ଶୈଶବ-ସୀମାନ୍ତେ ଯେବେ କରି ଧୂଳିଘର
କ୍ରୀଡ଼ାରେ ଆସକ୍ତ ଥିଲି ସାଥି-ସଙ୍ଗତର,
କେବଣ ଅଜ୍ଞାତ ଲୋକେ ଗୋ ସୁର ସୁନ୍ଦରୀ
ଦେଖିଥିଲି ସେ ଲାବଣ୍ୟ ବେନି ନେତ୍ର ଭଳି।
ନୀଳନଭେ କୃଷ୍ଣଘନେ ଲୋଳ ସୌଦାମିନୀ
ରୂପେ ଦେଖିଥିଲି ତୋତେ ଲୋ ରୂପଗର୍ବିଣୀ।
ଶାରଦଚନ୍ଦ୍ରିକା ଧୌତ ଅନ୍ତରୀକ୍ଷ ଦେଶେ
ବୁଲୁଥିଲୁ ବରାଙ୍ଗିରେ, ଜୋସ୍ନା ଶୁଭ୍ରବେଶ
ଦେଖିଥିଲି ବରାନନେ, ସେ ବିଧୁକିରଣେ
ତୋ ଅନିନ୍ଦ୍ୟ ମଧୁରିମା ଅତୃପ୍ତ ନୟନେ।
କାଳକ୍ରମେ ଆଗମ୍ଭିଲା ମଧୁର ଯୌବନ
ବହିଲା ହୃଦୟ ବନେ ଦକ୍ଷିଣା ପବନ
କାହୁଁ ଉଡ଼ିଆସି ତୁ ରେ ବସନ୍ତ କୋକିଳ
ସେ ବନେ କଲୁ ତୋ ସ୍ବନେ ଆନନ୍ଦ-ଆକୁଳ?
-୦-
୰ ନନ୍ଦ କିଶୋର ବଳ
ବାଗ୍ମୀ ବିଶ୍ବନାଥ କର ଏବଂ ଭକ୍ତକବି ମଧୁସୂଦନ ରାଓଙ୍କର ଶିଷ୍ୟ ଭାବେ ପଲ୍ଲୀକବି ନନ୍ଦକିଶୋର ବଳ(୧୮୭୫-୧୯୨୮) ସାହିତ୍ୟ ସାଧନା ଆରମ୍ଭ କରିଥିଲେ। ଓଡ଼ିଶାର ଗ୍ରାମ ଓ ପଲ୍ଲୀର ପ୍ରାକୃତିକ ପରିବେଶ ଉପରେ ତାଙ୍କର ଅଧିକାଂଶ ଲେଖାଗୁଡ଼ିକ ପର୍ଯ୍ୟବେଶିତ ହୋଇଥିବାରୁ ସେ ପଲ୍ଲୀକବି ଭାବେ ପରିଚିତ ହୋଇଥିଲେ।
ତାଙ୍କ ଦ୍ୱାରା ରଚିତ କବିତା ଗ୍ରନ୍ଥ ମଧ୍ୟରେ ‘ନିର୍ଝରିଣୀ’, ‘ପଲ୍ଲୀଚିତ୍ର’, ‘ନିର୍ମାଲ୍ୟ ’, ‘ସନ୍ଧ୍ୟା ସଙ୍ଗୀତ’ ଆଦି ଅନ୍ୟତମ। ସେହିପରି ଯୌତୁକ ପରି ସାମାଜିକ ବ୍ୟାଧି ଉପରେ ସେ ‘କନକଲତା’ ନାମକ ଏକ ଉପନ୍ୟାସ ମଧ୍ୟ ଲେଖିଥିଲେ। ତାଙ୍କ ସମୟର ଜଣେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ଭାବେ ନନ୍ଦକିଶୋର ବଳ ବେଶ୍ ପ୍ରତିଷ୍ଠା ଲାଭ କରିଥିଲେ।
କ୍ରମେ ସବିଶେଷ →