ନେଉଳଭାଇ ସିନା ଆମର ମଉଷଧିର କରାମତରେ ସାପର ମୁଣ୍ଡ ଲାଞ୍ଜ ଯୋଡ଼ି ତାକୁ ଜୀଅନ୍ତା କରି ଛାଡ଼େ। ଦେଖାଯାଉ ଆମ ସରକାର ଏହି ମୁଣ୍ଡ ଲାଞ୍ଜ ଯୋଡ଼ା ପ୍ରଦେଶକୁ କେଉଁ ଅମର ମୌଷଧି ବଳରେ ବଞ୍ଚାଇ ଦେବେ। ଆନନ୍ଦର ଓ ଆଶାର କଥା ଏହି ଯେ, ମୁଣ୍ଡ ଲାଞ୍ଜ ଯୋଡ଼ା ହୋଇ ଗଢ଼ା ହୋଇଥିବା ପ୍ରଦେଶର ଜୀବନଶକ୍ତି ଥିବାର ଖୁବ୍‌ ସନ୍ତୋଷଜନକ ପ୍ରମାଣ ଏହି ମାସ ତିନୋଟିରେ ପ୍ରମାଣିତ ହୋଇ ଗଲାଣି। ଏ ରାଜଧାନୀ ବିଷୟରେ ଓଡ଼ିଶା ପ୍ରଦେଶ ତମାମ ଯେଉଁ ଜାଉଁଳି ପାଲା, ଦାଇକା ମାଡ଼, ଚଅଁର ଡିହ, ମୃଦଙ୍ଗ ଫଟା, ଗାୟକଙ୍କ କଣ୍ଠ ଫଟା କୀର୍ତ୍ତନ ଲାଗିଗଲାଣି, ଏଥିରେ ବହିର୍ଜଗତର କାହା ଜିଭରେ ହାଡ଼, କାହା ଲେଡ଼ିରେ ବାଳ ଅଛି ଯେ, ଓଡ଼ିଆ ଜାତିର ମେରୁଦଣ୍ଡ ନାହିଁ, ଓଡ଼ିଆ ଜାତିର ଧଡ଼ରେ ଜୀବନ ନାହିଁ, ଓଡ଼ିଆଙ୍କ ଜିଭ ବଳ ଓ କଣ୍ଠ ବଳ ନାହିଁ, ଏହା କହି ହେବ?

ଯା ହେଉ, ମୁଁ ତ ପୂର୍ବଦିନରୁ ନବ ଓଡ଼ିଶା ପ୍ରଦେଶର ଭାବୀ ରାଜଧାନୀ ବିଷୟରେ ଆନ୍ଦୋଳନ କଥା ଚିଠି ପାଇଥାଏଁ, ମୁଁ ଗଡ଼ପଡ଼ ହଉ ହଉ ମୋତେ ଛାଇ ନିଦ ଲାଗିଗଲା। ମତେ ଲାଗିଲା ମୁଁ ଆସି ପୁଣି ମୋ ରାଇଜରେ, ମୋ ଦରବାର ଘର ପାଖରେ ରଙ୍ଗମହଲରେ ବିଜେ ଓ ମୋ ପାଳଚୁଣ୍ଟା ମନ୍ତ୍ରୀଭାଇ, ମୋ କଟୁଆଳ ଭାଇ, ମୋ ସାଧବଭାଇ, ମୋ ଓକିଲଭାଇ ଓ ପୋଇଲୀ ପରିବେଷ୍ଟିତା ମୋ ମହାରାଣୀ ସମସ୍ତେ ସେଠାରେ ଯଥାସ୍ଥାନାବସ୍ଥିତ ହୋଇ ତିଆର ହୋଇ ହାଜର।

ଏହି ସମୟରେ ମନ୍ତ୍ରୀଭାଇଙ୍କ ଇସାରାକ୍ରମେ ମନ୍ତ୍ରିଆଣୀ ପାଞ୍ଚଜଣ ସ୍ତ୍ରୀଲିଙ୍ଗଧାରିଣୀଙ୍କୁ ଆମ ଛାମୁରେ ହାଜିର କରାଇଲେ। ପୂର୍ବରୁ ଶୁଣା ନାହିଁ, କି ଜଣା ନାହିଁ, କି ସମନ ନାହିଁ, କି ୱାରଣ୍ଟ ନାହିଁ, ଏମାନେ କିଏ ଓ କାହିଁକି ଆସିଲେ? ଆମର ଓ ଆମ ପାଟମଣିମାନଙ୍କ ନେତ୍ର ବକ୍ତ୍ର ବିକାରରୁ ଆମ ସିଆଣିଆ ମନ୍ତ୍ରୀ ଆମ କୌତୂହଳ ବୃତ୍ତି ଚେଇଁ ଉଠିବାର ସୁରାକ୍‌ ପାଇ ବିବୃତି ଆରମ୍ଭ କଲେ। ମନ୍ତ୍ରୀ କହିଲେ-‘‘ପାଟ ମହାରାଣୀଙ୍କ ପାଇଁ ଛାମୁଙ୍କର ଯେଉଁ ନୂଆ ଉଆସ (ଆମ ପାଟମହାଦେଈ ରତ୍ନମଣୀଙ୍କ ନାମ ଅନୁସାରେ ଏଥିରେ ନାମ ‘ରତ୍ନପୁର’ ଦିଆଯିବାର କଳ୍ପନା ଜଳ୍ପନା ଚାଲିଅଛି) ତୋଳା ଯିବାର ସ୍ଥିର ହେଉଅଛି, ସେଥିର ଅଧିଷ୍ଟାତ୍ରୀ ଦେବୀ (ଗ୍ରାମ ଦେବତୀ) ହେବାର ଦାବି କରି ଏ ପାଞ୍ଚଜଣ କାଲି ରାତି ଅଧରେ ମୋ ସାଙ୍ଗରେ ଆସି ଭାରି କଟାଳ କରିଅଛନ୍ତି। ମୁଁ ତାଙ୍କୁ ଜବାବ ଦେଇଥିଲି ଯେ ଆଜି ରଙ୍ଗ ମହଲରେ ଡବଲ୍‌ ଶ୍ରୀଛାମୁଙ୍କ ଦ୍ୱାରା ଏ କଥା ଦରିଆଫତ୍‌ ହେବ। ସେହି ଦାବି ବିଷୟରେ ପକାଇବା ପାଇଁ ସେମାନେ ଆଜି ସିଂହଦୁଆରରେ ପହଞ୍ଚିବାରୁ ମୁଁ ତାଙ୍କୁ ସିଧାଏ ସିଧାଏ ରଙ୍ଗ ମହଲକୁ ଅଣାଇ ଅଛି।’’

ଆମର ନୂଆ ରାଜ୍ୟରେ ପୁରୁଷାନୁକ୍ରମେ ଆମ ରାଜବଂଶର ଉଆସ ହୋଇ ରହିବା ଉଦ୍ଦେଶ୍ୟରେ ଓ ଆମ ପାଟମହାରାଣୀଙ୍କ ନାମକୁ ଚିର ସ୍ମରଣୀୟ କରିବା ପାଇଁ ଆମେ ଆମ ପୂର୍ବ ପୁରୁଷଙ୍କ ମରହଟିଆ ଉସାସକୁ ଭାଙ୍ଗି ଦେଇ ନୂଆ ନହର୍‌ କରିବାକୁ ବସିଥାଉଁ। ଏପରି ସ୍ଥଳରେ ଏଥିରେ ଯେଉଁ ଯେଉଁ ଠାକୁରାଣୀ ପ୍ରତିଷ୍ଠା କରାଯିବେ, ତାଙ୍କର ସବୁକଥା ନ ବୁଝି, ତାଙ୍କୁ ଉତ୍ତମ ରୂପେ ନ ପରଖି, ତାଙ୍କ ସୁନ୍ଦରପଣ, ତାଙ୍କ ଦିହ ମୁଣ୍ଡି ଗଢ଼ଣ, ତାଙ୍କ ପହରଣ, ତାଙ୍କ ବଳବହପ, ତାଙ୍କ କରାମତ ଆଦି ଟିକକ ଠଉଁ ନିଖକ ପର୍ଯ୍ୟନ୍ତ ନ ବୁଝି କିପରି ସ୍ଥାନ ଦେବା?

ଏହି ଲିହାଜରେ ଆମେ ଆମ ମାହାରାଣୀ( ମାହାରର ସ୍ତ୍ରୀଲିଙ୍ଗ ନୁହେଁ, ମାହାରାଜାଙ୍କ ବିପରୀତ ଲିଙ୍ଗ)ଙ୍କ ସଙ୍ଗେ ସହ୍ଲା କରି ମନ୍ତ୍ରୀଙ୍କୁ କହି ଆଜ୍ଞା ଦେଲୁଁ-‘‘ ଦାବିଦାରିଆଣୀମାନଙ୍କ ଜଣ ଜଣ କରି ଆଗ ଦିହ-ତଲାସ କରାଯାଉ (କାଳେ କେହି ପହରଣ ଭିତରେ ହତିଆର ରଖିଥିବେ)। ତା ପରେ ସେମାନଙ୍କଠାରୁ କଲମି ଇଜାହାର ଗ୍ରହଣ କରାଯିବ ଓ ତତ୍ପରେ ଜଣ ଜଣଙ୍କ ଦାବି ସଂବନ୍ଧରେ ଲିଖିତ ଅରଜି, ଜବାବ୍‌ ନିଆଯିବ ଏବଂ କାହାର କେଉଁ ନୈବେଦ୍ୟ ପ୍ରିୟବସ୍ତୁ, ତାହା ବୁଝାଯିବ। ତା ପରେ କାହା ମୁଣ୍ଡରେ ରାଜଧାନୀ-ଶାଢ଼ି ବନ୍ଧାଯିବ, ତାହା ଫଏସଲ୍‌ କରାହେବ।’’

ଏହା ଶୁଣି ମନ୍ତ୍ରୀ ସେମାନଙ୍କୁ ସବୁ ରଙ୍ଗମହଲରୁ ପଦାକୁ ନେଲେ ଓ ଜଣ ଜଣ କରି ତଲାସି ନେଇସାରିବା ପରେ ପ୍ରଥମେ ଆଣି ଆମ ଛାମୁରେ ହାଜର କରାଇଲେ ଜଣକୁ।

୧. ପ୍ରଥମେ ଆସିଲେ ୧୨ ବର୍ଷ ବୟସ୍କା ବାଳିକା। ତାଙ୍କ ପରିଧାନ ରାଉସାପାଟଣା ଶାଢ଼ି, ତା ତଳେ ଜାକେଟ୍‌। ମୁଣ୍ଡରେ ବଙ୍ଗାଳିଆ ଖୋପା। ଅଳଙ୍କାର-କାନରେ ମାକଡ଼ି, ନାକରେ ନୋଲକ, ହାତରେ ତାଲା ଓ ସରୁଆ ସରୁଆ ଚୁଡ଼ି (ଆମ ଓଡ଼ିଶୀ ପଚିଶ ପଳିଆ ଚୁଡ଼ି ନୁହେଁ-ଦୁଇ ହାତର ୬ ପଟ ଚୁଡ଼ିର ଓଜନ ହେବ ଦୁଇତୋଳା), ବେକରେ ଗୋପ, ଗୋଡ଼ରେ ମଲ। ତାଙ୍କ ଠାରୁ ନିମ୍ନ ଲିଖିତ ଭାବରେ କଲମୀ ଇଜାହାର୍‌ କଲମ ବନ୍ଦ କରାଗଲା-

‘‘ ମୋ ନାମ ଚଣ୍ଡୀ ଠାକୁରାଣୀ। ମୋ ରହଣି କିଲା ଭିତରେ ନଅ ମହଲା ଦେଉଳ। ମୋ ପ୍ରିୟବସ୍ତୁ ‘ମାହାଲଦ୍ଦା’ର ପାଣି, ‘ଲଡ଼ିଆ’ ଓ କାଳିଆ ବୋଦା। ମୋ ସେବକ ବ୍ରାହ୍ମଣ ଜାତି। ମୁଁ ଯେଉଁଠାରେ ପୂଜା ପାଇବି, ସେଠାକୁ ରୋଗ ବୈରାଗ କିଛି ଛୁଇଁବ ନାହିଁ। ମୋର ପ୍ରଧାନ ପର୍ବ ବାଲିଯାତ୍ରା।’’

Pages: 1 2 3 4