ଅନୁସରି ତ, ପ୍ରଭୋ, କାଳଯାକ ଗଲା ସରି ତ।
କର ବିତରଣ କଲେ କେତେ ଉଣା
ହୁଅନ୍ତା କରୁଣା-ସରିତ? ।୦।
ଅଶରଣ ଜନ ବନ୍ଧୁପଣ ଯଶ
ସଂସାରେ ହୋଇଛି ଉଦିତ
ପଥର ହୋଇ ପଥରେ ପଡ଼ିଥିଲା
ଅହଲ୍ୟାକୁ ଦେଲ ତାରି ତ ।୧।
ପାଞ୍ଚାଳୀକି ଦୁଃଶାସନ ଘଞ୍ଚାଳିଲା
ବଞ୍ଚାଇଲା ବାସ ଦେଇ ତ,
ଘୁଞ୍ଚାଇଲ ନାହିଁ ମୋ’ ଛାର କଦନ
ପୋଛାଇଲ ନେତ୍ରୁ ବାରି ତ ।୨।
କାହିଁ ଥିଲା ନକ୍ର କାହିଁ ଥିଲା ଚକ୍ର
ପଲକ ପତନ ନୋହୁ ତ
ଛିଡ଼ିଗଲା ମଥା ରହିଗଲା କଥା
ଡାକିଲା ମାତ୍ରକେ କରି ତ।୩।
କାଳ-କିଙ୍କର ଭୟରେ ଅଜାମିଳ
ପୁତ୍ରୋପଚାରରେ ଡାକି ତ
ପରମ ପଦ ପାଇଲା ଆପଣଙ୍କ
ନାମ ମହିମା ଏପରି ତ।୪।
ନିରୁପାଧି! କୃପା କର ବୋଲି ବିଧି
ଭବାଦିରେ ଥାଉ କଥିତ
ମୁଁ କଲା ଦୋଷ କି? ନାଶିଛ ତ ବକୀ
ବିଷ-ପିଆର ତ ଦୂରିତ।୫।
ଗୋପାଳକୃଷ୍ଣ କହେ ଜଗନ୍ନମଙ୍ଗଳ
ଯାହା କରିବ ତୁମ୍ଭ ଚିତ୍ତ
ଆପଣ ଦୟାଳୁପଣକୁ ବଳି ମୋ’
ଦୃଷ୍କୃତ ନୁହଇ ଭାରୀ ତ।୬।
-୦-
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୧୯୮୧ ମସିହାରେ ପ୍ରକାଶିତ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପୁସ୍ତକ ‘ସାହିତ୍ୟ: ଗଦ୍ୟ ଓ ପଦ୍ୟ ସଙ୍କଳନ’ରୁ ଏହି କବିତାଟି ଆନୀତ।
