ମନ୍ଦିର ବେଢ଼ା ପାଚେରିଲଗା ଧାଡ଼ିଏ ଘର ଅଛି, ଗୋଟାଏ ଘରେ ମେଳା ମଉଛୁବର ପିଠା ଖଜା ତିଆରି ହୁଏ।ତା ପାଖଟା ସରଘର। ସେହି ପିଠା ତିଆରି ଘରେ ଧୂନି ଥାପନା ହୋଇଛନ୍ତି। ରାତି ଅନ୍ଦାଜ ଛ’ଘଡ଼ି ସମୟରେ ମହନ୍ତ ମହାରାଜ ମନ୍ଦିର ପାଖ ଗମ୍ଭୀରିରୁ ବାହାରିଲେ। ଆଜି ପ୍ରଭୁଙ୍କ ମନରେ ଭାରି ଆନନ୍ଦ, ଅନେକ ଟଙ୍କା ରୋଜଗାର ମାମଲା। ତୋଳାଏ ଆପୁ ଉପରେ ସଞ୍ଜବେଳେ ଆହୁରି ତୋଳାଏ ପକାଇଛନ୍ତି-ଗଞ୍ଜେଇ ବି ବେଶିକରି ଭିଡ଼ିଛନ୍ତି। ଚାଲିଲାବେଳେ ଗୋଡ଼ ଟଳି ଯାଉଛି, ଚାରିଜଣ ଚେଲା ଧରାଧରି କରି ନେଉଛନ୍ତି। ମହନ୍ତ ବାବାଙ୍କୁ ଦର୍ଶନ କରି ସମସ୍ତ ଦେଖଣାହାରି ହରିବୋଲ ପକାଇ ଗୋଡ଼ତେଳେ ପଡ଼ିଗଲେ। ପୂଜା ଆରମ୍ଭ ହେଲା, ପାଞ୍ଚସେର ଘିଅ ଆହୁତି, ଖୁବ୍ ମୋଟା ମୋଟା ଢେର ଗୁଡ଼ାଏ କାଠ ଧୂନିରେ ଲଦିଦେଲେ। ଆହୁତି ପାଇ ଚାରିହାତ ଉଚ୍ଚ ଶିଖା ଟେକି ନିଆଁ ଧୂ-ଧୂ ଜଳୁଛି। ଘର ଭିତରେ ମହନ୍ତ ଏକାକୀ। ପ୍ରଭୁଙ୍କର ସେହିପରି ମହିମା, ନୋହିଲେ ନିଆଁ ତେଜରେ ଆଉ କିଏ ସେ ଘରେ ପଶି ପାରିବ? ଶାମ ସାଉ ବେକରେ ପଟକା ପକାଇ ହାତ ଯୋଡି ଦୁଆର ବନ୍ଧ ବାହାରେ ଛିଡ଼ା ହୋଇ ଧୂନି ମହାପ୍ରଭୁଙ୍କୁ ଅନାଇ ପ୍ରାର୍ଥନା କରୁଛି।

ମହନ୍ତ ଆଖି ବୁଜି ଖୁବ୍ ପାଟିକରି ପ୍ରାର୍ଥନା କେଲ, ଧୂନିଜୀ! ଶାମ ବେଟାକୁ ବର ଦିଅ-ବର ଦିଅ-ବର ଦିଅ, ତା ମାମଲା ଫତେ ହେଉ। ଧୂନି କିଛି ଜବାବ ଦେଲେ ନାହିଁ। ମହନ୍ତ ଆପଣାର କରାମତି ଲୋକଙ୍କୁ ଦେଖାଇବା ପାଇଁ ଛିଡ଼ା ହୋଇଗଲେ, ହାତରେ ଯେଉଁ ଦଶସେରିଆ ଲୁହା ଚିମୁଟା ଥିଲା, ଖୁବ୍ ବଳରେ ପାହାରେ ବାଡ଼େଇଲେ। ଭୁସ୍‌ କରି ଗୋଟାଏ ଶବ୍ଦ ହେଲା, ଶାମ ସାଉ ଚମକିପଡ଼ି ଅନାଇଲା, ଘର ଭିତରେ ଛାତିଏ ଗହୀର ଗୋଟାଏ ଗାତ, ଗାତ ଅଧାଅଧି ପୂରି ନିଆଁ ଜଳୁଛି-ତା ମଧ୍ୟରେ ଦୁଇଜଣ ଲୋକ ଭାରି ଗୋଟାଏ ଧରାପରା ଲାଗିଛନ୍ତ।

ଶାମ ପ୍ରଥମରେ କିଛି ବିଝିପାରିଲା ନାହିଁ, ମୁହୂର୍ତ୍ତକ ବାଦ ଭକ୍ତି ବଳରେ ବୁଝିଗଲା, ଧୂନିଦେବତା ଦେହଧରି ବିରାଜମାନ ହୋଇଗଲେଣି, ମହନ୍ତଙ୍କ ସଙ୍ଗରେ କୋଳାକୋଳି କରୁଛନ୍ତି, ତାହାର ଭାଗ୍ୟ ଫିଟିଲା, ବର ମିଳିଯିବ, ମୁହୂର୍ତ୍ତକ ମଧ୍ୟରେ ଏତେ କଥା ବୁଝିନେଲା। ଖୁବ୍ ପାଟିକରି ହରିବୋଲ ପକାଇ କହିଲା, “ଧୂନିଦେବତା ରୂପଧରି ବିଜେ ହେଲେଣି।” ଯେତେ ଲୋକ, ଥିଲେ, ଆନନ୍ଦରେ ହରିବୋଲ ପକାଉଛନ୍ତି। ମନ୍ଦିରରୁ ଘଣ୍ଟ, କାହାଳି, ଝାଞ୍ଜ ବାଜୁଛି, ସମୁଦ୍ର ଗର୍ଜନ ପରି ଶବ୍ଦ ଉଠୁଛି। ଅଗ୍ନିଦେବତା ଦର୍ଶନ କରିବାକୁ ଲୋକ ଧାଇଁଲେ। ଗୋଟିଏ ବୋଲି ଦୁଆର। ଘର ଭିତରଟା ଧୂଆଁରେ ପୂରିଛି। ଦୁଆର ପାଖରେ ଧରାପରା ହୋଇ କେତେ ଲୋକ ମଡ଼ାଦଳାରେ ଆଣ୍ଠୁଗଣ୍ଠି ଛିଡ଼ି ଘାଉଲା ହୋଇଗଲେଣି।

ପହରେ ବିତି ଗଲାଣି। ଲୋକେ ନାଚି କୁଦି ହରିବୋଲ ଦେଇ ହାଲିଆ ହୋଇ ପଡ଼ିଲେଣି। ଏ କଣ? ମଡ଼ାପୋଡ଼ାର ଉତ୍କଟ ଗନ୍ଧ, ଲୋକେ ନାକରେ ଲୁଗା ଜାକୁଛନ୍ତି। କେତେଜଣ ଜଣାଶୁଣା ଲୋକ ଦୁଆର ପାଖକୁ ଯାଇ ଭଲକରି ଅନାଇଲେ-“ଆରେ ମହନ୍ତ ମହାରାଜ ପୋଡ଼ି ମଲେଣିରେ”। ବାଜେ ଲୋକେ ବୁଝିଲେ ଅଗ୍ନିଦେବତା ବିଜେହୋଇ ମହନ୍ତ ବାବାଙ୍କୁ ଖାଇଗଲେଣି-କାଳେ ଧାଇଁଆସି ଆଉ ସମସ୍ତଙ୍କୁ ଖାଇଯିବେ। ପଳା-ପଳା-ପଳା! ପଡ଼ି ଉଠି ଗୋଟାକ ଉପରେ ଗୋଟାଏ ପଡ଼ି ଧାଇଁଛନ୍ତି। ଶେଷକୁ ମନ୍ଦିରର ପୂଜାହାରୀ, ଟହଲିଆ, ଚାକରମାନେ ବି ଛାଡ଼ି ପଳାଇଲେଣି। ଦଣ୍ଡକ ମଧ୍ୟରେ ଏଡ଼େ ମନ୍ଦିରଟା ନିଶୂନ। ଖାଲି ଧୂନିଘରୁ ପଡ଼୍ ପଡ଼୍‌ ଶବ୍ଦ ଶୁଭୁଛି। ଦୁର୍ଗନ୍ଧ ବାହାରୁଛି।

ଦେ’ଗାଁ ପାଖକୁ ଗୋପାଳପୁର ସରକାରୀ ଥାନା ପୂରା ଅଢ଼େଇ କୋଶ ବାଟ। ସକାଳୁ ସକାଳୁ ସେଠାରେ ଖବର ପହଞ୍ଚିଗଲା। ଦାରୋଗା ସାହେବ, ପାଞ୍ଚ ଛ’ଜଣ ବରକନ୍ଦାଜ, ଆଠ ଦଶ ଜଣ ଚୌକିଦାର ଧରି ଧାଇଁଲେ,(ଢେର ଦିନ ତଳ କଥା, ସେତେବେଳ କନେଷ୍ଟବଳ ନ ଥିଲେ)। ଦାରୋଗା ପହଞ୍ଚି ଦେଖିଲେ, ମନ୍ଦିର ତ ମନ୍ଦିର, ଗାଁ ଗୋଟାକରେ ଜଣେ ମଣିଷ ବି ନାହିଁ, ସମସ୍ତଙ୍କ ଘରେ ତାଟି କବାଟ ବନ୍ଦ। ଚଉକିଆମାନ ବହୁତ ଡକାହକା କରିବାରେ, ଭିତରୁ ମାଇକିନିଆମାନେ ଜବାବ ଦେଲେ-‘ପୁରୁଷ କେହି ଘରେ ନାହିଁ। କେହି ଯାଇଛି ଗୋରୁ ଖୋଜି, କେହି ଯାଇଛି କୁଣିଆଘର, କେହି ଜାତିଆଣ ଭୋଜି ଖାଇ-ଢେର ଲୋକ ଯାଇଛନ୍ତି କଟକ ମାମଲାରେ।”

ବହୁତ ଖୋଜା ତଲାସରେ ମନ୍ଦିର ପୂଜାହାରୀ, ଆଉ କେତେଜଣ ଚାକର ବାହାରିଲେ। ଦାରୋଗା ସରଜମିନ ତଦାରଖ କରି ବୁଝିଲେ ଯେ, ସରଘର ଭିତରୁ ଧୂନିଘର ମଝିଯାଏ ମନୁଷ୍ୟ ଗୋଟାଏ ଗଳିଯିବା ଭଳି ବିଳ ଖୋଳା ଯାଇଛି। ଧୂନି ତଳେ ଅଢ଼େଇହାତ ଲମ୍ବା ଚଉଡ଼ା, ଅଢ଼େଇହାତ ଗହୀର ଗୋଟାଏ ଗହିଡ଼ା ଖୋଳା ହୋଇଛି, ତା ଉପରେ ଚାଖଣ୍ଡେ ମୋଟା ମାତ୍ର ମାଟି ଅଛି। ସେହି ମାଟି ଉପରେ ଧୂନି ଜଳେ। ସରଘର ଭିତରୁ ବିଳ ବାଟରେ ମଣିଷ ଗଳି ଆସି ଧୂନି ତଳେ ବସିଥାଏ। ମହନ୍ତ କିଛି ପଚାରିଲେ ଲୋକଟା ଭିତରୁ ଜବାବ ଦିଏ। ଘଟଣା ରାତ୍ରିରେ ଗୋଟାଏ ଗଞ୍ଜୋଡ଼ ଚେଲା ଧୂନିତଳେ ବସିଥିଲା, ତା’ନାମ ହୁଣ୍ଡା ଦାସ। ସେଦିନ ମହନ୍ତଙ୍କର ଭାରି ନିଶାରେ ଜ୍ଞାନ ଲୋପ ହୋଇଥିଲା। ଲାସ ଭାରି ମଣିଷ, ଭାରି ଚିମୁଟାର ଖୁବ୍ ବଳରେ ପାହାରେ ମାରିବାରୁ, ଉପର ମାଟି ଆଉ ନିଆଁସବୁ ଗାତରେ ପଡ଼ିଗଲା। ଦୁଇଟା ଲୋକ ଧରାପରା ହୋଇ ପୋଡ଼ିକି ମଲେ। ବାହାରେ ବଡ଼ ଗୋଳମାଳ ହେଉଥିବାରୁ ସେମାନଙ୍କ ଆକୁଳ ଚିତ୍କାର କେହି ଶୁଣି ପାରିଲେ ନାହିଁ।

ଦାରୋଗା ସାହେବ ରିପୋର୍ଟ ଲେଖି ମାଇନା ସକାଶେ ଅଧାପୋଡ଼ା ଲାସ ଯୋଡାକ ସଦରକୁ ପଠାଇଦେଲେ।

Pages: 1 2 3