ଅତିରଞ୍ଜିତ ଅଭିନୟ ଯୋଗୁଁ
ବହିର୍ଭୂତ ମୁଁ ମଞ୍ଚରୁ
ମନୋରମ ଶବ୍ଦ ପଛରେ
ଗୋଲ୍ଗୋଲ୍ କଥା ଉହାଡ଼ରେ
ଲୁଚାଇ ରଖିଥିବା ଛଳନାର ବାରୁଦ
ବିସ୍ଫୋରଣରେ ନିଜର ହିଁ ଅପମୃତ୍ୟୁ
ଅତିରଞ୍ଜିତ ଅଭିନୟ ଯୋଗୁଁ
ମୁଁ ମଞ୍ଚ ବହିର୍ଭୂତ
ଛାତି ତଳେ ଚପାଇ ଆବେଗର ଜ୍ବାଳା
ନିରୁଦ୍ବିଗ୍ନ ଉଚ୍ଚାରଣ ବେଳେ
କେତେ ଅସହାୟ ମଣିଷ, ଯଦି
ଅନେକ ଅଭ୍ୟାସ ପରେ ବି
କହିଥିବା କଥାଟିର ଅର୍ଥ
ବାହାରିଯାଏ ହାତ ମୁଠାରୁ
ବଦଳିଯାଏ କୁହାଯାଇଥିବା ଉଦ୍ଦେଶ୍ୟରୁ
ଶବ୍ଦର ତୀକ୍ଷ୍ଣତା ଯୋଗୁଁ ହିଁ
କେହି କଥା ପଦକରେ
ମରିବା ନିଷ୍ପତ୍ତି କରେ ତ
ଆପଣାର କଥା ପଦେ ଶୁଣି
କିଏ ପୁଣି ବଞ୍ଚିବାକୁ ଚାହେଁ
ଜୀବନର ଶେଷ ସମୟରେ
ମୋର ଥିଲା ସାଧାସିଧା
ଅଭିନୟ, ଏକ ପାର୍ଶ୍ବ ଚରିତ୍ରର
ଶବ୍ଦର ମୁକୁଟ ପିନ୍ଧି
ହାତରେ ଧରି ଶବ୍ଦ ତରବାରି
ଅତିରଞ୍ଜିତ ଅଭିନୟ ଯୋଗୁଁ
ଶେଷରେ ମୁଁ ବହିର୍ଭୂତ ମଞ୍ଚରୁ
ଅଶୋକ ଚନ୍ଦ୍ର ମହାପାତ୍ର
କବି ଅଶୋକ ଚନ୍ଦ୍ର ମହାପାତ୍ର ସାମ୍ପ୍ରତିକ ସମୟର ଜଣେ ସୁପରିଚିତ କବି। ଭାବପୂର୍ଣ୍ଣ ଅଥଚ ସଂକ୍ଷିପ୍ତ ବକ୍ତବ୍ୟ ଏବଂ ଶବ୍ଦ ଚୟନର ନିଆରାପଣ ଯୋଗୁଁ ଓଡ଼ିଆ କବିତାରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ବହୁତ ଦିନ ଧରି ବିହ୍ବଳ କରି ରଖିଥିବା ତାଙ୍କର ନିରୋଳା ଅନୁଭବକୁ ବିନା ସଜବାଜରେ ପାଠକ ଆଗରେ ମେଲି ଧରିବାର କ୍ଷମତା ହିଁ ତାଙ୍କର ବିଶେଷତ୍ବ ।
ଓଡ଼ିଶାରେ ପ୍ରମୁଖ ପତ୍ର ପତ୍ରିକାରେ ତାଙ୍କର ଚାରିଶହରୁ ଅଧିକ କବିତା, ୨୫ଟି ଗଳ୍ପ ଆଦି ପ୍ରକାଶିତ ହୋଇଥିବା ବେଳେ ତାଙ୍କର ବହୁ ଲେଖା ବିଭିନ୍ନ ଭାଷାରେ ଅନୁବାଦ ମଧ୍ୟ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା କବିଙ୍କ କବିତା ସଙ୍କଳନ ‘ଗୋଟିଏ ନିଃସଙ୍ଗ ଦିନ’ ପାଠକମାନଙ୍କ ବେଶ୍ ଆଦୃତ ଲାଭ କରିଥିଲା। ତାଙ୍କର ସୃଜନଶୀଳତାର ସ୍ବୀକୃତି ଭାବେ ସେ ସ୍ବସ୍ତି ସମ୍ମାନ, ଗଙ୍ଗାଧର ମେହେର ସମ୍ମାନ, ଚନ୍ଦ୍ରଭାଗା ସମ୍ମାନ ଆଦି ଅନେକ ସମ୍ମାନ ଓ ପୁରସ୍କାର ପାଇଛନ୍ତି
କ୍ରମେ ସବିଶେଷ →