
ଦେ’ଗାଁର ହୁନୁମାନଜୀ ପ୍ରତ୍ୟକ୍ଷ ଦେବତା। ସେ ତ କିଛି ଆଜିକାଲିକା କଳିଯୁଗର ଦେବତା ନୁହନ୍ତି, ସତ୍ୟଯୁଗରୁ ବିରାଜୁଅଛନ୍ତି। ମହନ୍ତ ମହାରାଜଙ୍କ ନାମ ହନୁମାନ ଦାସ। ତାଙ୍କର ବି ସେହିପରି ମହିମା। ବଡ ବଚନସିଦ୍ଧ ପୁରୁଷ ଥିଲେ। ଯାହା ଆଜ୍ଞା କରୁଥିଲେ, ତୁରନ୍ତ ଫଳ ପାଉଥିଲା। ତାଙ୍କ ମହିମା କଥା ପୃଥିବୀଯାକ ଜାରି। ନାଗପୁର ମରହଟ୍ଟା ଫୌଜଦାର ସବୁ କଥା ଶୁଣିପାରି ତାଙ୍କୁ ଦର୍ଶନ କରିବାକୁ ଅଇଲା। ସକାଳଓଳିଆ ମହନ୍ତ ମହାରାଜ ଗୋଟା କାନ୍ଥଡ଼ା ଉପରେ ବସି ଗଞ୍ଜେଇ ଟିପୁଥିଲେ। ଦୁରକୁ ଅନାଇ ଦେଲେ ଯେ, ଗୋଟାଏ ଖୁବ୍ ବଡ଼ ଦନ୍ତାହାତୀ ଉପରେ ଅମାରି କସା, ତା ଉପରେ ପାଟଛତା ଉଡ଼ୁଛି, ଫୌଜଦାର ତା’ଉପରେ ବସି ଆସୁଛି।
ମହନ୍ତ ମହାରାଜ ଖାଲି ଏତିକି କହିଲେ, “ହୁଁ-ଚଲୋ ବାବା କାନ୍ଥଡ଼ା, ଚଲୋ।” ଆଉ କ’ଣ କାନ୍ଥଡ଼ା ରହିପାରେ, ଚାଲିଲା। ତେଣୁ ଆସୁଛି ହାତୀ, ଏଣୁ ଯାଉଛି କାନ୍ଥଡ଼ା, ଅଧାବାଟରେ ଭେଟାଭେଟି। ଫୌଜଦାର ଯିମିତି ଅନାଇ ଦେଇଛି, ଆଉ କ’ଣ ହାତୀରେ ବସିପାରେ, ଖପ୍କରି ହାତୀରୁ ଡେଇଁପଡ଼ି ଲମ୍ବାହୋଇ ଗୋଡ଼ତଳେ ପଡ଼ିଗଲା। ମହନ୍ତ ମହାରାଜ କଲ୍ୟାଣ କଲେ, “ଜୀତେ ରହୋ-ଜୀତେ ରହୋ ବଚ୍ଚା, ଉଠ-ଉଠ।” ଫୌଜଦାର ଯିମିତି ଉଠିଛି, ସଙ୍ଗେ ସଙ୍ଗେ ତମ୍ବା ପାଟିଆରେ ବାରବାଟୀ ଜମି ଅକରା ସନନ୍ଦ କରିଦେଲା। ଏହି ମହନ୍ତ ଗାଦିରେ ବସିଥିଲେ-ବାରଶ ବାର ବରଷ, ବାର ମାସ, ବାର ଦିନ। ସେ’ତ ଥିଲେ ଇଚ୍ଛାମୟ ପୁରୁଷ, ଆଉ ପୃଥିବୀରେ ରହିବାକୁ ମନ ବଳିଲା ନାହିଁ-ଅଯୋଧ୍ୟାକୁ ଖବର ଗଲା। ହନୁମାନ ଗାଦିରୁ ଜଣେ ଚେଲା ଆସିଲେ, ୟାଙ୍କ ହାତରେ ଗାଦି ଦେଇ ସ୍ବର୍ଗକୁ ଚାଲିଗଲେ। ଏ ଚେଲାଙ୍କ ନାମ ମର୍କଟ ଦାସ ମହନ୍ତ ମହାରାଜ। ଗାଦିର ମହିମା-ଏ ମହନ୍ତ ବି ସେହିପରି।
ୟାଙ୍କ ସମୟରେ ପଡିଲା ଫିରିଙ୍ଗୀ ଅମଳ ଜାରି। କଟକ ସାହେବ କହିଲା, “କ୍ୟା-ହିନ୍ଦୁ ଫକିରଟା ଖଜଣା ନ ଦେଇ କ୍ୟା, ଏତେଗୁଡାଏ ଜମି ମାହାଳିଆ ଖାଏଗା? ବୋଲାଓ ଉସ୍କୁ, ହାମ୍ ଦେଖେଙ୍ଗା।” ପରୱାନା ପାଇ ମହନ୍ତ ଘୋଡାରେ ଚଢ଼ି ବାହାରିଲେ। ଆଗରେ ବାନା ବୈରଖ ଉଡୁଛି, ହରିବୋଲ ପଡୁଛି, କୀର୍ତନ ଲାଗିଛି, ଯାଇଁ ବିଜେ ହୋଇଗଲେ ମହାନଦୀ କୂଳରେ। ଭୋଦୁଅ ମାସିଆ ଦିନ, ମହାନଦୀ ଏ କୂଳ ସେ କୂଳ ଖାଉଛି, ବର୍ଷା ତୋଫାନ ମୁହାଁମୁହିଁ-ନାଉରୀ କହିଲା, ନାଆ ଫିଟାଇବ ନାହିଁ। ପାରି ହେଉଛନ୍ତି କିମିତି? ମହନ୍ତ ମହାରାଜ ଆଜ୍ଞା କେଲ, “ପରବା ନାହିଁ।” କାଖରେ ଯେ ବାଘ ଛାଲ ଥିଲା, ପାଣିରେ ପାରିଦେଲେ-ଆପେ ବିଜେ ହୋଇଗଲେ, ଅଧିକାରୀ, ଟହଲିଆ, ସୁଆର ଚଳିବା ଭଳି ଲୋକଙ୍କୁ ପାଖରେ ବସାଇ ନେଲେ। ଜଣେ ଛତିଆ ମହନ୍ତଙ୍କ ମୁଣ୍ଡ ଉପରେ ପାଟଛତା ଟେକିଥାଏ, ଦୁଇଜଣ ବାହିଆ ଛାଲ ବାହି ଯାଉଥାନ୍ତି।
ଏଣେ ମହାନଦୀ ଆରକୂଳରେ ସାହେବ ରାଉଟି ପକାଇ ବସିଥିଲା। ଦୁରବୀନ୍ରେ ଚାହିଁଦେଲା, ପାଖ ଲୋକଙ୍କୁ ପଚାରିଲା, “ଏ କ୍ୟା?” ଲୋକେ କହିଲେ, “ହିନ୍ଦୁ ଫକିର ବିଜେ ହୋଇ ଆସୁଛନ୍ତି।” ସାହେବ ଆଉ କଣ ଚୌକିରେ ବସିବ, ନିଈକୂଳକୁ ଧାଇଁ ଅଇଲା। ମୁଣ୍ଡରୁ ଟୋପି ତଳେ ରଖି ତିନି ସଲାମ କଲା, କହିଲା, “ଯାଓ ଫକିର, ତୁମାରା ଜମିନ୍ ବାହାଲ।” ଏ ମହନ୍ତ ଦେଢ଼ ହଜାର ବର୍ଷ ଗାଦିରେ ବସିଥିଲେ। ତାଙ୍କର ଉତ୍ତାରେ ଗାଦିରେ ବସିଲେ ଜମ୍ବୁବାନ ମହନ୍ତ ମହରାଜ। ମନ୍ଦିର ପଛପଟରେ ଯେଉଁ ଦି-ଫାଙ୍କୁଡ଼ିଆ ବୁଢ଼ା ସାହାଡ଼ା ଗଛ ଦେଖୁଛ, ଏଟା କ’ଣ ଜାଣ? ମହନ୍ତ ଦିନେ ସାହାଡ଼ା ଦାନ୍ତକାଠିରେ ଦାନ୍ତ ଘଷୁଥିଲେ। କାଠିଖଣ୍ଡ ଦାନ୍ତରେ ଚିରି ଜିଭ ଛେଲି ପକାଇ ଦୁଇଖଣ୍ଡ କାଠି ଯୋଡି ମାଟିରେ ପୋତିଦେଲେ। ତା’ ଉପରେ ଯିମିତି ଟୋପାଏ ପାଣି ପକାଇଛନ୍ତି, ସିମିତି ଗଜେଇ ଗଲା। ଏଇଟା ସେଇ ଗଛ।
ବର୍ତ୍ତମାନ ମହନ୍ତଙ୍କ ନାମ ବାନ୍ଦର ଦାସ ମହନ୍ତ ମହାରଜ। ଏପରି ପୁରୁଷ କାହିଁ ଦେଖା ନାହିଁ-ନ ଥିବ। ପାଞ୍ଚହାତ ମର୍ଦ୍ଦ-ଗାଲ ଓଠ ଛାତିରେ ଲାଗି ଯାଇଛି, ବେକ ଦିଶେନାହିଁ। ବାହୁ ଆଉ ଲୋକଙ୍କ ଜଙ୍ଘ ପରି ମୋଟା, ପେଟଟି ଗୋଟିଏ ଦଶନୌତିଆ ଘୁମ। ଅଜଣା ଲୋକେ ଦେଖି କହିବେ ମହନ୍ତ ଲଙ୍ଗଳା। ନାହିଁ ନାହିଁ-ଚାଖଣ୍ଡେ ଚୌଡ଼ା ଦେଢ଼ ହାତ ଲମ୍ବା ଖଣ୍ଡେ କନା କୌପୀନ ମାରିଥାନ୍ତି। ଜଙ୍ଘକୁ ଜଙ୍ଘ ଲାଗି ଯାଇଛି, ପେଟଟି ଝୁଲି ପଡ଼ିଛି । କୌପୀନ ଦିଶେ ନାହିଁ। ଏ ମହନ୍ତଙ୍କର ବି ମହିମା ଅପାର। ମନ୍ଦିରରେ ଏତେ ଖଟ ପଲଙ୍କ, କାହିଁରେ ଶୋଇବେ ନାହିଁ, ସବୁବେଳେ ଧୂଳିରେ ଗଡ଼ୁଥାନ୍ତି। ଦେହଯାକ ଧୂଳି ଧୂସର। ସ୍ନାନ କେବେ କରନ୍ତି ନାହିଁ। ପାଣି ଛୁଅନ୍ତି ନାହିଁ-ଏଥିପାଇଁ ଲୋକମାନେ ମହନ୍ତ ମହାରାଜଙ୍କୁ ଧୂଳିଆବାବା ବୋଲି ଡାକନ୍ତି। ମନ୍ଦିରରେ ଏତେ ଧନ ଦୌଲତ, ଏତେ ପିଠା ଖଜା-କିଛି ଛୁଇଁବେ ନାହିଁ, ଦଶସେର ନିରୁତା ଦୁଧ, ଆଉଟି ଆଉଟି ପାଞ୍ଚସେର ରହିବ, ଅଳତା ଫଡ଼ା ପରି ଉପରେ ସର ପଡ଼ିବ-ଦିପହର ଧୂପରେ ଠାକୁରଙ୍କ କତିରେ ଭୋଗ ଲାଗେ-ମହନ୍ତ ମହାରାଜ ତେତିକି ସେବା କରନ୍ତି। ଆଉ ତୋଳାଏ ଆପୁ, ପାଏ ଗଞ୍ଜେଇ ଖଞ୍ଜା। ଦିନରାତି ଗଞ୍ଜେଇ ଚିଲମ ହାତରୁ ଛୁଟଣ ନ ଥାଏ। ଆଖି ଯୋଡ଼ିକ ସାନ ସାନ ସିନ୍ଦୂର ବିନ୍ଦୁପରି ଲାଲ। ସବୁବେଳେ ମିଞ୍ଜି ମିଞ୍ଜି କରି ଚାହାଁନ୍ତି। ତାଙ୍କ ଗଞ୍ଜେଇ ଚିଲମଟା ହାତେ ଲମ୍ବ। ଦଶ ପନ୍ଦର ଜଣ ଭଗତ-ଚେଲା ସବୁବେଳେ ବେଢ଼ି ବସିଥାନ୍ତ। ଗଞ୍ଜେଇ ଟିପା କାମ ପାଞ୍ଚ ଛ’ଜଣଙ୍କ ହାତରେ ଲାଗିଥାଏ। ମନ୍ଦିରରୁ ପ୍ରସାଦ ସେବା କରି ସବୁବେଳେ ଏମାନେ ପାଖରେ ହାଜର।