ବିଜୟ ମାନିଲାନି। ସେ କହିଚି, ଗାନ୍ଧିଜୀଙ୍କୁ ଯିଏ ପଇସା ଦେବ ସେ ଜେଲ୍ ଯିବ। ତା’ର ବାପା ପୁଲିସ୍ ଦପ୍ତରରୁ ବୁଝିଆସିଚନ୍ତି। ଏଥିଲାଗି ପୁଲିସ୍ମାନେ ଖୁବ୍ ଜାଗତିଆର ଅଛନ୍ତି ଏବଂ ସବୁ ଗାଁ ରେ ଏ କଥା ପ୍ରଚାର କରିଦିଆଯାଇଚି।
ସେଇ କେତେଦିନ ଧରି ମୋ ମନରେ ଜମା ସରସତା ନଥିଲା। ଗାନ୍ଧିଜୀଙ୍କୁ ଦେଖିବା ଆଶା ତ ଗଲା। ତାଙ୍କୁ କିଭଳି ସାହାଯ୍ୟ କରିପାରିବି, ଭାବିଭାବି ବାଟ ପାଉ ନଥିଲି।
ପଇସାଟିଏ ଦେବାଲାଗି ମୋର କିଛି ଅସୁବିଧା ନାହିଁ। କିନ୍ତୁ ମୋର ସେ ପାଇସାଟି ତାଙ୍କ ପାଖେର ପହଞ୍ଚିବ କିମିତି? କିଏ ଯଦି ମୋର ପଇସାଟି ନେଇ ତାଙ୍କ ହାତରେ ଦିଅନ୍ତା, ଆଉ କହିଆସନ୍ତା-ଆସିକା ହାଇସ୍କୁଲ ଚତୁର୍ଥ ଶ୍ରେଣୀର ସେଇ ସୁଜନ ବୋଲିବା ପିଲାଟି, ଯିଏ ବ୍ଲାକବୋର୍ଡରେ ତୁମର ଚିତ୍ର ଦେଖି ତୁମ ପାଖକୁ ଆସିବାକୁ ଖୁବ୍ ଆଶା କରି ରହିଚି, ଏଇ ପଇସାଟି ଦେଇଚି। ସୁବିଧା ହେଲେ ତାକୁ ଥରେ ଡାକି ଆଣ, କିନ୍ତୁ ଏ କଥା ବିଜୟ ଯେପରି ନ ଜାଣେ।
ସ୍କୁଲ ଛୁଟି ହେଲେ ମୁଁ ଘରକୁ ଯାଏ। ଆଉ କେଉଁଠି ହେଲେ ଏକୁଟିଆ ବସି ଗାନ୍ଧିଜୀଙ୍କ କଥା ଭାବେ। ତାଙ୍କ ପାଖରେ ତ ଅନେକ ପିଲା ଥିବେ। ତେବେ ସେ ମତେ ନେବେ କାହିଁକି? ଚିଠି ଲେଖିଲେ ହୁଅନ୍ତା ପରା, କିନ୍ତୁ ତାଙ୍କର ଠିକଣା ଜାଣିବି କିମିତି? କାହାକୁ ପଚାରିବି? ବିଜୟ କ’ଣ ଜାଣିଥିବ? ନା, ତାକୁ ପଚାରିବା ଠିକ୍ ହେବନି। ନଈବାଲିକୁ ମୁଁ କେତେ ଦିନ ହେଲା ଯାଇନି ବୋଲି ସେ ମୋର ଉପରେ ଖୁବ୍ ରାଗିକରି ରହିଚି।
ଶନିବାର, ରବିବାର ଦୁଇଦିନ ସ୍କୁଲ ବନ୍ଦ ରହେ। ଶୁକ୍ରବାର ଦିନ ଶେଷ ପିରିଅଡ଼ ଘଣ୍ଟା ବାଜିବା ପରେ କ୍ଲାସ-ଶିକ୍ଷକଙ୍କ ପଛେପଛେ ଗଲି। କିଛି ଦୂର ଯିବା ପରେ ପିଲାମାନଙ୍କ ଗହଳି ଯେତେବେଳେ କମିଆସିଲା, ଦକଦକ ଛାତିରେ ପଛରୁ ଡାକିଲି। ସେ ଫେରିପଡ଼ି ମତେ ଅନେଇଲେ।
“କଣ କିରେ?”
ବହୁଦିନ ହେଲା ଯେଉଁ ଚିଜଟିକୁ ପକେଟରେ ଧରି କେତେ ଆଶା-ନିରାଶା, ହସକାନ୍ଦର କଥା ନୀରବ ଭାବେ ମନେମନେ କହିଉଠୁଥିଲି, ଥରଥର ହାତରେ ତାଙ୍କ ହାତକୁ ବଢ଼ାଇଦେଲି। କିଛି ବୁଝି ନପାରି ସେ ପଚାରିଲେ, “ମତେ ପଇସାଟାଏ ଦେଲୁ?”
ପେଟ ଭିତରୁ କଥା ଫୁଲିଆସୁଥିଲା। ଆଖି ଛଳଛଳ ହେଇ ଆସିଲାଣି। ଭୀତଜଡ଼ିତ କଣ୍ଠରେ କହିଲି, “ମୋର ଏ ପଇସାଟି ଗାନ୍ଧିଜୀଙ୍କ ପାଖକୁ ପଠେଇଦେବେ।”
ତାଙ୍କ ମୁହଁର ବିସ୍ମୟ, ଆନନ୍ଦ, ଗଭୀର ବିଶ୍ୱାସର ଆଭା ଫୁଟି-ଉଠିଲା। ସ୍ନେହଭରା ଚଞ୍ଚଳ କଣ୍ଠରେ ପଚାରିଲେ-“ତୁ ସତରେ ଏଇ ପଇସାଟି ଗାନ୍ଧୀଜୀଙ୍କ ସ୍ୱରାଜ-ପାଣ୍ଠିକୁ ଦେଇଚୁ?” କେତେ ଦିନରୁ ଭାବିଥିଲି, କେତେ କଣ ପାଞ୍ଚିଥିଲି-ସବୁ କଥା ତାଙ୍କୁ କହିବି ବୋଲି ବିକଳ ହେଲି। କିନ୍ତୁ ଗୋଟିଏ ଛୋଟ, ଭୀତ-ଜଡ଼ିତ “ହଁ” ଛାଡ଼ା ଆଉ କିଛି କଥା ମୁହଁ ଦେଇ ବାହାର ହେଲାନି। ଆଖିର ଲୁହ ଭରିଆସିଥିଲା । ମୋର ମୁଣ୍ଡ ଆଉଁସି ଦେଇ ସେ କହିଲେ, “ମୁଁ ନିଶ୍ଚୟ ତୋର ଏ ପଇସାଟି ଗାନ୍ଧିଜୀଙ୍କ ପାଖକୁ ପଠେଇଦେବି। ତୋ’ ଭଳି ପିଲା ବାହାରିଲେ ଏ ଦେଶ ସୁନା ହେଇଯିବ। ସୋମବାର ଦିନ କ୍ଲାସରେ ଏ କଥା ମୁଁ ସବୁ ପିଲାଙ୍କୁ କହିବି।”
ଅନୁନୟ କରି କହିଲି-“ନାଇଁ ଆଜ୍ଞା, ଏ କଥା ଆଉ କାହାକୁ କହିବେନି । ବିଜୟ ଜାଣିଲେ ମତେ…”
ସେ ମିନିଟିଏ ନୀରବ ହେଇଗଲେ, ଭାବିଲେ କେଜାଣି କହିଲେ-“ହେଉ, ତୋ’ କଥାଇ ହେଉ। ତୋର ଏ ଦାନ କଥା ମୁଁ କାହାକୁ କହିବିନି। କିନ୍ତୁ ତୋତେ ଆଉ ଗୋଟିଏ କାମ କରିବାକୁ ପଡ଼ିବ।”
ଆଗ୍ରହରେ ପଚାରିଲି, “କ’ଣ ଆଜ୍ଞା?” ସେ କହିଲେ, “ତୁ ଏ ପଇସାଟି ଦାନ କରିଦେଇ ତୋର କର୍ତ୍ତବ୍ୟ ଶେଷ ହେଲା ମନେକଲେ ଚଳିବନି। ତତେ ଅନ୍ୟମାନଙ୍କ ପାଖରୁ ଆଉ କିଛି ସଂଗ୍ରହ କରିବାକୁ ହେବ। ତେବେ ଯାଇ ଗାନ୍ଧିଜୀ କହିବେ ସୁଜନ, ସାବାସ୍।”
ସେ ଚାଲିଗଲେ। ମୋ’ମୁଣ୍ଡରେ ଚିନ୍ତା ଭରିଥିଲା।
(୪)
ସୁଜନ, ସାବାସ୍-ସୁଜନ, ସାବାସ୍-ବ୍ଲାକବୋର୍ଡର ସେଇ ରେଖାଚିତ୍ରଟି ମତେ ତୁହାଇତୁହାଇ କହୁଚି। କାହାକୁ ମାଗିବି, କ’ଣ ବୋଲି ବୁଝେଇବି ମୁଁ, କିଛି ଥଳକୁଳ ପାଉ ନଥିଲି। ବିଜୟ କହିଥିଲା, ଗାନ୍ଧିଜୀଙ୍କୁ ଯିଏ ପଇସା ଦେବ, ସେ ଜେଲ୍ ଯିବ। ଏ କଥା ତ ସବୁ ଗାଁରେ ପ୍ରଚାର ହେଇଯିବଣି। ମୋ’ କଥା କିଏ କାହିଁକି ଶୁଣିବ? ସମସ୍ତେ ମାରି-ଗୋଡ଼େଇବେ। ବୋଉକୁ ମାଗିଲେ ହୁଏତ ଦେବ। କିନ୍ତୁ ସେ ପଇସା ଗାନ୍ଧିଜୀଙ୍କ ପାଣ୍ଠିକୁ ଯାଉଚି ଜାଣିଲେ ବାପା, ହୁଏତ-ହୁଏତ କାହିଁକି, ନିଶ୍ଚୟ ମନା କରିଦେବେ।
କାହାକୁ ମାଗିବି? ଏ ଲୋକଗୁଡ଼ାକ ସତରେ ବଡ଼ ଭୟାଳୁ। ଜେଲ୍ ତ ଆଉ ଫାଶୀଖୁଣ୍ଟ ନୁହେଁ, ବୁଢ଼ୀ ଅସୁରୁଣୀର ଗୁହା ନୁହେଁ। ଗାନ୍ଧିଜୀଙ୍କୁ ପଇସା ଦେଇ ଜେଲ୍ ଯିବାପାଇଁ ଏତେ ଡର କାହିଁକି? ନା, ଏ ଲୋକ ଚୋରି କରି, କାହାର ମୁଣ୍ଡ ଫଟେଇ କେବଳ ଜେଲ୍ ଯିବେ। ଗାନ୍ଧିଙ୍କ ପାଇଁ ଯିବେନି। ଦେଖାହେଲେ ମୁଁ ସଫା କହିଦେବି-ତମେ କାହିଁକି ମିଛରେ ଏ ଲୋକଙ୍କ ଉପରେ ଭରସା କରିଚ! ଏମାନେ ତୁମ କଥା ଶୁଣିବେନି। ଏମାନେ ଲୁଚେଇଛପେଇ ପଇସା କରିବା ଜାଣନ୍ତି, ମାରପିଟ୍ ହେବା ଜାଣନ୍ତି। ତୁମକୁ ଅଧଲାଏ ଦେବେନି କି ଜେଲ୍ ଯିବେନି।
ମୁଁ କାନ୍ଦକାନ୍ଦ ହୋଇଯାଉଥିଲି।
କ୍ଲାସ୍ ଶିକ୍ଷକଙ୍କ ସଙ୍ଗେ ଏକଲା ଦେଖାକରିବାକୁ ମୋର ଆଉ ସାହସ ବଳୁ ନଥିଲା। ମତେ ସେ କ’ଣ କହିବେ’ ପଇସାଟିଏ ମୁଁ କାହାରିଠୁ ଆଣିପାରିଲିନି। ମୋ’ପାଇଁ ଗାନ୍ଧିଜୀଙ୍କ ମୁହଁରୁ ‘ସୁଜନ, ସାବାସ୍’ ଆଉ ବାହାରିବନି। କେବଳ ଶିକ୍ଷକ କହିବେ-‘ଛି, ସୁଜନ।’
ମୁଁ ବୁଝିପାରିଥିଲି, ମୋ’ ସଙ୍ଗେ ସେ କଥା ହେବାକୁ ଚାହିଁଚନ୍ତି। କିନ୍ତୁ ଧରା ନଦେବା ପାଇଁ ମୁଁ ମନେମନେ ଫିକର ପାଞ୍ଚୁଥିଲି। ସକାଳ ବେଳାର ଶେଷ ପିରିଅଡ୍ ଶେଷରେ କ୍ଲାସ୍ ରୁ ବାହାରିଗଲାବେଳକୁ ଶିକ୍ଷକ କହିଲେ, ‘ସୁଜନ, ଆସିବୁଟି ମୋ’ ତୁଲେ।”
ଅପରାଧୀ ଭଳି ତାଙ୍କ ପଛେ ପଛେ ଗଲି। ଶିକ୍ଷକମାନଙ୍କ ବିଶ୍ରାମ କରିବା ଘରମୁହଁରେ ଠିଆ ହେଇ ସେ ପଚାରିଲେ, “ କିଛି ପାଇଲୁ କାହାଠୁ?”
ଦେବା ପାଇଁ ଉତ୍ତର ନଥିଲା, ମୁଣ୍ଡ ପୋତି ଠିଆହେଲି। ମୋର କାନ୍ଧ ଉପରେ ହାତ ଥୋଇ ସେ ଭରସା ଦେଲେ-
“ହତାଶ ହବା ଦରକାର ନାଇଁ। ହଁ, ତତେ କହିବାକୁ ଭୁଲି-ଯାଇଥିଲି। ଧନୀଲୋକଙ୍କୁ ମାଗିଲେ ସେମାନେ ଦେବେନି। କାରଣ ସେମାନେ ଚାହାନ୍ତି ଏ ଦେଶରେ ଗୋରା ରହନ୍ତୁ ବୋଲି। ତୁ ଗରିବ ଲୋକଙ୍କୁ ମାଗିଲେ ନିଶ୍ଚୟ ପାଇବୁ।”