାସ କାହିଁ, ଗଛ କାହିଁ? ଖାଲି ଗୋଟାଏ ଶାଗୁଆ ରଙ୍ଗ। ଚଢ଼େଇ କାହିଁ, ମଣିଷ କାହିଁ? ଖାଲି ଗାରେଗାରେ କଳା। କିଏ ବଡ, କିଏ ସାନ? କିଏ କାହିଁକି ଆଗକୁ ଆସିବ? କିଏ କାହିଁକି ମନ ଦୁଃଖ କରିବ?