ତାଙ୍କ ଶାଢ଼ୀରେ ଲକ୍ଷ ବିହଙ୍ଗର ଶୋଭା।
ବିହଙ୍ଗମାନେ ଉନ୍ମୁଖ ଓ ସୁନ୍ଦର। ମିସେସ୍ ପୁରୀ ସମୃଦ୍ଧା ଓ ସୁନ୍ଦରୀ। ସୁନ୍ଦରୀ ବୋଲି ଧରିନେବାକୁ ହେଉଛି, କାରଣ ସୌନ୍ଦର୍ଯ୍ୟ ନ ଥିଲେ ତାଙ୍କ ଚାରିପାଖରେ ଏତେ କଳା ଓ କଳ୍ପନା, କୁଟୀର ଶିଳ୍ପ ଓ ଯନ୍ତ୍ର ଶିଳ୍ପର ସମ୍ଭାର ନ ଥାଆନ୍ତା। ଯଥା:- ଯାମିନୀ ରାୟ, ଭେନସ୍ଙ୍କର ଜନ୍ମ, ଅଖ୍ୟାତ ଶିଳ୍ପୀର ନଈ ଓ ଡଙ୍ଗା, ହାତୀଦାନ୍ତର ଶ୍ରୀକୃଷ୍ଣ, ବାଉଁଶ, ବେଣାଚେର ଖଦଡ଼ କାଗଜ ଇତ୍ୟାଦିରେ ଗଢ଼ା ବୋଝ ବୋହିଥିବା ଚାଷୀ ଓ ତା’ର ସ୍ତ୍ରୀ, କୃଷ୍ଣକାୟ ଆଦିବାସୀର ନାଚ, ସାପୁଆ କେଳା ଇତ୍ୟାଦି। ତଦୁପରି ଇମ୍ପୋଟେଡ୍ ଉତ୍କୃଷ୍ଟ ଇଲେକ୍ଟ୍ରିକ୍ ଟୋଷ୍ଟର, ଟ୍ରାଞ୍ଜିଷ୍ଟର୍ ଓ କାଚ, ଚାଇନା, ଷ୍ଟେନ୍ଲେସ୍ ଷ୍ଟିଲ୍ର ବିବିଧ ମନୋରମ ଦ୍ରବ୍ୟ, ଯାହାକୁ ଦେଖିବାକୁ ଭଲ ଲାଗେ, କିନ୍ତୁ ବ୍ୟବହାର କରିବା ମନା।
ମିସେସ୍ ପୁରୀଙ୍କର ବେଡ୍ରୁମ୍। ମିସେସ୍ ପୁରୀ ଶୋଇଛନ୍ତି। ନିଦରେ ଶୋଇ ନାହାନ୍ତି, ବର୍ତ୍ତମାନ ଦିନ ଏଗାରଟା। ତେଣୁ ବିଛଣା ଚାଦର ନୁହେଁ, ରଙ୍ଗିନ୍ ବେଡ୍ କଭର୍ ଉପରେ ଶୋଇଛନ୍ତି। ରାତି ପିନ୍ଧା ନୁହେଁ, ସିଲ୍କ୍ ଶାଢ଼ୀ ପିନ୍ଧି ଶୋଇଛନ୍ତି ଏବଂ ସେହି ଶାଢ଼ୀରେ ଲକ୍ଷ ବିହଙ୍ଗ ଉନ୍ମୁଖ, ଉଦ୍ୟତ ଓ ଆଗ୍ରହୀ।
ମନେହେଉଛି ସେମାନେ ମୁହୂର୍ତ୍ତକରେ ଡେଣା ମେଲି ଉଡ଼ିଯିବେ, କିନ୍ତୁ ସେମାନେ ଉଡ଼ିଯିବାକୁ ଚାହୁଁ ନାହାନ୍ତି।

ବାହାରେ ନେଳି ଆକାଶର ଅସୀମତା ସୂଚନା ଦେବ ଯେ, ଜୀବନ ସରେ ନାହିଁ, ଆଶା ପୂରେ ନାହିଁ ଏବଂ ତଳକୁ ଅନାଇଲେ ଦେଖାଯିବ ଯେ, ପୃଥିବୀ ଅଯଥାରେ ପେଲି ହେଉଛି, ଧଇଁସଇଁ ହେଉଛି, ଭାବୁଛି ଜୀବନର ଅର୍ଥ ଅଛି। କେତେ ଝାଳ ଓ ନିଃଶ୍ବାସ, କେତେ ଧୂଆଁ ଓ ଧୂଳି ଜୀବନର ଅର୍ଥ ତିଆରି କରୁଛି, ପାରୁନାହିଁ।
ବାହାରେ ପୃଥିବୀର ତାତି। ଉଦ୍ୟମ, ଯୁକ୍ତି କଳହର ତାତି। କେତେ କାଗଜ ଲେଖା ହେଉଛି ଛିଣ୍ଡା ହେଉଛି। କେତେ ସଭା ବସୁଛି, ଭାଙ୍ଗୁଛି। କେତେ ଚକ, ଜିନିଷ ବୋହୁଛି, ମଣିଷ ବୋହୁଛି। ପ୍ରାଣୀମାନେ ଆଗଉଛନ୍ତି, ଏବଂ ପୃଥିବୀର ଥଣ୍ଡା। ଥଣ୍ଡା ମୁର୍ଦ୍ଦାର। …ମଲା ପ୍ରେମ।
ଦରବୁଢ଼ୀ ସ୍ତ୍ରୀ ହାଣ୍ଡି ଗଡ଼େଇ ପେଜ ଗାଳୁଛି, ମଇଳା ଧଳା ପାଣି ପୁରୁଣା ପ୍ରେମକୁ ସାଙ୍ଗରେ ନେଇ ନଳାରେ ବହିଯାଉଛି। ରାତି ଅନ୍ଧାରରେ ସ୍ୱାମୀ ତା’ ଦେହକୁ ଅଣ୍ଡାଳି ହେବ ଓ କାମ ସରିଲା ପରେ ଘୁଙ୍ଗୁଡ଼ି ମାରିବ। …ମଲା ଜନ୍ମ। ସେମାନେ ଥୋକେ ଅଛନ୍ତି ଯେଉଁମାନେ ଜନ୍ମ ହୋଇ ମରିଯାଇଛନ୍ତି ହେଲେ ବଞ୍ଚିବାକୁ ଚାହାଁନ୍ତି। ସେମାନେ ବିକଳ ମନ ଓ ଲଙ୍ଗଳା ଦେହରେ ‘ମୁଁ ମଣିଷ, ମୁଁ ମଣିଷ ବୋଲି ଚିତ୍କାର କରୁଛନ୍ତି।’ ହସିବା କଥା।
ସେମାନେ ସିଧା ହୋଇ ଚାଲି ଶିଖି ନାହାନ୍ତି, କଥା କହି ଜାଣି ନାହାନ୍ତି, ଧୋବ ପିନ୍ଧା ମଣିଷକୁ ଭଗବାନ ବୋଲି ଭାବୁଛନ୍ତି ଓ ତଥାପି କହୁଛନ୍ତି-ଆମେ ବଞ୍ଚିବୁ ! …ମୃତ ଭଗବାନ। ଭଗବାନର ହାତରେ ଖଣ୍ଡା ଚକ୍ଚକ୍ କରୁନାହିଁ, ଫୁଲ ମହକୁ ନାହିଁ, କ୍ରୁଶରୁ ରକ୍ତ ଝରୁନାହିଁ। ଭଗବାନ କାନ୍ଦୁନାହିଁ, ହସୁ ବି’ ନାହିଁ। ସେଥିପାଇଁ ଏତେ ଧରାପରା ଠେଲାପେଲା। -ଜୟ ହନୁମାନ ଜୀ ଜୟ! ମୁଁ ଭଗବାନଙ୍କୁ ଛୁଇଁଆସିଛି, ମୁଁ ଧଣ୍ଡା ପାଇଛି, ତେଣୁ ମୁଁ ବଞ୍ଚିବି।
ତାତି ଓ ହେମାଳ। ଜ୍ଞାନ ଓ ଅଜ୍ଞାନ କ’ଣ ମିଳିବ ସେ ନିଉଛୁଣା ପୃଥିବୀକୁ ଚାହିଁ? ଆଉ ଉପର ଆକାଶକୁ ଅନାଇଲେ ଶୋଷ, ଖାଲି ଶୋଷ। ସେ ଶୋଷରେ ତଣ୍ଟି ଶୁଖିଯିବ, ଦିଗନ୍ତ ଧରା ଦେବ ନାହିଁ। ବିହଙ୍ଗମାନେ ଉଡ଼ିବାକୁ ମନ କରୁନାହାନ୍ତି।
…ମିସେସ୍ ପୁରୀ ‘ଜୋକ୍’ ବହି ପଢୁଛନ୍ତି। ବହିରେ ଅଛି ହଜାରଟି ଚିତ୍ର ସମ୍ବଳିତ ମଜା କଥା। କେତେଗୁଡ଼ିଏ ଜୋକ୍ ପଢ଼ି କିଛି ଭାବାନ୍ତର ଆସୁନାହିଁ। କେତେଗୁଡ଼ିକରେ ସାମାନ୍ୟ ହସିବାକୁ ଇଚ୍ଛା ହେଉଛି ଏବଂ ବେଳେ ବେଳେ ଗୋଟିଏ ଜୋକ୍ ଏତେ ସୃଷ୍ଟିଛଡ଼ା ଲାଗୁଛି ଯେ, ମନେ ହେଉଛି ବ୍ରହ୍ମାଙ୍କ ଆସନ ଟଳିଯିବ, ପାଟି ମେଲାଇ ନ ହସିଲେ ରହି ହେଉ ନାହିଁ।
ଏହିପରି ଗୋଟିଏ ଜୋକ୍ ପଢ଼ି ମିସେସ୍ ପୁରୀ ପାଟି ମେଲାଇ ହସିଲେ। ଅଧାଉଠା ହୋଇ ପାଖ ତକିଆଟାକୁ କୋଳରେ ଆଣି ରଖିଲେ, ଆନନ୍ଦରେ ଗୋଟିଏ ବିଧା ମାରିଲେ ଓ ହସିଲେ। ହସରେ ପ୍ରଥମେ ଥିଲା ଉଦ୍ଗମର ଧ୍ବନି,- କଣ୍ଠଗତ ଓ ଗଭୀର। ତା’ପରେ ନାଲି ରଙ୍ଗବୋଳା ଓଠ ଦୁଇଟି ଅଲଗା ହୋଇଗଲେ ଓ ଦୁଇ ପାଟି ଦାନ୍ତର ବିସ୍ତାର ଦିଶିଗଲା ଏବଂ ହସର ସ୍ତର ପରେ ସ୍ତର ଢାଳି ହୋଇଗଲା। ପ୍ରବାହ ଥମିଗଲାରୁ ମିସେସ୍ ପୁରୀ ମୁଣ୍ଡ ବାଳରେ ହାତ ଚଳେଇ, ଆନନ୍ଦକୁ ଚାକୁଳେଇ ପ୍ରସନ୍ନତା ଆଣିଲେ ଓ ପୁଣି ଖଟରେ ଲୋଟିଯାଇ ବହିର ପର ଜୋକ୍ଟିକୁ ଦେଖିଲେ।
ବିହଙ୍ଗମାନେ କହିଲେ, ଚମତ୍କାର! ଚମତ୍କାରିତା ତାଙ୍କ ହସିବାର ଚେହେରାରେ ନ ଥିଲା, ଭଙ୍ଗୀରେ ଥିଲା କି ନାହିଁ କହିହେବ ନାହିଁ, କିନ୍ତୁ ତାଙ୍କର ଭାବ ବ୍ୟଞ୍ଜନା ଅନୁପମ। ଘର ଭିତରେ ଏହି ଏକୁଟିଆ ହସ, ଆପଣା ଉପଭୋଗର ହସ, ଅନ୍ୟ କେଉଁ ଅତିରିକ୍ତ ମଣିଷକୁ ଶୁଣାଇବା ପାଇଁ ନୁହେଁ-ଏହି ହେଉଛି ବଞ୍ଚିବାର ଉପଯୋଗୀ ଛନ୍ଦ। ବିହଙ୍ଗମାନେ ମୁଗ୍ଧ ହେଲେ ଓ ଚାହିଁରହିଲେ।
ସାଢ଼େ ଏଗାରଟା। କଫି ଖାଇବା ବେଳ ହେଲାଣି। ମିସେସ୍ ପୁରୀ ଟାଇମ୍ପିସ୍କୁ ଅନାଇଲେ ଓ ବହି ପଢ଼ାରେ ମନ ଦେଲେ।
ଏଗାରଟା ବାଜି ପଇଁତିରିଶ୍ ମିନିଟ୍। ତଥାପି କଫି ଆସି ପହଞ୍ଚିନାହିଁ, କିନ୍ତୁ ମିସେସ୍ ପୁରୀ ଉଦ୍ବିଗ୍ନ ନୁହନ୍ତି। ଥରକୁଥର ଘଣ୍ଟା ଦେଖୁ ନାହାଁନ୍ତି। କଫି ଖାଇବା ବେଳ, ଦୈନିକ ଜୀବନର ଗୋଟିଏ ଅବସ୍ଥା, ବିନ୍ଦୁ ନୁହେଁ। ଜଣାଶୁଣା ସମୟର ପରିସର ଭିତରେ ସେ ଘଟିବ, ସକାଳ ଦ୍ବିପ୍ରହର ସନ୍ଧ୍ୟା ପରି, ଘରେ ପୂଝାରୀ ଅଛି।
ଏଗାରଟା ଚାଳିଶ୍ରେ ପୂଝାରୀ କଫି ଆଣି ପହଞ୍ଚାଇଲା। କଫି କପ୍ଟିକୁ ମିସେସ୍ ପୁରୀଙ୍କର ହାତ ପାହାନ୍ତାରେ ଟି-ପୟ ଉପରେ ରଖିଦେଲା। ରଖିସାରି ଟିକିଏ ଦୂରେଇ ହୋଇ ଛିଡ଼ାହେଲା।
ମିସେସ୍ ପୁରୀ ଗୋଟିଏ ଜୋକ୍ର ଅଧାରେ ପହଞ୍ଚିଛନ୍ତି। ତେଣୁ ସେ ଅନ୍ୟମନସ୍କ ଭାବରେ ହାତ ବଢ଼ାଇ ଚାମଚରେ କଫିକୁ ଗୋଳାଇଲେ। କିଛି ସମୟ ଗୋଳାଇ ସାରିଲା ପରେ ଚାମଚେ କଫି ପାଟିକୁ ନେଲେ। ତା’ପରେ କହିଲେ, ‘ଚିନି’
ପୂଝାରୀ ବୁଝିଲା ଯେ, ମାଲିକାଣୀ କହୁଛନ୍ତି ଚିନି କମ୍ ଅଛି। ଚିନି ବେଶି ଥିବାବେଳେ ମଧ୍ୟ ସେ କେବଳ ସେହି ଶବ୍ଦ ଉଚ୍ଚାରଣ କରନ୍ତି, କିନ୍ତୁ ତାଙ୍କ ମୁହଁର ଭଙ୍ଗୀ ଅନ୍ୟପ୍ରକାର ହୋଇଯାଏ। ପୂଝାରୀ ଚାଲିଗଲା ଆଉ ଚିନି ଆଣିବ ବୋଲି।
ଯଥାକ୍ରମେ କଫି ପୂର୍ଣ୍ଣାଙ୍ଗ ହେଲା ଓ ମିସେସ୍ ପୁରୀ ତାକୁ ଚାମୁଚେ ଚାମୁଚେ କରି ପାଟିକୁ ନେଲେ। ଚାରି ପାଞ୍ଚ ଚାମଚ ଉତ୍ତାରୁ ଓ ଗୋଟିଏ ପୃଷ୍ଠାର ଜୋକ୍ ପରେ, ସେ ଖଟ ଉପରେ ବସିଲେ ଓ କପ୍ଟିକୁ ହାତକୁ ଆଣି ସାଧାରଣ ଭାବରେ ଚୁମୁକି ଦେଲେ। ଖୋଲା ବହି ଖଟରେ ଓଲଟା ହୋଇ ରହିଥାଏ। ମିସେସ୍ ପୁରୀ କଫି ଖାଇବା ସାଙ୍ଗରେ କ’ଣ ମନେ ପକାଇଲା ପରି ଦେଖା ଯାଉଥାଆନ୍ତି।
ବିହଙ୍ଗମାନେ ତାଙ୍କର ସ୍ମୃତିବିକଶ ମୁହଁକୁ ଦେଖିଲେ ଓ କୁତୂହଳୀ ହେଲେ,-ତାଙ୍କର କ’ଣ ମନେ ପଡୁଛି?
ତାଙ୍କର ମନେ ପଡ଼ିବା ବସ୍ତୁକୁ ବର୍ଣ୍ଣନା କରିହେବ ନାହିଁ। କାରଣ ସ୍ମରଣିକା ଚଳନ୍ତା ଆଲୁଅ- ଛାଇ ପରି ଲାଗୁଛି, ସେଥିରେ ସଂହତି ନାହିଁ। ବୋଧହୁଏ ତା’ର କାୟା ଗଢ଼ି ଉଠିଲେ ସେ ଅସୁନ୍ଦର ହୋଇଯିବ। ତେଣୁ ମିସେସ୍ ପୁରୀ ତା’ର ଅନିଶ୍ଚତପ୍ରବଣ ରୂପକୁ ଦେଖିବାକୁ ଭଲ ପାଉଛନ୍ତି ତାକୁ ଗଢ଼ିଉଠିବାକୁ ଦେଉନାହାନ୍ତି।
ମିସେସ୍ ପୁରୀ ପୂର୍ବରୁ ଗୋଟିଏ ସେକ୍ସ ଆମୋଦଗ୍ରସ୍ତ ଜୋକ୍ ପଢୁଥିଲେ। ତାକୁ ହିଁ ପଢ଼ିସାରି ତାଙ୍କର ମନେ ପଡ଼ିଲା ସମ୍ପର୍କୀୟା ଜଣେ ନାରୀଙ୍କ ସହିତ ଜଣେ ଚିହ୍ନା ପରପୁରୁଷଙ୍କ ଚେହେରା ଏବଂ କଳ୍ପନାରେ ଚିତ୍ରିତ ହେଲା ସେ ଦୁଇଜଣଙ୍କ ପାରସ୍ପରିକ ବ୍ୟବହାର। ସେ ଛବି ଅସ୍ପଷ୍ଟ; ସ୍ପଷ୍ଟ ହୋଇପାରନ୍ତା ନାହିଁ। କିନ୍ତୁ ଦୁଇଟି ସମ୍ବନ୍ଧହୀନ ପୁରୁଷ-ସ୍ତ୍ରୀଙ୍କୁ ଏପରି ଭାବରେ ଏକାଠି କରିବାର କୃତିତ୍ୱ ଆଉ କେତେ ଜଣକର ଥାଇପାରେ? ଏହାକୁ ହିଁ ତ ସୃଷ୍ଟି କହନ୍ତି।
ସୃଷ୍ଟିର ଜ୍ୟୋତି ତାଙ୍କ ମୁହଁରେ ଫୁଟିଉଠୁଥିଲା। ବିହଙ୍ଗମାନେ ତାକୁ ଦେଖି ଆପ୍ୟାୟିତ ହେଉଥିଲେ। ଏହି ସମୟରେ ପାଖରେ ଜୟରାମ ପହଞ୍ଚିଲା। ତା’ ହାତରେ ପରିବା ଥଳି।
ଜୟରାମ ଷୋଳ ସତର ବର୍ଷର ଟୋକା। କଳା ମଚମଚ ବଳିଷ୍ଠ ଦେହ। ଖଣ୍ଡେ ଗେଞ୍ଜି ଓ ହାଫ୍ପ୍ୟାଣ୍ଟ୍ ପିନ୍ଧିଛି। ମୁଣ୍ଡରେ ଗୋଛାଏ ବାଳ, କପାଳରେ କେତୋଟି ଛୋଟ ଝାଳବିନ୍ଦୁ। ମୁହଁରେ ସ୍ପର୍ଦ୍ଧା ଓ ଅଭିମାନର ଇଙ୍ଗିତ, ଯେପରି କି ସେ କହିବାକୁ ଚାହେଁ ଯେ, ସେ ଜୟରାମ୍, ବୟସର ରଜା, ତା’ ହାତରେ ଥିବା ପରିବା ଥଳି ଅନ୍ୟ କିଛି ହୋଇପାରିଥାଆନ୍ତା।
ଜୟରାମ ଦୁଆରବନ୍ଧର ଏପାଖକୁ ଛିଡ଼ାହୋଇ କହିଲା, -ମୁଁ ଯାଉଛି।
ମିସେସ୍ ପୁରୀ କଳ୍ପନାରୁ ଫେରିଆସିଲେ, ଜୟରାମକୁ ଦେଖିପାରିଥିବାର ଅଙ୍ଗୀକାର ଜଣାଇଲେ ଓ କହିଲେ, ‘ଆଚ୍ଛା’। ତାଙ୍କ ଭଙ୍ଗୀରେ ଥିଲା ଦାତାର ଐଶ୍ୱର୍ଯ୍ୟ ଓ ଉଦାରତା। ମନେ ହେଉଥିଲା ଯେ ସେ କେବଳ ଜୟରାମକୁ ଉତ୍ତର ଦେଉନାହାନ୍ତି, ତା’ର କର୍ତ୍ତବ୍ୟର ଶୁଭକାମନା ଜଣାଉଛନ୍ତି।
ଜୟରାମ ଫେରିଯାଉଥିଲା। ଏହି ସମୟରେ ମିସେସ୍ ପୁରୀ ତାକୁ ପଛରୁ ଡାକିଲେ। କହିଲେ- “ଶୁଣ୍, ଆରଥର ପୋଟଳ ଖରାପ ପଡ଼ିଲା, ବିନ୍ଗୁଡ଼ାକ ବି ଶୁଖିଲା ଥିଲା। ତୁ ସୋନାଚାନ୍ଦ୍ ବଜାରକୁ ଯାଉନୁ? ମିସେସ୍ ମିତ୍ରା କହୁଥିଲେ ଯେ, ସେ ସେଠୁ ବଢ଼ିଆ ବିନ୍ ପାଇଛନ୍ତି, କିଲୋ ମୋଟେ ବାରଅଣା-।”
ଜୟରାମ ଟିକିଏ ଭାବିଲା ପରି ହେଲା ଓ କହିଲା, “ସୋନାଚାନ୍ଦ୍ ବଜାର? ସେ ତ ହେଉଛି ଯାଇ କଲେଜ ପାଖରେ, ରେଳ ଲାଇନ୍ ସେପାଖରେ।” ସେ ଚାଲିବା ରାସ୍ତାର ଦୂରତା କଳିଲା ପରି ଲାଗିଲା। ତା’ ଚାହାଣିରେ ପ୍ରଶ୍ନ ଥିଲା, -ସେଠିକୁ ଯିବା କ’ଣ ଦରକାର?
ମିସେସ୍ ପୁରୀ ତା’ ଚାହାଣୀକୁ ଅବଜ୍ଞା କଲେ ନାହିଁ, ନିରୁତ୍ତର ରହିଲେ। ମନେ ହେଉଥିଲା ଯେ, ସେ ତା’କୁ ତା’ ନିଜ ଦ୍ୱିଧାର ସମାଧାନ କରିବାକୁ ଦେଉଛନ୍ତି। କେତୋଟି ମୁହୂର୍ତ୍ତ ପରେ ସେ ପଚାରିଲେ “କ’ଣ ଯାଇପାରିବୁ ନାହିଁ?”
ଭର୍ତ୍ସନା ନୁହେଁ, ଆଦେଶ ନୁହେଁ, କେବଳ ସାମାନ୍ୟ ଅବିଶ୍ୱାସ। ଜୟରାମର ଦ୍ୱିଧା ତୁଟିଗଲା। ସେ ମୁଣ୍ଡ ହଲାଇ ସମ୍ମତି ଜଣାଇଲା। ତା’ ମୁଣ୍ଡର ଆଗୁଆ ବାଳ କେତୁଟା ଏ ପାଖରୁ ସେ ପାଖକୁ ଝୁଲିଗଲା।
ମିସେସ୍ ପୁରୀ ଜୟରାମର ଫେରନ୍ତା ଚେହେରାକୁ ଅନାଇଲେ। ତା’ର ଛୋଟ ନିଦା ବେକ ଓ ହାତଗୋଡ଼ର ମାଂସପେଶୀ ତାଙ୍କ ଆଖିରେ ପଡ଼ିଲା। ସେ ସ୍ୱାଗତ ଅନୁମୋଦନ କଲେ, -ଟୋକା …ମଜବୁତ୍…।
ବିହଙ୍ଗମାନେ ଏହି ଦୃଶ୍ୟ ଦେଖୁଥିଲେ। ସେମାନେ ଆଶ୍ଚର୍ଯ୍ୟ ହେଲେ ଓ ସମ୍ମାନର ଭାବ ଦେଇ ମିସେସ୍ ପୁରୀଙ୍କ ଆଡ଼କୁ ଚାହିଁଲେ। ତା’ର କାରଣ ହେଉଛି ଯେ, ବିହଙ୍ଗମାନଙ୍କ ଦୃଷ୍ଟିକୋଣ ନିଆରା। ସେମାନଙ୍କ ମନରେ ଆସିଥିଲା ଯେ, ଜୟରାମଠାରେ ଦେବତାର ଅଂଶ ଅଛି, କାହିଁକି ନା ସେ ପାରିବ, ତା’ର ଶକ୍ତି ଅଛି। ସେ ତାତିଲା ଭୂଇଁରେ ଏତେ ବାଟ ଚାଲିଚାଲି ଯାଇ ତାଜା ପରିବା କିଣିପାରିବ, କିନ୍ତୁ ସେହି ଶକ୍ତିକୁ ସଞ୍ଚାଳିତ କଲେ ମିସେସ୍ ପୁରୀ। ଅଳ୍ପ କଥା, ସାମାନ୍ୟ ଇଙ୍ଗିତରେ ସେ ତା’ର ଦେବତ୍ୱକୁ ଖଟାଇପାରିଲେ। ମହିୟସୀ ନାରୀ,- ଦେବତାଠୁଁ ବଡ଼!
ମିସେସ୍ ପୁରୀ ପୁଣି ଖଟ ଉପରେ ଲୋଟି ପଡ଼ିଲେ। ଜୋକ୍ ବହିଟିକୁ ରଖିଦେଇ ଖଟ ମୁଣ୍ଡରେ ଥିବା ରାତି ଟେବୁଲ୍ ଉପରୁ ଖଣ୍ଡେ ମ୍ୟାଗାଜିନ୍ ଆଣି ହାତରେ ଧରିଲେ।
ମ୍ୟାଗାଜିନ୍ଟି କେବଳ ସ୍ତ୍ରୀ ଲୋକମାନଙ୍କ ପାଇଁ। ଚୋଲିର ନୂଆ ଢଙ୍ଗ, ଝାଳଗନ୍ଧରୁ ରକ୍ଷା ପାଇବା ପାଇଁ ନୂଆ ଉପାୟ, ପ୍ରାଚ୍ୟ-ପାଶ୍ଚାତ୍ୟ ବିଭିନ୍ନ ରନ୍ଧନ କାରସାଦି, ଘରେ ରେଫ୍ରିଜେରେଟର୍ ଥିଲେ ହଠାତ୍ ପହଞ୍ଚୁଥିବା ଅତିଥିଙ୍କୁ କିପରି ଚର୍ଚ୍ଚା କରିବାକୁ ହୁଏ ଇତ୍ୟାଦି ଘରକରଣାର ଉପାଦେୟ ପ୍ରସଙ୍ଗ ସେଥିରେ ଥାଏ। ମିସେସ୍ ପୁରୀ ପୃଷ୍ଠା ଓଲଟାଇଗଲେ। ହଠାତ୍ ସେ ତାକୁ ଛାତି ଉପରେ ରଖି ଅନାଇଲେ ସାମ୍ନାର କାନ୍ଥ ଆଡ଼କୁ।
ଚାଷୀମାନଙ୍କ ମୁହଁରେ କ’ଣ ଏମିତିକା ହସ ଥାଏ? ଓ ଗାଲ କ’ଣ ଏମିତି ଫୁଲୁକା ଦିଶୁଥାଏ?
ବାଉଁଶ ଫ୍ରେମ ଓ ଝୋଟ କନା ଉପରେ ଚାଷୀର ଛବି। ଚାଷୀର ଫୁଙ୍ଗୁଳା ଦେହ, ବଡ଼ ନିଶୁଆ ମୁହଁ ଓ ମୁଣ୍ଡ ଉପରେ ଶସ୍ୟ ଟୋକେଇ। ମିସେସ୍ ପୁରୀ ତା’ ଓଠରେ ଥିବା ଈଷତ୍ ହସକୁ ନିଶ୍ଚୟ ଆଗରୁ ଦେଖିଥିଲେ। ଚାଷୀମାନଙ୍କ ଓଠରେ ହସ ଦେଖିବାକୁ ତାଙ୍କୁ ଯେ ଭଲ ଲାଗେ ନାହିଁ, ତା’ ନୁହେଁ, କିନ୍ତୁ ଆଜି ତାଙ୍କର ଇଚ୍ଛା ହେଲା ସମାଲୋଚନା କରିବାକୁ। କାରଣ ତାଙ୍କର ମନରେ ଆସିଲା ଯେ, ଜୟରାମ ବଡ଼ ହେଲେ ଓ ଗାଁରେ ରହିଲେ ଗୋଟିଏ ଉଚିତ ଧରଣର ଚାଷୀ ହୋଇପାରିବ।
ଜୟରାମର ମୁହଁ ହସିଲା ନୁହେଁ, ଦରକାର ନ ପଡ଼ିଲେ ସେ ହସେ ନାହିଁ। ତା’ ମୁହଁରେ ଅଛି ଟାଣୁଆ ପଣ ଓ ଛପିଲା ରାଗ। ବଡ଼ ହେଲେ ସେହି ଟାଣୁଆ ପଣ ତା’ ମୁହଁକୁ ରୁଗୁଡ଼ିଆ କରିଦେବ ଏବଂ ସେ ରାଗ ଆହୁରି ଦବିଯାଇ କପାଳକୁ କୁଞ୍ଚକୁଞ୍ଚିଆ କରିଦେବ। ସେ ନିଶ ରଖିବ, -କେଜାଣି!
ମିସେସ୍ ପୁରୀଙ୍କୁ ଭବିଷ୍ୟତର ଜୟରାମ କଥା ଭାବିବାକୁ ମଜା ଲାଗିଲା, ଏବଂ ତା’ ସହିତ ସେ ଠିକ୍ କରିନେଲେ ଯେ, ଆର୍ଟ୍ର ଚାଷୀଟି ଉପଯୁକ୍ତ ହୋଇନାହିଁ। ହୁଏତ ସବୁ ଚଷାପୁଅ ଜୟରାମ୍ ପରି ହୋଇ ନ ଥିବେ, ହୁଏତ ହସିଲା ଫୁଲୁକା ମୁହାଁ ଚାଷୀ ଥାଇପାରନ୍ତି, କିନ୍ତୁ ଆର୍ଟ୍ର ଚାଷୀ ଏପରି ହେବା ଉଚିତ ନୁହେଁ। ଯେପରି କି ଶ୍ରୀକୃଷ୍ଣଙ୍କ ମୁହଁରେ ବଂଶୀ ନ ଥାଇ କାହାଳୀ ରହିବା କଥା ନୁହେଁ, ମାନିବ ନାହିଁ।
ସେ କଳ୍ପନାରେ ଛବିଟିକୁ ମନମୁତାବକ ସଜାଇଲେ। ଚକଚକିଆ ଝାଳୁଆ ମୁହଁ, କପାଳରେ ଅସଂଖ୍ୟ ଗାର, ଚେଇଁଲା ଆଖି, କିନ୍ତୁ ସେଥିରେ ପ୍ରାପ୍ତି ସ୍ବୀକାର ନାହିଁ। ସତେ ଯେପରି ସେ କାମ କରିକରି ଥକିଗଲାଣି, କିନ୍ତୁ ହାରିଯିବାକୁ ଚାହେଁ ନାହିଁ ଓ ସବୁବେଳେ କ’ଣ ପ୍ରଶ୍ନ ପଚାରିବ ବୋଲି ହେଉଛି।
ସମାଲୋଚନାର ପଥରେ ଆଗେଇ ଯାଇ ମିସେସ୍ ପୁରୀ ଅନ୍ୟ ଆର୍ଟ୍ ବସ୍ତୁମାନଙ୍କୁ ସଜାଇଲେ, -ଚାଷୁଣୀର ମୁହଁରେ ଅଧିକ ସ୍ଥୂଳତା ଆଣିଦେଲେ, ନାଚନ୍ତା ଆଦିବାସୀର ହସକୁ ଆହୁରି ଜନ୍ତୁବତ୍ ଚଉଡ଼ା କରିଦେଲେ, ଶ୍ରୀକୃଷ୍ଣଙ୍କ ସ୍ମିତହାସରେ ସାମାନ୍ୟ ବକ୍ରତା ଆଙ୍କିଦେଲେ, ଇତ୍ୟାଦି।
କଳା-ସମୀକ୍ଷା ସରିଗଲା ପରେ ମିସେସ୍ ପୁରୀ ଆଂଶିକ ହାଇ ମାରିଲେ ଓ ପୁଣି ସେହି ନାରୀ-ମ୍ୟାଗାଜିନ୍କୁ ପଢ଼ିବସିଲେ।
ବିହଙ୍ଗମାନେ ଆଶ୍ୱସ୍ତ ହେଲେ। ମିସେସ୍ ପୁରୀଙ୍କୁ ଭାବୁକ ରୂପରେ ଦେଖି ସେମାନେ ପ୍ରମାଦ ଗଣୁଥିଲେ, କାଳେ ସେ ଅନ୍ୟ ରକମର ହୋଇଯିବେ, କିନ୍ତୁ ସେମାନଙ୍କ ଆଶଙ୍କାର କାରଣ ନ ଥିଲା। ମିସେସ୍ ପୁରୀ ଭାବନାକୁ ଅନୁଧାବନ କରିବାକୁ ପସନ୍ଦ କରନ୍ତି ନାହିଁ। ସେହି ଫୁଲୁକା ଗାଲିଆ ଚାଷୀ ବର୍ଷ ବର୍ଷ ଧରି ବିଦ୍ୟମାନ ରହିଛି, କାନ୍ଥର ସେହି କୋଣଟିରେ ବସା ବାନ୍ଧିଲାଣି, ସ୍ଥାନଚ୍ୟୁତ କରି ଲାଭ ନାହିଁ। ବ୍ୟତିକ୍ରମଶୀଳ ସଂସାରରେ ହାତଦେଇ ନୂଆ ବ୍ୟତିକ୍ରମ ତିଆରି କରିବାରେ କିଛି ବାହାଦୁରି ନାହିଁ।
ମିସେସ୍ ପୁରୀ ମ୍ୟାଗାଜିନ୍ର ଛବି ଓ ଶିରୋନାମାଗୁଡ଼ିକ ଦେଖିଲେ। ଆଗରୁ କେତେଥର ଦେଖିସାରିଛନ୍ତି, ତଥାପି ଦେଖିବାକୁ ଖରାପ ଲାଗୁନାହିଁ। ଆଖି ଦେଖିଯାଉଛି, ଭାବନାର ପରିଶ୍ରମ ନାହିଁ। ବମ୍ବେଇର ଜଣେ ଆଧୁନିକା ବିଭିନ୍ନ ଛାଞ୍ଚର ଶାଢ଼ୀ ପିନ୍ଧି ଓ ବିଭିନ୍ନ ଠାଣିରେ ଗୋଟିଏ କାର୍କୁ ଆଉଜି ଛିଡ଼ା ହୋଇଛନ୍ତି…, ସାଲାଡ୍ର ବର୍ଣ୍ଣ ବିନ୍ୟାସ…, କାଞ୍ଜିକୁ ବେକ୍ରେ ବ୍ୟବହାର କରାଯାଇପାରେ…, ‘ମଧ୍ୟାହ୍ନରେ ପ୍ରେମ’ ନାମକ ଗୋଟିଏ ଗପ।
ସେତେବେଳକୁ ବାରଟା ବାଜି ପନ୍ଦର ମିନିଟ୍। ଘଣ୍ଟା ନ ଦେଖି ମଧ୍ୟ ମିସେସ୍ ପୁରୀଙ୍କର ଧାରଣା ହେଲା ଯେ ଦିନ ଅଧାରୁ ବଳିଗଲାଣି। ସେହି ଧାରଣାର ପ୍ରଭାବରେ ତାଙ୍କ ମନରେ କେତେଗୁଡ଼ିଏ ବିକ୍ଷିପ୍ତ ଭାବନା ବିହରଣ କରି ଚାଲିଗଲା, ମ୍ୟାଗାଜିନ୍ ଦେଖାରେ ତ୍ରୁଟି ଆସିଲା ନାହିଁ। ଜୟରାମ୍ ସୋନାଚାନ୍ଦ୍ ବଜାରର ଅଧାବାଟରେ ହେବଣି, ପହଞ୍ଚି ଦେଖିବ ଯେ, ପୋଟଳ ଆହୁରି ସଢ଼ା, ବିନ୍ ଆହୁରି ଶୁଖିଲା!… ସେ କେତୁଟା ଫାଇଲ୍ ସାରିବେଣି ଏହା ଭିତରେ? ଡାଇରେକ୍ଟର୍ ଜେନେରାଲ୍ ହେବାକୁ ଆଉ କେତେ ବାଟ ରହିଲା? ଶୀଘ୍ର ହୋଇଯାଆନ୍ତା ଯେ, କିନ୍ତୁ ତାଙ୍କର କହିଲା ପୋଛିଲା ଗୁଣ ନାହିଁ।
ଆଉ ଟିକିଏ ସ୍ମାର୍ଟ ହେଇଥିଲେ-। …ପାଖ ଘରୁ ସେ ଛୋଟିଆ ପିଲାଟା କାନ୍ଦୁଛି, ବୋଧହୁଏ ମାଡ଼ ଖାଉଛି। ତା’ ମାଆ ଭାରି ଜୋର୍ରେ ମାଡ଼ ମାରେ। ତା’ ମାଉସୀ ସମାଜସେବା କରେ, ସବୁବେଳେ ଓ ଅଯଥା ହସୁଥାଏ। ମନେହୁଏ ଯେ ଏ ବେଶୀ ରାଗେ, ବେଶି ମାଡ଼ ମାରେ, କାହିଁକିନା ତା’ ଭଉଣୀ ବାହାସାଆ ନ ହୋଇ ସମାଜସେବା କରୁଛି। ଏବଂ ସେ ବେଶୀ ହସେ, ହସିବାର ଢଙ୍ଗ କରେ କାହିଁକି ନା ସେ ନିଜର କାହାକୁ ଗାଳି ଦେଇପାରେ ନାହିଁ, ମାଡ଼ ମାରିପାରେ ନାହିଁ।
…ସଞ୍ଜ ହେବାକୁ ଆଉ ପାଞ୍ଚ ଛଅ ଘଣ୍ଟା ଅଛି। ଆଜି ଶ୍ରୀବାସ୍ତବଙ୍କ ଘରକୁ ଯିବାର ଅଛି। ମିସେସ୍ ଶ୍ରୀବାସ୍ତବ ସବୁ କଥା ଦୃଢ଼ ଭାବରେ କହନ୍ତି, ସତେକି ସେମିତି ନ କହିଲେ କେହି ବିଶ୍ୱାସ କରିବେ ନାହିଁ ଏବଂ ପ୍ରତି କଥାରେ ନଜର୍ ଦିଅନ୍ତି, – ମୁଁ ଜାଣିଛି ଅମୁକ କହୁଥିଲେ, ମୁଁ ଦେଖିଛି ଅମୁକଙ୍କ ଘରେ, ଶାସ୍ତ୍ରରେ ଅଛି ପରା, ଇତ୍ୟାଦି। ମିସେସ୍ ଶ୍ରୀବାସ୍ତବ ନିହାତି ଢିଲା ବଡ଼ିସ୍ ପିନ୍ଧନ୍ତି…।
ମ୍ୟାଗାଜିନ୍ ଦେଖା ସରିଲା। ଭାବନା-ଛବି ସରିଆସିଲା। ମିସେସ୍ ପୁରୀ ଉଠିପଡ଼ି ଟ୍ରାନ୍ଜିଷ୍ଟର ରେଡ଼ିଓ ଚଳାଇଦେଲେ। ଏହିକ୍ଷଣି ୟୁରୋପୀୟ କ୍ଲାସିକାଲ୍ ସଙ୍ଗୀତର ସମୟ। ସେ କ୍ଲାସିକାଲ୍ ସଙ୍ଗୀତରୁ କିଛି ବୁଝନ୍ତି ନାହିଁ, କିନ୍ତୁ ତାଙ୍କୁ ଭଲ ଲାଗେ।
ଆଜି ମୋଜାର୍ଟ୍, ମୋଜାର୍ଟ୍ ତାଙ୍କୁ ସବୁଠୁଁ ଭଲ ଲାଗେ। ମନେ ହୁଏ ଯେ ସେ ପରୀ ରାଇଜରେ ବୁଲୁଛନ୍ତି ଓ ପରୀମାନେ ତାଙ୍କୁ କୁତୁକୁତୁ କରୁଛନ୍ତି। ସେ ପୁଣି ବିଛଣାରେ ଶୋଇ ପଡ଼ିଲେ, ନିସ୍ପନ୍ଦ ହେଲେ ଓ ମନୋଯୋଗ ସହ ସଙ୍ଗୀତ ଶୁଣିଲେ।
ତତ୍ସହ ବିହଙ୍ଗମାନେ ବିଭୋର ହେଲେ ଓ ଭାବିଲେ ଯେ ସେମାନଙ୍କର ଡେଣା କଟିଯାଇଛି। ସେମାନେ ଗୋଟିଏ ସୀମିତ ଓ ସୁରଭିତ ସ୍ୱର୍ଗରେ ଖସିପଡ଼ିଛନ୍ତି।
ସେମାନେ ଛଟପଟ ହେଲେ ନାହିଁ, ବରଂ ତାଙ୍କର ମନରେ ସନ୍ଦେହ ହେଲା, -ଏହି କ’ଣ ସଭ୍ୟତାର ସ୍ୱର୍ଗ? ହୋଇଥିବ। କାହିଁକିନା ଏହି ଜ୍ଞାନର ଭାରିପଣ ନାହିଁ ଓ ଅଜ୍ଞାନର ଜଡ଼ତା ନାହିଁ। ଅସନ୍ତୋଷ ନାହିଁ, ଉଦ୍ୟମ ନାହିଁ। ଅନୁକମ୍ପା ନାହିଁ, ହିଂସା ନାହିଁ। ବେରସିକତା ନାହିଁ।
ମୋଜାର୍ଟ୍ ସରିଲା। ମିସେସ୍ ପୁରୀ ଅନ୍ୟମନସ୍କ ଭାବରେ ଦୂରକୁ ଅନାଇଲେ, ଦେଖିଲେ ରେଫ୍ରିଜେରେଟର୍ ଉପରେ ଏକୁଟିଆ ମାଛିଟିଏ ବସିଛି ଓ କ୍ରମଶଃ ଆଖି ବୁଜିଆଣିଲେ।
-୦-
ଲେଖକଙ୍କର ଏହି ଗଳ୍ପଟି ଉଭୟେ ଇଂରାଜୀ ଓ ହିନ୍ଦୀରେ ଅନୁଦିତ ହୋଇ ଦେଶ ବିଦେଶରେ ବେଶ୍ ପାଠକୀୟ ଆଦୃତି ଲାଭ କରିଛି।