ଉଠ ଗୋ ଦୁଖିନୀ ଉତ୍କଳ ଜନନୀ!
ପାହିଛି ବିଷାଦ ଯାମିନୀ ତବ,
ଉଠି ଦେଖ ନଭେ ନବ ଦିନମରି
ଶୁଣ ସୁପ୍ରଭାତେ ବିହଙ୍ଗ ରବ।
ନବୀନ ଚେତନେ ନବୀନ ଉଦ୍ୟମେ
ଜାଗି ଉଠିଛନ୍ତି ଜଗତ ଜନ,
କିପାଇଁ କହ ଗୋ ପ୍ରିୟ ମାତୃଭୂମି
ଅଛୁ ଅବସାଦ-ନିଦ୍ରା ମଗନ?
ଜାଗିଛି ୟୁରୋପ ଜାଗିଛି ମାର୍କିନ
ଉଡ଼ାଇ ଉନ୍ନତି଼-ବିଜୟ ଧ୍ୱଜା,
ଆଦି-ମଧ୍ୟ-ଯୁଗ-ଅଜ୍ଞାନ-ଆଳସ୍ୟ
ତେଜି କରିଛନ୍ତି ସଭ୍ୟାତା ସଜ୍ଜା।
ଜାଗିଛି ଜାପାନ ଏହି ନିକଟରେ
କରିଣ ସାହସେ କର ମର୍ଦ୍ଦନ,
ଆଦର ସମ୍ମାନେ ପାଇଅଛି ସର୍ବ
ସଭ୍ୟଜାତି ସହ ସମ-ଆସନ।
ଅବସାଦ ତେଜି ଅଳପ ଅଳପ
ଜାଗୁଛନ୍ତି ନିଜେ ପ୍ରିୟ ଭାରତ,
ବଙ୍ଗ ମହାରାଷ୍ଟ୍ର ଦ୍ରାବିଡ଼ ପଞ୍ଜାବ
ନବଜ୍ଞାନ-ଭାନୁ-କର ପ୍ରାପତ।
କିପାଁ ତେବେ ପ୍ରିୟ ଉତ୍କଳ ଜନନୀ
ଅବସାଦ-ନିଦ୍ରା ନ ଭାଙ୍ଗେ ତବ,
ଫୁଟିଛି ପବିତ୍ର ଧର୍ମ-ସୁକୁସୁମ
ଶୁଭୁଅଛି ପୁଣ୍ୟ ପ୍ରଭାତ-ସ୍ତବ।
ବିଜ୍ଞାନ ଭାସ୍କର- ସମୁଜ୍ଜଳ କରେ
ଧରା ମୁଖ ଛବି ଦିଶେ ଉଜ୍ଜ୍ୱଳ,
ବିଜୟୀ ହୁଅନ୍ତି ସେହିମାନେ ଯେହୁ
ଜୀବନ ସଂଗ୍ରାମେ ଖଟାନ୍ତି ବଳ।
କର୍ମ ଅସି କରେ ଧରି ହୁଙ୍କାରରିଣ
ଉନ୍ନତି ପଥରେ ଯାଆନ୍ତି ଜନେ,
ଦିବସେ ସୁଷୁପ୍ତା ବୋଲି କେତେ ଲୋକ
ହସନ୍ତି ଚାହିଁଣ ତୋହ ଆନନେ।
ଉନ୍ନତ ସବଳ କର୍ମିଷ୍ଠ ଜଗତେ
ଏ ଭାରତ ସର୍ବ ପୃଷ୍ଠେ ପତିତ,
ତୁ ପୁଣି ଅଧମ ଦେଶରେ ଅଧମ
ତେଣୁ ସବୁଠାରେ ତୁହିଁ ଲାଞ୍ଛିତ।
ତଥାପି ନୈରାଶ୍ୟ-କଥା ନ କହିବି
ଚିର ଅବସନ୍ନ ସୁପ୍ତ ସ୍ୱଦେଶ,
କାହା ଚିର ଦିନ ନ ଯାଏ ସମାନ
ହେବ ଦିନେ ତବ ଦୀନତା ଶେଷ।
ଲାଗିଅଛି ଦୁଃଖ ସୁଖର ସଂସାରେ
ଚକ୍ରନେମି କ୍ରମେ ପରିବର୍ତ୍ତନ,
ତୋ ପରି ବସୁଧା ସକଳ ଦେଶର
ହୋଇ ଯାଇଅଛି ପତନୋତ୍ଥାନ୍।
କର୍ମ ହିଁ ଜୀବନ କର୍ମହିଁ ଉଦ୍ଦେଶ୍ୟ
ଜଡ଼ତା ଜୀବନ୍ତ ମରଣ ସିନା,
ଦୁର୍ଲ୍ଲଭ ମାନବ ଜନମ ବିଅର୍ଥ
ଜୀବନ-କର୍ତ୍ତବ୍ୟ ସାଧନ ବିନା!
ଉଠ ପ୍ରିୟ ଭ୍ରାତା ଉଠ ଗୋ ଭଗିନୀ,
ମାତୃଭୂମି ଦୁଃଖ ଦୀନତା ନାଶ,
ବିନୀତ ଚିତ୍ତରେ ତବ ପୂତ ପଦେ
ନିବେଦଇ କବି ପ୍ରାଣ ଉଲ୍ଲାସ।
-୦-
