ବହୁତ ସ୍ୱପ୍ନତତ୍ତ୍ୱବେତ୍ତା ବହୁ ଗବେଷଣା କରି ସ୍ଥିର କରିଅଛନ୍ତି ଯେ, ସ୍ୱପ୍ନ ବାସ୍ତବ ଅନୁଭବର ବିପର୍ଯ୍ୟସ୍ତ ଓ ଆଗଲୀପିଛଲୀ ଅବତାର ମାତ୍ର। ଆମେ ନିଜେ ଏ ବାସ୍ତବ ଜଗତରେ ଯାହା ଅଙ୍ଗେ ନିଭାଇ ଥାଉ, ସ୍ୱପ୍ନରେ ସେହିମାନ ଭିନ୍ନ ଭିନ୍ନ ଭଙ୍ଗୀରେ ଓଡ଼ାଙ୍କ, ମେଲାଙ୍କ, ଫେଡ଼ାଙ୍କ, ହରି ଗୁଣରେ ଦେଖୁଁ। ସେ ଦିନ ସପନରେ ସ୍ୱଦେଶରୁ ଖଣ୍ଡିଏ ଚିଠି ପାଇଥିଲି ଯେ, ନୁଆଗଢ଼ା ଓଡ଼ିଶା ପ୍ରଦେଶର ‘ରାଜଧାନୀ’ ଘେନି ଓଡ଼ିଶାରେ ବାହାରେ ଭିତରେ ଆଜକୁ ତିନି ମାସ ହେଲା ତୁଚ୍ଛା ତଷୁ କୁଟା, କୁହୁଡ଼ି ପହଁରା ଗାଡ଼ ମୁହଁରେ ମାଟି ଗାଳିଲା ଭଳି ପତ୍ରପତ୍ରିକା ମହଲରେ ମୂଷା ଗଳା ଜିଆ ଗଳା ମାଟି ହୁଙ୍କା ଉଞ୍ଚରେ ଗଦା ହେଉଛି।
ଓଡ଼ିଶା ମାତାଙ୍କ ଭାଗ୍ୟରେ ବହୁଟ ଟଣାଟଣି, ଝିଙ୍କା ଝିଙ୍କି, ଓଟରା ଓଟରି ଘଟିଅଛି, ଦିନା କେତେ ଓଡ଼ିଆ ମୁଲକ ହୋଇଥିଲା କଳିଙ୍ଗ, ତାପରେ ହେଲା ଓଡ଼, କୋଶଳ। ଦିନା କେତେ ରାଜତ୍ୱ କଲେ କର ବଂଶ, ଆନ୍ଧ୍ର ବଂଶ, କେଶରୀ ବଂଶ, ଗଙ୍ଗ ବଂଶ, ଭୋଇ ବଂଶ-ଏହିପରି କେତେ ବଂଶୀୟ ଓଡ଼ିଶୀ ରାଜାଙ୍କ କବଜରେ, ତାପରେ ପଠାଣଙ୍କ ରାଜଗୀରେ, ପୁଣି ମୋଗଲଙ୍କ ସାମ୍ରାଜ୍ୟରେ, ପୁଣି ମରହଟ୍ଟାଙ୍କ ଅଧିକାରରେ ରହି ଆଖର ଦେଗ୍ରାମର ସନ୍ଧି ଦ୍ୱାରା ଇଂରାଜୀମାନଙ୍କ ପାଣି ଗ୍ରହଣ କଲା। ଇଂରେଜମାନେ ଓଡ଼ିଆ ମୁଲକରୁ ଚିରୁଡ଼ାଏ ମେଦିନୀପୁର ସଙ୍ଗେ, ଛେଲାଏ ଗଞ୍ଜାମ ସଙ୍ଗେ, ଫଡ଼ାଏ ମଧ୍ୟପ୍ରଦେଶ ରାୟପୁର ସଙ୍ଗେ ଓ ଅଠର ଗଡ଼ଜାତ ସହିତ ଗଣ୍ଡିଟାକୁ ମାହାଲ୍ ସରକାର୍ ମିଲିନିୟତ୍ ଖାସ୍ ହାଇବୁଲ୍ ଦେ କଟକରେ ଗୁଞ୍ଜାଗୁଞ୍ଜି କରି ‘ଯଥା କରପଇଠଂ ତଥା ଶାସିତଂ’ କରି ଗୁଜରାଣ ମେଣ୍ଟାଇ ନେଲେ।
ଏହି ଅବସ୍ଥାରେ ଓଡ଼ିଶୀ ନେତାମାନେ, ଓଡ଼ିଶୀ ରାଜନୀତିକ ପଣ୍ଡାମାନେ, ଓଡ଼ିଶୀ ରାଜନୀତିକ କାଳିଶିମାନେ ହୁରି ଛାଡ଼ିଲେ-ଆମର ସବୁ ଓଡ଼ିଆ ମୁଲକକୁ ଏକ ଶାସନ-ଗେରଦରେ ପୂରାଅ; କୋଟିଏ ଓଡ଼ିଆଙ୍କୁ ଗୋଟିଏ କର, ଲକ୍ଷେ ଓଡ଼ିଆଙ୍କୁ ପକ୍ଷେ କର। ଏ ଆନ୍ଦୋଳନ ଲାଗିଲା ପ୍ରାୟ ୪୦ ବରଷ। ଇତି ମଧ୍ୟରେ ‘ବଢ଼ିଆ ନାଗପୁର’ ହତାରୁ ‘ସମ୍ବଲପୁର’ ଜିଲ୍ଲାକୁ ଓ କେତେକ ରାଜ୍ୟକୁ ଆଣି ସରକାର ଓଡ଼ିଶାରେ ପୂରାଇଲେ ଏବଂ ‘ଛୋଟିଆ ନାଗପୁର’ ହତାରୁ ଗୋଟି କେତେ ଗଡ଼ଜାତକୁ ଆଣି ଓଡ଼ିଶାରେ ମିଶାଇଲେ। ଏହା ମଧ୍ୟରେ ଫିଲିପ୍-ଡଫ୍ ସାହେବ ଦ୍ୱୟ ବାରଦ୍ୱାର ବୁଲି ବୁଲି ରିପୋର୍ଟ କଲେ-ଗଞ୍ଜାମର କେତେକ ଅଂଶ ଓଡ଼ିଆ ମୁଲକ ଅଟେ ଓ ତାହା ଓଡ଼ିଶାକୁ ଆସିବା ଉଚିତ।
ପୂର୍ବେ ଓଡ଼ିଶାର ଗଡ଼ଜାତମାନେ ଓଡ଼ିଶାର ଗେରଦରେ ଥିଲା। ତତ୍ପରେ ଦିନାକେତେ ଓଡ଼ିଶା ଗଡ଼ଜାତମାନ ଓଡ଼ିଶା କରଦ ମାହାଲ(Orissa Tributary Mahals), ତତ୍ପରେ ଓଡ଼ିଶା କରଦ ରାଜ୍ୟ(Orissa Feudatory States), ତତ୍ପରେ ଓଡ଼ିଶା ରାଜ୍ୟ(Orissa States) ନାମ ଗ୍ରହଣ କଲା। ପହିଲେ ଏ ଗଡ଼ଜାତମାନେ ଓଡ଼ିଶାର କମିସନର ସାହେବ(Superintendent of Tributary Mahals)ଙ୍କ ତନଖିରେ ଥିଲା। ପରେ ଜଣେ ପୋଲିଟିକାଲ ଏଜେଣ୍ଟ(Political Agent)ଙ୍କ ପୃଥକ୍ ତନଖିରେ ରହିଲା। ପୋଲିଟିକାଲ୍ ଏଜେଣ୍ଟ ପ୍ରାଦେଶିକ ଲାଟସାହେବଙ୍କ ଅଧୀନ ପାଆନ୍ତି।
ଏଣେ ଅନ୍ୟ ସ୍ୱଦେଶମାନଙ୍କରେ ଥିବା ଓଡ଼ିଆ ମୁଲକମାନଙ୍କୁ ଓଡ଼ିଶାରେ ମିଶାଇ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଢ଼ା ହେବା କଥା ଚାଲିଥାଏ, ତେଣେ ସରକାର ଓଡ଼ିଶା ଗଡ଼ଜାତମାନଙ୍କ ଠାରୁ ‘ଓଡ଼ିଶା’ ଶବ୍ଦ ଉଠାଇ ଦେଇ ସେମାନଙ୍କୁ Eastern States Agency (ପୂର୍ବ ରାଜ୍ୟପୁଞ୍ଜ)ରେ ଗୁଞ୍ଜିଦେଲେ ଓ ସେମାନେ ପ୍ରାଦେଶିକ ଲାଟଙ୍କ ହାତରୁ ହୁଗୁଳି ଯାଇ ବଡ଼ଲାଟଙ୍କ ଏଜେଣ୍ଟଙ୍କ ହାତରେ ରଖାଗଲା। ଏହା ଦେଖି ‘‘ ଶାଶୂ ମଲା ବୋହୂ ବେଇଲା, ଯେଉଁ ତିନି ପ୍ରାଣୀକି ସେହି ତିନି ପ୍ରାଣୀ ହେଲା’’ ଢଗର ବିଶେଷ୍ୟ କଥନ ଓଡ଼ିଆ ଜାତି ଆଗରେ ‘କଳାପଟା’ ରେ ଅଙ୍କିତ ହୋଇଗଲା।
ଫଳତଃ ଏହି କଥା ହେଲା ଯେ, ଓଡ଼ିଶା ପ୍ରଦେଶ ଗଢ଼ାହେଲା ବେଳକୁ, ମଧ୍ୟ ପ୍ରଦେଶ ହତାରୁ ଓ ମାନ୍ଦ୍ରାଜ ହତାରୁ ଚେନାଏ ଲେଖାଏଁ ମିଶିଲା ବେଳକୁ ଓଡ଼ିଶା ଗଡ଼ଜାତ ଛେଲାକ ଓଡ଼ିଶାରୁ ଖସିଲା। ଗୁଡ଼ିଏ ପ୍ରକୃତ ଓଡ଼ିଆଭାଷୀ ଅଞ୍ଚଳ ଓଡ଼ିଶା ପ୍ରଦେଶରେ ନ ମିଶି ବଙ୍ଗଳା ହତାରେ, ମଧ୍ୟ ପ୍ରଦେଶ ହତାରେ ଓ ମାନ୍ଦ୍ରାଜ ହତାରେ ରହିଗଲା। ଫଳରେ ଆମ ଓଡ଼ିଶୀ ନେତାଙ୍କ ୪୦ ବର୍ଷର ଧୁମାକୁଟା ପରିଶ୍ରମରେ ଏହିତା ହେଲା ଯେ, ଆଗେ ଓଡ଼ିଆ ମୁଲକର ୪ ପ୍ରଦେଶରେ ଥିଲା( ବଙ୍ଗଳା, ବିହାର, ମଧ୍ୟପ୍ରଦେଶ, ମାନ୍ଦ୍ରାଜ) ଓ ବର୍ତ୍ତମାନ ଓଡ଼ିଆ ମୁଲକ ଛଅଟି ଶାସନ ଅଧୀନ ହେଲା।
ଅର୍ଥାତ୍ ମେଦିନୀପୁର ଆଦି ବଙ୍ଗଳାରେ, ଚାଇଁବସା, ସିଂହଭୂମ ବିହାରରେ, ଫୁଲଝର ଆଦି ମଧ୍ୟପ୍ରଦେଶରେ, ମଞ୍ଜୁଷା ବୋଡ଼ାରସିଂଗି ଆଦି ମାନ୍ଦ୍ରାଜରେ, ଗଡ଼ଜାତଯାକ ଇଷ୍ଟର୍ଣ୍ଣ ଷ୍ଟେଟ୍ରେ ଓ ବାକିତକ ନୂଆ ଗଢ଼ା ଓଡ଼ିଶା ପ୍ରଦେଶରେ ସାମିଲ ହେଲେ। ନେଉଳ ନାଗ ସାପକୁ ଧରି ତାକୁ ୩ ଖଣ୍ଡ କରି କାଟେ, ଗଣ୍ଡି ଖଣ୍ଡିକ ଖାଏ ଓ ଶେଷକୁ ମୁଣ୍ଡ ଓ ଲାଞ୍ଜ ଦି’ଖଣ୍ଡକୁ ଯୋଡ଼ି ସାପକୁ ଜିଅନ୍ତା କରି ଛଡ଼ିଦିଏ; ସାପ ତା ସୁଖେ ଜଙ୍ଗଲକୁ ଯାଏ। ଆମ କଥା ସେହିତା ହେଲା। ଆମର ପଚପଚିଆ, ଚିକ୍କଣିଆ ମଝି ଖଣ୍ଡିକ କଢ଼ା ହୋଇ ପୂର୍ବ ରାଜ୍ୟପୁଞ୍ଜର ପେଟରେ ପଶିଲା। ମୁଣ୍ଡ ଓ ଲାଞ୍ଜ ଯୋଡ଼ା ହୋଇ ଗୋଟାଏ ଜୀଅନ୍ତା ପ୍ରଦେଶ ହେଲା।