୨. ଦ୍ୱିତୀୟରେ ଆସିଲେ ୬୦ ବର୍ଷର ବାଳିକା। ତାଙ୍କ ପରିଧାନ ରଣପୁରୀ ଶାଢ଼ି, ମାଣିଆବନ୍ଦି ତା ତଳେ ପିମ୍ପୋଲିଆ ମିରିଜେଇ; ମୁଣ୍ଡର ଖପୁରି ଉପରେ ଲମ୍ବ ଭାବରେ ଠିଆ ଖୋଷା ବା ଜୁଡ଼ା। ଅଳଙ୍କାର-କାନରେ କାପ, ମଲାକଢ଼ି, ନାକରେ ନାକଚଣା, ଦଣ୍ଡି, ଫୁଲଗୁଣା ବେକରେ ଅଧୁଲିମାଳ ଅଣ୍ଟାରେ ଦଉଡ଼ିଆ ଚନ୍ଦ୍ରହାର ଗୋଡ଼ରେ ବଳା, ପାହୁଡ଼, ଅଙ୍କୀ, ହାତରେ ଖଡ଼ୁ, ପଇଞ୍ଚ, ଇଡ଼ିଶୀ ଚୁଡ଼ି ବାହାରେ ବିଦ, ବାଙ୍କ ଡେଉଁରିଆ। ତାଙ୍କ ଇଜାହାର-

‘‘ମୋ ନାମ ଭଗବତୀ। ମୋ ବୟସ ୬୦ ବର୍ଷ। ମୋ ରହଣି ଦରିଆପାରି ଟାପୁରେ ଦି’ମହଲା ଦେଉଳ। ମୋ ପ୍ରିୟବସ୍ତୁ-ଦିବ୍ୟ ବାସୁମତୀ ଚାଉଳର ପଖାଳ, ବିଛାବାଳିଆ ଚୁଙ୍ଗୁଡ଼ି। ଚିଲିକା ପାଣି ମୋର ଉପାଦେୟ ଭୋଗ। ମୋର ପ୍ରଧାନ ପର୍ବ ପଣା ସଂକ୍ରାନ୍ତି ଓ ଝାମୁଯାତ। ମୋ ସେବକ ପାଇକ ଜାତି।’’

୩. ତୃତୀୟରେ ଆସିଲେ ୫୦ ବର୍ଷ ବୟସର ଯୁବତୀ। ତାଙ୍କ ପରିଧାନ ତଣିଆ ବଡ଼ସାର, ଶାଢ଼ି। ମଧ୍ୟାଙ୍ଗରେ କାଞ୍ଚଲା। ସର୍ବାଙ୍ଗରେ ତେଲଙ୍ଗା ପହରଣ। ମୁଣ୍ଡରେ ବେକର ବାମ ପାର୍ଶ୍ୱକୁ ଢଳିଥିବା ଦକ୍ଷିଣୀ ଖୋଷା। କାଖେଇଛନ୍ତି ଗୋଦାବରୀ ରଙ୍ଗ ଶାଢ଼ି ପିନ୍ଧା ମାଇକିନିଆ ଝିଅଟିଏ, ତା ପିଠିକୁ ଗୋଟିଏ ବେଣୀ ଲମ୍ବିଛି। ଅଳଙ୍କାର-ମୁଣ୍ଡରେ ଦକ୍ଷିଣୀ ଟଭାଫାଳିଆ ବାଙ୍କ ଖୋଷାରେ ସେବତୀ ଫୁଲ ଗୋବ, କପାଳରେ ଚନ୍ଦ୍ର ରାଗଡ଼ି, କେତକୀ, ବେକରେ ଚାପସରି, ହାତରେ ଗୁଞ୍ଜର, ହାତଖଡ଼ୁ, କାଚ କାନରେ ଫାସିଆ, ମଲକଡ଼ି, ବାଉଲି, ତଳେ ନୋଳି ନାକରେ ଦଣ୍ଡି ଅଣ୍ଟାରେ ଓଡ଼ିଆଣୀ ଗୋଡ଼ରେ ପାହୁଡ଼। ସେ କହିଲେ-

‘‘ ମୋ ନାଆଁ ତାରା। ମୋ ରହଣି ସମୁଦ୍ର କୁଳିଆ ଟାଙ୍ଗର ଭୂଇଁରେ ଦି’ମହଲା ଝିଙ୍କର ଛାଉଣି ଦେଉଳ। ମୋ ପ୍ରିୟ ଖାଦ୍ୟବସ୍ତୁ ଚିନ୍ତାପାଣ୍ଡୁ, ଗୁରୁପାଣି, ମିରିପିକାଇଲୁ, କୁକୁଡ଼ା ବୋଦା ଓ ଋଷିକୁଲ୍ୟା ପାଣି। ମୋ ସେବକ-କାଳିଞ୍ଜୀ ବା କାଳିନ୍ଦୀ ଜାତି। ମୋର ପ୍ରଧାନ ପର୍ବ-ଠାକୁରାଣୀ ଯାତ୍ରା। ଅତିରିକ୍ତ ଖଟାଭୋଗ ଖାଇ ଖାଇ ମୋତେ ଅଣ୍ଟାଧରା ରୋଗ ଧରିବାରୁ ମୁଁ ଭୋଗ ହଜମ କରିପାରୁ ନାହିଁ। ଏଥିପାଇଁ ସାଙ୍ଗରେ ଏ ଦେଢ଼ ବରଷୀ ଟୁକୁଲୀଟିକି ଧରିଥାଏ ତାକୁ ସବୁବେଳେ ଘଷାମଜା କରି, ତା ମୁଣ୍ଡରେ ମିନୟାଫଳ ଘଷି ତାକୁ ଗାଧୁଆ ପାଧୁଆ କରି, ତା ଦିହରେ ଲଣ୍ଡାଏ ବନ ହଳଦୀ ବୋଳି ତା ମୁଣ୍ଡ କୁଣ୍ଡାଇ ବେଣୀଟିଏ ପକାଇ କପାଳ ଉପରେ ଚନ୍ଦ୍ରରାଗଡ଼ି ଓ ଅଣ୍ଟାରେ ଓଡ଼ିଆଣୀ ପିନ୍ଧାଇ ତାକୁ ସାଙ୍ଗେ ସାଙ୍ଗେ ରଖିଥାଏଁ। ମୋ ପାଇଁ ପଛକେ ଟାଙ୍ଗରା ଭୂଇଁରେ ଦେଉଳ ନ ହେଉ, ତା ପାଇଁ ବାଲୁଚର ଉପରେ ନିତାନ୍ତ ପକ୍ଷରେ ମାଟିର ଲେଉଟା ଘମ ଭଳି ଖଣ୍ଡିଏ ଦେଉଳ ହେବା ଦରକାର। ମୋ ସେବକ ନୋଳିଆ, ତା ସେବକ ହେବେ କମା ବ୍ରାହ୍ମଣ। ମୋର ପ୍ରଧାନ ପର୍ବ-ଠାକୁରାଣୀ ଯାତ୍ରା।’’

୪. ଚତୁର୍ଥରେ ଆସିଲେ ଜଣେ ୬୦ ବର୍ଷର ସ୍ତ୍ରୀ। ତାଙ୍କ ନାମ ସାମଳେଈ। ପରିଧାନ ବରଗଡ଼ିଆ ଗରଗଡ଼ିଆ ଶାଢ଼ି। ମୁଣ୍ଡରେ ବେକ ଉପରେ ଡାହାଣ ଆଡ଼କୁ ବଙ୍କେଇଥିବା ଖୋପା। ହାତରେ କତ୍‌ରିଆ ବନ୍ଦ୍‌ରିଆ। ଦିହଯାକ ଘିମିରି। ତାଙ୍କର ରହଣି ଗଡ଼ଜାତର ଜଙ୍ଗଲ ମୁଲକର ଦେଉଳ। ତାଙ୍କ ପ୍ରିୟବସ୍ତୁ-ଲେଥା, ରାୱ, ହେଣ୍ଡୁଆ, କଣା ବଉଦ ମାଛ। ତାଙ୍କର ଶୂଦ୍ରସେବକ-ଶଅର, ଦେହୁରି ଏବଂ ବ୍ରାହ୍ମଣ ସେବକ -ଝାଡ଼ୁଆ।

୫. ପଞ୍ଚମରେ ଆସିଲେ ଗୋଟିଏ ନୁହନ୍ତି ବୁଢ଼ୀ, କି ନୁହନ୍ତି ଧାଙ୍ଗଡ଼ା, କି ନୁହନ୍ତି ପ୍ରୌଢ଼ା, କି ନୁହନ୍ତି ଟୋକୀ, କି ନୁହନ୍ତି ଶିଶୁ। ଏହାଙ୍କ ବୟସ ଠଉରାଇ ହେଲା ନାହିଁ। ପହରଣ ବାଉରି ବୁଣା ଖଦି ମୁଣ୍ଡରେ ନଈକୁଦ ଭଳି ଠିଆ ଗଣ୍ଠି, ତା ଉପରେ ମହଣ ବୋଳା ଓ ମେଥି ଚୂନା ଛିଞ୍ଚା ହୋଇଅଛି। ଭ୍ରୂମଧ୍ୟସ୍ଥ କ୍ଷେତ୍ରରେ ଅଧୁଲି ଆକାରରେ ତିନି ପରସ୍ତିଆ ସିନ୍ଦୂର ଟୋପା ଓ ତା ମଝିରେ ଗୁଞ୍ଜର ପୋକର ଟିକିଲି। ସେ କହିଲେ-

‘‘ମୋ ନାମ କରାଙ୍ଗନା, ରହଣି ଚୁଙ୍ଗୁଡ଼ି ଦହ। ମୋ ସେବକ କାଠମାଳିଆ ସହର ଓ ଗୋଖା। ମୋ ମନ୍ଦିର ହଜାର ବର୍ଷର ଭଙ୍ଗା ରାଜବାଟୀ। କଉ, ମାଗୁର, ରତା ଓ ସିଂଘଡ଼ା ମୋର ପ୍ରିୟ ଭୋଗ। ପଦ୍ମଫୁଲ ମୋର ପ୍ରିୟ ଫୁଲ।’’

ଏ ସବୁଙ୍କ ଇଜାହାର କଲମ ବନ୍ଦ ହେଲା ପରେ ସ୍ଥିର ହେଲା ଯେ କାହା ମୁଣ୍ଡରେ ଶାଢ଼ି ବନ୍ଧା ହେବ। ଏ କଥାରେ ଆମ ଦରବାରିଆ ଓ ଦରବାରିଆଣୀଙ୍କ ମଧ୍ୟରେ ମତଭେଦ ଅବଶ୍ୟମ୍ଭାବୀ। ଯେଉଁ ଠାକୁରାଣୀଙ୍କୁ ଇଷ୍ଟ ଦେବତା କରିବା, ତାଙ୍କର ସବୁ ଅଳିଆର୍ଦ୍ଦୋଳି ସିନା ଆମ ଉପରେ ଓ ଆମ ଭାବୀ ବଂଶଧରମାନଙ୍କ ଉପରେ ପଡ଼ିବ; କିନ୍ତୁ ତାଙ୍କୁ ବାଛିବା ଭାର ଆମ ଉପରେ ନ ରହି କାହୁଁ ଅଇଲା ବିଦେଶୀ ଚିହ୍ନରାଙ୍କ ଉପରେ ରଖାଗଲେ, ସେମାନେ ଯହା ଗାର କାଟିଦେବେ ସେଥିରେ ମଳି ଧୂଳି, ମାରୁମଲିଆ, ରଦଖଦ, ରୋଗବୈରାଗ, ସୁପାରିସ ଚକ୍ଷୁଲଜ୍ଜା କିଛି ରହିବ ନାହିଁ। ସେମାନେ ସୁର୍ତ୍ତି କରି ଓ ଗୁଳା ପକାଇ ଯାହା ମୁଣ୍ଡରେ ଟୀକା ମାରିଦେବେ, ତାହାଙ୍କ ମୁଣ୍ଡରେ ସୁନା କଳଶ ଢାଳିବ। ଆହା ଏତିକି ବେଳେ ଆମ ଶ୍ରୀମତୀ ଅଭିଆଡ଼ୀ ଓୟେଟିଙ୍ଗଖ ପାଇଁ ଆଣି ଆମ ପଲଙ୍କ ପାଖେ ‘ପଲଙ୍କ ଚାହା’ ରଖି ଦେଇଗଲେ ଓ ତାଙ୍କ ପଦକ୍ଷେପରେ ଆମ ଛାଇନିଦଟା ଚାଉଁକିନି ଭାଙ୍ଗିଗଲା ଓ ‘ସ୍ୱପ୍ନରେ ରାଜଧାନୀ ଯୋଗ’ ପଣ୍ଡ ହୋଇଗଲା। ଏହାକୁ ହିଁ କହନ୍ତି ହୀନିକପାଳ!!!
-୦-
ଉକ୍ତ ଲେଖାଟି ବିଦ୍ୟାପୁରୀ ପ୍ରକାଶନ ସଂସ୍ଥା ଦ୍ୱାରା ଗୌରାଙ୍ଗ ଚରଣ ଦାଶଙ୍କ ସମ୍ପାଦନାରେ ୨୦୦୫ ମସିହାରେ ପ୍ରକାଶିତ ଗୋପାଳ ଚନ୍ଦ୍ର ପ୍ରହରାଜ ଗ୍ରନ୍ଥାବଳୀ-୨ୟ ଭାଗ ପୁସ୍ତକରୁ ସଂଗୃହୀତ।

ଏହି ଲେଖାଟି ୧୯୩୫ ମସିହାରେ ସେତେବେଳର ନବଭାରତ ପତ୍ରିକାର ତୃତୀୟ ବର୍ଷ, ୨ୟ ସଂଖ୍ୟାରେ ପ୍ରଥମ କରି ପ୍ରକାଶିତ ହୋଇଥିଲା। ସେତେବେଳେ ଲେଖାଟି ଲେଖକଙ୍କର ଛଦ୍ମ ନାମ ଧୁର୍ମୁଷ ଧର୍ମା ନାମରେ ପ୍ରକାଶିତ ହୋଇଥିଲା। ଏହା ଏକ ରାଜନୈତିକ ବ୍ୟଙ୍ଗାତ୍ମକ ରଚନା ସହିତ ଏକ ବିଶେଷ ଆଲୋଚନା ଭାବରେ ନିଆଯାଇପାରେ।

Pages: 1 2 3 4