ଏପରି ଯୁଝିବା ଆଉ ଆଜିକାଲି ଦେଖାଯାଉ ନାହିଁ। ଠିଆହୋଇ ହାତକୁ ହଲାଇ, ଅନର୍ଗଳ ଗାଳିଦେଇ ଚାଲିବା-ସେ ପିଲାକୁ, ତା’ ମା’କୁ, ବଂଶକୁ ବାଡ଼ି ବିସୂଚିକା କି ବସନ୍ତ ମୁହଁକୁ ଠେଲିବା ପାଇଁ ଏଡ଼େ ସଙ୍ଗୀତାତ୍ମକ ଭାଷା ବ୍ୟବହାର କରାଯାଇପାରେ, ତାହା ସହରରେ ବ୍ଲଡ଼ି, ବାଷ୍ଟାର୍ଡ଼, ଷ୍ଟୁପିଡ଼୍‌, ରୋଗ୍‌ କହୁଥିବା ସ୍ତ୍ରୀଲୋକମାନେ ବୁଝି ପାରିବେନି। ମା’ ହାତ ହଲାଇ ମୋ ପାଇଁ ଗାଳି ଦେଉଥିବାବେଳେ, କୌଣସି ଚାଷୁଣୀ ତା’ଘର ଦୁଆର ମୁହଁରୁ ଅନର୍ଗଳ ସେହିପରି ଢଙ୍ଗରେ, ସେହିପରି ଭାଷାରେ ଗାଳି ଦେଉଥିବ। କାହା ପିଲା ଠିକ୍‌ କଲା, କାହା ପିଲା ଭୁଲ କଲା, ସେ କଥା ବୁଝିବାକୁ କାହାର ତର ନଥାଏ।

ଜଣେ କେହି ଗାଳି ଦେବାକୁ ଆରମ୍ଭ କଲେ, ଆଉ ଜଣେ ନିଶ୍ଚୟ ତା’ର ଜବାବ ଦେବ। କିଛି ସମୟ ପରେ ମା’ କ୍ଳାନ୍ତ ହୋଇ ବା କୌଣସି କାମରେ ଘର ଭିତରକୁ ଚାଲିଯିବେ। ମୁଁ ଦାଣ୍ଡପିଣ୍ଡାରେ ବସି ମୋତେ ମାରିଥିବା ସେହି ପିଲାଟି ଆଡ଼େ ବାଆଁରେଇ ହୋଇ ଚାହିଁବି-ଯିଏ ଧୂଳିଧୂସରିତ ହୋଇ ତା’ ଘର ପିଣ୍ଡାରେ ବା ଦାଣ୍ଡ ମଝିରେ ବସିଥିବ ତା’ ମାଠୁ ମାଡ଼ ଖାଇବା ଡରରେ। କିଛି ସମୟ ପରେ ଆମେ ଦୁହେଁ ଡକାଡକି ହୋଇ ବଡ଼ ପୋଖରୀକୁ ଗାଧୋଇବାକୁ ପାଇଁ ଚାଲିଯିବୁ। ତହିଁ ଆରଦିନ ହୁଏତ ଗୁଆଘିଅ ଟିକିଏ ପାଇଁ ସେହି ଚାଷୁଣୀ ମା’ଙ୍କ ସହ ଦାଣ୍ଡପିଣ୍ଡାକୁ ଆସି କଥାବାର୍ତ୍ତା କରୁଥିବ।

ମା’ର ଅଣ୍ଟାର କରାଟରେ କେତେ ପଇସା ଗଚ୍ଛିତ ରହୁଥିଲା, ତା’ର ହିସାବ ମୁଁ କେବେ ରଖୁ ନଥିଲି, କିନ୍ତୁ ଦାଣ୍ଡକୁ ମୁଢ଼ି ମୂଆଁବାଲା ଆସିଲେ, ସେ କରାଟ ବିନା ଦ୍ୱିଧାରେ ମୋ ପାଇଁ ଉନ୍ମୁକ୍ତ ହୋଇଯାଉଥିଲା। ଝଣର ଝଣର ଶବ୍ଦକରି ଗୁଡ଼ିଆ ଆସୁଥିଲେ-ରାଶିକୋରା, ନଡ଼ିଆକୋରା, ଦାନ୍ତକିଲି, ମୁଢ଼ିମୁଆଁ, କାନ୍ତିପିଠା ବିକ୍ରି କରିବାପାଇଁ। ମା’ ନିଜେ ଭଲ ପିଠା ପଣା ତିଆରି କରୁଥିଲା।
ସ୍କୁଲ ଟିଫିନ୍‌ ବ୍ରେକରେ ଖାଇବାପାଇଁ ସେ ମୋତେ ସବୁବେଳେ ପୋଡ଼ପିଠା ଦେଉଥିଲା, ଯେଉଁଥିପାଇଁ ମୋର ବହିପତ୍ର ସବୁଥିରେ ପୋଡ଼ପିଠାର ମହକ ରହିଯାଉଥିଲା। ମାଛ ତା’ ହାତରେ ଖୁବ୍‌ ଭଲ ହେଉଥିଲା, ସକାଳେ ପାତୁଆ ଝୋଳ ଓ ସନ୍ଧ୍ୟାରେ ଖଇଙ୍ଗାର ସୋରିଷବଟା ଝୋଳ ଅତୀତର ସକଳ ବ୍ୟବଧାନକୁ ଲଙ୍ଘି ଏବେ ମଧ୍ୟ ମୋର ନାକ ପାଖକୁ ଚାଲିଆସୁଛି। ମୁଁ କିନ୍ତୁ ନିତି ତାଙ୍କ କରାଟ ପଇସାରେ ବୁଲାବିକାଳୀଠୁ କିଛି ନା କିଛି ଖାଉଥିଲି, ଯାହାକୁ ସେ ବେଳେବେଳେ ଗୁଆଘିଅ ବିକି, କଇଥ ବିକି ବା ଧାନ ବିକି ସଞ୍ଚୁଥିଲା।

ଶ୍ରୀ ଅକ୍ଷର ବିବର୍ଜ୍ଜିତ ମୁକ୍ତାଦେଈ ଦନେଇ ବ୍ରହ୍ମପୁରର ଝିଅ। ଲେଖାପଢ଼ା ସେ ଆଦୌ ଜାଣି ନଥିଲେ ମଧ୍ୟ ସାଂସାରିକ ବୁଦ୍ଧିରେ ଦୀପ୍ତିମତୀ ସେ ସ୍ତ୍ରୀଲୋକ କପିଳ ମିଶ୍ରଙ୍କ ଘରର ସମସ୍ତ ଦାୟିତ୍ୱ ଗ୍ରହଣ କରିଥିଲେ। ଧାନ ଆଦାୟବେଳେ ବାଡ଼ିତଳ ଜମିରୁ ଧାନ ଶିଷା ଖଣ୍ଡେ କିଏ ଗୋଟାଇ ନେଉଛି କି ନାହିଁ ସେଥିପ୍ରତି ଦୃଷ୍ଟି ରଖିବାଠୁ-ଦାଣ୍ଡ ପିଣ୍ଡାରେ କିଏ ଅତିଥି ଅଭ୍ୟାଗତ ପହଞ୍ଚିଲା ସେଥିପ୍ରତି ମଧ୍ୟ ସଚେତନ ଥିଲେ।

ଅତିଥି ଅଭ୍ୟାଗତ ତାଙ୍କଯୋଗୁଁ ଘରକୁ ଆସୁଥିଲେ ତା’ ନୁହେଁ, ସେମାନେ ନଆସନ୍ତୁ ବୋଲି ସେ ଚାହୁଁଥିଲେ। ସେମାନେ କିନ୍ତୁ ଧାଡ଼ି ଲଗାଉଥିଲେ ତାଙ୍କ ସ୍ୱାମୀଟି ପାଇଁ। ଶିବ କାଳୀଙ୍କର ସଂଯୋଗ ପରି ବାପା ମା’ଙ୍କର ସଂଯୋଗ ଥିଲା ବା ଈଶ୍ବର ପୃଥିବୀ ପରି ସେମାନଙ୍କର ଯୋଗଥିଲା। ଅତିତି ଦୂରରୁ ଦେଖିଲେ ବାପାଙ୍କର ପେଟ କାଟୁଥିଲା। ସେ ପେଟକୁ ଜାବୁଡ଼ି ଧରି ଖାଇପାରିବେନି ବୋଲି କହିକହି ଘର ଭିତରକୁ ପଶୁଥିଲେ।

ତାଙ୍କର ଅସୁସ୍ଥ ଅବସ୍ଥା କଥାରେ ମା’ଙ୍କର ବିଶ୍ୱାସ ଆସିଯିବା ପରେ ପରେ ସେ ବାରଣ୍ଡାରେ ବସିଥିବା ଅତିଥିଙ୍କୁ କଥା ପକାଉଥିଲେ। ତାଙ୍କ ଭାଗ ଭାତତକ ଅତିଥିଙ୍କୁ ଦେବା ପ୍ରସ୍ତାବ ଦେଉଥିଲେ। ଦରିଦ୍ର ମଧ୍ୟବିତ୍ତର ଏପରି ଧର୍ମାର୍ଜ୍ଜନକୁ ଜାଣିପାରି ମା’ ବାପାଙ୍କୁ ଜଗିବାକୁ ଆରମ୍ଭ କଲେ, କାରଣ ସ୍ବାମୀଟିକୁ ଖୁଆଇ ପିଆଇ ସୁସ୍ଥରଖିବା ପ୍ରତ୍ୟେକ ସ୍ତ୍ରୀ’ର କର୍ତ୍ତବ୍ୟ ମଧ୍ୟ ଥିଲା।

ଅତ୍ୟନ୍ତ କଷ୍ଟରେ ପ୍ରାପ୍ତ ତାଙ୍କର ଏକମାତ୍ର ପୁଅପ୍ରତି ମା’ଙ୍କର ସ୍ନେହ ବେଶ୍‌ ଥିଲା, ଯାହା ନନା କେବେ କଟକରୁ ଗାଁ’କୁ ଆସିଲେ ବା କେବେ ନନାଙ୍କ କଥା ପଡ଼ୁଥିଲେ ମା’ଙ୍କର ସ୍ୱରରୁ ଜଣାପଡ଼ୁଥିଲା। କିନ୍ତୁ ଗରିବ ବ୍ରାହ୍ମଣମାନଙ୍କ ଘରେ ବିବାହ ଦେଇଥିବା ଝିଅଗୁଡ଼ିକ ପ୍ରତି ତାଙ୍କର ଅନୁରୋଧ ଭିନ୍ନ ଧରଣର ଥିଲା। ନାତି ହେବା ଛଡ଼ା ତାଙ୍କର ସବାସାନ ଝିଅ ରମାନାନୀର ପ୍ରାୟ ସମାନ ବୟସର ସାଙ୍ଗଭାବେ ମୁଁ ମା’ଙ୍କର ଝିଅମାନଙ୍କ ପ୍ରତି ମମତାର ଓ ସେମାନଙ୍କର ମା’ ପ୍ରତି ଶ୍ରଦ୍ଧା ଓ ଭକ୍ତିର କିଞ୍ଚିତ୍‌ ପରିଚୟ ପାଇଯାଉଥିଲି। ଗଛ ଓ ମାଟିର କି ମାଛ ଓ ପାଣିର ପ୍ରେମ ସମ୍ପର୍କ ପରି ପିଉସୀ ନାନୀ ଓ ମା’ଙ୍କର ସମ୍ପର୍କ ଥିଲା।

ମାଛ ଓ ଶୁଖୁଆ ଖାଇଖାଇ ମା’ଙ୍କର ବୁଢ଼ୀ ବୟସରେ ବହୁମୂତ୍ର ରୋଗ ହୋଇଗଲା। ସେହି ରୋଗର ପ୍ରକୋପରେ କ୍ରମେକ୍ରମେ ଗଛରୁ ପତ୍ର ଝଡ଼ିବା ପରି ତାଙ୍କର ଗଣ୍ଡି ଓ ବଳ ହ୍ରାସ ହୋଇଗଲା, ମନରୁ ଦମ୍ଭ ଓ ଜୋର୍‌ ମଧ୍ୟ। ଗାଁ’ରେ ନିଜର ନାତି ନାତୁନାତୁଣୀମାନଙ୍କ ପାଇଁ, ଅନ୍ୟ ସ୍ତ୍ରୀମାନଙ୍କ ସହ କଳି କରିବାପାଇଁ ଶକ୍ତିହୀନତା ତାଙ୍କୁ ଯେମିତି ବାଧିଥିବ, ଶୁଖୁଆ ମାଛ ମଞ୍ଜିପାଇଁ ପ୍ରସିଦ୍ଧ ବାଣପୁର ଅଞ୍ଚଳରେ ରହି ମାଛ ଶୁଖୁଆ ଖାଇ ନପାରିବା ତାଙ୍କୁ ଆହୁରି ବାଧୁଥିବ ଓ ଆହୁରି ବାଧୁଥିବ ଘରର କାମଜଞ୍ଜାଳ କରି ନପାରି ଶେଯରେ ପଡ଼ିରହିବା।

Pages: 1 2 3