ଚିକିତ୍ସା ପାଇଁ ଶେଷରେ ସେ କଟକ ଆସିଥିଲେ। ହସ୍ପିଟାଲ୍ରେ ରହି ଚିକିତ୍ସିତ ହେଲେ। ରୋଗ କିଛି ଆୟତ୍ତକୁ ଆସିଲା ମଧ୍ୟ, କିନ୍ତୁ ସେ କାଇଦା କଟକଣା ଭିତରେ କଟକରେ ରହିବାକୁ ପସନ୍ଦ କଲେନି। ନରହରିପୁର ଶାସନକୁ ଫେରିଗଲେ, ଯେଉଁଠି ତାଙ୍କର ସମସ୍ତ ଐଶ୍ବର୍ଯ୍ୟମୟ ଜୀବନ କଟିଥିଲା। ସେଠି ସେ ଦ୍ବିପ୍ରହରେ ଘରକାମ ସାରି ଢିଙ୍କିଶାଳେ ଏରୁଣ୍ଡି ବନ୍ଧକୁ ମାଣ୍ଡିକରି ଗଡ଼ିପଡ଼ିଲେ, ଗାଁ’ର ଚାଷୁଣୀମାନେ ଆସି ତାଙ୍କ ପାଖରେ ଗପ କରୁଥିଲେ, ଦୁଃଖ ସୁଖ ହେଉଥିଲେ।
ଗୋଡ଼ହାତ ଦେହପିଠି ମୋଡ଼ି ଦେଉଥିଲେ। ରାତିରେ ତାଙ୍କ ପାଖରେ ସେହିପରି ଚାରି ପାଞ୍ଚଜଣ ସ୍ତ୍ରୀଲୋକ କ’ଣ ସବୁ ଟୁପୁରୁ ଟାପୁରୁ ହେଉଥିଲେ କେଜାଣି, କିନ୍ତୁ ସେସବୁ କଥାବାର୍ତ୍ତା ମା’ଙ୍କ ପ୍ରତି ବଡ଼ ସ୍ବାସ୍ଥ୍ୟକର ହେଉଥିଲା। ସେ ସେମାନଙ୍କର କଥା ବୁଝୁଥିଲେ। ସେମାନେ ତାଙ୍କ କଥା ବୁଝୁଥିଲେ।
ତାଙ୍କ ମୃତ୍ୟୁର ଟେଲିଗ୍ରାମ୍ ପାଇଁ ଗାଁ’କୁ ଯାଉଥିଲି। ମଶାଣି ଦଣ୍ଡାଠି ଗୋହିରି ରାସ୍ତା ସରିଥିଲା। ମୁଁ ଓ ହଳିଆଟି ଦଣ୍ଡାରେ ପହଞ୍ଚିବା ବେଳକୁ ସାୟାହ୍ନ ହେବ। ହଳିଆ, ମା’ ପୋଡ଼ା ହୋଇଥିବା ଜାଗାକୁ ମୋତେ ଦେଖାଇ ଦେଲା। ମୁଁ ଚାହିଁ ଦେଖିଲି, ବାପା ବ୍ୟସ୍ତ ହୋଇ ସେହି ପୋଡ଼ା ଜାଗାରେ କ’ଣ ଖୋଜୁଥିଲେ, କ’ଣ ସବୁ ଗୋଟାଉଥିଲେ ଯେପରି। ମୁଁ ବାଟ ଭାଙ୍ଗି ସେ ଆଡ଼େ ଗଲିନି। କାରଣ ସେଠି ମୋର ବାପା, ମା’ଙ୍କର ପାଉଁଶ ଘାଣ୍ଟି ନଥିଲେ, ସ୍ବାମୀଟିଏ ସ୍ତ୍ରୀର ଅବଶେଷକୁ ଖୋଜୁଥିଲା।
ଘରେ ମୁଁ ପହଞ୍ଚିବା ମାତ୍ରକେ ମୋର ପିଉସୀମାନେ ବାହୁନି ବାହୁନି କାନ୍ଦିବାକୁ ଲାଗିଲେ। ମୁଁ ଜିନିଷପତ୍ର ଥୋଇ, ଗୋଡ଼ ହାତ ଧୋଇ ସିଧା ମଝି ଘର ଭିତରକୁ ଗଲି, ଯେଉଁଠି ମୁଁ ବାପା ଓ ମା’ଙ୍କ ମଝିରେ-ଗୋଟିଏ ପଟେ ବାପାଙ୍କ ଦେହର ଚନ୍ଦନଗନ୍ଧ, ଅନ୍ୟପଟେ ମା’ର ହଳଦୀ ଗନ୍ଧ ଭିତରେ ମୋର ବାଳ୍ୟକାଳର ସମସ୍ତ ସ୍ୱପ୍ନ ଦେଖିଥିଲି। ସେଠି ଘର ଭିତରେ ଦୀପଟିଏ ଜଳୁଥିଲା। ମୁଁ ସନ୍ତର୍ପଣରେ ସେ ଦୁଆରକୁ ଆଉଜାଇ ଦେଇ ବାରଣ୍ଡାକୁ ଚାଲି ଆସିଲି। ସେହି ମା’ ବୋଉଠୁଁ ସ୍ୱପ୍ନରେ ଘର ଭିତରକୁ ପଶିବାକୁ ଅନୁମତି ଲୋଡ଼ୁଥିଲେ। ମୁଁ ପିଣ୍ଡାଟା ଉପରେ ବସିପଡ଼ି ଘର ଭିତର ଅଗଣାକୁ ନଇଁ ପଡ଼ି ଚାହୁଁଥିବା ନଡ଼ିଆଗଛ ବାହୁଙ୍ଗାଗୁଡ଼ିକୁ ଚାହିଁଲି।
ତା’ପରେ ବାହୁଙ୍ଗା ଉପରେ ଥିବା ନୀଳ ଆକାଶକୁ…। ନା ଏତେ ଉପରେ ନୁହେଁ। ମା’ ମୋର, ଶ୍ରୀମତୀ ମୁକ୍ତାଦେଈ ମାଟିରେ ମିଶି ଯାଇଥିବେ ପଥରା ଜମିରେ, ଗଜାଗଛ… କଞ୍ଚା ସୁଆଦି ଗଛ ବାଡ଼ିରେ, ଖଳା ବାଡ଼ିରେ ଓ ଚୁଆ ପାଣିରେ। ମାଟି ସ୍ତରରେ କୌଣସି ସ୍ବର୍ଗଥିଲେ ସେ ସେଇଠି ଥିବେ, ମାଟିର ରସହୋଇ, ଓଜହୋଇ, ପ୍ରାଣହୋଇ।
-୦-
‘ଉକ୍ତ ଗଳ୍ପଟି ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଦ୍ୱାରା ୧୯୮୩ ମସିହାରେ ଉଚ୍ଚ ମାଧ୍ୟମିକ ଶ୍ରେଣୀ ନିମନ୍ତେ ପ୍ରକାଶିତ-ଗଳ୍ପ ଏକାକାଙ୍କିକା ମାଳା ପୁସ୍ତକରୁ ସଂଗୃହୀତ। ଏହି ଗଳ୍ପଟି ଲେଖକଙ୍କ ଦ୍ୱାରା ରଚିତ ଓ ପ୍ରକାଶିତ ‘ପଶ୍ଚିମା’ ଗଳ୍ପ ସଂକଳନରୁ ଆନୀତ।