ପର ମୁହୂର୍ତ୍ତର ମାଗୁଣିଆ ମନେର ଭାବାନ୍ତର ଆସିଲା। ଭାବିଲା ଭାଇ ତ ମରିଗଲା, ତେବେ ଆଉ କାହା ସଙ୍ଗେ ବିବାଦ? କେତେ ବିବାଦ ଯେ ତୁଟାଇଥିଲା, କେତେ ବିବାଦ ଯେ କରିଥିଲା, ସେ ତ ଚାଲିଗଲା। ତେବେ ମୋର ବିବାଦ ଆଉ ରହିଲା କେଉଁଠି? ଏ କଥା ମୁଁ ଭାବି ପାରୁନି ବୋଲି କ’ଣ ଆଉ କିଏ ଭାବୁଚି? ଭାବୁଚି କ’ଣ ପଧାନ ବୁଢ଼ା? ଭାବୁଚି କ’ଣ ରଥଘର ପୁଅ? କାହିଁ ଏମାନେ ତ ବିବାଦ ମେଣ୍ଟାଇ ପାରି ନ ଥିଲେ, ବରଂ ନିଆଁରେ ପତଙ୍ଗପରି ଆମକୁ ପକାଇ ପୋଡ଼ି ମାରି ପକାଇଲେ।

ଏତିକିବେଳେ ବାରଣ୍ଡାର ଶୋଇଥିବା ରୋଗିଣୀ କ୍ଷୀଣ କଣ୍ଠରେ କହିଲା-“ପାଣି, ଟୋପେ ପାଣି!”
“ଟୋପେ ପାଣି, ଟୋପେ ପାଣି”-ଦି’ଥର କହି ମାଗୁଣିଆ ଏକ ମାଟି ଘଡ଼ିରୁ ତା ମୁହଁରେ ପାଣି ଟିକିଏ ଦେଇ କହିଲା-“ଏପର୍ଯ୍ୟନ୍ତ ମଧ୍ୟ ଶବ କାଢ଼ିବାକୁ କିଏ ଆସିଲେ ନାହିଁ।”

ରୋଗିଣୀ କ୍ଷୀଣ କଣ୍ଠରେ କହିଲା-“କହୁଚି, ତୁମେ ଯାଅ।”

ମାଗୁଣିଆ ଥକା ହେଲାପରି ଠିଆହେଲା। ମନ ଭିତରେ ଖୁବ୍ ଜୋର୍‌ରେ ତାର ଶୁଭିଲା-‘ତୁମେ ଯାଅ’। ଭାବିଲା-ଶେଷକୁ ଏ ମଧ୍ୟ କହିଲା ‘ତୁମେ ଯାଅ!” ପାଟିକରି କହିଲା “ଶାରିଆ, ତୁ ଜାଣିଚୁ କାହା ଘେନି ମୋର ଏ ଅବସ୍ଥା? ଶେଷରେ ଘଡ଼ିଟିକରେ ପାଣି ତୋ ମୁହଁରେ ଦେବାକୁ ପଡ଼ିଲା। ତୁ ମଧ୍ୟ ସେଇ କଥା କହୁଛୁ?”

ଶାରିଆ ଛଟପଟ ହେଲାପରି କଡ଼ ଲେଉଟାଇ ଉତ୍ତର ଦେଲା-“ହୁଁ, ନ ହେଲେ ଆଉ କିଏ ଯିବ? ତୁମ ବିବାଦ ତ ଏବେ ମେଣ୍ଟିଲା। ସେ ତ ଚାଲିଗଲା, ଆଉ କାହାପାଇଁ ଏତେ ରାଗ ଅଭିମାନ? ଏତେବେଳେ ଇମିତି ରହିଲେ ଲୋକେ ବୋଲିବେ କ’ଣ?

ମାଗୁଣିଆ ପଥର ମୂର୍ତ୍ତି ପରି ଠିଆହେଲା। ଶାରିଆର ଶେଷପଦକ ମନ ଭିତରେ ଧକ୍କା ଦେଲାପରି ଲାଗିଲା-‘ଲୋକେ ବୋଲିବେ କ’ଣ?’ ଦୁଇ ପାହୁଣ୍ଡ ଆଗକୁ ଗଲା, ଦାଣ୍ଡ ପାଖକୁ ଯାଇ ପଛକୁ ଫେରିଆସିଲା। କାନ ପାଖେ ବାଜିଲା ସେଇ କଥା-‘ଲୋକେ ବୋଲିବେ କ’ଣ?’

ସେ ନ ଶୁଣିବାକୁ ଚେଷ୍ଟା କଲା। ଶାରିଆ ମୁହଁ ବୁଲେଇ କତରା ଖଣ୍ଡକରେ ପଡ଼ିଛି। ହଲ୍ ନାହିଁ, ଚଲ୍ ନାହିଁ। ମୁହଁକୁ ଟିକିଏ ତା’ର ଚାହିଁଲା। ଦେଖିଲା ଓଠରେ ତାର କଥାର ସ୍ପନ୍ଦନ ନାହିଁ। ତଥାପି ସେ କହିଲା ପରି ତାକୁ ଶୁଭିଲା-‘ଲୋକେ ବୋଲିବେ କ’ଣ?’ ସେତିକିବେଳ ଘରର ବିରାଡ଼ିଟା ମ୍ୟାଉଁ ମ୍ୟାଉଁ ହୋଇ କୁଆଡ଼ୁ ଚାଲିଆସିଲା। ତାର ସ୍ବର ଶୁଣି ମାଗୁଣିଆ ବୁଝିଲା, ସତେ ବା ବିରାଡ଼ିଟା କହୁଛି-‘ଲୋକେ ବୋଲିବେ କ’ଣ?” ଦାଣ୍ଡ ତାଟି ଫିଟାଇ ଦାଣ୍ଡକୁ ଚାହିଁଲା। ଗାଈ ଖୋଜୁଥିଲା ତା’ ଛୁଆକୁ ‘ହମା’ ବୋଲି।

ସେହି ଦୀର୍ଘ କର୍କଶ ସ୍ବରରୁ ସେ ବୁଝିଲା, ଗାଈ ଅବା କହୁଛି-‘ଲୋକେ ବୋଲିବେ କ’ଣ?’ ଦେଖିଲା, ସାଇ ପିଣ୍ଡାରେ ଲୋକେ ବସି କ’ଣ କଥାବାର୍ତ୍ତ ହେଉଛନ୍ତି। ତାର ସନ୍ଦେହ ହେଲା, ଲୋକେ କାହିଁକି କ’ଣ ତୁନି ତୁନି କଥାବାର୍ତ୍ତ ହେଉଛନ୍ତି- ‘ଆଚ୍ଛା, ଏ ଶବ ପଡ଼ି ରହିଲେ ଲୋକେ ବୋଲିବେ କ’ଣ?’

‘ଲୋକେ ବୋଲିବେ କ’ଣ?-ଭାବି ମାଗୁଣିଆ କେତେବେଳେ ଯେ ଚାଲି ଚାଲି ଭାଇ ଦୁଆର ଡେଇଁ ଭାଇ ଶବ ପାଖେ ଠିଆ ହୋଇଚି, ଜାଣି ନାହିଁ। ଯନ୍ତ୍ରଚାଳିତ ପରି ସେ ଚାଲିଗଲା, କାହାକୁ ଅପେକ୍ଷା କଲାନାହିଁ। କାହାକୁ ପ୍ରଶ୍ନ ପଚାରିଲା ନାହିଁ, କାହା କଥା ଶୁଣିଲା ନାହିଁ, କେବଳ ଗୋଟାଏ କଥା ତା କାନ ପାଖେ ବାଜୁଥିଲା-‘ଲୋକେ ବୋଲିବେ କ’ଣ?’ ସଂସାରର ସକଳ ସ୍ବର ଶବ୍ଦ ସେତେବେଳେ ସେଇ ଗୋଟାଏ ପ୍ରଶ୍ନ ଭିତରେ ତା’ ଚିତ୍ତତଳେ ଜମାଟ ବାନ୍ଧି ରହିଥିଲା। ‘ଲୋକେ ବୋଲିବେ କ’ଣ?’-ବିଚାରି ସେ ଏକାକୀ ଶବଟାକୁ ଟେକି କାନ୍ଧରେ ଧଇଲା। ଘରେ ସମେସ୍ତ କାନ୍ଦି ଉଠିଲେ। ସେ କହିଲା-“ତୁନି ହୁଅ, ଲୋକେ ବୋଲିବେ କ’ଣ?”

ମଶାଣି ପଡ଼ିଆରେ ଯେତେବେଳେ ତରୁଶ୍ରେଣୀର ସୀମା ପାର-ହୋଇ ଧୂଅାଁ କୁଣ୍ଡଳୀ ଆକାରରେ ଉପରକୁ ଉଠି ନୀଳ ଆକାଶକୁ ଆଚ୍ଛନ୍ନ କରିପକାଇଲା, ମାଗୁଣି ସେତେବେଳେ ଉପରକୁ ଆଁ କରି ଚାହଁ ରହି ସେ ଧୂଆଁ ଭିତରେ ଦେଖିଲା, ତା’ ଅତୀତର ସକଳ ବାଦବିବାଦ କୁଆଡ଼େ ସବୁ ଧୂଆଁ ପରି ମିଳେଇଯାଇଚି।

ଏ ଘଟଣାର କେତେ ଦିନ ପରେ ମାଗୁଣିଆ ଯେତେବେଳେ ଭାଇଘର ଓ ନିଜ ଘରର ଭାଇଭାଗ-ବଣ୍ଟା ବାଡ଼ ଭାଙ୍ଗି ଦି’ଘରକୁ ଏକାଠି କରି ଦାଣ୍ଡ ପିଣ୍ଡାରେ ବସିଲା, ଗାଁର ମାମଲତକାର ବିଶୁ ପଧାନ ମୁରୁକିହସା ଦେଇ ପଚାରିଲେ-‘କିରେ ମାଗୁଣିଆ, ଏ କ’ଣ?”
ମାଗୁଣିଆ କହିଲା-“ଭାଇ ପରା ଚାଲିଗଲା, ଏବେ ଇମିତି ନ ହେଲେ ଲୋକେ ବୋଲିବେ କ’ଣ?”
ପଧାନ କହିଲେ-“ମଶାଣି ପଡ଼ିଆରେ ଇମିତି କାହାରି କାହାରି ମୁଣ୍ଡ ବିଗିଡ଼ି ଯିବାର ଶୁଣାଯାଇଛି।
-୦-

ଏହି ଗଳ୍ପ ଏବଂ ଉପରୋକ୍ତ ଚିତ୍ରଟି ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୧୯୮୦ ମସିହାରେ ପ୍ରକାଶିତ ‘ଗଳ୍ପ ଏକାଙ୍କିକା’ ପୁସ୍ତକରୁ ସଂଗୃହୀତ।

Pages: 1 2