ମୋ କଥା ଶୁଣି ବହୂ ଆହୁରି କାନ୍ଦିଲେ। ପଣତରେ ଲୁହ ପୋଛି କହିଲେ- ‘ଡାକ୍ତର ମନା କରିଛନ୍ତି।’ ସତକୁ ସତ ବୋହୂଙ୍କ ମୁହଁରୁ କଥା ନ ସରୁଣୁ ମୋ ଦେହଯାକ ଭାରି ପୋଡ଼ିବାକୁ ଲାଗିଲା। ଘା’ରୁ ରକ୍ତ ବାହାରିବାକୁ ଲାଗିଲା। ମୁଁ ପୁଣି ଅଚେତ ହୋଇପଡ଼ିଲି। ଏପରି କେତେବେଳଯାଏ ମୁଁ ଅଚେତ୍‌ ହୋଇପଡ଼ିଲି ଭଗବାନ ଜାଣନ୍ତି; କିନ୍ତୁ କେଜାଣି କାହିଁକି ମୋତେ ସେ ଅବସ୍ଥାଟି ଭଲ ଲାଗିଲା।

ଈଶ୍ୱରଙ୍କ ରାଜ୍ୟରେ ପ୍ରତ୍ୟେକ ପଦାର୍ଥର ଉପକାରିତା ଅଛି। ମୂର୍ଚ୍ଛା ମରଣ ସଙ୍ଗେ ସମାନ ହେଲେ ସୁଦ୍ଧା କ୍ଷଣକ ପାଇଁ ମନୁଷ୍ୟକୁ ସଂସାରର ଦୁଃଖ ସୁଖରୁ ଅନେକ ଦୂରକୁ ନେଇଯାଏ। ଯେଉଁ ବିଷ ମନ୍ୟୁଷର ପ୍ରାଣ ନିଏ, ସେହି ବିଷ ପୁଣି ଔଷଧ ରୂପେ ମନୁଷ୍ୟକୁ ରକ୍ଷା କରେ। ଭଗବାନଙ୍କ ଲୀଳା କିଏ ବୁଝି ପାରିବ? ମୁଁ ଯେତେବେଳ ଯାଏଁ ମୂର୍ଚ୍ଛିତ ଅବସ୍ଥାରେ ଥିଲି ମୋର ଦୁଃଖ ସୁଖ ଜ୍ଞାନ ନ ଥିଲା। ସେତେବେଳେ ମୁଁ କେଉଁ ରାଜ୍ୟରେ ବୁଲୁଥିଲି, ଭଗବାନ ଜାଣନ୍ତି।

କିନ୍ତୁ ବେଶିବେଳଯାଏ ଏ ସୁଖ ଭୋଗ କରି ପାରିଲି ନାହିଁ। ପୁଣି ଶୀଘ୍ର ମୋର ଚେତନା ହେଲା। ଆଖି ଖୋଲି ଦେଖିଲି ଯେ ମା’ ଘା’ ସବୁ ଧୋଇକରି ସେଥିରେ ମଲମ ଲଗାଉଛନ୍ତି। ବୋଉ ପଙ୍ଖା ଧରି ବିଞ୍ଚୁଛନ୍ତି।

ଏପରି ମୂର୍ଚ୍ଛା ଓ ଚେତନାର କେତେ ଅଭିନୟ ହେଲା, ଲେଖିବାକୁ ଶକ୍ତି ନାହିଁ। ସେ କଥା ଆଜି ମନେ ପଡ଼ିଲେ ଲେଖନୀ ଥରି ଯାଉଛି, ହୃଦୟ ଅବସନ୍ନ ହୋଇ ଯାଉଛି, ଆଖିରୁ ଅବିଶ୍ରାନ୍ତ ଲୁହ ଗଡ଼ୁଛି। ଓଃ ଦୁଃଖର ସମୟ ଏତେ କଠିନ-ଏତେ ନିଷ୍ଠୁର! ଭଗବାନ ଏ ଦୁଃଖ ମଧ୍ୟରେ କି କି ସୁଖ ନିହିତ କରିଅଛନ୍ତି, କିଏ କହିପାରେ?

ମନୁଷ୍ୟର ଅବସ୍ଥା ଚିରଦିନ ସମାନ ନ ଥାଏ। ଦୁଃଖ ପରେ ସୁଖ-ସୁଖ ପରେ ଦୁଃଖ ଲାଗିଛି। ‘ଚକ୍ରବତ୍‌ ପରିବର୍ତ୍ତନ୍ତେ ଦୁଃଖାନି ଚ ସୁଖାନି ଚ।’ ମୋର ଦୁଃଖ ମଧ୍ୟ ବେଶିଦିନ ରହି ନ ଥିଲା। ଭଗବାନଙ୍କ କୃପାରୁ ଶୀଘ୍ର ଆରୋଗ୍ୟ ଲାଭ କଲି।

ସେ ଆଜି ଅନେକ ଦିନର କଥା। ଏଥିମଧ୍ୟରେ ଅନେକ ପରିବର୍ତ୍ତନ ହୋଇ ଗଲାଣି। ବାପା ମତେ ଆଉ ଗାଁକୁ ଛାଡ଼ୁ ନାହାନ୍ତି। ତାଙ୍କ ପାଖେ ରହି କଟକରେ ପାଠ ପଢୁଛି। ମା’ ହେରିକା ମୋ ଦେହ ଭଲ ହେଲାରୁ ଗାଁକୁ ଚାଲିଗଲେ। ବାପା କଟକରେ ଓକିଲାତି କରନ୍ତି। ଗାଁରେ ଜମିଦାରୀ ବୁଝିବା ପାଇଁ କେହି ନ ଥିବାରୁ ମା’ କଟକକୁ ଆସି ପାରନ୍ତି ନାହିଁ। ଭାଇ ଏ ବର୍ଷ ବି.ଏ. ପାସ୍‌ କରି କଲିକତାରେ ଏମ୍‌.ଏ. ପଢ଼ୁଛନ୍ତି। ମୁଁ ମାଟ୍ରିକୁଲେସନ୍‌ ପାସ୍‌ କରି କଟକ କଲେଜରେ ପଢ଼ୁଛି।

ମୁଁ ଚମ୍ପା ଗଛରୁ କି ଲଗ୍ନରେ ପଡ଼ିଲି କେଜାଣି ପିଲାକାଳ କଥା ଆଉ ଜମା ମନେ ନାହିଁ। ଗାଁକୁ ଯିବା ପାଇଁ ଆଉ ଜମା ଇଚ୍ଛା ହେଉ ନାହିଁ। ବାପା ମଧ୍ୟ ମତେ ଆଉ ଗାଁକୁ ଛାଡ଼ି ଦେଉ ନାହାନ୍ତି। ମା’ ଯେତେ ଲେଖିଲେ ସୁଦ୍ଧା ବାପା ମାନୁ ନାହାନ୍ତି। ତାଙ୍କ ଇଚ୍ଛା, ପଢ଼ା ଶେଷ ହେବାଯାଏଁ ମୁଁ କଟକରେ ରହିବି। ମୋର ମଧ୍ୟ ସେହି ଇଚ୍ଛା।

ବାପା କଟକରେ କାହାରି ସଙ୍ଗେ ମୋତେ ମିଶିବାକୁ ଦିଅନ୍ତି ନାହିଁ। ସେ କହନ୍ତି, ‘କଟକ ସହର କଳିର ରାଜଧାନୀ। ଏପରି ସ୍ଥାନରେ ପିଲାମାନଙ୍କୁ ଆକଟ କରି ରଖିବା ଉଚିତ୍‌।’ ମା’ ମଧ୍ୟ ଦିନେ କହୁଥିଲେ- ‘କଟକ ସହର, ଦେଖିକରି ଚାଲିବ। ସେଠେଇଁ ମାଟି ପଥର ମଧ୍ୟ କଥା କହନ୍ତି।’ ତେବେ କଟକରେ ସମସ୍ତେ ଯେ ଖରାପ ଏ କଥା କିଏ କହିବ? ସେ ଯାହାହେଉ, ବାପାଙ୍କ କଥା ମାନିବା ହିଁ ମୋର କାର୍ଯ୍ୟ।

ଦିନେ ମୁଁ ଘରେ ବସି ପଢ଼ୁଛି। ଡାକବାଲା ଆସି ମୋ ହାତରେ ଚିଠି ଖଣ୍ଡିଏ ଦେଇଗଲା। ଚିଠି ଖୋଲି ପଢ଼ିଲି; କିନ୍ତୁ ତହିଁର ଅର୍ଥ ବୁଝି ପାରିଲି ନାହିଁ। ହସ୍ତାକ୍ଷର ଯେପରି ମୁଁ କେବେ ଦେଖିଛି! କି ସୁନ୍ଦର ମୁକ୍ତାପରି ଅକ୍ଷର! ଅତୀତର ଗର୍ଭ ତନ୍ନ ତନ୍ନ କରି ଖୋଜିଲି; କିନ୍ତୁ କୌଣସିଠାରେ କିଛି ପାଇଲି ନାହିଁ। ଚିଠି କିଏ ଲେଖିଛି? ମୋ ଠାକୁ କାହିଁକି ଲେଖିଛି? ମୋ ସଙ୍ଗେ ତା’ର କି ସମ୍ପର୍କ? ଏ ସବୁ ଜାଣିବା ପାଇଁ ଅନେକ ଚେଷ୍ଟା କଲି; କିନ୍ତୁ କିଛି ଠିକ୍‌ କରି ପାରିଲି ନାହିଁ। ପୁଣି ଚିଠି ଖୋଲି ପଢ଼ିଲି-
‘ବିନୋଦ ବାବୁ,
ମୋର ପରିଚୟର ଭୂମିକା ଅନାବଶ୍ୟକ। ବର୍ତ୍ତମାନ ମୋର ଅନ୍ତିମ କାଳ ଉପସ୍ଥିତ। ତୁମକୁ ଦେଖିବା ପାଇଁ ମୋ ମନ ଅତିଶୟ ବ୍ୟାକୁଳ। ଯଦି ପୂର୍ବ ପରିଚୟର ଆଦର ଥାଏ, ଶୀଘ୍ର ଆସି ମୋର ଉତ୍କଣ୍ଠା ଦୂର କରିବ। ଇତି ।
ତୁମର
କ-’

ଚିଠି ପଢ଼ି ମୋ ମନ ବ୍ୟାକୁଳ ହେବାକୁ ଲାଗିଲା। ମୁଁ ଯେପରି ଅନ୍ଧକାର ମଧ୍ୟରେ ଆଲୋକ ଦେଖିବାକୁ ପାଇଲି। କିଏ ଯେପରି ମୋ ନିକଟକୁ ଆସି କାଳେ କହିଲା- ‘ଯାଅ, ବିଚାରୀ ତୁମ ପାଇଁ କେତେ କଷ୍ଟ ପାଉଛି।’ କିନ୍ତୁ ବିଚାରୀ କିଏ? ସେ ମୋ ପାଇଁ କାହିଁକି କଷ୍ଟ ପାଉଛି?

ଏ କେତେ ଦିନ ମୋ ହୃଦୟ ଯନ୍ତ୍ରର ତାର ଛିଣ୍ଡି ଯାଇଥିଲା। ଯନ୍ତ୍ର ଲୟ ବିଶିଷ୍ଟ କରିବା ପାଇଁ କେତେ ଚେଷ୍ଟା କରିଥିଲି; କିନ୍ତୁ ମୋର ସକଳ ଚେଷ୍ଟା ବିଫଳ ହୋଇଗଲା। ଏ ଚିଠି ପଢ଼ିଲାକ୍ଷଣି ଛିନ୍ନ ତାରଗୁଡ଼ିକ ପୁଣି ଯୋଡ଼ି ହୋଇଗଲା। ହୃଦୟ ଯନ୍ତ୍ର ପୁଣି ଲୟ ବିଶିଷ୍ଟ ହେଲା। କେଉଁ ଅଜ୍ଞାତ ରାଜ୍ୟର ଛବି ମୋର ସ୍ମୃତିପଟରେ ଅଙ୍କିତ ହେଲା।

ଏ ମୂର୍ତ୍ତି ମୁଁ ଅନେକଥର ଦେଖିଛି। ତା’ ସଙ୍ଗେ କେତେ ଖେଳିଛି। ଶୟନରେ, ଜାଗରଣରେ ତାହାର ମୂର୍ତ୍ତିକୁ ଧ୍ୟାନ କରି କେତେ ସୁଖ ପାଇଛି। ଛି ମୁଁ ଏତେ କୃତଘ୍ନ! ଆଜି ଏ ସ୍ନେହମୟୀ ମୂର୍ତ୍ତି ମୋ ସ୍ମୃତି ପଟରୁ ଲୁପ୍ତ! ମୋତେ ଦେଖିବା ପାଇଁ ସେ ଏତେ ବ୍ୟାକୁଳ; କିନ୍ତୁ ମୁଁ ତ ତା’ କଥା ଘଡ଼ିଏ ହେଲେ ଭାବୁ ନାହିଁ। କବି ଯଥାର୍ଥ କହିଛନ୍ତି-
“Sigh no more, Lady, Sigh no more, Men were constant never.”
କମଳା! ସ୍ନେହମୟୀ କମଳା! ତୋର ବାଲ୍ୟ ସହଚରକୁ ତୁ ଏତେ ଭଲ ପାଉ! ତା’ ପାଇଁ ତୋର ଏତେ ଉତ୍କଣ୍ଠା! କିନ୍ତୁ ତୋର ସେ ସୁନ୍ଦର ମୁଖ ଆଉ ଦେଖି ପାରିବି କି? ତୁ ସ୍ୱର୍ଗର ଜୀବ। ତୋର ଚତୁର୍ଦ୍ଦିଗରେ ଦେବତାମାନେ! ସେ ରାଜ୍ୟକୁ ଯିବାକୁ ମୋର ଅଧିକାର ଅଛି କି?

ଆଉ ଭାବି ପାରିଲି ନାହିଁ। ହୃଦୟ କମଳାମୟ ହୋଇଗଲା। ଯେଉଁଠାରେ ଅନାଇଲି ସେହିଠାରେ କମଳା। ଆକର୍ଷଣ ପ୍ରଭାବରେ ଭଗବାନ ଟଳିଯାନ୍ତି, ମନୁଷ୍ୟ ଛାର କେତେ ମାତ୍ର! ବାପାଙ୍କୁ କହି ସେଦିନ ଟ୍ରେନ୍‌ରେ ଗାଁକୁ ବାହାରିଗଲି।

ଗାଁକୁ ଗଲାବେଳକୁ ପ୍ରଭାତ ହେବାକୁ ଅନେକ ବାକି ଅଛି। ଗାଁରେ କୌଣସିଠାରେ କିଛି ଶବ୍ଦ ନାହିଁ। ଚତୁର୍ଦ୍ଦିଗ ନିସ୍ତବ୍ଧ, କିନ୍ତୁ କମଳା ଘର ନିକଟକୁ ଯାଇ ଦେଖେ, ଯେ କାନ୍ଦ ବୋବାଳି ଲାଗିଛି। ସେ କ୍ରନ୍ଦନ ଶୁଣି ମୋର ହୃଦୟ ଚମକି ଉଠିଲା। ମୁଁ ଉନ୍ମତ୍ତପ୍ରାୟ ଘର ଭିତରେ ପ୍ରବେଶ କଲି।

ଘର ଭିତରକୁ ଯାଇ ଦେଖେ, ଅଗଣାରେ ଅନେକ ଲୋକ ଜମା ହୋଇଛନ୍ତି। କମଳାର ପ୍ରଶାନ୍ତ ମୂର୍ତ୍ତି ଗୋଟିଏ ଖଟ ଉପରେ ସ୍ଥାପିତ ହୋଇଅଛି। ଓଃ, କି ଭୀଷଣ ଦୃଶ୍ୟ! ମୁଁ ଆଉ ରହି ପାରିଲି ନାହିଁ। କମଳା ନିକଟକୁ ଯାଇ ତାକୁ ଆଲିଙ୍ଗନ କରି କମ୍ପିତ କଣ୍ଠରେ କହିଲି- ‘କମଳା! କମଳା!’ ଆଉ କହି ପାରିଲି ନାହିଁ। ମୋର ବାକ୍ୟ ରୁଦ୍ଧ ହୋଇଗଲା।

ମୋ କଥା ଶୁଣି କମଳାର ଯନ୍ତ୍ରଣା-କାତର ଓ ବିଷର୍ଣ୍ଣ ମୁଖରେ ଏକ ଅପୂର୍ବ ଜ୍ୟୋତି ଫୁଟି ଉଠିଲା। ନିମୀଳିତ ନେତ୍ର ଦ୍ୱୟ ଉନ୍ମୀଳିତ ହେଲା; କିନ୍ତୁ ପୁଣି ଘୋର ଅନ୍ଧକାର। କମଳାର ପିଣ୍ଡ ଛାଡ଼ି ପ୍ରାଣ ଚାଲିଗଲା।

କମଳାର ପ୍ରାଣହୀନ ଦେହ ନିଶ୍ଚଳ ହେଲା। ମୋର ସକଳ ଆଶା ଭରସା ବିଲୁପ୍ତ ହେଲା। ଚତୁର୍ଦ୍ଦିଗ ଅନ୍ଧକର ଦିଶିଲା। କମଳାର ଶୀତଳ ଦେହକୁ କ୍ରୋଡ଼ରେ ରଖି କାନ୍ଦିବାର ଲାଗିଲି। ସେ ଦେହରେ ସ୍ୱର୍ଗୀୟ କାନ୍ତି ଝଲସି ଉଠୁଥିଲା। ଲାବଣ୍ୟମୟ ଓ ମହିମାମଣ୍ଡିତ ମୁଖ ମଣ୍ଡଳ ଅବିକୃତ, ଜ୍ୟୋତିର୍ମୟ!

ପ୍ରଭାତ ତରୁଣ ଅରୁଣାଲୋକ, କମଳାର ମୃତ୍ୟୁ-ମଣ୍ଡିତ ବଦନ ମଣ୍ଡଳରେ ଆସି ପଡ଼ିଲା। ସ୍ନିଗ୍ଧ ପ୍ରଭାତ ସମୀର ତା’ର ନିତମ୍ବସ୍ପର୍ଶୀ କେଶ ଦାମ ସଙ୍ଗେ କ୍ରୀଡ଼ା କରିବାକୁ ଲାଗିଲା। ସ୍ୱର୍ଗର ଜୀବ ସ୍ୱର୍ଗକୁ ଚାଲିଗଲା। କିନ୍ତୁ…! ଆଜି ଜାଣିଲି ବାପା କାହିଁକି ମୋତେ ଗାଁକୁ ଛାଡ଼ି ଦେଉ ନ ଥିଲେ। କିନ୍ତୁ ଆଉ କାହିଁକି! ସବୁ ଶେଷ!!
-୦-

Pages: 1 2