ଦ୍ବିତୀୟ କହିଲା, “ମୁଁ ବି ଠିକ୍‌ ସେଇକଥା କହିବାରୁ ଇଏ ମୋତେ ବାଡ଼େଇଲା, ହଜୁର୍‌! ମୁଁ କହିଲି, ବାଘ ଉପରେ ସିନା କଟୁଆଳ ବା ରଟୁଆଳ ବସିବା କଥା, ଆମଭଳି ଛାଗାଦପିଛାଗ ବସିଲେ କ’ଣ ଶୋଭା ପାଇବ?”

କଟୁଆଳ କହିଲେ-“ନା, ତୁମେ ଦୁହେଁ ଏଇଆ କହି ନ ଥିଲ। ତେଣୁ ତମ ଭାଗ୍ୟରେ ବହୁତ ଦୁଃଖ ଅଛି।”

ରଟୁଆଳ କହିଲେ, “ଆଶ୍ଚର୍ଯ୍ୟ କଥା, ତୁମ ମୁଣ୍ଡକୁ କିପରି ଏତିକି ଜୁଟିଲା ନାହିଁ ଯେ ମୁଁ ରଟୁଆଳ-ଖୋଦ୍‌ ରାଜାଙ୍କ ଆଦେଶ ରଟନା କରିବା ଯାହାର କାମ, ବାଘ ଉପରେ ଆଗ ତାହାରି ବସିବା କଥା! ହାତୀ ଉପରେ ବସି ଆଦେଶ ଜାରି କଲେ ଲୋକେ ଯେତିକି ଭୟରେ ଶୁଣନ୍ତି, ବାଘ ଉପରେ ବସିଲେ ତା’ଠୁ ଅଧିକ ସମ୍ଭ୍ରମରେ ଶୁଣିବେ।”

କଟୁଆଳ, ରଟୁଆଳଙ୍କ ଉଦ୍ଦେଶ୍ୟରେ ଏକ ତୀବ୍ର କଟାକ୍ଷ ହାଣି ମାଳିମାନଙ୍କୁ କହିଲେ, “କଟୁଆଳ ବା ରଟୁଆଳ କାହିଁକି, କେବଳ ମାତ୍ର କଟୁଆଳହିଁ ସେ ବାଘ ପିଠିରେ ବସିବାକୁ ହକ୍‌ଦାର, ଏତକ ମାଲୁମ୍‌ ନଥିଲା?”

ତା’ପରେ ହଠାତ୍‌ ଏକ ନାଟକୀୟ ଘଟଣା ଘଟିଲା। କଟୁଆଳ ଓ ରଟୁଆଳ ଉଭୟେ ଚଟାପଟ୍‌ ସ୍ବସ୍ବ ଲାଠିଟିମାନ ପରସ୍ପର ପ୍ରତି ଉଦ୍ୟତ କରି ଧରିଲେ। ଏକ ଦିଗରୁ ନିରାସକ୍ତ ଭାବରେ ବାଘ ଓ ଅନ୍ୟ ଦିଗରୁ ଉଦ୍‌ଗ୍ରୀବ ଜନତା ଅନାଇ ରହିଲେ।

କଟୁଆଳ ଓ ରଟୁଆଳ ବହୁ କାଳରୁ ଲାଠି ଚାଳନା ଭୁଲି ଯାଇଥିଲେ। ସୁତରାଂ ଲାଠି ଦୁଇଟିରେ ପରସ୍ପରକୁ କେବଳ ଠେଲିରଖିବା ବ୍ୟତୀତ ପ୍ରାୟ ଅଧଘଣ୍ଟାଏ କାଳ ସେମାନେ ଆଉ କିଛି ନ କରିବାରୁ, ସେମାନଙ୍କୁ ଉତ୍ସାହ ଦେବାପାଇଁ ଅର୍ଦ୍ଧେକ ଜନତା ସ୍ଲୋଗାନ୍‌ ଦେଲେ, “ବାଘ ଉପରେ ଚଢ଼ିବ କିଏ?-ମହାବୀର କଟୁଆଳ” ଏବଂ ଅନ୍ୟ ଅର୍ଦ୍ଧେକ ସ୍ଲୋଗାନ୍‌ର ଦ୍ବିତୀୟାର୍ଦ୍ଧରେ କହିଲେ, “ବାହାଦୂର ରଟୁଆଳ।”

ଏତିକିବେଳେ ସେଠାରେ ହଠାତ୍‌ ପହଞ୍ଚିଗଲେ ରାଜ୍ୟର ମନ୍ତ୍ରୀ ଓ ସେନାପତି। ସେମାନଙ୍କୁ ଦେଖି ଲାଠିମାନ ନମିତ କରି କଟୁଆଳ ଓ ରଟୁଆଳ ପ୍ରଣାମ କଲେ ଓ କୋହରେ ଭାଙ୍ଗି ପଡ଼ିଲେ।
ରଟୁଆଳ ପ୍ରଥମେ କହିଲେ, “ହଜୁର, ମୁଁ କହିଲି କି ମନ୍ତ୍ରୀ ବା ସେନାପତି ସିନା ଏଭଳି ବାଘରେ ଚଢ଼ିଲେ ମାନିବ, ଆମେ ଚଢ଼ିଲେ କ’ଣ ଦେଖାଯିବ? ଆମ ଚଉଦ ପୁରୁଷରେ କେହି ବାଘ ଚଢ଼ିଥିଲେ?” କଟୁଆଳ କହିଲେ, “ମୁଁ ଆଉ କ’ଣ କହିଲି? ମୁଁ କେବଳ ସଂଶୋଧନ କରି କହିଥିଲି, ଆମ ଅଠାବନ ପୁରୁଷରେ କେହି ବାଘ ଚଢ଼ିଥିଲେ?”

ମନ୍ତ୍ରୀ କହିଲେ, “ନା। ତମେ ଦୁହେଁ ସେଇଆ କହିନାହଁ। କାରଣ ଆମେ ଭିନ୍ନ ଧରଣର ସ୍ଲୋଗାନ୍‌ ଶୁଣିବାକୁ ପାଇଲୁଁ। ତମମାନଙ୍କ କପାଳରେ ବହୁତ ଦୁଃଖ ଅଛି।”

ସେନାପତି କହିଲେ, “ତେବେ ଏ କଥା ଠିକ୍‌ ଯେ, ମୋ ପୂର୍ବ ପୁରୁଷମାନେ ବାଘ ଚଢ଼ିବାରେ ଓସ୍ତାଦ ଥିଲେ। ମୋର ସ୍ବର୍ଗତ ପିତୃଦେବ ତାଙ୍କ ବାଳୁତ କାଳରେ ଗୋଟାଏ ମୋଟା, ନରମ ବାଘ ଚଢ଼ି ଚାଟଶାଳୀକୁ ଯିବା ଆସିବା କରୁଥିଲେ।”

ମନ୍ତ୍ରୀ କହିଲେ, “ମୋ ମାମୁଁ ଘରେ ସଦା ସର୍ବଦା ଗଣ୍ଡାଏ ଛ’ଟା ବାଘବାଘୁଣୀ ପୋଷା ହେଉଥିଲେ। ମୋ ବୋଉ ବାଳୁତ କାଳରେ ସେମାନଙ୍କୁ ବିଲେଇ ଭଳି ଆଉଁଷା ଆଉଁଷି କରୁଥାଏ।”
ଲୋକେ ମନ୍ତ୍ରୀଙ୍କ ଏତାଦୃଶ ବିବୃତ୍ତିକୁ ତାରିଫ୍‌ କରି ହସିଲେ।

ସେନାପତି କହିଲେ, “ସମ୍ଭବ। ମୁଁ ମୋ ବାପାଙ୍କ ଆଦର୍ଶ ଅନୁସରଣ କରି ବର୍ତ୍ତମାନ ବାଘ ଉପରେ ଚଢ଼ିବି, ତମେ ତମ ବୋଉଙ୍କ ଆଦର୍ଶରେ ତାକୁ ଆଉଁଷି ପାର।”
ଏଥର ଲୋକେ ସେନାପତିଙ୍କ ଜବାବ୍‌କୁ ତାରିଫ୍‌ କରି ହସିଲେ।

ଜନତାର ହାସ୍ୟରୋଳ ଭିତରେ ହଠାତ୍‌ ଦେଖାଗଲା, ମନ୍ତ୍ରୀ ଓ ସେନାପତି ନିଜର କଟିପ୍ରାନ୍ତରୁ ଶାଣିତ ତରବାରି ବାହାର କରି ପରସ୍ପର ଆତ୍ମରକ୍ଷା କରି ଚକ୍ରାକାରରେ ବୁଲିବାକୁ ଲାଗିଲେ।
ଏକ ଦିଗରୁ ବାଘ ହାଇ ମାରିଲା ଓ ଅନ୍ୟ ଦିଗରୁ ଲୋକେ କରତାଳ ଧ୍ବନି ଦେଲେ।

ଏତିକିବେଳେ ଦୂରରୁ ରାଜକୀୟ ଦେହରକ୍ଷୀମାନଙ୍କର କୁହାଟ ଶୁଭିଲା ଓ ଲୋକେ ପଛକୁ ଚାହିଁ ଦେଖିଲେ-ରାଜାଙ୍କ ରଥ ଝପଟି ଆସୁଛି।

ସେନାପତି ଓ ମନ୍ତ୍ରୀ ତତ୍‌କ୍ଷଣାତ୍‌ ଅସିଟିମାନ ଖୋପରେ ପୂରାଇ ରଥ ଆଗରେ ଶୋଇ ପଡ଼ିଲେ। ତା’ପରେ ଜରାଗ୍ରସ୍ତ, ଅତିକାୟ ବୃଦ୍ଧ ରାଜାଙ୍କୁ ଦ୍ବାଦଶ ପରିଚାରକ ଧରାଧରି କରି ଅବତରଣ କରାଇଲେ। ରଥରେ ବୁହାହୋଇ ଆସିଥିବା ଗୋଟିଏ ସିଂହାସନରେ ରାଜା ବସିଲେ।

ମନ୍ତ୍ରୀ ଓ ସେନାପତି ଉଭୟେ ତତ୍ପର ହୋଇ କିଛି କହିବାକୁ ଯାଉଥିଲେ। କିନ୍ତୁ ରାଜା ସେମାନଙ୍କୁ କହିଲେ, “ପାଟି ଫିଟାଇବା ଦରକାର ନାହିଁ। ଗୁପ୍ତଚରଠୁଁ ମୁଁ ସବୁ ଖବର ପାଇଛି। ତମେ ଦୁହେଁ ଆପାତତଃ କାର୍ଯ୍ୟଚ୍ୟୁତ ହେଲ। ମୋ ଅରଣ୍ୟର ବାଘ, ମୋ ଉଦ୍ୟାନକୁ ଆସି ଫାଶରେ ପଡ଼ିବ, ଅଥଚ ମୁଁ ଚଢ଼ିବିନି, ଚଢ଼ିବ ତମେମାନେ, ନୁହେଁ?”

ମନ୍ତ୍ରୀ ଓ ସେନାପତି କାନ ମୋଡ଼ିହେଲେ ଓ ପଗଡ଼ିରେ ଲୁହପୋଛି କହିଲେ, “ମଣିମାଙ୍କ ଛଡ଼ା ଆଉ କେହି ଚଢ଼ିବାର ପ୍ରଶ୍ନ ଉଠିପାରେନା।”
“ଠିକ୍‌, ଆମ୍ଭେ ଚଢ଼ିବା”

“ଆଜ୍ଞା, ଚଢ଼ିବା ହେଉନ୍ତୁ।” ମନ୍ତ୍ରୀ, ସେନାପତି, କଟୁଆଳ, ରଟୁଆଳ ଓ ମାଳିମାନେ କହିଲେ।

Pages: 1 2 3