ସଂସାରବାଦୀ ଏଠାରେ ପୁଣି ପଚାରିପାରେ, ଆଚ୍ଛା, ଏ ଅସାଂସାରିକ ଅପ୍ରାକୃତ ଊର୍ଦ୍ଧ୍ୱଚେତନ ବିଷୟ ଘେନି ଆମେ ଏତେ ବ୍ୟତିବ୍ୟସ୍ତ ହେବାର ପ୍ରୟୋଜନ କଅଣ? ସଂସାର ଜଞ୍ଜାଳ ତ ଆମକୁ ବଳେଇ ପଡୁଛି, ଆଉ ଅଖଣ୍ଡ ‘ଶାନ୍ତି’ ଅନ୍ବେଷଣ କାହିଁକି? ବାସ୍ତବ ଜୀବନର ଦୁଃଖକଷ୍ଟ ଘୁଞ୍ଚାଇବା ପାଇଁ ଆମେ ଆଗେ ଲଢ଼େଇ କରିବା; ମର୍ତ୍ତ୍ୟରେ ସ୍ବର୍ଗଲୋକର ଅବତରଣ ପାଇଁ ଅଣ୍ଟା ଭିଡ଼ିବା; ମର୍ତ୍ତ୍ୟରୁ ସ୍ୱର୍ଗକୁ ପଳାଇ ଯିବା ପାଇଁ ବ୍ୟାକୁଳ ହେବା କାହିଁକି? କଥାଟା ଯୁକ୍ତିଯୁକ୍ତ, ବୀରତ୍ବବ୍ୟଞ୍ଜକ ବୋଧ ହେଉଛି। କିନ୍ତୁ ଅସଲ କଥା, ଯୁଗଯୁଗ ଧରି ତାହା ପରୀକ୍ଷିତ ହୋଇଛି, ତହିଁରେ ଅଭାବ ଦେଖାଯାଇଛି।
ଜଗତ ସେ ପଥ ବହୁକାଳ ଅବଲମ୍ବନ କରିଛି, କିନ୍ତୁ ଏବେ ମଧ୍ୟ ଜଗତରେ ଯେଉଁ ଘୋର ବିଶୃଙ୍ଖଳା ଦେଖାଯାଉଛି, ତହିଁରୁ ତ୍ରାହି ପାଇବାର ବାଟ ଦିଶୁନାହିଁ। ଯେଉଁମାନେ ଅସୀମ ପଥରେ ଚାଲିଛନ୍ତି ସେମାନେ ‘ପଳାତକ-ବାଦୀ’ ନୁହଁନ୍ତି। ଆନ୍ତରିକ ଆଦର୍ଶମୂଳକ ଆକାଂକ୍ଷା ସେମାନଙ୍କୁ ସେହି ପଥରେ ଚଲାଏ। ସେହି ଆଦର୍ଶ ଲାଗି ସେମାନେ ସର୍ବସ୍ୱ ତ୍ୟାଗ କରିବା ପାଇଁ ପ୍ରସ୍ତୁତ; ସଂସାରିକ ଲାଭାଲାଭ ପ୍ରତି ସେମାନେ ସମ୍ପୂର୍ଣ୍ଣ ନିରୁଦ୍ବେଗ। ପ୍ରକୃତ କବି, ବୈଜ୍ଞାନିକ, ଆବିଷ୍କାରକ-ଯେଉଁମାନେ ମାନବିକ ଇତିହାସ-ପୃଷ୍ଠାରେ ସଙ୍କେତ ରଖି ଯାଇଛନ୍ତି, ନୂଆ ନୂଆ ମାର୍ଗରେ ମାନବକୁ ଚଳାଇବା ପାଇଁ ଆଲୋକ ସମ୍ପାତ କରିଛନ୍ତି- ସେମାନେ ଏହି କୋଟିର ଲୋକ। କିନ୍ତୁ ସେମାନେ ଅସୀମ ପଥର ପ୍ରାରମ୍ଭରେ। ଲକ୍ଷ୍ୟ ଆହୁରି ବହୁ ଦୂରରେ।
ମୁକ୍ତି ତ ଲକ୍ଷ୍ୟ। ତଥାପି ମନୁଷ୍ୟର ସ୍ୱଭାବ ଓ ପ୍ରାକୃତିକ ପରିସ୍ଥିତି ଭେଦରେ ଏ ଲକ୍ଷ୍ୟ ସାଧନର ପ୍ରକାର ଓ ମାର୍ଗ ବିଭିନ୍ନ। ‘ମୁଁ ଚଞ୍ଚଳ ପ୍ରକୃତିର ଲୋକ। ଚଞ୍ଚଳତାକୁ ମୁଁ ଭଲପାଏ, ଅନ୍ୟର ସେବାରେ ନିଜକୁ ନିୟୋଜିତ କରିବାପାଇଁ ଭଲପାଏ। ଅନ୍ୟକୁ ସାହାଯ୍ୟ କରିବାରେ ମୋର ଆନନ୍ଦ, ଅନ୍ୟର ସ୍ବାର୍ଥସାଧନ ଲାଗି ମୋର ସ୍ୱାର୍ଥ ବଳିଦେବା ପାଇଁ ତତ୍ପର। ସକଳ ମାନବିକତା ମୋର ବନ୍ଧୁ। ମୋର ଦୃଷ୍ଟିରେ ବଡ଼ ସାନ କିଏ ନାହିଁ। ଏହି ପଥରେ ପଥିକ ହୋଇ କ୍ରମେ ମୋର କ୍ଷୁଦ୍ର ଅହଙ୍କାର ସେବା-ଯଜ୍ଞର ପୂତ ଅଗ୍ନିରେ ଦଗ୍ଧୀଭୂତ ହୁଏ, ମୁଁ ଜଗତ୍-ବିଜୟୀ ହୁଏ।
କ୍ଷୁଦ୍ର ସ୍ବାର୍ଥହିଁ ମତେ ସଂସାର ରଜ୍ଜୁରେ ବାନ୍ଧି ରଖେ, ତାହା ନଥିଲେ ଆଉ ଭୟ କାହିଁ? ଏପରି ଭାବରେ ମୁଁ ଜୀବନ୍ମୁକ୍ତ ହୁଏ।’ ଏହାହିଁ ଆମର ପ୍ରାଚୀନ ଶାସ୍ତ୍ର କଥିତ କର୍ମଯୋଗ। ଦୈନିକ ଜୀବନରେ ମଧ୍ୟ ଆମେ ଦେଖୁଁ-ଜଣେ ଜଣେ ଲୋକର ଅସାଧାରଣ ତ୍ୟାଗ ଆମର ଗୌରବାସ୍ପଦ ହୁଏ। ଏ ତ୍ୟାଗ କ୍ରମେ କ୍ରମେ ବଢ଼ି ଯେତେବେଳେ ଶେଷ ସୀମାରେ ପହଞ୍ଚେ, ସେତେବେଳେ ବ୍ୟକ୍ତିତ୍ୱ-ବୁଦ୍ବୁଦ୍ ଅସୀମ ସାଗରର ଅଗାଧ ଜଳରାଶିରେ ନିମଜ୍ଜିତ ହୁଏ। କର୍ମଯୋଗର ଏ ବୈଶିଷ୍ଟ୍ୟ।
ଆଉ କେତେକ ଅଛନ୍ତି, ସେମାନଙ୍କର ସ୍ୱଭାବ ବିଚାରବନ୍ତ। ସେମାନଙ୍କର କର୍ମରେ ଯେତେ ପ୍ରବୃତ୍ତି ଜନ୍ମେ ନାହିଁ, ଗଭୀର ଚିନ୍ତାହିଁ ସେମାନଙ୍କର ଜୀବନର ଲକ୍ଷଣ। ସେମାନେ ମର୍ମେ ମର୍ମେ ଅନୁଭବ କରନ୍ତି, ଜଗତ କ୍ଷଣିକ; କିଛି ଚିର ନୁହେଁ, ସବୁ ପରିବର୍ତ୍ତନଶୀଳ। ସବୁରି ଉପରେ ରାଜା-ମୃତ୍ୟୁ। ବନ୍ଧୁବାନ୍ଧବ, ମିତ, କୁଟୁମ୍ବ ସମସ୍ତେ ଦିନେ ଦିନେ ଚାଲି ଯାଆନ୍ତି। ଯାହା ରହିବ ନାହିଁ ତାହା ଉପରେ ସୁଖ ପାଇଁ ନିର୍ଭର କରିବା କି ବାତୁଳତା। ସେଥିପାଇଁ ସେପରି ଲୋକ ‘ନେତି ନେତି’ ନ୍ୟାୟରେ ସବୁ ପରିହାର କରି ଶାଶ୍ୱତ, ଅକ୍ଷୟ, ଅମର ପ୍ରାପ୍ତ ହୁଅନ୍ତି- ଯାହାକୁ ଅଗ୍ନି ଦଗ୍ଧ କରିପାରେ ନାହିଁ, ସଲିଳ ଆର୍ଦ୍ର କରିପାରେ ନାହିଁ, କାଳ ଧ୍ୱଂସ କରିପାରେ ନାହିଁ ଏହାହିଁ ମୁକ୍ତି। ଏହାହିଁ ଜ୍ଞାନଯୋଗର ବୈଶିଷ୍ଟ୍ୟ।
ପୁଣି କେତେକ ଅଛନ୍ତି, ଯେଉଁମାନଙ୍କର ସ୍ୱଭାବ ଅନ୍ତର୍ଦୃଷ୍ଟି, ଆତ୍ମ-ବିଶ୍ଳେଷଣମୂଳକ। ସେମାନେ ଦେଖିଛନ୍ତି, ମନୁଷ୍ୟ ସୁଖ ପଛରେ ଥାଏ, କିନ୍ତୁ ସୁଖ କେବେ ଧରା ଦିଏ ନାହିଁ। ଏହାର କାରଣ ତନ୍ନ ତନ୍ନ ଆଲୋଚନା କରି ସେମାନେ ବୁଝନ୍ତି, ‘ମନର ମୂଳେ ଏ ଜଗତ’, ବାହ୍ୟ ଘଟଣାର ପ୍ରାୟ ତହିଁରେ କିଛି ସମ୍ପର୍କ ନାହିଁ। ବାହ୍ୟ ଘଟଣା ସହିତ ଆମେ ଯେଉଁ ଭାବରେ ପ୍ରତିକ୍ରିୟା କରୁ, ସେପରି ଭାବରେ ସୁଖୀ ବା ଅସୁଖୀ ହେଉ।
ମନକୁ ଆୟତ୍ତ କଲେ ଜଗତ ଆୟତ୍ତ ହୁଏ, ଯେହେତୁ ଦୃଷ୍ଟ ଜଗତ ମନର ପ୍ରତିବିମ୍ବ ମାତ୍ର। ତେବେ ମନକୁ କିପରି ଆୟତ୍ତ କରାଯିବ? ଧ୍ୟାନ ଧାରଣ ଦ୍ୱାରା ତାହା କରି ହେବ। ମନ ଡିଆଁ ମାରୁଥିବା ମାଙ୍କଡ଼ ପରି; ସବୁବେଳେ ଏଣେତେଣେ ଧାଉଁଥାଏ। ତାକୁ ଧରିବାକୁ ଚେଷ୍ଟା କଲେ ପ୍ରଥମେ ସେ ଆହୁରି ଅମାନିଆଁ ହୋଇ ନାନା ଉପଦ୍ରବ ଜନ୍ମାଏ। ତଥାପି ଦୃଢ଼ ଅଭ୍ୟାସ, କଠୋର ସଂଯମ, ଗଭୀର ଧାରଣା ବଳରେ ମନକୁ ଏକାଗ୍ର କରାଯାଇପାରେ। ମନ ଏକାଗ୍ର ହେଲେ ବିଶ୍ୱର ମୌଳିକ ସତ୍ତା ଉପଲବ୍ଧ ହୁଏ, ସର୍ବଲୋକର ରହସ୍ୟ ଗଣ୍ଠି ଫିଟିଯାଏ। ଯୋଗୀ ଏପରି ଭାବରେ ଜଗତକୁ ଜିଣେ, ନିଜର ଅଧିକାରୀ ହୁଏ, ମୁକ୍ତି ପାଏ। ଏହାହିଁ ରାଜଯୋଗର ବୈଶିଷ୍ଟ୍ୟ।
ପୁଣି କେତେକ ଅଛନ୍ତି, ଯେଉଁମାନଙ୍କର ସ୍ୱଭାବ ଭାବପ୍ରବଣ। ସେମାନେ ଦେଖନ୍ତି ଜଗତର ଅନ୍ତରାଳରେ କୌଣସି ଅଦୃଷ୍ଟ ଇଙ୍ଗିତ ଅଛି। ଘଟଣାର ପ୍ରତିଘାତରେ ମନୁଷ୍ୟ ନିଜକୁ ନିଃସହାୟ ମନେକରେ। ସେ ଦେଖେ ପ୍ରତିକୂଳ ଅବସ୍ଥାରେ ତାହାର ସକଳ ଚାତୁର୍ଯ୍ୟ, ବୁଦ୍ଧି, କୌଶଳ, ବଳ କାହିଁ ଉଭେଇ ଯାଇଛି। ସେଥିପାଇଁ ସେ ବୋଧକରେ ବାସ୍ତବିକ୍ ଏପରି କୌଣସି ଅଦୃଷ୍ଟ ହସ୍ତ ଅଛି-ଯାହାକି ତାହାର ଭାଗ୍ୟ ନିୟନ୍ତ୍ରଣ କରୁଛି। ସେ ନିଜ ଇଚ୍ଛା ଅନୁସାରେ କୌଣସି କାର୍ଯ୍ୟ ସାଧନ କରିପାରେ ନାହିଁ।
ଜଗତ-ଇତିହାସ ପୃଷ୍ଠାରେ ସେ ପଢ଼େ, କିପରି ଜଣେ ନେପୋଲିଅନ୍ର ଦୁର୍ଦ୍ଧର୍ଷ ସାମରିକତା ବ୍ୟର୍ଥ ହୋଇଥିଲା, ଜଣେ କାଇଜରର ଗର୍ବ ଖର୍ବ ହୋଇଥିଲା, ଜଣେ ହିଟ୍ଲର୍ ଧୂଳିରେ ମିଶିଯାଇଥିଲା, ଉଦ୍ଧତ ସାମ୍ରାଜ୍ୟବାଦର ହିଂସ୍ରକ ମୁକୁଟ ତଳକୁ ଖସି ପଡ଼ୁଛି। ବାସ୍ତବିକ୍ ଏପରି କୌଣସି ମହୀୟାନ୍ ଶକ୍ତ ଅଛି ଯାହାର ଆଜ୍ଞାରେ ହିଁ ଆମେ ବଞ୍ଚୁଛୁ, କାର୍ଯ୍ୟକ୍ଷମ ହେଉଛୁ। ସେ ଆଜ୍ଞାକୁ ଲଙ୍ଘି ଆମେ ଏକପାଦ ମଧ୍ୟ ଅଗ୍ରସର ହୋଇ ପାରିବୁ ନାହିଁ।
ଏଥିପାଇଁ ମନୁଷ୍ୟ ସ୍ବତଃପ୍ରବୃତ୍ତ ହୋଇ ବା ନ ହୋଇ ବଳ, ସାହାଯ୍ୟ, ରକ୍ଷା ପାଇଁ ସେହି ଶକ୍ତିକୁ ପ୍ରାର୍ଥନା କରେ। କ୍ରମେ କ୍ରମେ ଏ ପ୍ରାର୍ଥନା ଦ୍ୱାରା ଚିତ୍ତଶୁଦ୍ଧ ହୋଇ ସେ ଦେଖେ, ସେ ଯେତେଦୂର ନିଜର କ୍ଷୁଦ୍ର ବ୍ୟକ୍ତିତ୍ୱ ଭୁଲି ସେହି ଶକ୍ତି ସଙ୍ଗେ ନିଜକୁ ସଂଯୋଜିତ କରି ପାରିବ, ଯେତେଦୂର ସେ ପରମ ସୁଖ ପାଇବ। ବିରାଟ କଳାକାରର ସୃଜନମୂଳକ କାମନାରୁ ଜଗତର ସୃଷ୍ଟି। ସେ ସୃଜନର ଅଭିପ୍ରାୟ ସୀମା ଭିତରେ ହିଁ ଆମର ବ୍ୟକ୍ତିତ୍ୱ ଚାଳିତ ହୋଇପାରେ। ତେବେ ମନୁଷ୍ୟ କି ଚିର ଦାସ? ତାହାର କି ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ନାହିଁ? ନା, ଏପରି ବୁଝିବା ଭୁଲ୍।
ସ୍ରଷ୍ଟାର ଏକୀକରଣରେ ହିଁ ତାହାର ପ୍ରକୃତ ବ୍ୟକ୍ତିତ୍ୱ ଫୁଟିଉଠେ। ସ୍ରଷ୍ଟାର ପଦପଙ୍କଜରେ ହିଁ ତାହାର ସକଳ ଆଶା-ଭରସା ପରିପୂର୍ଣ୍ଣ ହୁଏ। ସେ ପଦ-ପଙ୍କଜରୁ ବିଚ୍ଛିନ୍ନ ହେବାର ଔଦ୍ଧତ୍ୟ ହିଁ ମନୁଷ୍ୟକୁ କଷ୍ଟ ଦିଏ। ନିର୍ଝରିଣୀ ଝର ଝର ନାଦରେ ଅବିରାମ ଗତିରେ ସମୁଦ୍ରରେ ନିଜକୁ ମିଶାଇ ଦେବା ପାଇଁ ବହୁଥାଏ। ସେତେବେଳେ ତାହାର ଜଳ ସ୍ୱଚ୍ଛ, ଜୀବନ ସଚଳ। କିନ୍ତୁ ତହିଁରୁ ଅଲଗା ହୋଇ ଯେତେବେଳେ ଗୋଟିଏ ପଲ୍ବଳ ନିଜକୁ ସର୍ବେସର୍ବା ମନେକରେ, ସେତେବେଳେ ସେ ହୁଏ ଅଚଳ, ମୃତ, ଦୁର୍ଗନ୍ଧ।
ସେହିପରି ବିଚ୍ଛିନ୍ନ ବ୍ୟକ୍ତିତ୍ୱକୁ ବିରାଟ ଭୂମାର ଅପ୍ରତିହତ ବିଚିତ୍ର ଗତିରେ ମିଶାଇ ଦେଲେ ହିଁ ଆମେ ସେହି ଭୂମାର ଉତ୍ତରାଧିକାରୀ ହେଉ, ବଳବନ୍ତ ହେଉ, ମୁକ୍ତି-ସୁଧା ଆସ୍ବାଦନ କରୁ। ପୁଣି ଉପାସନା ମାର୍ଗରେ ଦେଖୁ ସେହି ଶକ୍ତି, ସେହି ଭୂମା କେବଳ ବାହାରେ ନାହିଁ, ଆମର ଅନ୍ତରରେ ତାହା ସର୍ବଦା ବିରାଜିତ। ଏହାହିଁ ଭକ୍ତିଯୋଗର ବୈଶିଷ୍ଟ୍ୟ।
ଅସୀମର ପ୍ରରୋଚନାରେ ସବୁ ଧର୍ମର ସୃଷ୍ଟି। ଅସୀମର ଆହ୍ୱାନ ଚିରନ୍ତନ, ମଧୁର, ସାନ୍ତ୍ୱନାଦାୟକ, ଅଭୟକାରକ। ସେ ଆହ୍ୱାନ କି ଆମେ ଶୁଣିବା ନାହିଁ?