(ସତ୍ୟ ଘଟଣା ମୂଳକ ଗଳ୍ପ)
ଏକ
ଆଜି ପିଲାକାଳ କଥା ମନେ ପଡ଼ିଲେ କେତେବେଳେ ସୁଖ ହୁଏ କେତେବେଳେ ବା ଦୁଃଖ ହୁଏ। ଯେତେବେଳେ କାମଦାମ କିଛି ନ ଥାଏ, ମଣିଷ ନିଶ୍ଚିନ୍ତ ହୋଇ ଘଡ଼ିଏ ବସିବାକୁ ଅବସର ପାଏ। ପିଲାଦିନର କେତେ ପୁରୁଣା କଥା ଆସି ମନେପଡ଼େ। ସେ ସବୁ ଭୁଲିବାକୁ ଯେତେ ଚେଷ୍ଟା କଲେ ସୁଦ୍ଧା ଭୁଲି ହୁଏ ନାହିଁ।
‘ସ୍ମୃତି ତ କଦାପି ନୁହେଁ ଫିଙ୍ଗିବାର
ଫିଙ୍ଗି ପାରିଲେ ସେ ଲଭନ୍ତା ନିସ୍ତାର।’
କମଳା ଘର ଆମ ଘର ବେଶୀ ଦୂର ନୁହେଁ। ଆମ ଘରେ ଥାଇ ତାକୁ ଡାକିଲେ ସେ ଶୁଣି ପାରିବ। କମଳା ସବୁବେଳେ ଆମ ଘରେ ଥାଏ। ମା’ ତାକୁ କେତେ ଗେଲ କରନ୍ତି-କେତେ ଚିଜ ଖାଇବାକୁ ଦିଅନ୍ତି। ମୁଁ ମଧ୍ୟ ତାଙ୍କ ଘରକୁ ଯାଏ। ସେଠାରେ ଖାଏ, ପିଏ, କେତେ ହସ କଉତୁକ କରେ। କମଳାର ମା’ ମୋତେ କେତେ ଆଦର କରନ୍ତି। ସେ ଯେତେବେଳେ ମୋତେ ‘ବାବା’ ବୋଲି ଡାକନ୍ତି କମଳା ମୁରୁକି ମୁରୁକି ହସି କେତେ ଖୁସି ହୁଏ। ସେ ମତେ ଏତେ ଭଲ ପାଏ।
କମଳା ଆଉ ମୁଁ ଏକା ସାଙ୍ଗରେ ଖେଳୁ। ଦାଣ୍ଡ ଦୁଆରେ ବସି କେତେ ବାଲିଘର ଗଢ଼ୁ। ସେତେବେଳେ ମନ ସବୁବେଳେ ପ୍ରଫୁଲ୍ଲ-ଖେଳିବା ପାଇଁ ଭାରି ଆଗ୍ରହ। ବିଧାତାଙ୍କ ଚବିଶ ଘଣ୍ଟିଆ ଦିନ ମନକୁ ଆସେ ନାହିଁ। ଓଃ, ବିଧାତାଙ୍କ ଦିନଗୁଡ଼ାକ ଏତେ ଲମ୍ବ! କେତେବେଳେ ସରେ ନାହିଁ। ସେଥିପାଇଁ ଆମ ମନକୁ ଆମେ ସାନ ସାନ ଦିନ ସୃଷ୍ଟି କରୁ। ସୂର୍ଯ୍ୟଙ୍କ ଉଦୟ ଅସ୍ତ ସଙ୍ଗେ ଆମ ଦିନର କୌଣସି ସମ୍ବନ୍ଧ ନ ଥାଏ। ସୂର୍ଯ୍ୟ ଆକାଶରେ ଥିଲେ ମଧ୍ୟ ଆମ ଦିନ-ରାତି ହୁଏ। ବାଲିଘର ବନାଇ ଖେଳିଲା ବେଳେ ଆମେ ଦିନକ ମଧ୍ୟରେ କେତେ ଦିନରାତି କଟାଉ। ଆଉ ସେ କଥା କାହିଁ? ସେ ସ୍ବପ୍ନମୟ ରାଜ୍ୟ ଖୋଜିଲେ ଆଉ କାହୁଁ ମିଳିବ।
ବଡ଼ି ଭୋର୍ରୁ ଉଠି ଦିହେଁଯାକ ଆମ ବଗିଚାରୁ ଫୁଲ ତୋଳିବାକୁ ଯାଉ। ଆମ ବଗିଚାରେ ଗୋଟାଏ ଚମ୍ପାଗଛ ଅଛି। ବାପା ଗଛଟିକୁ କଟକରୁ କିଣିଆଣି ବଗିଚାରେ ଲଗାଇଥିଲେ। ସେଥିରେ କେତେ ଫୁଲ ଫୁଟେ। ସେ ଫୁଲ ଦେଖିଲେ ତୋଳିବା ପାଇଁ ଇଚ୍ଛା ହୁଏ ନାହିଁ। ଫୁଲଗୁଡ଼ିକ ସବୁ ସତେଜ; ଯେପରି ସୂର୍ଯ୍ୟ, ପବନ ଓ ପାଣି ତିନିହେଁ ମିଶି ସେ ସବୁକୁ ସତେଜ କରୁଛନ୍ତି। ଏପରି ଫୁଲ ତୋଳିବାକୁ କାହା ମନ ବଳିବ? ଫୁଲକୁ ଛିଣ୍ଡାଇ ପକାଇଲେ ଫୁଲ ମନରେ କଷ୍ଟ ହେବ ଯେ! ତା ଦେହରୁ କେତେ ରକ୍ତ ବାହାରିବ! ହସିଲା ଫୁଲଟି କାନ୍ଦି ପକାଇବ।
ନା, ନା, ଦିଅଁ ଘେନିବେ ପରା! ଦିଅଁଙ୍କ ପାଇଁ ସେ କାମ କରିବାକୁ ହେବ। କମଳା ଓ ମୁଁ ଚମ୍ପାଗଛ ଉପରକୁ ଉଠି ଗୀତ ଗାଇ ଗାଇ ଫୁଲ ତୋଳୁ। ଫୁଲ ନେଇ ଘରେ ମାଳ ଗୁନ୍ଥୁ। କମଳା ମୋଠାରୁ ଭଲ ମାଳ ଗୁନ୍ଥି ଜାଣେ। ତା’ ଫୁଲମାଳଟିକି ମତେ ଦିଏ। ମୋ’ ଫୁଲମାଳଟିକୁ ମୁଁ ତାକୁ ଦିଏ। ଫୁଲମାଳ ଧରି ଦୁହେଁଯାକ ଆମ ଗାଁ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରକୁ ଯାଉ। ଠାକୁରଙ୍କୁ ମାଳ ପିନ୍ଧାଇ ହସି ହସି ଘରକୁ ବାହୁଡ଼ି ଆସୁ।
ଦିନେ ଆମ ଚମ୍ପାଗଛରୁ ଫୁଲ ତୋଳି ଆସୁଥିଲୁ। ପଞ୍ଝାଏ ଟୋକା ଆସି କହିଲେ-‘କାଲି ଦେଖିବ; ସବୁ ଆମେ ନେଇଯାଇଥିବୁ। ତୁମେ ଆସିଲାବେଳକୁ ଗଛରେ ଗୋଟାଏ ହେଲେ ଫୁଲ ନ ଥିବ।’ ସେମାନଙ୍କ କଥା ଶୁଣି ମୋ’ ମନରେ ଭାରି କଷ୍ଟ ହେଲା। କମଳା ମୁହଁକୁ ଶୁଖେଇ ଦେଇ ମୋ’ ମୁହଁକୁ ଅନେଇଲା। କମଳାର କଷ୍ଟ ଦେଖି ମୋ’ ମନରେ ଟିକିଏ ରାଗ ହେଲା। ଆଚ୍ଛା ଦେଖିବା ସେମାନେ କିମିତି ଆସି ଫୁଲ ନେଇଯିବେ! ଦୁହେଁ ପ୍ରତିଜ୍ଞା କଲୁ ଯେ ଆରଦିନ ରାତି ଚାରିଟାବେଳେ ଆସି ଫୁଲତକ ନେଇଯିବା।
ସେଦିନ ରାତିରେ ମୋ’ ଆଖିରେ ଆଉ ନିଦ ନାହିଁ-କେତେବେଳେ ଚାରିଟା ବାଜିବ? ପିଲାଏ ଆସି ବଗିଚାରୁ ଫୁଲ ନେଇଯିବେ ପରା? ତାହାହେଲେ ଆମେ କ’ଣ ତୋଳିବୁ? ଦିଅଁ କ’ଣ ଆମ ହାତରେ ଫୁଲ ପିନ୍ଧିବେ ନାହିଁ? ଆମେ କି ଦୋଷ କଲୁ? ବାର ବର୍ଷର ତପସ୍ୟା କଅଣ ଶୁଖୁଆ ପୋଡ଼ାରେ ଚାଲିଯିବ? ଏହିପରି ଭାବି ଭାବି ମନ ଆକୁଳ ହୋଇଗଲା। ଆଖିରେ ଆଉ ଜମା କଷା ପଡ଼ିଲା ନାହିଁ। ଖଟ ଉପରେ ଏକଡ଼ ସେକଡ଼ ହୋଇ ଛଟପଟ ହେଉଥାଏ।
ଯିମିତି ଚାରିଟା ବାଜିଲା ମୋ’ ଶୋଇବା ଘର କବାଟଟି ଖୁଡ଼୍ କରି ଶବ୍ଦ ହେଲା। ଦ୍ୱାର ଖୋଲି ଦେଖେ ଯେ କମଳା! ତାକୁ ସେପରି ଭାବରେ ରାତିରେ ଆସିବାର ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ତେବେ କ’ଣ କମଳା ମଧ୍ୟ ମୋ’ ପରି ରାତିଯାକ ଶୋଇନାହିଁ? ଫୁଲ ତୋଳିବା ପାଇଁ ତା’ର ଏତେ ଆଗ୍ରହ? ମୁଁ ତାକୁ କିଛି ନ କହି ଚାଦର ଖଣ୍ଡି ଘୋଡ଼େଇ ହୋଇ ତା’ ସାଙ୍ଗରେ ବଗିଚାକୁ ଗଲି।
ସେତେବେଳକୁ ଆକାଶରେ ଚନ୍ଦ୍ର ଥିଲେ। ତାରାଗୁଡ଼ିକ ହୀରାଫୁଲ ଫୁଟିଲା ପରି ଆକାଶରେ ଜୁଳୁ ଜୁଳୁ ଦିଶୁଥାନ୍ତି। ପାହାନ୍ତିଆ ପବନ ଫୁଲରେଣୁ ଉଡ଼ାଇ, ବଗିଚାଯାକ ମହକାଇ, ସୁଲୁସୁଲୁ ବହୁଥିଲା। ଚମ୍ପା ଫୁଲଗୁଡ଼ିକ ବୃନ୍ତାସନରେ ବସି ପବନ ଦୋଳାରେ ଦୋଳୁଥିଲେ। ବଗିଚାର ଚାରିଆଡ଼େ ଚନ୍ଦ୍ରକିରଣ ହସୁଥିଲା। ଫୁଲ ଉପରେ ଚନ୍ଦ୍ରକିରଣ, ପତ୍ର ଉପରେ ଚନ୍ଦ୍ରକିରଣ ସବୁଠେଇଁ ଚନ୍ଦ୍ରକିରଣ। ଯେଉଁଠି ଚନ୍ଦ୍ରକିରଣ ପଡ଼ୁଥିଲା ନିଜେ ହସି ପରକୁ ହସାଉଥିଲା। ବଗିଚାଟି ଯେପରି ଚନ୍ଦ୍ରର ରାଜ୍ୟ!
କିନ୍ତୁ ଏ ସବୁ ଦେଖିବା ପାଇଁ ଆମର ଆଖି ନାହିଁ? ଆମ ମନ ରହିଲା ଫୁଲ ତୋଳିବା ଉପରେ। କାଳେ ଟୋକାଏ ଆସି ଫୁଲ ନେଇ ଯାଇଥିବେ! ବଗିଚାରେ ପହଞ୍ଚିଲା କ୍ଷଣି ଦୁହେଁଯାକ ମାଙ୍କଡ଼ ପରି ଗଛ ଉପରକୁ ଚଢ଼ିଗଲୁ। କମଳା ଗୋଟିଏ ଜାଗାରେ ବସି ଫୁଲ ତୋଳିଲା। ମୁଁ ଆଉ ଗୋଟିଏ ଜାଗାରେ ବସି ଫୁଲ ତୋଳିବାକୁ ଲାଗିଲି।
ମୋ ପାଖରେ ଫୁଲତକ ତୋଳିସାରି କମଳା ଯେଉଁ ଡାଳରେ ବସି ଫୁଲ ତୋଳୁଥିଲା ସେଠିକି ଗଲି। ସେଠିକି ଯାଇ ଦେଖିଲି ଯେ, ଆଗ ଡାଳର ଫୁଲଗୁଡ଼ାକ କମଳା ତୋଳିପାରୁ ନାହିଁ। ମୋତେ ଦେଖି ସେ ଘୁଞ୍ଚିଗଲା ଓ କହିଲା- ‘ତୁମେ ସେଠାକୁ ଯାଅନା, ସରୁ ଡାଳ ଭାଙ୍ଗିଯିବ।’
ମୁଁ କିନ୍ତୁ ତା କଥା ଶୁଣିଲି ନାହିଁ। ଆଜି ବଗିଚାରେ ଗୋଟାଏ ସୁଦ୍ଧା ଫୁଲ ରଖିବାକୁ ଦେବି ନାହିଁ। ଆଜି ଫୁଲଯାକ ଦିଅଁ ପିନ୍ଧିବେ-ଆଉ କେହି ନେଇ ପାରିବେ ନାହିଁ। ସେଥିପାଇଁ କମଳା କଥା ନ ଶୁଣି ଡାଳ ଉପରକୁ ଉଠିଲି। ଖୁବ୍ ସାବଧାନ ହୋଇ ଫୁଲ ସବୁ ତୋଳିଲି; ଗୋଟାଏ ଫୁଲ ରହିଗଲା। ଯେତେ ଚେଷ୍ଟା କଲେ ସୁଦ୍ଧା ସେ ଫୁଲଟି ତୋଳି ପାରିଲି ନାହିଁ। ଆଉ ଟିକିଏ ଉପରକୁ ଉଠିଲି। ଯେଉଁ ଡାଳରେ ଫୁଲଟି ଥିଲା ହାତ ଲମ୍ବାଇ ସେ ଡାଳଟି ଧଇଲି।
ଡାଳ ଉପରେ ହାତ ଦେଇ ଧୀରେ ଧୀରେ ଫୁଲ ନିକଟକୁ ହାତ ନେବାପାଇଁ ଚେଷ୍ଟା କଲି। ଫୁଲଟି ଠିକ୍ ଛୁଇଁବାକୁ ଯାଉଛି, ଡାଳଟି ଭାଙ୍ଗିଗଲା। ଡାଳ ଭାଙ୍ଗିବା ସଙ୍ଗେ ସଙ୍ଗେ ମୁଁ ଯେଉଁ ଡାଳଟି ହାତରେ ଧରିଥିଲି ସେ ଡାଳ ମଧ୍ୟ ଭାଙ୍ଗିଗଲା। ଆଉ ଆଶ୍ରୟ ନାହିଁ। ଭୂମି ଉପରେ ଦୁମ୍ କରି କଚାଡ଼ି ପଡ଼ିଲି। ଦେହ ମୁଣ୍ଡ ସବୁ ଖଣ୍ଡିଆ ହୋଇଗଲା। ପ୍ରାୟ ଦୁଇ ମିନିଟ୍ ପରେ ଅଚେତ ହୋଇଗଲି। ତା’ ପରେ ଆଉ କ’ଣ ହେଲା ଜାଣେ ନାହିଁ।
ଦୁଇ
ଯେତେବେଳେ ମୋର ଚେତନା ଆସିଲା ଦେଖିଲି ଯେ ମୁଁ ଗୋଟିଏ କୋଠରିରେ ଖଟ ଉପରେ ଶୋଇଛି ଓ ମୋ ପାଖରେ ଜଣେ ସାହେବ ଚଉକି ଉପରେ ବସିଛନ୍ତି। ବାପା ମଧ୍ୟ ଆଉ ଗୋଟିଏ ଚଉକିରେ ସାହେବ ପାଖରେ ବସିଛନ୍ତି। ମୁଁ ଯିମିତି ଆଖି ମେଲି ଚାହିଁଲି, ସାହେବ ଇଂରାଜୀରେ କଟର ମଟର ବାପାଙ୍କୁ କ’ଣ କହିଲେ। ବାପା ମଧ୍ୟ ସାହେବଙ୍କୁ ଇଂରାଜୀରେ ଜବାବ ଦେଲେ। ପରେ ସାହେବ ବାପାଙ୍କୁ ଆଉ କ’ଣ କହି ଧୀରେ ଧୀରେ ଚାଲିଗଲେ।
ସାହେବ ଚାଲିଗଲା ପରେ ମା’ ଓ ବହୂ ଦୁହେଁଯାକ କୋଠରି ଭିତରକୁ ଆସିଲେ। ଘା’ ମୁଣ୍ଡ ଆଉଁସିବାକୁ ଲାଗିଲେ। ବହୂ ପିଠି ପାଖରେ ବସି ପିଠି ଆଉଁସିଲେ।
ଆଜି ମା’ ଓ ବହୂ ଦୁହିଁଙ୍କ ଆଖିରେ ଲୁହ। ବାପା ମଧ୍ୟ କାନ୍ଦୁଛନ୍ତି। ମୁଁ ଏଥିର କାରଣ କିଛି ବୁଝି ପାରିଲି ନାହିଁ। ମୁଁ କେଉଁଠି ଅଛି। ସେଠାକୁ କିପରି ଆସିଲି ଏ ସବୁ ଜାଣିବା ପାଇଁ ମୋର ଭାରି ଆଗ୍ରହ ହେଲା; କିନ୍ତୁ ଯେତେ ଚେଷ୍ଟା କଲେ ସୁଦ୍ଧା ଜାଣି ପାରିଲି ନାହିଁ।
ମା’ଙ୍କୁ କ’ଣ କରିବାକୁ ଆଦେଶ ଦେଇ ବାପା କୋଠରିରୁୁ ଚାଲିଗଲେ। ବହୂ ଏକା ମୋ ପାଖରେ ରହିଲେ। ତାଙ୍କ ଆଖିରୁ ଝର ଝର ଲୁହ ଗଡ଼ୁଛି। ସବୁବେଳେ ମୋ ଦେହକୁ ଆଉଁସୁଛନ୍ତି। ବାପା ଓ ମା’ ଚାଲିଯିବାରୁ ବହୂଙ୍କୁ ପଚାରିଲି- ‘ବହୂ, ଏଠିକି କାହିଁକି ଆସିଛେ? ଏଠିକି ଆମକୁ କିଏ ଆଣିଲା?