ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଚାମେଲୀ

ଦଶ ନୂଆ ପଇସିଆ ଖବର କାଗଜର ପୃଷ୍ଠାରେ ଯେ କେତେ ଲୁହ ଲହୁ ଥାଏ, ନିକିଟେଇ ନ ଦେଖିଲେ ଚଳନ୍ତି ଆଖିରେ ସହଜରେ ଧରା ପଡ଼େ ନାହିଁ। କିଛିବର୍ଷ ତଳେ ଖବର କାଗଜରେ ବାହାରିଲା ଯେ, ସମୁଦ୍ର ଭିତରେ ଲଘୁଚାପ ସୃଷ୍ଟି ହେବା ଫଳରେ ପ୍ରବଳ ତୋଫାନ ହେଲା। ଏ ତୋଫାନ ଘଣ୍ଟାଏ ପର୍ଯ୍ୟନ୍ତ ବଙ୍ଗୋପସାଗର ଭିତରେ ବୁଲି ଘୂର୍ଣ୍ଣବାୟୁ ସୃଷ୍ଟି କରିଥିଲା।

ସମୁଦ୍ର କୂଳରେ ଲାଙ୍ଗୁଡ଼ିଆ ପୋକ ପରି ଯେଉଁ ମେଞ୍ଚାଏ ନୋଳିଆ ବସବାସ କରନ୍ତି, ତାଙ୍କ ସଂକ୍ରାନ୍ତରେ କେହି କବିତା କି କେହି ଇତିହାସ ଲେଖନ୍ତି ନାହିଁ। ଭୋଟ ପାଇଁ ହୁଏତ କେହି ପାଞ୍ଚବର୍ଷରେ ଥରେ ସେମାନଙ୍କୁ ମଦ ପିଆଇ ଦେଇ ଆସନ୍ତି।

ସବୁଦିନ ପରି ରାଜୁଆ ଡଙ୍ଗାନେଇ ସେଦିନ ବି ସମୁଦ୍ର ଭିତରକୁ ମାଛ ମାରିବାକୁ ଗଲା। ଆଉ ସବୁଦିନ ପରି ଚାମେଲୀ ମୁଣ୍ଡରେ ଫୁଲ ଖୋସି ତା’ ଜାଲ ସଜାଡ଼ି ଦେଇ ଡଙ୍ଗାରେ ଥୋଇ ଦେଇ ଆସିଥାଏ। ଚାମେଲୀକୁ ଅନାଇଁ ତା’ କାନ୍ଧକୁ ଛୁଇଁଲା ରାଜୁଆ। ଲାଜରେ ମୁହଁ ତଳକୁ ପୋତି ଦେଲା ଚାମେଲୀ।

ଯେଉଁ ସାମଗ୍ରୀ ନେଇ ପ୍ରକୃତି ସୃଷ୍ଟି କରିଛି ପୁଷ୍ପର ଗନ୍ଧ, ଯାହାକୁ ନେଇ ତିଆର ହୁଏ ଚନ୍ଦ୍ରାଲୋକ, ଯାହାର ସଂଯୋଗରେ ଜନ୍ମ ନିଏ ଆକାଶର ନୀଳିମା, ସେଇ ଉପାଦାନର ସମଷ୍ଟିରେ ମଧ୍ୟ ଗଢ଼ା ହୋଇଛି ଆମର ଚାମେଲୀ- କୋମଳ ଅଥଚ ଚିରଞ୍ଜିବୀ। ବାପା ମା କିଏ କେବେଠୁ କୁଆଡ଼େ ଗଲେଣି। ସ୍ନେହ, ମମତା, ଭକ୍ତି ସବୁ ସମର୍ପି ଦେଇଛି ତା’ ରାଜୁଆ ପାଖରେ।

ସେ ଦିନ ଡଙ୍ଗା ସମୁଦ୍ର ମଝିରେ ହୋଇଥିବ କି ନାହିଁ, ଅଚାନକ ମେଘ, କାଳିଆ ଭୂତ ପରି ସମୁଦ୍ରର ସେ କଡ଼ରୁ ଘୋଟି ଆସିଲା। ହେଲା ଭୟଙ୍କର ଘଡ଼ଘଡ଼ି। ମାରିଲା ବିଜୁଳି। ଆକାଶ ପୃଥିବୀ ଏକାକାର ହୋଇଗଲା। ଅନ୍ଧକାର ଘନେଇ ରାକ୍ଷସ ପରି ତୋଫାନ ମାଡ଼ି ଆସିଲା। ସମୁଦ୍ର ଛାତି ଚିରି ଘୂର୍ଣ୍ଣିବାୟୁ ପାଣିକୁ ଉଠାଇ ନେଉଥାଏ ଶହେ ହାତ ଉପରକୁ। ଦୁନିଆ ହୁଲସ୍ତୁଲ କମ୍ପୁଥାଏ। ଧରିତ୍ରୀ ସାଗର ଉଚ୍ଛନ୍ନ ହୋଇଯାଉଥାନ୍ତି। ଚାମେଲୀ ଘରଭିତରେ ଆଉ ଅପେକ୍ଷା କରିପାରିଲା ନାହିଁ। କୁଡ଼ିଆ ଛାଡ଼ି ଦଉଡ଼ି ଆସିଲା ସମୁଦ୍ର କୂଳକୁ। ସାହି ପଡ଼ିଶା ଯେତେ ବାରଣ କଲେ କିଛି ମାନିଲା ନାହିଁ। ଯାଇଁ ଛିଡ଼ା ହେଲା ସମୁଦ୍ର ବାଲିରେ ସେ-ବତୀଖୁଣ୍ଟ ପରି। ମଝିରେ ମଝିରେ ଉଚ୍ଚାଳିଆ ସମୁଦ୍ର ଲହରୀ କୁଳକୁ ପିଟି ହୋଇ ଆସୁଥାଏ। ଥରକୁ ଥର ଧୋଇ ହୋଇ ଯାଉଥାଏ ଚାମେଲୀ, ତଥାପି ଛିଡ଼ା ହୋଇ ରହିଥାଏ। ଘଣ୍ଟା ଘଣ୍ଟା ଧରି ଅନେକ ସମୟ ବିତିଗଲା। ଆଉ ଛିଡ଼ା ହୋଇ ପାରିଲା ନାହିଁ। ଥରକୁ ଥର ତଳେ କଚାଡ଼ି ହୋଇ ପଡ଼ୁଥାଏ। ପୁଣି ଉଠୁଥାଏ। ଅନେଇଥାଏ ସେ ସମୁଦ୍ର, ଅନ୍ଧାର, ବର୍ଷା ତୋଫାନ ଭିତରେ-ତା’ ରାଜୁଆ ପାଇଁ। ଶେଷରେ ଅଚେତ ହୋଇ ପଡ଼ିରହିଲା।

ଅନେକ ସମୟ ପରେ ଆକାଶ ଶାନ୍ତ ହେଲା, ମେଘ ଛାଡ଼ିଲା, ତୋଫାନ କମିଲା। ନୋଳିଆମାନେ ଫେରିଲେ। କିନ୍ତୁ ଆସିଲା ନାହିଁ ରାଜୁ । ଚେତା ପାଇଲା ପରେ ଚାମେଲୀ ପଚାରିଲା ‘ରାଜୁ’? କେହି କିଛି ଜବାବ ଦେଇ ପାରିଲେ ନାହିଁ।

ଏଥି ଭିତରେ ପାଞ୍ଚ ବର୍ଷ ବିତିଗଲାଣି। ଚାମେଲୀ ସେ ସମୁଦ୍ରକୂଳ ଏବେ ବି ଛାଡ଼ି ନାହିଁ। ସେଇଠି ବୁଲୁଥାଏ। ବେଳେ ବେଳେ ଡଙ୍ଗା ତଳେ ଶୁଏ। ନୋଳିଆମାନେ ସଂଧ୍ୟାବେଳକୁ ଫେରିଆସିଲେ ତାଙ୍କୁ ପଚାରେ, ରାଜୁ?

ଏବେ ବି ନିଜକୁ ସେମିତି ସଜାଏ, ଆଖିରେ ସେଇ ଆଗ୍ରହ। ସମୁଦ୍ରର ଦିଗ୍‌ବଳୟକୁ ଅନାଇଁ ଅନାଇଁ ତା’ ଆଖିରେ ଲୁହ ଭରିଯାଏ। ରାତିର ଅନ୍ଧକାରରେ ସମୁଦ୍ରକୂଳରେ ଗୋଟିଏ ଛାଇ ଯଦି ଦିଶେ, ସଡ଼କ ଉପରରୁ ପୋଲିସ ପାଟିକରେ-କିଏ?

ଚାମେଲୀ? ଢେଉ ପାଖରୁ ଜବାବ ଆସେ, ହୁଁ। ଏବେ ମଧ୍ୟ ସେ ଅପେକ୍ଷା କରିଛି ତା’ ରାଜୁଆକୁ।

ଗୋଟିଏ ଅୟେଷ୍ଟର ତା’ର ବକ୍ଷ ଉନ୍ମୁକ୍ତ କରି ଟୋପାଏ ସ୍ୱଚ୍ଛ ବାରିଦ ଜଳ ପାଇଁ ସମୁଦ୍ର ଛାତି ଉପରେ ଅନେକ ଦିନ ଭାସି ବୁଲୁଥିଲା। ଅବଶେଷରେ ଆସିଲା ସେ ମୁହୂର୍ତ୍ତ। ସେ ଜଳ ବିନ୍ଦୁକୁ ନିଜ ଭିତରେ ରଖି ସମୁଦ୍ରର ଅତଳାତଳ ଗର୍ଭରେ ଦିନେ ଲୀନ ହୋଇଗଲା। ବର୍ଷ ବର୍ଷ ପରେ ଦିନେ ତା’ ଭିତରୁ ଆବିଷ୍କାର କରାଗଲା-ମୁକ୍ତା।

ଚାମେଲୀର ହୃଦୟ ଭିତରେ ରାଜୁର ଏ ସତ୍ତା ସେହିପରି ସମୟର ଗର୍ଭରେ ଲୀନ ହୋଇ ପରିଣତ ହୋଇଛି ଏକ ଅପୂର୍ବ-ଅମୂଲ୍ୟ ବସ୍ତୁରେ। ଯାହା ପାଇଁ ମଣିଷ କରିଛି ଚରମ ତ୍ୟାଗ, ଗଢ଼ିଛି ଅକ୍ଷୟ ସୃଷ୍ଟି, ଦେଇଛି ପ୍ରଳୟ ହୁଙ୍କାର। ଯୁଗେ ଯୁଗେ ଯାହା କବିର ଲେଖନୀ, ଶିଳ୍ପୀର ତୂଳିକୁ ସଙ୍ଗୀତର ମୂର୍ଚ୍ଛନାକୁ ଦେଇଛି ସାର୍ଥକତା। ଯାହା ପାଇଁ ଗଢ଼ା ହୋଇଛି ସାମ୍ରାଜ୍ୟ, ଧ୍ୱଂସ ହୋଇଛି ସମାଜ, ଯେଉଁଥିପାଇଁ ମଣିଷ ହୋଇଛି ଦେବତା, ରାକ୍ଷସ ପାଲଟିଛି ମଧ୍ୟ। ସେ ବିରାଟ, ମହନୀୟ ବସ୍ତୁଟି ହେଉଛି ମଣିଷର ଅନାବିଳ, ଅଖଣ୍ଡ, ଅମର, ଶାଶ୍ୱତ, ଚିରଞ୍ଜିବୀ ପ୍ରେମ।

ପାଠକୀୟ ଆଦୃତି

267 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

ଗୋବିନ୍ଦ ଦାସ

ବାରିଷ୍ଟର ଗୋବିନ୍ଦ ଦାସ(୧୯୩୦-୨୦୦୮) ଜଣେ ବିଶିଷ୍ଟ ଆଇନଜୀବୀ ଭାବେ ପରିଚିତ ଥିଲେ। ଏହା ସହିତ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଉପନ୍ୟାସ, ଗଳ୍ପ ଓ ଭ୍ରମଣକାହାଣୀ ମଧ୍ୟ ରଚନା କରିଥିଲେ। ତାଙ୍କ ଦ୍ୱାରା ରଚିତ ‘ଅମାବାସ୍ୟାର ଚନ୍ଦ୍ର’ ଉପନ୍ୟାସ ଆଜି ମଧ୍ୟ ବହୁଳ ପଠିତ ପୁସ୍ତକଭାବେ ପରିଚିତ। ତାଙ୍କ ରଚନା ମଧ୍ୟରେ ‘ଭଗ୍ନାଂଶ’, ‘ଲାସୁ’, ‘ସୂର୍ଯ୍ୟାସ୍ତ’ ଆଦି ଉପନ୍ୟାସ ସହିତ ‘ମିଶ୍ରରାଗ’ ଗଳ୍ପ ସଙ୍କଳନ ଓ କବିତା ଗ୍ରନ୍ଥ ‘ଜାତକ’ ଆଦି ଅନ୍ୟତମ। ଜଣେ ସମାଜବାଦୀ ଭାବେ ପରିଚୟ ହାସଲ କରିଥିବା ଶ୍ରୀ ଦାସ ଅନେକ ଦିନ ଧରି ‘କୃଷକ’ ପତ୍ରିକାର ମଧ୍ୟ ସମ୍ପାଦକଭାବେ କାର୍ଯ୍ୟ କରିଥିଲେ।

କ୍ରମେ ସବିଶେଷ →
ଆଉ କେତୋଟି ସଂଗ୍ରହ

ମୁକ୍ତାଦେଈ

ଅସ୍ତବ୍ୟସ୍ତ ହୋଇ ବୋଉ ଚୁଆରୁ ଗରାଏ ପାଣିନେଇ ଘର ଭିତରକୁ ଦଉଡ଼ି ଦଉଡ଼ି ଆସୁଥିଲା, କିନ୍ତୁ ଶେଷରେ ଗରାକ ପାଣି ପ୍ରତିବନ୍ଧକ ହେଲା, ସେ ପାହାଚ ଚାରିଟା…

ବ୍ୟାଘ୍ରାରୋହଣ

ରାଜଧାନୀ ସନ୍ନିକଟସ୍ଥ ରାଜ ଉଦ୍ୟାନରେ ପ୍ରଭାତରେ ଦେଖାଗଲା ଏକ ଅଦ୍ଭୂତପୂର୍ବ ଦୃଶ୍ୟ। କେତେ ରାତ୍ରି ଧରି କ୍ରମାଗତ ଭାବରେ ସୁନ୍ଦର ଉଦ୍ୟାନରେ ବିଭ୍ରାଟ ସୃଷ୍ଟି କରୁଥିବା ଗୋଟିଏ…

ଦେଢ଼ପଇସା

୧୯୩୨ ସାଲ। ଲବଣ ସତ୍ୟାଗ୍ରହୀ ଭାରତର ବିଭିନ୍ନ ସ୍ଥାନରେ ଜେଲବରଣ କରିଚନ୍ତି। ଗୋଟାଏ ବଡ଼ରକମର ସଂଘର୍ଷ ଆଗରେ ବିଫଳ ହେଇ ଗୋରାଶାସକ ଯୋଜନାକରି ଜନସାଧାରଣଙ୍କୁ ଉତ୍ତ୍ୟକ୍ତ କରୁଚି।…

-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP