ମୁକ୍ତିପାଇଁ ପ୍ରେରଣା ମନୁଷ୍ୟର ଅନ୍ତର୍ନିହିତ। ସସୀମର ଅସୀମରେ ପହଞ୍ଚିବା ହିଁ ମୁକ୍ତି। ଅସୀମ ଆମର ଅତି ପରିଚିତ, ଅତି ନିକଟ, ଅତି ଘନିଷ୍ଠ; ତଥାପି ଅତି ଦୂର, ଅତି ଅପରିଚିତ। ଅସୀମରେ ଆମର ଜନ୍ମ, ବର୍ଦ୍ଧନ, ଅବସାନ; ଅସୀମକୁ ଆମେ ପ୍ରତି ମୁହୂର୍ତ୍ତରେ ଦେଖୁଛି, ଅନୁଭବ କରୁଛୁ, ସ୍ପର୍ଶ କରୁଛୁ, ଅସୀମ ସହିତ ଖେଳୁଛୁ। ତଥାପି ମନେହୁଏ, ଅସୀମ ଯେପରି କୌଣସି ଦୂରାଗତ ଅତିଥି, ସ୍ୱପ୍ନ-ପୁରୀର ମାୟା, ସ୍ୱର୍ଗ-ଲୋକର କଳ୍ପନା। ଏଠାରେ ହିଁ ସୃଷ୍ଟିର ବୈଚିତ୍ର୍ୟ, ଜୀବନର ରହସ୍ୟ।

ଅସୀମ ପ୍ରତି ମନୁଷ୍ୟର ଆକାଂକ୍ଷା, ତୃଷ୍ଣା, ଶ୍ରଦ୍ଧା ପ୍ରବଳ। ଜାଣିଶୁଣି ବା ନ ଜାଣି ନ ଶୁଣି ମନୁଷ୍ୟ ଅସୀମ ଆଡ଼କୁ ଚିର ଆକୃଷ୍ଟ। ଏହି ଆକର୍ଷଣ ଓ ଇଚ୍ଛା ହିଁ ମନୁଷ୍ୟର ବିଭିନ୍ନ କ୍ରିୟା କଳାପରେ, ବିଭିନ୍ନ ଉଦ୍ୟମର ମୂଳରେ ଥାଏ। ଧର୍ମ ସସୀମଠାରୁ ଅସୀମ ପର୍ଯ୍ୟନ୍ତ ମାର୍ଗକୁ ସୁଗମ, ସଂଯତ, ଶୃଙ୍ଖଳିତ କରେ; କଳା ତାହାକୁ ସୌନ୍ଦର୍ଯ୍ୟରେ ସମ୍ମୋହନ ରୂପ ଦିଏ; ବିଜ୍ଞାନ ତାହାର କେତୋଟି ଅଦୃଷ୍ଟ ସଙ୍କେତ ଦିଏ; ଜୀବନ ତାହାର ପ୍ରତିରୂପ ଚିତ୍ର ଅଙ୍କନ କରେ। ସବୁ ସେହି ଅସୀମର ଦ୍ୟୋତକ, ପ୍ରକାଶକ; ଅସୀମର ଆହ୍ୱାନରେ ସମସ୍ତେ ଚଞ୍ଚଳ, ଅଗ୍ରଗାମୀ।

ବାସ୍ତବ ସଂସାରିକ ଜୀବନରେ ମନୁଷ୍ୟର ତୃପ୍ତି ନାହିଁ। ସେ କୌଣସି ଗୋଟିଏ ପଦାର୍ଥ ପାଇବାକୁ ଇଚ୍ଛାକରେ, ତାହା ପାଏ; କିନ୍ତୁ ତହିଁରେ ସେ ସନ୍ତୁଷ୍ଟ ହୁଏନାହିଁ। ଆଉ କିଛି ପାଇବାକୁ ପୁଣି ବ୍ୟଗ୍ର, ଅଧୀର ହୋଇଉଠେ। ସେ ଭାବନା କରେ, ଗୋଟିଏ ଅବସ୍ଥାରେ ପହଞ୍ଚେ; କିନ୍ତୁ ଦେଖେ ତହିଁରେ ସୁଖର ସତ୍ତା ନାହିଁ, ତାହା ଯେପରି ଗୋଟିଏ ତିକ୍ତ ଶୂନ୍ୟତା। ସେ ପୁଣି ଅନ୍ୟ ଅବସ୍ଥାରେ ଉପନୀତ ହେବାର ଉପକ୍ରମ କରେ। ଏହିପରି ତାହାର ଲାଗିଥାଏ ଚିର ଅସୁଖ ଅଶାନ୍ତି ଜନିତ ନିରବଧି ସଂଘର୍ଷ। ଏ ସଂଘର୍ଷର ମୌଳିକ ତଥ୍ୟ ସେ ପ୍ରାୟ ବୁଝେ ନାହିଁ, ଏଣୁ ବିଶେଷ କ୍ଳେଶ ଅନୁଭବ କରେ। ଏହାହିଁ ସଂସାର ମାର୍ଗର ଅଭ୍ୟସ୍ତ ଲକ୍ଷଣ।

ଏ ସଂଘର୍ଷ ହିଁ ସାକ୍ଷ ଦିଏ, ମନୁଷ୍ୟ ମୁକ୍ତି ଚାହେଁ। ସେ ଅଳ୍ପରେ ସନ୍ତୁଷ୍ଟ ନୁହେଁ, ଅଧିକ ଅଧିକ ଆଶାକରେ। ଯେଉଁ ଅବସ୍ଥାରେ ପହଞ୍ଚିଲେ ଆଉ ଆଶା କରିବାକୁ କିଛି ନ ଥିବ; ପୂର୍ଣ୍ଣକାମ ହେବ, ସେ ଅବସ୍ଥାରୁ ଊଣାରେ ମନୁଷ୍ୟ କେଭେ ସନ୍ତୁଷ୍ଟ ନୋହିବ। ସେ ଅବସ୍ଥା ବା ଠିକ୍ କହିଲେ ଅବସ୍ଥାପିତ ଅବସ୍ଥା ହିଁ ଅସୀମ। କିନ୍ତୁ ମନୁଷ୍ୟ ସସୀମ ଜଗତକୁ ଭ୍ରମରେ ଅସୀମ ବୋଲି ଗ୍ରହଣ କରେ। ଏହା କିନ୍ତୁ ଅସମ୍ଭବ; ସେଥିପାଇଁ ତାହାର କଷ୍ଟ।

ଜ୍ଞାନୀ ଲୋକେ ଏ ପରିସ୍ଥିତିର ଅସମ୍ଭାବନା, ବ୍ୟର୍ଥତା ବୁଝନ୍ତି; ଏଣୁ ସାଧାରଣଲୋକଙ୍କ ଠାରୁ ଭିନ୍ନ ପନ୍ଥା ଅବଲମ୍ବନ କରନ୍ତି। କିନ୍ତୁ ଏହା ବୋଲି ସାଧାରଣ ଲୋକ ମଧ୍ୟ ଅସୀମ ଆଡ଼କୁ ଅଗ୍ରସର ନ ହୁଅନ୍ତି, ଏ କଥା କହି ହେବନାହିଁ। ତେବେ ପ୍ରଭେଦ ଏତିକି ହୋଇପାରେ, ଜ୍ଞାନୀ ଯେଉଁ ଲକ୍ଷ୍ୟ ପ୍ରତି ସଚେତ, ସାଧାରଣ ଅଚେତ; ଜ୍ଞାନୀର ପଥ ସରଳ, ସାଧାରଣର କୁଟିଳ; ଜ୍ଞାନୀ ଦ୍ରୁତଗାମୀ, ସାଧାରଣ ଆଳସ୍ୟ ପରାୟଣ; ଜ୍ଞାନୀ ଏବେ, ଏହିଠାରେ, ଏହି ଜୀବନରେ ମୁକ୍ତ; ସାଧାରଣର ମୁକ୍ତ ବହୁଜୀବନ, ବହୁ ଆୟାସ ସାପେକ୍ଷ। ତଥାପି ଅଖଣ୍ଡ ଆନନ୍ଦରେ ସମସ୍ତଙ୍କର ସଞ୍ଚାର, ଶେଷରେ ସେହି ଆନନ୍ଦରେ ସମସ୍ତଙ୍କର ପ୍ରବେଶ। ସେଥିପାଇଁ ପରା ଉପନିଷଦ ବଜ୍ରଗମ୍ଭୀର କଣ୍ଠରେ କହୁଛି, ‘ମହତ୍ ଆନନ୍ଦରୁ ଜଗତର ସୃଷ୍ଟି, ମହତ୍ ଆନନ୍ଦରେ ଜଗତର ସ୍ଥିତି, ସେହି ମହତ୍ ଆନନ୍ଦରେ ପୁଣି ତାହାର ଲୟ।’

କିନ୍ତୁ ପ୍ରଶ୍ନ ଉଠିପାରେ, ମନୁଷ୍ୟ କାହିଁକି ଭୌତିକ ସଂସାରେ ସୁଖୀ ନ ହେବ? ଜଗତର ସୀମାକୁ ମନୁଷ୍ୟ କିପରି ଅତିକ୍ରମ କରିବ? ଏ ଶିକ୍ଷା ବିଷାଦ-ବାଦ (Pessimism) ନୁହେଁ? କଠୋର ଅନୁଭୂତି ଉତ୍ତର ଦିଏ, ନା, ଏ ଶିକ୍ଷା ବିଷାଦବାଦ ନୁହେଁ, ଏହା ନିପଟ ବାସ୍ତବ। ମନୁଷ୍ୟ ବାହାରେ ମନ ମତାଣିଆ ଭାବରେ ଯାହା କହୁନା କାହିଁକି, ହୃଦୟର ଗଭୀର ଅନ୍ତରାଳରେ ଏ ସତ୍ୟ ଉପଲବ୍ଧ କରେ। ଜୀବନରେ ସୁଖ ଗୁଣେ ବଢ଼ିଲେ ଦୁଃଖ ଦଶଗୁଣ ବଢ଼େ। ଫୁଲରେ କୀଟ ଥାଏ, ଚନ୍ଦ୍ରରେ କଳଙ୍କ ଥାଏ। ଆମର ଶାନ୍ତି, ସୁଖ ଭଙ୍ଗ କରିବାପାଇଁ କୌଣସି ନା କୌଣସି କାରଣ ଅହେତୁକ ଭାବରେ ଆମ ଆଗରେ ଠିଆହୁଏ।

ମନୁଷ୍ୟ ସହସ୍ର ସହସ୍ର ବର୍ଷ ହେଲା ଏ ମର୍ତ୍ତ୍ୟଲୋକରେ ବଞ୍ଚି ଆସିଛି, ବିରାଟ ସଭ୍ୟତାର ଦୁର୍ଗ ତୋଳିଛି ବୋଲି ଦମ୍ଭ ଧରୁଛି; ତଥାପି ଏ ବିଂଶ ଶତାବ୍ଦୀରେ ଦେଖୁଛି, ପ୍ରଥମ ଶତାବ୍ଦୀ ଅପେକ୍ଷା ତାହାର ଜୀବନ କୌଣସି ପ୍ରକାର ନିରାପଦ ନୁହେଁ। ଧନର ଅଭାବ ନାହିଁ, ବିଳାସରେ ସେ ମାତିଛି। ତଥାପି ଅଭାବ ଅପେକ୍ଷା ବିଳାସର ଆତିଶଯ୍ୟ ଅଧିକ ବାଧା ଦେଉଛି। ସମର ହୁଙ୍କାର ଶୁଭୁଛି। ସେତେବେଳେ ତାହାର ବିଳାସର, ସୁଖର ସ୍ୱପ୍ନ ଅଦୃଶ୍ୟ ହୋଇଯାଇଛି; ସେ ଦରିଦ୍ରରୁ ଦରିଦ୍ରତମ ହେଉଛି।

ଆଧୁନିକ ଜୀବନରେ ନାନା ସୁବିଧାର ସୃଷ୍ଟି ହେଉଛି; ଜୀବନକୁ ସୁଖମୟ କରିବା ପାଇଁ ବିଜ୍ଞାନ ଆଶ୍ଚର୍ଯ୍ୟଜନକ ଆବିଷ୍କାର କରୁଛି। ତଥାପି ବିଜ୍ଞାନର ପ୍ରତ୍ୟେକ ଆବିଷ୍କାର ଏପରି ଗୋଟିଏ ଗୋଟିଏ ସମସ୍ୟା ଆଣି ଥୋଉଛି, ଯାହାର ସମାଧାନରେ ଜଗତ ସ୍ତମ୍ଭିତ ହେଉଛି। ପରମାଣୁ ବୋମା ଗୋଟିଏ ମାତ୍ର ଦୃଷ୍ଟାନ୍ତ। ଏ ସବୁ ସତ୍ତ୍ୱେ ଯଦି କିଏ କହେ, ଜଗତରେ ମନୁଷ୍ୟ ଅସୁଖୀ ନୁହେଁ, ତେବେ ବାସ୍ତବିକ୍ ସେ କି ମିଥ୍ୟାବାଦୀ ନୁହେଁ?

ଶେଷ ବିଶ୍ଳେଷଣରେ ଏ ଅସୁଖର କାରଣ କଅଣ? ପ୍ରାଚୀନମାନେ ବହୁ ପୂର୍ବରୁ ଏହା କହିଛନ୍ତି। ସୁଖ ଓ ଦୁଃଖ ମନୁଷ୍ୟର ମନର ଅବସ୍ଥାନ୍ତର ମାତ୍ର। ବିଖ୍ୟାତ୍ ଇଂରେଜ କବି ମିଲ୍ଟନ୍ ସେଥିପାଇଁ ପରା ଗାଇଛନ୍ତି, ‘ମନହିଁ ସ୍ୱର୍ଗକୁ ନରକରେ, ନରକକୁ ସ୍ୱର୍ଗରେ ପରିଣତ କରେ!’ ମନୁଷ୍ୟ ଶରୀର ଓ ମନକୁ ସର୍ବସ୍ୱ ମନେକରେ। ଶରୀର ଓ ମନ ତ ସ୍ଥିର ବସ୍ତୁ ନୁହେଁ, ଏଣୁ ସେ କଷ୍ଟ ଭୋଗକରେ। ଆଜି ଆମ ଶରୀର ସୁସ୍ଥ, କାଲି କିନ୍ତୁ ଭୀଷଣ ରୋଗାକ୍ରାନ୍ତ। ଅଲଗାଣ ଘୋଡ଼ା ପରି ମନର ଦ୍ରୁତ ଅସ୍ଥିର ଅବସ୍ଥା କିଏ ପ୍ରତି ମୁହୂର୍ତ୍ତରେ ଅନୁଭବ ନ କରୁଛି? ସେଥିପାଇଁ ପରା କବି ତାହାକୁ ଲକ୍ଷ୍ୟ କରି ଯାଇଛନ୍ତି, ‘ପ୍ରଭଞ୍ଜନର ବେଗ, ଆଲୋକ ଗତି’। ଏପରି ପରିବର୍ତ୍ତନଶୀଳ, କ୍ଷୟଶୀଳ ପଦାର୍ଥ ଉପରେ ନିର୍ଭର କଲେ, ବାଧା ଛଡ଼ା ଆଉ କଅଣ ମିଳିପାରେ? ସେଥିପାଇଁ ଅଖଣ୍ଡ ଶାନ୍ତି ଲଭିବାକୁ ହେଲେ, ମନାତୀତ ହେବାକୁ ହେବ।

ଏଠାରେ ପୁଣି ପ୍ରଶ୍ନ ଉଠିପାରେ, ମନାତୀତ କିପରି? ମନ ବାହାରେ ଆଉ କଅଣ ଥାଇପାରେ? ତାହା କି କେବଳ ଶୂନ୍ୟ ନୁହେଁ, ଅପରିକଳ୍ପିତ ଧ୍ବଂସାବଶେଷ ନୁହେଁ? ତାହା କିପରି ଶ୍ରେୟ? ଏଠାରେ ହିଁ ଆସ୍ତିକତା ଓ ନାସ୍ତିକତାର ମୌଳିକ ମତଭେଦ। ମନାତୀତ ରାଜ୍ୟ ଅଛି। ସୃଷ୍ଟିର ପ୍ରାକ୍‌କାଳରୁ ପ୍ରକୃତ ଯୋଗୀ, ଋଷି, ସିଦ୍ଧ ସାଧକ ସେହି ରାଜ୍ୟରେ ପହଞ୍ଚିଛନ୍ତି ଏବଂ ତଦ୍ୱାରା ସ୍ଥାୟୀ ନିତ୍ୟ ଶାନ୍ତିସୁଖ ଲାଭ କରିଛନ୍ତି। ପୁଣି ଲୌକିକ ଜୀବନ ଉପରେ ସେହିମାନେ ହିଁ ଅପରିମିତ ପ୍ରଭାବ ବିସ୍ତାର କରିଛନ୍ତି ଓ କରୁଛନ୍ତି।

ପୁଣି ଅନେକେ-ଯେଉଁମାନେ ଶେଷ ଲକ୍ଷ୍ୟରେ ଉପନୀତ ହୋଇ ନାହାଁନ୍ତି, ଅଥଚ ଅସୀମ ପଥରେ ପଥିକ ହୋଇଛନ୍ତି-ସେମାନଙ୍କର ଜୀବନ କୁସୁମ ଯେଉଁ ସୌରଭ ବିକୀରଣ କରୁଛି, ଅପରୋକ୍ଷ ପ୍ରମାଣ ଥାଉଁ ଥାଉଁ ତହିଁରେ କିଏ ସେ ସନ୍ଦେହ କରିବ? ପରୋକ୍ଷ ଅନୁଭୂତିରେ ଶ୍ରବଣରେ, ଦୂରଦର୍ଶନରେ ସଂଶୟ ଜନ୍ମିପାରେ। କିନ୍ତୁ ସମ୍ମୁଖରେ ନିର୍ମଳ ଭାବରେ ଅସନ୍ଦିଗ୍ଧ ଚିତ୍ତରେ ଅନୁଭବ କରୁଥିବା ବେଳେ ଅବିଶ୍ୱାସର ପ୍ରଶ୍ରୟ କାହିଁ?

Pages: 1 2