ମୋର ମୁଣ୍ଡ ଟିକେ ହାଲୁକା ହୋଇଗଲା। ବାଟରେ ଯାଉଯାଉ ଭାବି ଦେଖିଲି, ଏଇ ଧନୀଲୋକ ତା’ହେଲେ ଗାନ୍ଧିଜୀଙ୍କର ବିରୋଧ କରୁଚନ୍ତି। ସେହେତୁରୁ ସେ ଭରସା କରିଚନ୍ତି ଗରିବଙ୍କ ଉପରେ। ତେବେ, ଗରିବଲୋକେ କେବଳ ଆମ ଦେଶର ବଡ଼ ସାହସୀ। ଗାନ୍ଧୀଜୀଙ୍କ ପାଇଁ ଜେଲ୍ ଯିବାକୁ ସେମାନେ ଜମା ଡରୁନାହାନ୍ତି। ମୁଁ ନିଶ୍ଚୟ ଗରିବ ଲୋକଙ୍କୁ ଭଲପାଇବି। ମୁଁ ଜାଣିଥିବା ଗରିବ ଲୋକଙ୍କର ମେନେମନେ ଗୋଟାଏ ତାଲିକା କରିନେଲି।

ଆର ସାହିର ଚୁଡୁତିଆଣି ବୁଢ଼ୀ-ଯିଏ ଭୂଜା, ଉଖୁଡା ବିକି ଆଣେ, ଆମ ସାହିର ଜଗନ୍ନାଥ ପୂଜାରୀ, ଧରମୁ ପଣ୍ଡା, ତାପିଆ ବାଙ୍କ ବେବର୍ତ୍ତା, ନିଧିଦାସ-ପାଛିଆରେ, ଏଣ୍ଡୁରି, ପୁଳି, ଚକୁଳି ଧରି ଯିଏ ସାହିସାହି ବୁଲି ବିକେ, ଆମ ପଡ଼ିଶାର ରଙ୍ଗା ପାଢ଼ୀ। ଏ ସମସ୍ତେ ତ ଗରିବ। ପ୍ରତିଦିନ ଦୁଇ ପଇସା ରୋଜଗାର ନକଲେ ଏମାନଙ୍କ ଚୁଲି ଜଳେନି। ଏମାନେ ନିଶ୍ଚୟ ଦେବେ।

ସବୁ ସିନା ହେଲା, ମୁଁ ଯାଇ କାହାକୁ ମାଗିପାରୁଚି କିମିତି? ନଅ ବରଷର ଗୋଟାଏ ଛୁଆ କଥାରେ ସେମାନେ ପରତେ ଯିବେ ବୋଲି କି ବିଶ୍ବାସ? ହଉ, ଆଉ କାହାପାଖକୁ ଯାଇପାରିବିନି ସିନା, ରଙ୍ଗା ପାଢ଼ୀକୁ ଅବଶ୍ୟ କହିପାରିବି। ସେଦିନ ତା’ର ନାତି ପିନ୍ଧୁ ବୋଲି ଗୋଟାଏ ଜାମା ଦେଇଚି। ସେ କଣ ମୋ’କଥା ଶୁଣିବନି?
(୫)
“ହଇରେ ପୁଅ, ଆଜି କୁଆଡ଼େ ଖେଳିବୁଲି ଗଲୁନି?” ରଙ୍ଗା ପାଢ଼ୀ ପଚାରିଲା ଶେଷରେ।
ବେଳ ଢଳିଆସିଲାବେଳକୁ ତା’ର ସବୁଦିନ ଅଧକପାଳି ମାରେ। କପାଳର ଅଧକରେ ରକ୍ତଚନ୍ଦନ ଲେପ ଦେଇ ପାଛୁଡ଼ି ଘୋଡ଼େଇ ହେଇ ସେ ବସିଚି ପିଣ୍ଡା ଉପରେ। ପ୍ରାୟ କୋଡ଼ିଏ ମିନିଟ୍ ହେବ ମୁଁ ତା’ର ପାଖରେ ବସିଚି, କିନ୍ତୁ ଚାନ୍ଦା କଥା କହିପାରୁନି। ମୋର ଏ ଭୀରୁତା ଲାଗି ମୁଁ ଖୁବ୍ ବିରକ୍ତ ହେଉଥିଲି ମନେମନେ।

“ଶୀତକାଳଟା ନା, ଟିକିଏ ବୁଲିଚାଲି ନଆସିଲେ ଦିହ କିମିତି ସିର୍‌ସିରିଆ ଲାଗେ।”

ଭାବିଲି, ଆଉ, ଚୁପ୍ ରହିବା ଭଲ ହେବନି। ଅନ୍ୟ କିଏ ଯଦି ଆସିଯାଏ ମୁଁ ଜମା ମୁହଁ ଖୋଲିପାରିବିନି। କହିଲି, “ରଙ୍ଗା ପାଢ଼ୀ, ମୁଁ ତୁମ ପାଖକୁ ଚାନ୍ଦା ମାଗି ଆସିଚି।”

ନିର୍ଲିପ୍ତ ଭାବରେ ଉତ୍ତର କଲା, “କି ଚାନ୍ଦାରେ ପୁଅ? ଆମେ ତ ଗରିବ ଲୋକ ଜାଣିଚୁ। କୋଉଠୁଁ ଆଣିବୁ?”

“ବେଶି ନୁହେଁ ମ। ମୁଁ ପଇସାଟିଏ ଦେଇଚି। ତମେ ମଧ୍ୟ ପଇସାଟିଏ ଦେବ।”
ସେ ଆଶ୍ଚର୍ଯ୍ୟ ହେଲା।

“ପଇସାଟିଏ’ କୋଉଥିପାଇଁ ପୁଅ? ତମ ଖେଳପାଇଁ କିସ କରିବ କି?”
ମୁଁ କହିଲି, “ନା, ସ୍ବରାଜ ପାଣ୍ଠିକୁ ଦେବି।”

ତା’ର ମନରେ ଅବିଶ୍ୱାସ ଛୁଇଁଲା-
“କି ପାଣ୍ଠି ବୋଇଲ?”

“ସ୍ବରାଜ ପାଣ୍ଠି, ଗାନ୍ଧିଜୀ ମାଗିଚନ୍ତି। ସବୁ ଗରିବଲୋକେ ପଇସାଏ କରି ଦେଲେ ଗୋରାଲୋକଙ୍କୁ ସେ ଆମ ଦେଶରୁ ତଡ଼ିଦେବେ। ସେମାନେ କୁଆଡ଼େ ଆମ ଦେଶର ସବୁ ଧନ ଚୋରି କରି ନେଇଯାଉଚନ୍ତି।”
ଗାନ୍ଧୀ ନାଁ ଶୁଣି ରଙ୍ଗା ପାଢ଼ୀର ମୁହଁ ଶେତା ପଡ଼ିଗଲା।

ଛନଛନ ଆଖିରେ ସାହି ଉପରକୁ ଅନେଇ ସେ କହିଲା-
“ସେ ନାଁ ଧଇଲେ ପରା ଜେଏଲ କରୁଚନ୍ତି ? କୋଉଠି କହନାରେ ପୁଅ’ ତୁ ଆମର ଖେଳିବୁଲି ପାଠ ପଢ଼େ। ସେତେ ଅସନଟ କଥାରୁ କିସ ମିଳିବ?
କ୍ଲାସ୍‌ଶିକ୍ଷକ କହିଥିବା କଥା ସବୁ କହିଗଲି। ସେ ଟିକିଏ ଦୋଦୋପାଞ୍ଚ ହେଲାଭଳି ଜଣାଗଲା-
“ତୁ ପଇସାଟେ ଦେଇଚୁ। ମୁଁ ଦେବା କଥା କିଏ ଜାଣିବନି?”

ବିଶ୍ୱାସ ଦେଲି, ସେ ଓ ମୁଁ ବିନା ତୃତୀୟ ଲୋକ କେହି ଏ କଥା ଜାଣିବନି। ଅଣ୍ଟାରୁ ପଇସା ବାହାର କରି ସେ ମତେ ତା’ର ଆହୁରି ପାଖକୁ ଡାକିଲା। ମୁଁ ଘୁଞ୍ଚି ବସିଲି। ମୋର ହାତରେ ଦେଢ଼ ପଇସା ଦେଇ ସେ କହିଲା,“ତୁ ପିଲାଲୋକ ହୋଇ ପଇସାଟିଏ ଯେବେ ଦେଇଚୁ, ମୁଁ ଅଧିକା କିଛି ଦେବାର ଥିଲା। ମାତ୍ର ମୋ ପାଖରେ ଆଉ ଅଧଲାଏ ହେଲେ ନାଇଁ। ଦୁଇ ପଇସା କରି ଦେଇଥିଲେ ସୁନ୍ଦର ହେଇଥାନ୍ତା। ମୋର ନାଁ ମାତ୍ର କହାକୁ କହିବୁନିଟି ପୁଅ।”

ରଙ୍ଗା ପାଢ଼ୀକୁ ନିର୍ଭର କଥା ଦେଇ ଫେରିଲି। ଉଚ୍ଚଟରେ ଛାତି ମୋର ଫୁଲିଉଠୁଥିଲା। ସିଧା ଚାଲିଲି କ୍ଲାସ୍‌ଶିକ୍ଷକଙ୍କ ଘରକୁ। ରଙ୍ଗା ପାଢ଼ୀର ଦେଢ଼ ପଇସା ତାଙ୍କ ହାତରେ ଦେବା ପର୍ଯ୍ୟନ୍ତ ମୋ’ ମନରେ ଶାନ୍ତି ନଥିଲା। ଗାନ୍ଧିଜୀ ମୋ’ ଉପରେ ଅବଶ୍ୟ ସନ୍ତୁଷ୍ଟ ହେବେ। ସେ କିମିତି ଚଞ୍ଚଳ ଗୋରାଙ୍କୁ ଏ ଦେଶରୁ ତଡ଼ନ୍ତୁ। ଆମର ଧନ ଆମ ପାଖରେ ରହୁ।
(୬)
ବହୁତ ବର୍ଷ ବିତିଗଲାଣି। ଛୁଟିଦିନମାନଙ୍କରେ ମୁଁ ଯେବେ ଗାଁ କୁ ଯାଇଚି, ରଙ୍ଗା ପାଢ଼ୀ ପଚାରିଚି-
“ହଇରେ ପୁଅ, ସ୍ବରାଜ ଆଉ କେବେ ଆସିବ?”
ମୁଁ ସାନ୍ତ୍ୱନା ଦେଇ ଆସିଛି-
“ଆସୁଚି, ପାଖେଇଲାଣି, ନିଶ୍ଚୟ ଆସିବ।”

ବହୁଦିନ ଶଯ୍ୟାଶାୟୀ ହେଇ ବୟାଳିଶି ବିଦ୍ରୋହର ନିଆଁ ଲିଭି-ଆସିଲା ବେଳକୁ ରଙ୍ଗା ପାଢ଼ୀ ମଲା। ତା’ର ପ୍ରାଣ ଛାଡ଼ିଲାବେଳେ ସ୍ୱରାଜ ନିଶ୍ଚୟ ଆସୁଚି ବୋଲି କହିଦେବା ପାଇଁ ମୁଁ ଗାଁରେ ନଥିଲି। ପୁଲିସର ନଜର ଏଡ଼ିବା ପାଇଁ ଅଜ୍ଞାତବାସ କରିଥିଲି।

ଭାରତ ସ୍ବାଧୀନ ହେଲା। ସେଇ ଦିନରୁ ଯେତେ ସବୁ ଘଟଣା ଘଟିଗଲାଣି-ନୀତି, ବାଦ ଓ ପନ୍ଥା ନେଇ ଯେତେ ରକମର ଆଲୋଚନା ଓ ସମାଲୋଚନା ହେଲାଣି, ଦେଖି ଶୁଣି ପଢ଼ି ମୁଁ ଯାହା ଗ୍ରହଣ କଲିଣି, ଆଜି ୧୯୫୪ ଡିସେମ୍ବରରେ ମୁଁ ମାନିପାରୁନି ଯେ ଆମର ଦେଶ ଉପରୁ ଗୋରାର କବଳକରା ହାତ ସମ୍ପୂର୍ଣ୍ଣ ଅପସରି ଯାଇଚି।

ଉକ୍ତ ଗଳ୍ପଟି ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଦ୍ୱାରା ୧୯୮୩ ମସିହାରେ ଉଚ୍ଚ ମାଧ୍ୟମିକ ଶ୍ରେଣୀ ନିମନ୍ତେ ପ୍ରକାଶିତ ‘ଗଳ୍ପ-ଏକାଙ୍କିକା ମାଳା’ ପୁସ୍ତକରୁ ଆନୀତ।

Pages: 1 2 3