“କିନ୍ତୁ ଆମ୍ଭେ ଚଢ଼ିପାରିବା ନାହିଁ। ଆମ୍ଭେ ମୋଟା ଏବଂ ଅସୁସ୍ଥ ଅଟୁଁ।”
“ଆଜ୍ଞା, ମଣିମା ଚଢ଼ିବା ଉଚିତ ହେବ ନାହିଁ, ମଣିମା ଅତ୍ୟନ୍ତ ସ୍ବାସ୍ଥ୍ୟବାନ୍‌ ଓ ଅସୁସ୍ଥ ଅଟନ୍ତି।”

“ମୋର ହୋଇ ମୋର ପୁତ୍ର ଚଢ଼ିବେ। ଯାଅ କୁମାରଙ୍କୁ ଡାକି ଆଣ।”
କଟୁଆଳ ଘୋଡ଼ାରେ ବସି ଛୁଟିଲେ।

ରାଜଧାନୀର ଏକ ଜନବିରଳ ଅଂଶରେ ସୁନ୍ଦର, ସୁକୁମାର, ରାଜକୁମାର ବାସ କରୁଥିଲେ। ରାଜାଙ୍କର ଏକମାତ୍ର ସନ୍ତାନ ହୋଇଥିବା ସତ୍ତ୍ବେ ପ୍ରାସାଦର ବିଳାସବ୍ୟସନ, ହଟ୍ଟଗୋଳ ତାଙ୍କୁ ଭଲ ଲାଗୁ ନଥିଲା। ସେ ଅଧ୍ୟୟନ ଓ ନିଭୃତ ଚିନ୍ତାରେ ସମୟ ଅତିବାହିତ କରୁଥିଲେ।

ଜନସମୁଦ୍ର ଦୁଇଭାଗ ହୋଇଗଲା। ରାଜକୁମାରଙ୍କ ଜୟଧ୍ବନିରେ ପ୍ରାନ୍ତର ପ୍ରକମ୍ପିତ ହେଲା। ରାଜକୁମାର ଜନତା ମଝିଦେଇ ଅଶ୍ବାରୋହଣ କରି ଆସି ପିତାଙ୍କ ସମ୍ମୁଖରେ ଅବତରଣ କଲେ ଓ ଅଭିବାଦନ ଜଣାଇଲେ।

“ରାଜକୁମାର, ତମେ ଆଜି ରାଜ୍ୟର ଇତିହାସରେ ସର୍ବୋଚ୍ଚ ଗୌରବର ଅଧିକାରୀ ହେବାକୁ ଯାଉଛ। ଏ ବ୍ୟାଘ୍ର ପୃଷ୍ଠରେ ତୁମେ ଆରୋହଣ କର।”

ରାଜକୁମାର ଧୀର କଣ୍ଠରେ କହିଲେ, “ଛାମୁ, ମୋର ଏ ଗୌରବ ଲୋଡ଼ା ନାହିଁ।”

ରାଜା ଧମକ ଦେଇ କହିଲେ, “ମୋର ଲୋଡ଼ା ନାହିଁ ବୋଇଲେ? ତମେ ଜଣେ ବ୍ୟକ୍ତି ଭାବରେ ଏ ଗୌରବ ପ୍ରତି ଲାଳାୟିତ ନହୋଇପାର। କିନ୍ତୁ ମୋର ପୁତ୍ର ଭାବରେ ମୋର ପ୍ରତିନିଧି ଭାବରେ, ଆମ ରାଜବଂଶର ପ୍ରତୀକ ଭାବରେ ତମକୁ ଏ ଗୌରବରେ ଭୂଷିତ ହେବାକୁ ହିଁ ପଡ଼ିବ।”

“ରାଜକୁମାର ପୁଣି କହିଲେ, “କ୍ଷମା କରିବେ ମହାରାଜ, କିନ୍ତୁ ଏହା ସମ୍ପୂର୍ଣ୍ଣ ନିରର୍ଥକ। ଏ ସମଗ୍ର ଘଟଣା ଏକ ଅନ୍ଧ ଅହମିକାର ପ୍ରତିଯୋଗିତା ମାତ୍ର।”
“ଚୁପ୍‌ କର!” ରାଜା କହିଲେ, “ମୋ ପୁତ୍ର ଏଡ଼େ ମୁର୍ଖ ହୋଇ ପାରେ ଯେ, ଏକ ବିରାଟ ଜନତା ଆଗରେ ବ୍ୟାଘ୍ରାରୋହଣର ମୂଲ୍ୟ ବୁଝି ପାରିବ ନାହିଁ, ଏକଥା ମୁଁ କଳ୍ପନା କରି ନଥିଲି।”
ଜନସମୁଦ୍ରରୁ ସ୍ଲୋଗାନ ଉଠିଲା, “ବାଘ ଉପରେ ଚଢ଼ିବ କିଏ?- ବୀରୋତ୍ତମ ରାଜକୁମାର!”

“ବିଜେ କରିବା ଦେଉନ୍ତୁ, ମଣିମା!” ମନ୍ତ୍ରୀ ଓ ସେନାପତି ରାଜକୁମାରଙ୍କୁ ବାଘ ଆଡ଼କୁ ନେବାକୁ ତତ୍ପର ହେଲେ।

ଦୀର୍ଘ ନିଶ୍ବାସ ଛାଡ଼ି ରାଜକୁମାର ବାଘ ଆଡ଼କୁ ଆଗେଇ ଗଲେ। ହରଷିତ ରାଜା ସ୍ବୟଂ ଏଥର ସ୍ଲୋଗାନରେ ନେତୃତ୍ବ ନେଲେ ଓ ସଭିଏଁ କଣ୍ଠ ବିଦୀର୍ଣ୍ଣ ସହଯୋଗ କଲେ। ମନ୍ତ୍ରୀ, ସେନାପତି, କଟୁଆଳ ତଥା ରଟୁଆଳ ଆନନ୍ଦାତି ଶଯ୍ୟରେ ନାଚି ପକାଇଲେ।

ରାଜକୁମାର ବାଘ ପିଠିରେ ଚଢ଼ି ବସିଲେ। ଜନତାର ବିପୁଳ କରତାଳି ମଧ୍ୟରେ ସେନାପତି ତରବାରି ସାହାଯ୍ୟରେ ବାଘପାଦରୁ ଫାଶ କାଟି ଦେଲେ। ବାଘ ଧୀରେ ଧୀରେ ଚାଲିବାକୁ ଆରମ୍ଭ କଲା।
“ସୁପୁତ୍ର!” ରାଜା କହିଲେ।

“ରାଜ୍ୟର ଗୌରବ!” ମନ୍ତ୍ରୀ କହିଲେ। ବାଘ ଗତି ବଢ଼ାଇଲା। ତା’ପରେ ସେ ଅରଣ୍ୟରେ ଅଦୃଶ୍ୟ ହୋଇଗଲା ଅଚିରେ।

ସ୍ଲୋଗାନ ବନ୍ଦ ହେଲା। ପାଞ୍ଚ ମିନିଟ୍‌ ନିସ୍ତବ୍ଧତା ପରେ ରାଜା ପାରିଷଦବର୍ଗଙ୍କ ମୁହଁକୁ ଅନାଇ କହିଲେ, “ତା’ପରେ?” ପାରିଷଦବର୍ଗ ପରସ୍ପର ଆଡ଼କୁ ପ୍ରଶ୍ନସୂଚକ ଆଖିରେ ଅନାଇଲେ।
ରାଜା ବିକଳ କଣ୍ଠରେ ପଚାରିଲେ, “ରାଜକୁମାର ଫେରିବେ କିମିତି?”

କେହି କିଛି କହିଲେ ନାହିଁ।

ରାଜା ହଠାତ୍‌ ଚିତ୍କାର କଲେ, “ବଣ ଭିତରକୁ ଯାଇ ତାଙ୍କୁ ନେଇ ଆସ!”

ସେନାପତି ଓ ସେନାନୀ ଅରଣ୍ୟ ଅଭିମୁଖେ ଘୋଡ଼ା ଛୁଟାଇ ଦେଲେ। ଲୋକେ କରତାଳି ଦିଅନ୍ତେ ରାଜା କୁଦି ହୋଇ କହିଲେ, “ଏମାନଙ୍କୁ ଘଉଡ଼ାଇ ଦିଅ!”
ଦେହରକ୍ଷୀମାନେ ଝପଟିଯାଇ ଜନତାକୁ ତଡ଼ି ଦେଲେ।

ଦୁଇଘଣ୍ଟା ପରେ ସେନାପତି ଅରଣ୍ୟ ଭିତରୁ ଫେରିଲେ, ରାଜକୁମାରଙ୍କ ରକ୍ତାକ୍ତ ଉତ୍ତରୀୟଟି ଧରି।
-୦-
‘ଉକ୍ତ ଗଳ୍ପଟି ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଦ୍ୱାରା ୧୯୮୩ ମସିହାରେ ଉଚ୍ଚ ମାଧ୍ୟମିକ ଶ୍ରେଣୀ ନିମନ୍ତେ ପ୍ରକାଶିତ-ଗଳ୍ପ ଏକାକାଙ୍କିକା ମାଳା ପୁସ୍ତକରୁ ସଂଗୃହୀତ’

Pages: 1 2 3