
ଆଗ ଆଗ ମହନ୍ତ ମହାରାଜମାନଙ୍କ ମହିମା କଥା ଦେଶଲୋକଙ୍କୁ ଜଣା, ପୁଣି ସେ ସବୁ କଥା ଭୂର୍ଜପତ୍ରରେ ଦେବନାଗର ଅକ୍ଷରରେ ରକ୍ତଚନ୍ଦନରେ ଲେଖାହୋଇ ଦେଉଙ୍କ ସିଂହାସନ ତଳେ ଅଛି। ଏ ଧୂଳିଆବାବା ସେ ସବୁ ପଢ଼ି ଆସି ବିଶ୍ବାସୀ ଭକ୍ତମାନଙ୍କ ପାଖରେ ଗୋପନରେ କହନ୍ତି, କେହି କେହି ଅବିଶ୍ବାସୀ ଭକ୍ତ ଲୋକଙ୍କ ପାଖରେ ପ୍ରକାଶ କରିପକାଏ।
ଧୂଳିଆବାବା ସବୁଦିନେ ଚେଲାମାନଙ୍କ ଆଗରେ କହନ୍ତି-ଏହି ପୁରୀର ଯେ ଜଗନ୍ନାଥ ଦେଉଳ ଦେଖୁଛ, ତିଆରି ହେଲା ବାଦ୍ ପ୍ରତିଷ୍ଠାକୁ ଅଯୋଧ୍ୟାରୁ ହଜାରେ ଆଠ ମୂର୍ତ୍ତି ସାଧୁ ମହନ୍ତ ଭୋଜି ଖାଇବାକୁ ଆସିଥିଲେ। ଚେଲାମାନଙ୍କ ଭକ୍ତି ଏଡ଼ି ନ ପାରି ରହି ଯାଇଛନ୍ତି, ଆଉ ଏ ମିଛୁଆ ଦେଶଟା ଭଲ ଲାଗୁନାହିଁ, ଅଯୋଧ୍ୟା ହନୁମାନ ଗାଦିକୁ ଫେରିଯିବେ। ପ୍ରସାଦ ସେବାକାରୀ ଚେଲାମାନ ଗୋଡ଼ତଳେ ପଡ଼ି ଗଡ଼ନ୍ତି। ସେମାନଙ୍କ ଉପରେ କୃପା କରି ଧୂଳିଆବାବା ରହିଯାଇଛନ୍ତି। ଏପରି ଘଟଣା ଶହକୁ ଶହଥର ହୋଇଗଲାଣି।
ମହନ୍ତଙ୍କର ଧନ ଦୌଲତ ଅମାପ। ଗାଈ ମଇଁଷି ପଲକୁ ପଲ, ଧାନ ଟଙ୍କାର ସୀମା ନାହିଁ। ଆୟ ଢେର। ଆୟ ମଧ୍ୟରୁ ଗୋଟିଏ ବିଶେଷ ଆୟ-ଏଇ ଦେଶ ମଧ୍ୟରେ ମାଲିମକଦ୍ଦମା ଉପସ୍ଥିତ ହେଲେ, ମୁଦେଇ ଓ ମୁଦାଲା ଦୁଇପକ୍ଷ ପ୍ରଭୁଙ୍କ ପାଖରେ ମନାସି ଯାନ୍ତି-ମାମଲା ଡିଗ୍ରୀହେଲେ କିଏ କେତେ ଟଙ୍କା ଦେବ, ପାଞ୍ଜିଆ ଲେଖି ରଖେ। ଯାହାର ମାମଲା ଡିଗ୍ରୀ ହୁଏ, ଜଣେ ସାଧୁଙ୍କୁ ପଠାଇ ତା’ଠାରୁ ଟଙ୍କା ଅସୁଲ କରାଯାଏ।
ରାମସାଉ-ଶାମସାଉ ଦୁଇ ଭାଇ। ଭାଇ ଭାଗ ବଣ୍ଟୁଆରା ପାଇଁ କଟକ ଅଦାଲତରେ ମକଦ୍ଦମା ଦାଏର ହେଲା। ରାମସାଉ ପ୍ରଭୁଙ୍କଠାରେ ମନାସିଗଲା-ମାମଲା ଡିଗ୍ରୀ ହେଲେ, କେତେ ଟଙ୍କା ଦେବ, ପାଞ୍ଜିଆ ପାଖରେ ଲେଖି ଦେଇଗଲା। ଶାମସାଉ ଆସି ନାହିଁ। ବୁଝ, ବୁଝ, ଶାମ କ୍ୟାଁ ଅଇଲା ନାହିଁ। ଜଣେ ଚେଲା ବୁଝି ଆସି ଜଣାଇଲା, “ପ୍ରଭୁ! କଣ କହିବି-କହିବାକୁ ଡର ମାଡ଼ୁଛି, ଆଜ୍ଞା ଶାମାର ଏଡ଼େ ବହପ, ପାଞ୍ଚଜଣଙ୍କ ଆଗରେ ସାଫ୍ ଫିଟେଇ କହିଲା-କଳିକାଳରେ ମହନ୍ତଙ୍କ କରାମତି କାହିଁ ଯେ, ମୁଁ ମନାସିବାକୁ ଯିବି?” ମହନ୍ତ ତେତେବେଳେ ଗଞ୍ଜେଇ ଭିଡ଼ୁଥିଲେ, ରାଗରେ ଖୁବ୍ ବଳରେ ଚିଲମଟା ଭିଡ଼ିଦେଲେ- ଦପ୍କରି ଜଳି ଉଠିଲା। ମହନ୍ତ ଅଳ୍ପ ଅଳ୍ପ, ଭକ୍ ଭକ୍ କରି ପାଟିରୁ ଧୂଆଁ ଛାଡ଼ୁଥାନ୍ତି, କଥାଟା ଚିପି ଚିପି କହିଲେ, “ଦେଖ’ ଚେଲାମାନେ, ଆମ ହୁକୁମ କରିବୁ, ଏହି ଚିଲମ ନିଆଁ କଥା କହିବ।”
ଚେଲାମାନଙ୍କର ତ ଆନନ୍ଦର ସୀମା ନାହିଁ। ସେମାନଙ୍କର ଦୃଢ଼ ବିଶ୍ବାସ, ମହନ୍ତଙ୍କ ଆଜ୍ଞା ମେଣ୍ଟଣ ହେବାର ନୁହେଁ। ସେହିଦିନ ମଧ୍ୟରେ ଦେଶଯାକ ହାଟ ହୋଇଗଲା, “ଧୂଳିଆବାବାଙ୍କୁ ପ୍ରଭୁଙ୍କର ସ୍ବପ୍ନ ହୋଇଛି, ସେ ସିଦ୍ଧପୁରୁଷ ହୋଇଗଲେଣି, ତାଙ୍କ ଗଞ୍ଜେଇ ଚିଲମ କଥା କହିବ।” ଥୋକେ ଚେଲା ପ୍ରକାଶ କଲେ-“ନାହିଁ ନାହିଁ-ଚିଲମ ନୁହେଁ, ଚିଲମ ନିଆଁ କଥା କହୁଛନ୍ତି-ଦଶଜଣଙ୍କୁ ଆଜ୍ଞା ହେଲା-ସେ ନିଜେ ଶୁଣି ଆସିଲା।” ଆଉ ଯାଏ କାହିଁ-ତହିଁଆର ଦିନ ସଖାଳୁ ସଞ୍ଜଯାଏ ଶହକୁ ଶହ ଲୋକ ଧାଇଁଛନ୍ତି। କାହାକୁ ବେମାର ଛାଡ଼ୁନାହିଁ-କାହାର ବଳଦ ହଜିଛି ମିଳୁନାହିଁ-କାହାର ମାମଲା ଦାଏର ଅଛି, ଡିଗ୍ରୀ ହେଉ। ଢେର ଢେର ତିରିଲା ପା’ପୂଜା ପଠାଇଛନ୍ତି। ସେମାନଙ୍କର ପୁଅ ହେଉନାହିଁ-ଚିଲମ ପ୍ରଭୁ ବର ଦିଅନ୍ତୁ। ଲୋକ ପାଦପୂଜା ଟଙ୍କା, ଅଧୁଲି, ସୁକି ମହନ୍ତଙ୍କ ପାଦତଳେ ଦେଇ ଅଧ୍ୟା ପଡ଼ିଛନ୍ତି।
ମହନ୍ତ ମହାରାଜ ଆଜ୍ଞା କଲେ, “ଉଠ ଉଠ ବାବାମାନେ! ଆମ୍ଭେ କିଛି କହିବୁଁ ନାହିଁ-ଏହି ଯେ ଆମ୍ଭ ଗଞ୍ଜେଇ ଚିଲମରେ ଅଗ୍ନି ଦେଖୁଛ, ସେଥିରେ ଧୂନି ଥାପନା ହେବ, ସେହି ଧୂନିରେ ଅଗ୍ନିଦେବତା ବିଜେ କରିବେ, ସମସ୍ତଙ୍କ ଗୁହାରି ଶୁଣି ବର ଦେବେ। ଆସନ୍ତା ଅଗିରା ପୁନେଇ ଦିନ ଅଗ୍ନିଦେବତା ସ୍ବର୍ଗରୁ ବିଜେ ହୋଇ ପୃଥିବୀରେ ଭ୍ରମଣ କରିବେ, ସମସ୍ତଙ୍କ ଗୁହାରୀ ଶୁଣି ବର ଦେବେ। ଆମ୍ଭକୁ ସ୍ବପ୍ନରେ ଆଜ୍ଞା କରିଛନ୍ତି। ଆମ୍ଭେ ଧୂନି ଥାପି ତାଙ୍କୁ ବିଜେ କରାଇ ରଖିବୁଁ, ଯାହାର ଯାହା ଗୁହାରି ଥିବ ପୂଜାଦେଇ ଜଣାଇଲେ ତତ୍କ୍ଷଣାତ୍ ବର ମିଳିଯିବ।” ପୂଜାର ବିଧାନ ସମସ୍ତଙ୍କୁ ଶୁଣାଇ ଦେଲେ-ଧୂନିରେ ଶଏ ଆଠ ଆହୁତି ଦିଆଯିବ, ସେଥି ସକାଶେ ଖଣ୍ଡିଏ ନବବସ୍ତ୍ର, ପାଞ୍ଚ ପା ଘିଅ, ପଞ୍ଚୁବର୍ଣ୍ଣି ଭୋଗ, ପଞ୍ଚୁବର୍ଣ୍ଣି ପୁଷ୍ପ, ଗାଦି ପୂଜା ଦକ୍ଷିଣା ଯାହାର ଯାହା ଶକ୍ୟ। କିନ୍ତୁ ପାଞ୍ଚ ସୁଉକାରୁ ଊଣା ନୁହେଁ ।
ଅଗିରା ପୂର୍ଣ୍ଣିମା ଅଧରାତିଠାରୁ ଧୂନିପୂଜା ଆରମ୍ଭ ହେଲା। ମହନ୍ତ ମହାରାଜ ଆହୁତି ଦେବାରୁ ଅଗ୍ନିଦେବତା ବିଜେ ହୋଇଗଲେ, ଧୂ-ଧୂ ହୋଇ ଜଳୁଛନ୍ତି। ଯାହାର ଯାହା ପ୍ରାର୍ଥନା, ହାତଯୋଡ଼ି ଜଣାଇଲେ, ଧୂନି ଭିତରୁ ଅଗ୍ନି ଦେବତା ଗମ୍ଭୀର ସ୍ବରରେର ହୁଁ-ନା-ହେବ-ଏହିପରି ଆଜ୍ଞା କରୁଛନ୍ତି। ପ୍ରତ୍ୟକ୍ଷରେ ଅବିଶ୍ବାସ କଣ? ଲୋକମାନେ ଶୁଣି ତାଟକା-ଭକ୍ତିରେ ଭୂଇଁରେ ପଡ଼ି ଗଡ଼ି ଯାଉଛନ୍ତି। ହିରିଧ୍ବନିରେ ମଠ ଉଛୁଳି ପଡ଼ୁଛି।
ଶାମ ସାଉ ସବୁକଥା ଶୁଣିଲା, ଘର ମଧ୍ୟରେ ଡକାପାରି ମୁଣ୍ଡ ବାଡ଼େଇ ହେଉଛି। ଲୋକମାନେ ଧୂନି ପୂଜା କରି ବର ଘେନି ଯାଉଛନ୍ତି, ରାମାଭାଇ ବି ପୂଜାଦେଇ ବର ପାଇବ, ମୋହର ସର୍ବନାଶ ହେବ, ଇଜମାଲୀ ଧନ ଉଣା ନୁହେଁ, ଲକ୍ଷକରୁ ବଳିପଡ଼ିବ, ସବୁ ରାମାଭାଇ ଘେନିଯିବ। ମହନ୍ତ ମହାରାଜ ଖପା ହୋଇ ଆଜ୍ଞା କରିଛନ୍ତ-“ଆଚ୍ଛା ସେ ତେଲିଟୋକାକୁ ଦେଖିବୁ”। ଏ କଥା ଶୁଣିଲାବେଳୁ ଶାମାର ଫାକାଶି ଉଡ଼ିଲାଣି। କଣ କରିବ ଭାଳୁଁ ଭାଳୁଁ ଗୋଟାଏ ବୁଦ୍ଧି ଦିଶିଗଲା। ମହନ୍ତ ମହାରାଜଙ୍କ ଗଞ୍ଜେଇ-ପ୍ରସାଦ ସେବକମାନଙ୍କୁ ଯାଇଁ ଧରିଲା। କାହାକୁ ଦଶ, କାହାକୁ ପାଞ୍ଚ ଦେଇ ସମସ୍ତଙ୍କ ଗୋଡ଼ତଳେ ପଡ଼ିଲା, ସମସ୍ତେ ଅଭୟ ଦେଇ ମହନ୍ତଙ୍କ ଗୋଡ଼ତଳେ ପଡ଼ିବାକୁ ଉପଦେଶ ଦେଲେ।
ବେଳ ଛ’ଘଡ଼ି, ସେବକମାନେ ବେଢ଼ି ବସିଛନ୍ତ। ମହନ୍ତ ଧୂଳିଟାରେ ବସି ଗଞ୍ଜେଇ ଭିଡ଼ୁଛନ୍ତି, ଜାଗାଟା ଧୂଆଁମୟ। ଶାମ ସାଉର ଛାତି ଦାଉଁ ଦାଉଁ ପଡ଼ୁଛି, ଡରି ଡରି ଯାଇ ମୁଠାଏ ଟଙ୍କା ପାଦପୂଜା ପାଇଁ ଝଣକରି ମହନ୍ତଙ୍କ ପାଦତଳକୁ ଫୋପାଡ଼ି ଦେଇ, ଲମ୍ବ ଲମ୍ବ ଗୋଡ଼ ତଳେ ପଡ଼ିଗଲା। “ପ୍ରଭୁ ମୁଁ ପିଲା, ମୁଁ ମହାପାପୀ, ମୋ ଅପରାଧ କ୍ଷମା କରନ୍ତୁ।” ମହନ୍ତ ଆଖିବୁଜି ବସି ଗଞ୍ଜେଇ ଭିଡୁଛନ୍ତି, କିଛି ଆଜ୍ଞା ହେଲା ନାହିଁ। ସମସ୍ତ ସେବକ ଏକାବେଳେକ ମହନ୍ତ ମହାରାଜଙ୍କ ଗୋଡ଼ ତଳେ ପଡ଼ି ପ୍ରାର୍ଥନା କଲେ-“ହେ ମହାପ୍ରଭୁ! ଆମ୍ଭେମାନେ ମହାପାପିଷ୍ଠ, ଅପରାଧୀ-ପ୍ରଭୁ କ୍ଷମା ନ କଲେ ଆଉ କିଏ ଜଗତରେ ଅଛି?” ଦୟାମୟ ପ୍ରଭୁ ଏକାବେଳକେ ଆଜ୍ଞା କଲେ, “ଯାଓ ବେଟା, ପୂଜା ଲେଆଓ।” ଶାମ ସାଉର ଆନ୍ଦର ସୀମା ନାହିଁ, ପୂଜା ଆୟୋଜନରେ ଧାଇଁଛି।
ଯେଡ଼େ ମହାଜନ ପୂଜା ଆୟୋଜନ ସେହିପରି-ଘିଅ ପାଞ୍ଚ ପା ଜାଗାରେ ପାଞ୍ଚସେର, ଆଉ ଆଉ ସରଞ୍ଜାମ ତା ମାଫିକେ। ସମସ୍ତେ ଖଣ୍ଡେ ଖଣ୍ଡେ ସୂତା ଶାଢ଼ୀ ଆହୁତି ଦିଅନ୍ତି, ଶାମ ସାଉ କୁମ୍ଭକର୍ଣ୍ଣୀ କିନାରି ସଚ୍ଚା, ଜରି ମୁହୁଣ୍ଡା ଖଣ୍ଡେ ବରମପୁରୀ ପାଟଶାଢ଼ୀ ଆହୁତି ଦେବାଲାଗି ଆଣିଛି। ଶାମ ସାଉର ଭାରି ବଡ଼ ପୂଜା ହେବ, ଗାଁରେ ବି ସେ ଦୁଇଭାଇ ବଡ଼ ଟାଣୁଆ ମହାଜନ। ଅଗ୍ନିଦେବ ତାଙ୍କୁ କି ବର ଦେବେ, ଶୁଣିବାପାଇଁ ଆଖପାଖ ପାଞ୍ଚଖଣ୍ଡ ଗାଁରୁ ମଣିଷ ଧାଇଁଛନ୍ତି, ଉଣାଅଧିକ ପାଞ୍ଚଶହ ଲୋକ ଜମାହୋଇ ଗଲେଣି-ବେଢ଼ା ଭିତରେ ଜାଗା ନାହିଁ।