କୌଣସି ଘଟଣାବଳୀର ଆଢ଼ୁଆଳରେ ଯଦି କାହାରି ହାତ ଛପି ରହିଥିବାର ସନ୍ଦେହ କରାଯାଏ ତେବେ ସେ ଅଦୃଶ୍ୟ ହାତର ଅଧିକାରୀକୁ ସନ୍ଦେହକାରୀମାନେ ‘ନାଟର ଗୋବର୍ଦ୍ଧନ’ ବୋଲି ବର୍ଣ୍ଣନା କରିଥାଆନ୍ତି। ନାଟର ଜଣେ ଗୋବର୍ଦ୍ଧନ କାହିଁକି ଦରକାର, ଗୋବର୍ଦ୍ଧନ ଠିକ୍ କଣ ସବୁ କରେ, ଆଉ ଏ ନାଁଟି କିଏ କେଉଁଥିପାଇଁ ପ୍ରଥମ କରିଦେଲା, ସେ ସମ୍ବନ୍ଧରେ ବିଶେଷ କିଛି କହି ହେଉନି, ତେବେ ଧରି ନିଆଯାଇପାରେ ଯେ, ସିନେମାରେ ଡାଇରେକ୍ଟର ପରି ଏହି ନାଟର ଗୋବର୍ଦ୍ଧନ-ଲୋକଲୋଚନରେ ଅନ୍ତରାଳରେ ରହି ନାଟରେ ଭାଗ ନେଉଥିବା ଖେଳାଳୀମାନଙ୍କ ପାଇଁ ଭିନ୍ନ ଭିନ୍ନ ଚରିତ୍ର ବଣ୍ଟନ କରେ ଓ ସେମାନେ ଠିକ୍ କିପରି ଭାବରେ ନାଚିବେ ସେ ବିଷୟରେ ନିର୍ଦ୍ଦେଶ ଦିଏ।
ଏହି ‘ନାଟର ଗୋବର୍ଦ୍ଧନ’ ଆଖ୍ୟାଟି ସାଧାରଣତଃ ଭଲ ଅର୍ଥରେ ନିଆ ଯାଉଥିବାର ଶୁଣାଯାଏନି। ‘ନାଟ ଲଗେଇଛି’ ବା ‘ପାଲା ଲଗେଇଛି’ ପରି ବିରକ୍ତି ବ୍ୟଞ୍ଜନ ଇଙ୍ଗିତ ପଛରେ କୌଣସି ଆକ୍ଷେପର ହିଁ ସୂଚନା ମିଳେ। ତେଣୁ ଲୋକଚକ୍ଷୁରେ ନାଟର ଗୋବର୍ଦ୍ଧନ ଏକ ଜାତୀୟ ଭିଲେନ୍, ଗୋଟିଏ ଖଳ ପ୍ରକୃତିର ନାୟକ।
ନାଟ କହିଲେ ସାଧାରଣ ଭାବରେ ଦଣ୍ଡନାଟ, ସୁଆଙ୍ଗ, ପାଲା, ଦାଶକାଠିଆ ଓ ଅପେରା ପ୍ରଭୃତି ବୁଝା ଯାଉଥିଲେ ହେଁ, ଆମ ଭାଷାରେ ଏହି ଶବ୍ଦର ବହୁଳ ପ୍ରୟୋଗ ଦେଖିବାକୁ ମିଳେ। ରାଜନୀତିରେ କୁଆଡ଼େ କେହି କେହି ରୀତିମତ ନାଟ ଲଗାଉ ଥାଆନ୍ତି-କଳ କାରଖାନାମାନଙ୍କରେ ଧାରଣା, ଧର୍ମଘଟ ପ୍ରଭୃତି ନାଟ ତାମସା ଲାଗେ ଏବଂ ଅନେକ ସମୟରେ ଛାତ୍ରମାନେ ମଧ୍ୟ ସ୍କୁଲ କଲେଜମାନଙ୍କରେ ନାନା ରକମର ନାଟ ଲଗାଉଥିବା ଶୁଣାଯାଏ। ତେଣୁ ଏପରି ପ୍ରତ୍ୟେକ ନାଟରେ ଜଣେ ଲେଖାଏଁ ଗୋବର୍ଦ୍ଧନ ଥିବା ସ୍ୱାଭାବିକ କଥା।
ରାମାୟଣରେ ମନ୍ଥରା ଓ ମହାଭାରତରେ ଶକୁନିକୁ ‘ନାଟର ଗୋବର୍ଦ୍ଧନ’ ବୋଲି ଧରିନିଆଯାଇପାରେ।
କାହାରି କାହାରି ମତରେ ଏ ସଂସାର ଗୋଟିଏ ଖେଳଘର ଓ ସେଥିରେ ପ୍ରତ୍ୟେକ ମଣିଷ ତାର ନିର୍ଦ୍ଦିଷ୍ଟ ଭୂମିକାରେ ଅଭିନୟ କରି ଚାଲିଛି। ଏ ‘ଭବରଙ୍ଗ ଭୂମିତଳେ’ କୁଆଡ଼େ ‘କେହି ରହିନାହିଁ’ କିମ୍ବା ‘ରହିବେ ନାହିଁ’ ଆଉ ସମସ୍ତେ ‘ନିଜ ନିଜ ଅଭିନୟ ସାରି’ ଆପଣା ଆପଣା ଘରକୁ ଯଥା ସମୟରେ ବାହୁଡ଼ି ଯିବେ। ଏଥିରୁ କେଉଁ ଜଣେ ନଟକୁଟିଆ, ଗୋବର୍ଦ୍ଧନିଆ ଏ ସଂସାରରେ ସବୁ ପାଲା ଲଗେଇଛି ବୋଲି ଭାବିନେବା ସ୍ୱାଭାବିକ କଥା। କିନ୍ତୁ ଏସବୁ ଭିତରେ ଗୋଟିଏ ଧାରାବାହିକ କ୍ରମାନ୍ବୟତା ଓ ମହାନ୍ ଉଦ୍ଦେଶ୍ୟର ସନ୍ଧାନ ପାଇ କେହି କେହି ‘ସଂସାରର ଲୀଳା ଖେଳା ସରିଲା’ ବୋଲି ଘୋଷଣା କରି ‘ମହାଯାତ୍ରା’ ଆରମ୍ଭ କରି ଦେଇଥିବା କଥା ମଧ୍ୟ ଶୁଣାଯାଏ। ଏପରି ସ୍ଥଳେ ଏ ଖେଳର ପରିଚାଳକଙ୍କୁ ନାଟର ଗୋବର୍ଦ୍ଧନ ବୋଲି କୁହାଯିବା ଉଚିତ୍ ହେବ କି ନାହିଁ, ସେ ସମ୍ବନ୍ଧରେ ଭିନ୍ନ ଭିନ୍ନ ମତ ପୋଷଣ କରାଯାଇପାରେ। କିନ୍ତୁ ପ୍ରତ୍ୟେକ ମଣିଷର ବ୍ୟକ୍ତିଗତ ଜୀବନ ମୁଖ୍ୟତଃ ଗୋଟିଏ ଲେଖାଏଁ ନାଟ ହୋଇଥିବାରୁ ପ୍ରତ୍ୟେକ ମଣିଷ ଭିତରେ ଯେ ଜଣେ ଗୋବର୍ଦ୍ଧନ ଲୁଚି ରହିଛି, ଏଥିରେ ସନ୍ଦେହ ନାହିଁ।
ଜାଣିଲା ଲୋକ କହନ୍ତି ଯେ, ମଣିଷର ମନ ତାକୁ ଯେମିତି ନଚାଏ, ସେ ବାଧ୍ୟ ହୋଇ ସେପରି ନାଚେ। ତେଣୁ ଏହି ମନକୁ ଗୋଟିଏ ନାଟର ଗୋବର୍ଦ୍ଧନ ବୋଲି ନିଃସନ୍ଦେହରେ କୁହାଯାଇପାରେ।
ସ୍କୁଲରେ ଛାତ୍ର ବାପା ମା’ଙ୍କ କଥା ମାନି ପଢ଼ିବାକୁ ଚାହୁଁଥିଲେ ମଧ୍ୟ କ୍ଳାସ୍ ରୁମ୍ରେ ଶିକ୍ଷକ ଯେତେବେଳେ କିଛି ପଢ଼ାଉଥାନ୍ତି, ଆଖି ବ୍ଲାକ୍ ବୋର୍ଡ଼କୁ ଅନାଇ ଥିଲେ ହେଁ, ମନଯାଇ କେଉଁ ତେନ୍ତୁଳି ଗଛ, କଇଥ କିମ୍ବା ଆମ୍ବଗଛ ଚଢ଼ି ସାରିଥାଏ। ଶିକ୍ଷକଙ୍କ ବକ୍ତୃତା ଆଡ଼କୁ କାନେଇ ରହିଲେ ବି ମନ ନିଜେ ପେଁକାଳି ବଜାଇବାକୁ ଆରମ୍ଭ କରେ। କଲେଜ୍ରେ ସେମିତି ବ୍ଲାକ୍ବୋର୍ଡ଼ରେ ବିଜ୍ଞାନର କୌଣସି ଫର୍ମୁଲା ଦେଖୁଁ ଦେଖୁଁ ମନ ସେହି ଫର୍ମୁଲା ଉପରେ କୌଣସି ଚିତ୍ର ତାରକାର ମୁହଁ ଆଙ୍କିଦିଏ, ନ ହେଲେ ହଠାତ୍ ବ୍ରେବେର୍ଣ୍ଣ ଷ୍ଟାଡିୟମ୍ କିମ୍ବା ଫିରୋଜ ସାହା କୋଟ୍ଲା ଗ୍ରାଉଣ୍ଡର କ୍ରିକେଟ ଫିଲ୍ଡରେ ପହଞ୍ଚିଯାଇ ନିଜେ ନିଜେ ବ୍ୟାଟିଂ ଆରମ୍ଭ କରିଦିଏ, କିମ୍ବା ଠିକ୍ ବହି ଖୋଲି ପଢ଼ି ବସିଲା ବେଳକୁ ସମାଜବାଦୀ ଜୀବନର ଆଦର୍ଶକୁ ବୃଦ୍ଧାଙ୍ଗୁଷ୍ଠ ଦେଖାଇ ଏହି ମନ ସୁନେଲି ସ୍ୱପ୍ନରେ ମଣି ମୁକୁତାର ମୁକୁଟ ପିନ୍ଧାଇ ହାତୀର ସୁନା-ହାଉଦାରେ ବସାଏ, ଆଉ ସ୍ବପ୍ନପୁରୀର ରାଜକନ୍ୟା ପାଖକୁ ‘ବରାତ୍’ ପ୍ରଶେସନ୍ ଆରମ୍ଭ କରିଦିଏ। ବୟସ ଯେମିତି ଗଡ଼ି ଗଡ଼ି ଯାଏ, ପଇସାଟିଏ ବେଙ୍କ୍ ବେଲେନ୍ସ ନଥିଲେ ମଧ୍ୟ ଖପରେଲି ଘରେ ରହୁଥିବା ପ୍ରୌଢ଼ ଶିକ୍ଷକର ମନ ବିରାଟ ପ୍ରସାଦ ରଚିବାକୁ ଆରମ୍ଭ କରେ।
ମଣିଷ ବୁଝେ ଯେ, ଏହି ଶୟତାନ ମନକୁ ଆକଟ ନ କଲେ ତାର ମଙ୍ଗଳ ନାହିଁ-ତେବେ ବି ସେ ନିରୁପାୟ ହୋଇଯାଏ। ମନକୁ ମଣ କରିବା କେତେ କଷ୍ଟ, ସେ ସମ୍ବନ୍ଧରେ ଏଠାରେ ଗୋଟିଏ ଗଳ୍ପର ଅବତାରଣା କରାଯାଇପାରେ।
ରାଜାଙ୍କ କିଛି ଅଭାବ ନଥିଲା- ବିଶାଳ ସାମ୍ରାଜ୍ୟ, କୋଷାଗାର ଧନରତ୍ନରେ ଭରପୁର। ପୁଅ ଝିଅ, ହାତୀ ଘୋଡ଼ା, ସୈନ୍ୟ ସାମନ୍ତ, କେଉଁଥିରେ ଅଭାବ ନାହିଁ। ତେବେ ବି ରାଜାଙ୍କର ଗୋଟିଏ ବଡ଼ ଦୁଃଖ-ମୁଣ୍ଡରୁ ବାଳ ଉପୁଡ଼ି ଉପୁଡ଼ି ତାଳୁ ଉପରେ ଦେଖା ଦେଇଥିବା ‘ଠ’ ଟି ଧୀରେ ଧୀରେ ବଡ଼ ହେବାରେ ଲାଗିଥାଏ ଓ ଭୟ ହେଉଥାଏ ଯେ ବାଳ ଉପୁଡ଼ିବା ବନ୍ଦ ନ ହେଲେ ଓ ନୂଆବାଳ ନ ଗଜୁରିଲେ ସେ ଦିନେ ପୂରାପୂରି ଚନ୍ଦା ହୋଇଯିବେ।
ରାଜ୍ୟର ବଡ଼ ବଡ଼ ଡାକ୍ତର, କବିରାଜ, ହାକିମ ସମସ୍ତେ ତାଙ୍କର ସବୁ ଉପାୟ ଶେଷ କରି ସାରିଥିଲେ। ଯବା କୁସୁମ, ଅଁଳା ଆଉ କେତେ ଫୁଲ ଫଳ ରସରୁ ତିଆରି ହୋଇଥିବା ତୈଳ ସବୁ କିଛି କାମ ଦେଖାଇ ପାରିଲାନି। କେଡ଼େ କେଡ଼େ ଭୃଙ୍ଗରାଜ, ନାରାୟଣ, ମହା ନାରାୟଣ ତୈଳ ସବୁ ଫେଲ୍ ମାରିଗଲେ। ବୃହତ୍ ଛାଗଳ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ନାନା ଜାତୀୟ ଘୃତ ଆଉ କେତେ କେତେ ସାଲସା ମଧ୍ୟ କାମ ଦେଲାନି, ବରଂ ମୁଣ୍ଡ ଧୀରେ ଧୀରେ ଚକ୍ ଚକ୍ କରିବାକୁ ଆରମ୍ଭ କଲା। ରାଜାଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲା ଓ ସେ ରାଗରେ ଘୋଷଣା କଲେ ଯେ, ଯଦି ମାସେ ଭିତରେ ତାଙ୍କର ଚନ୍ଦା ମୁଣ୍ଡରେ ବାଳ ନ ଉଠେ ତେବେ ରାଜ୍ୟର ସବୁ ଡାକ୍ତରଙ୍କ ମୁଣ୍ଡ କାଟ ହେବ।
ଡାକ୍ତରମାନଙ୍କ ଭିତରେ ଭାଳେଣି ପଡ଼ିଗଲା ଏବଂ ଅନେକ ଆସନ୍ନ ବିପଦର ଆଶଙ୍କାରେ ଖାଇବା ପିଇବା ମଧ୍ୟ ଛାଡ଼ିଦେଲେ। ଜଣେ ଖୁସ୍ ମିଜାଜ୍ ଓ ବେ’ପରବାଏ ଡାକ୍ତର କିନ୍ତୁ ରାଜାଙ୍କର ଏ ଚ୍ୟାଲେଞ୍ଜ ଗ୍ରହଣ କରି, ଯଥା ସମୟରେ ଗୋଟିଏ ଶୁଭଦିନ ଓ ଶୁଭ ମୁହୂର୍ତ୍ତରେ ତାଙ୍କ ମହୌଷଧି ବାକ୍ସ ଧରି ରାଜାଙ୍କ ପାଖରେ ପହଞ୍ଚିଗଲେ। ବାକ୍ସ ଭିତରେ ନାନା ରଙ୍ଗର ଓ ନାନା ଢ଼ଙ୍ଗର ତୈଳ ଶିଶି ସବୁଥାଏ। ଡାକ୍ତର ମହାଶୟ, ରାଜାଙ୍କର ଚନ୍ଦାମୁଣ୍ଡ ତନ୍ନ ତନ୍ନ କରି ପରୀକ୍ଷା କଲେ ଏବଂ ଚଉଡ଼ା ମାପିଲେ, ମସୃଣତା ପରୀକ୍ଷା କଲେ-ରାଜାଙ୍କ ମୁଣ୍ଡରେ ନିଜ ପ୍ରତିବିମ୍ବ ଦିଶୁଛି ନା ନାହିଁ ପରଖି ନେଲେ-ଆଉ ଗମ୍ଭୀର ଭାବରେ ମୁଣ୍ଡ ଟୁଙ୍ଗାରି ଘୋଷଣା କଲେ ଯେ ୨୨ ଦିନରେ ରାଜାଙ୍କ ମୁଣ୍ଡରେ ଯେତେ ବାଳ ବାହାରିବ ସେଥିରୁ ଖଣ୍ଡିଏ ଗାଲିଚା ତିଆରି ହୋଇ ପାରିବ।
ତୈଳ ଶିଶି ସବୁ ବାହାର କରାଗଲା, ପ୍ରତ୍ୟେକ ତୈଳର ଗୁଣ ବର୍ଣ୍ଣନା ବି ସଙ୍ଗେ ସଙ୍ଗେ ଚାଲିଥାଏ। କେଉଁ ତୈଳ ମର୍ଦ୍ଦନରେ କେଶ ଗୁଚ୍ଛ ଝିଙ୍କ କାଠି ପରି ହେବ ତ କେଉଁଥିରେ ପ୍ରତ୍ୟେକ ବାଳ ଶାଗଗଛ ପରି ମୋଟା ହୋଇ ଶାଖା ପ୍ରଶାଖା ମେଲିଯିବ। କେଉଁ ତୈଳର ସାମାନ୍ୟ ମର୍ଦ୍ଦନରେ ରାଜାଙ୍କ କେଶରାଶି ହିମାଳୟର ଚମରୀ ଗାଈ ଲାଞ୍ଜର ଚଅଁର ପରି ହେବ, ସେହିପରି ତୈଳର ଗୋଟିଏ ଶିଶି ରାଜାଙ୍କ ଟେବୁଲ୍ ଉପରେ ଥୋଇ ଦେଇ ଡାକ୍ତର ଅନୁପାମ ଦେଲେ ଯେ, ପ୍ରତ୍ୟେକ ଦିନ ବ୍ରାହ୍ମ ମୁହୂର୍ତ୍ତରେ ରାଜା ଗାଧୋଇବେ, ଆଉ ଗାଧୋଇବା ପୂର୍ବରୁ ବାଆଁ ହାତ ପାପୁଲିରେ ଆଠ ଅଣି ସାଇଜ୍ରେ କିଛି ତେଲ ଢାଳି ନେଇ ମୁଣ୍ଡର ଚନ୍ଦା ଅଂଶରେ ଧୀରେ ଧୀରେ ପାଞ୍ଚମିନିଟ୍ କାଳ ଘଷିବେ।
ରଜାଙ୍କ ମୁହଁରେ ହସର ଢେଉ ଖେଳିଗଲା।
ବାକ୍ସ ବନ୍ଦକରି ଘରକୁ ଯିବା ବାଟରେ ଡାକ୍ତର ବାବୁ ହଠାତ୍ ଚମକି ଉଠିଲେ ଓ ଫେରିଆସି କ୍ଷମାମାଗି ରାଜାଙ୍କୁ କହିଲେ ଯେ ସେ ଗୋଟାଏ ବଡ଼କଥା କହିବାକୁ ଭୁଲି ଯାଇଛନ୍ତି। ତେଲ ଲଗାଇଲା ବେଳେ ରାଜା ଯେପରି ତିନୋଟି ଜିନିଷ ମନେ ନ ପକାନ୍ତି- ପଚା ଅଣ୍ଡା, ଛିଣ୍ଡା ଚପଲ ଓ ଖଣ୍ଡିଆ ଝାଡ଼ୁ। ଏ ଭିତରେ କୌଣସି ଜିନିଷଟି କେତେବେଳେ ରାଜାଙ୍କର ମନେ ପଡ଼ିଗଲେ ଔଷଧ ଆଉ କାଟୁ କରିବନି।
ରାଜା ମୁହଁରେ ବିଦ୍ରୂପର ହାସ୍ୟରେଖା ଦେଖାଦେଲା। ଯିଏ ହୀରା, ନୀଳା, ମୋତି ମାଣିକ୍ୟକୁ ମଧ୍ୟ ଗଣନା କରନ୍ତିନି ସେ, କୁଆଡ଼େ ପଚା ଅଣ୍ଡା, ଛିଣ୍ଡା ଚପଲ ଆଉ ଖଣ୍ଡିଆ ଝାଡ଼ୁ କଥା ଭାବିବେ!
ଭୋର ଚଢ଼େଇ ସବୁ ଚିଁ ଚାଁ କଲାବେଳକୁ ରାଜା ପଲଙ୍କରୁ ଉଠି ତେଲଶିଶି ପାଖକୁ ଦଉଡ଼ିଗଲେ। ହାତ ପାପୁଲିରେ କିଛି ଢାଳି ମୁଣ୍ଡରେ ଦେବାକୁ ଯାଉଛନ୍ତି ଠିକ୍ ସେତିକିବେଳେ ତାଙ୍କର ମନେ ପଡ଼ିଗଲା ଯେ ପଚାଅଣ୍ଡା, ଛିଣ୍ଡା ଚପଲ, ଖଣ୍ଡିଆ ଝାଡୁ ବିଷୟରେ ନ ଭାବିବା କଥା। ଆଉ ତୈଳ ମର୍ଦ୍ଦନ ହୋଇ ପାରିଲାନି। ତା’ ଆରଦିନ ବି ଠିକ୍ ସେମିତି ତେଲ ମୁଣ୍ଡପାଖକୁ ନେଲାବେଳକୁ ସେଇ ଛିଣ୍ଡା ଚପଲ କଥା ମନେ ପଡ଼ିଗଲା। ପୁଣି ତହିଁ ଆରଦିନ ସେଇୟା। ରଜା ଶେଷରେ ମନ ଦୃଢ଼କଲେ, ପ୍ରତିଜ୍ଞା କଲେ ଯେ ପଚାଅଣ୍ଡା କାହିଁକି, ସେ ସକାଳେ କୌଣସି କଥା ଭାବିବେନି।
ପାହାନ୍ତିଆ ହେଲା। ହାତ ପାପୁଲିରେ ତେଲ ନେଇ ଦାନ୍ତକାମୁଡ଼ି; ଡାହାଣ ହାତର ମୁଠା ଟାଣକରି, ଆଖିବୁଜି କଦାପି କିଛି ଭାବିବେନି ବୋଲି ଦୋହରାଇ ଏକ-ଦୁଇ-ତିନି ପରେ ତେଲ ଯେମିତି ତାଳୁରେ ଥାପୁଡ଼େଇଛନ୍ତି, ସେହି ମୁହୂର୍ତ୍ତରେ ପାଟିରୁ ‘ଛିଣ୍ଡାଚପଲ’ ଶବ୍ଦ ବନ୍ଧୁକର ଗୁଳିପରି ବାହାରି ଆସିଲା। ରାଜାଙ୍କର ସବୁ ଆଶା ଭରସା ସେଥିରେ ହିଁ ଶେଷ ହୋଇଗଲା। ଏହି ଚଞ୍ଚଳ ମନକୁ ଆକଟ କରିବା ସହଜ ନୁହେଁ। ଏହିମନ ଏପରି ପିଚ୍ଛିଳ ଯେ, ତାକୁ ସହଜରେ ଧରି ରଖିହୁଏନି।
କେହି କେହି କହନ୍ତି, ଯେ ଔଷଧ ଦ୍ବାରା ଏ ମନକୁ ବଶ କରାଯାଇପାରେ। ମଣିଷ ବେଳେ ବେଳେ ଅଫିମ ନିଶାରେ ସ୍ୱର୍ଗରେ ଖାଲିଥିବା ଇନ୍ଦ୍ରଙ୍କ ଆସନରେ ଯାଇ ବସେ; ଗଞ୍ଜେଇ, ମେରିଜୁଆନା, ଏଲ୍.ଏସ୍.ଡ଼ି. ନିଶାରେ ଆକାଶରେ ପହଁରି ବୁଲେ। ଆଉ କେବେ କେବେ ମଦପିଇ ରାସ୍ତାଘାଟରେ ଛାତିପିଟେ ଓ ନିଶମୋଡ଼ି ବାହାସ୍ଫୋଟ ମାରି ନେପୋଲିୟନ୍ ବୋନାପାର୍ଟକୁ କୁସ୍ତି ଆଖଡ଼ାକୁ ଡାକେ। ଆମର ମହାନ ସଂସ୍କୃତି କିନ୍ତୁ ଦୃଢ଼ଭାବରେ ଘୋଷଣା କରେ ଯେ, ଔଷଧ ଦ୍ବାରା ମନକୁ ବଶୀଭୂତ କରିବା ଧାରଣା ସମ୍ପୂର୍ଣ୍ଣ ଭ୍ରମପୂର୍ଣ୍ଣ। ଔଷଧ ମନକୁ କ୍ଷଣିକ ଉନ୍ମାଦନା ନେଇ ସ୍ୱପ୍ନିଳ କରିପାରେ, ମାତ୍ର ଅନବରତ ବ୍ୟବହାର ଦ୍ୱାରା ମଣିଷ ଶେଷରେ ଔଷଧର ଦାସ ହେବା ସଙ୍ଗେ ସଙ୍ଗେ ନିଜେ ମନର କ୍ରୀତଦାସ ହୋଇଯାଏ। ତା’ ପରିବର୍ତ୍ତେ ଏହି ସଂସ୍କୃତି ଶିକ୍ଷା ଦିଏ ଯେ, କଣ୍ଟାକୁ କଣ୍ଟାରେ ବାହାର କଲାପରି ମନକୁ ବୁଦ୍ଧି ଓ ବିବେକର ଶକ୍ତି ବଳରେ ଦୃଢ଼କରି, ସେହି ଦୃଢ଼ମନ ସାହାଯ୍ୟରେ କ୍ରମାଗତ ଅଭ୍ୟାସ ଦ୍ୱାରା ଚଞ୍ଚଳ ମନକୁ ଆକଟ କରାଯାଇ ପାରେ।
ଲକ୍ଷ୍ୟହୀନ ଭାବରେ ଘୁରି ବୁଲୁଥିବା କୁକୁରକୁ ହାଡ଼ ଖଣ୍ଡିଏ ଦେଲେ, ସେ ଯେମିତି ହାଡ଼କୁ ରେକେଟି ରେକେଟି ଗୋଟିଏ ଜାଗାରେ ପଡ଼ିରହେ, ଏହି ବାରବୁଲା ମନକୁ ସେପରି ତାର ପ୍ରିୟ ଜିନିଷଟିଏ ଧରାଇ ଦେଲେ, କିଛି ସମୟ ପାଇଁ ଧୀରସ୍ଥିର ଓ ଶାନ୍ତ ହୋଇ ରହେ। ଛୋଟଛୁଆକୁ ପ୍ରଥମେ ଭାତ ଖୁଆଇଲାବେଳେ, ସେ ଭାତକୁ ଯେମିତି ଜିଭ ଆଗରେ ବାହାରକୁ ଠେଲିଦିଏ, କିନ୍ତୁ କ୍ରମେ କ୍ରମେ ସେହି ଭାତରୁ ସ୍ୱାଦ ପାଇ ଖୁସିରେ ଖାଏ, ସେପରି ମନକୁ ମଧ୍ୟ ଧୀରେ ଧୀରେ ତା’ ପ୍ରିୟବସ୍ତୁ ନଦେଇ ଶ୍ରେୟ ଜିନିଷ ଭଲ ପାଇବାକୁ ଶିକ୍ଷା ଦିଆଯାଇ ପାରେ। ପାଠପଢ଼ାଠାରୁ ଆରମ୍ଭ କରି ଗବେଷଣା, ସମାଜ ସେବା, ସାହିତ୍ୟ ସେବା, ଦେଶସେବା ପ୍ରଭୃତି ଯେ କୌଣସି ଭଲ କାମରେ ମନକୁ ଏପରି ଭାବରେ ଲଗାଇ ଦେଇ ପାରିଲେ, ଘିଅଦ୍ବୀପର ଶିଖାପରି ଊର୍ଦ୍ଧ୍ୱଗାମୀ ତଥା ଏକାଗ୍ର ହୋଇ ମନ ଯଥା ସମୟରେ ଶାନ୍ତ ହୋଇଯାଏ।
ଆମର ଏଇ ସଂସ୍କୃତି ପୁଣି ସାବଧାନ କରିଦିଏ ଯେ, ଗୋଟିଏ ସୁସ୍ୱାଦୁ ଖାଦ୍ୟର ଆସ୍ବାଦନରେ ମଣା ହୋଇଥିବା ମନ ଆଉ ଗୋଟିଏ ସ୍ୱାଦୁ ଖାଦ୍ୟର ସନ୍ଧାନ ପାଇଲେ ପୁଣି ଚଞ୍ଚଳ ଓ ଚପଳ ହୋଇଯାଇପାରେ। ତେଣୁ ଯେଉଁ ସୁଖ ଓ ଆନନ୍ଦଠାରୁ ଆଉ ଶ୍ରେଷ୍ଠତର ଆନନ୍ଦ ନାହିଁ ସେପରି ଆନନ୍ଦର ଆସ୍ବାଦନରେ ମନ ସମ୍ପୂର୍ଣ୍ଣ ସ୍ଥିର ହୋଇଯାଏ। ଏପରି ଧୀରେ ସ୍ଥିର ଶାନ୍ତମନରେ ଅଧିକାରୀହିଁ ଅମୃତର ସନ୍ତାନ।
ଏହି ନାଟର ଗୋବର୍ଦ୍ଧନ ଚଞ୍ଚଳମନ ମଣିଷକୁ ବାସନାର ସଂକୀର୍ଣ୍ଣ ଗଳି କନ୍ଦି ଭିତରେ ବାଟ କଢ଼ାଇନେଇ ନରକର ଦ୍ବାର ଉନ୍ମୁକ୍ତ କରି ସେ ଭିତରକୁ ଠେଲିଦିଏ, ଆଉ ସେହି ମନ ଯେତେବେଳେ ମଣ ହୋଇଯାଏ ସେ ହୁଏ ପରମ ଆନନ୍ଦର ସ୍ରଷ୍ଟା। ତେଣୁ ଏହି ମନକୁ ଆକଟ କରିବା ସହଜ ସାଧ୍ୟ ନ ହେଲେହେଁ, ତାକୁ ସବୁବେଳେ ସତ୍ ଚିନ୍ତାରେ ନିୟୋଜିତ କରି କ୍ରମାଗତ ଚେଷ୍ଟା କରିବାହିଁ, ପ୍ରତ୍ୟେକ ମଣିଷ ପକ୍ଷରେ ସର୍ବତ୍ର ଭାବେ ବିଧେୟ ବୋଲି ମନେହୁଏ।
-୦-
ଏହି ପ୍ରବନ୍ଧଟି ଲେଖକଙ୍କ ଦ୍ୱାରା ରଚିତ ‘ଶୁଣ ପରୀକ୍ଷ’ ପ୍ରବନ୍ଧ ସଙ୍କଳନରୁ ସଂଗୃହୀତ।