ଅନେକ ବର୍ଷ ପରେ ମୁଁ ବିହାର-ଓଡ଼ିଶା ବ୍ୟବସ୍ଥା ପରିଷଦର ସଦସ୍ୟ ଥିବାବେଳେ, କଲିକତାର ଜଣେ ବାରିଷ୍ଟର-ବନ୍ଧୁଙ୍କ ଘରେ ଅତିଥି ହୋଇଥିଲି। ତାଙ୍କର ପାଞ୍ଚବର୍ଷ ବୟସର ପୁଅ, ଗାଧୋଇ ସାରିଲାବେଳେ ମୋତେ ଦେଖି ପଚାରିଲା, “ତୁମେ କଣ ରୋଷେୟା ପୂଜାରୀ?” ବାଇଶ ବର୍ଷ ତଳର ବିସ୍ମୃତ ଅନୁଭୂତି ସଙ୍ଗେ ସଙ୍ଗେ ଚାଉଁକିନି ମୋ ମନରେ ଆସି ପଡ଼ିଗଲା। ପିଲାଟିକୁ ଗୋଟାଏ ନାସ୍ତି ଉତ୍ତର ନଦେବା ନିମନ୍ତେ ମୁଁ ହସି ହସି ହଁ ଭରିଲି; ମାତ୍ର ସେ ସେତିକିରେ ସନ୍ତୁଷ୍ଟ ନ ହୋଇ ପୁଣି ପଚାରିଲା, “ପୂଜାରୀ ତ, ତେବେ ଏତେ ଗୋରା କାହିଁକି?” ମୋ ବୁଦ୍ଧିକୁ ଆଉ ଉତ୍ତର ଦିଶିଲା ନାହିଁ।
ପିତାଙ୍କ ପୈତୃକ ଜମି ବିକ୍ରି ଉପରେ ନିର୍ଭର କରି ମୁଁ ପଢ଼ିଲି; କିନ୍ତୁ ତାଙ୍କର ଜମି ବେଶି ନ ଥିଲା। ଏକରକ ଉପରେର ବିକ୍ରି ସରିଲା ପରେ ଆଉ ବାକି ରହିଲା ପ୍ରାୟ ଦେଢ଼ ଏକର। ଏବେ ସବୁ ଜିନିଷ ପରି ଜମିବାଡ଼ି ଦାମ ବଢ଼ିଛି। ସେତେବେଳେ ଏକରକରୁ ବେଶି ଜମି ବିକ୍ରିରୁ ମିଳିଲା ପ୍ରାୟ ଷାଠିଏ ଟଙ୍କା। ସୁତରାଂ ମୋତେ ଖର୍ଚ୍ଚ କମାଇ ଚଳିବାକୁ ପଡ଼ିଲା। ସେତେବେଳେ ମୁଁ ଅନେକ ଦିନ ପଇସା ଅଭାବରେର ଉପବାସରେ ରହିଛି। ଛାତ୍ରାବାସର କୋଠ ରୋଷାଇ ପାଣ୍ଠିକୁ ଟଙ୍କା ନିର୍ଦ୍ଦିଷ୍ଟ ଦିନ ନ ଦେଲେ ଚାଉଳ ପଡ଼ିବା ବନ୍ଦ ହୋଇଯାଏ। ମୋ ପାଇଁ ଚାଉଳ ପଡ଼ିବାବେଳେ ବନ୍ଦ ହେବା ଆଦେଶ ମିଳିବା ପୂର୍ବରୁ ମୁଁ ଅବସ୍ଥା ବୁଝି, ଅନ୍ୟତ୍ର ଖାଇବି ବୋଲି କହି ଚାଲିଯାଏ।
ସେପରି ଘଟଣାରେ ଯେଉଁଠାରେ ଖାଏ ତାହା ସମୁଦ୍ରକୂଳ, ଯାହା ଖାଏ ତାହା ପବନ। ଥରେ ଏହିପରି ପବନ ଖାଇ ପୂରା ଦୁଇଦିନ ରହିଗଲି। ମାସିକ ଚାରିଟଙ୍କାରେ ମୋର ଯାବତୀୟ ଖର୍ଚ୍ଚ ଚଳୁଥିଲା। କେବଳ ଖାଇବା ଖର୍ଚ୍ଚ ମାସକୁ ହରାହାରି ତିନିଟଙ୍କା ଚାରିଅଣା ପଡ଼ୁଥିଲା। ମୋତେ ସ୍କୁଲରେ ବେତନ ଦେବାକୁ ପଡ଼ୁ ନ ଥିଲା। ଚାଉଳ ଟଙ୍କାରେ ମିଳୁଥିଲା କଟକୀ ୧୬/୧୭ ସେର।
ମୁଁ ବଡ଼ଦାଣ୍ଡକୁ ବା ବଡ଼ଦେଉଳକୁ ବେଶି ଯାଏ ନାହିଁ। ସୁସଜ୍ଜିତ ହୋଇ ରହିଥିବା ଗୁଡ଼ିଆ ଦୋକାନ ଦେଖିଲେ ମୋ ପାଟି ଟାକୁ ଟାକୁ ହୁଏ; ଅଥଚ ଅଣ୍ଟାରେ ପଇସା ନ ଥାଏ। ଥରେ ଗୋଟିଏ ପଇସା ଧରି ସିଂହଦ୍ବାର ପାଖେ ଥିବା ଗୁଡ଼ିଆ ଦୋକାନକୁ ଯାଇ, କୌଣସି ଏକ ଜିନିଷ ଦେଖାଇ ପଇସାଟିଏ ବଢ଼ାଇଦେଲି। ଦୋକାନୀ ମୋ ହାତରେ ସେଥିରୁ ଗୋଟିଏ ପକାଇ ଦେଇ ଅନ୍ୟ ଗ୍ରାହକଙ୍କ ଆଡ଼କୁ ମୁହଁ ବୁଲାଇବାକୁ ବସିଲାବେଳେ ମୁଁ ପଚାରିଲି, “ମିଠା ଲାଗିବ ତ?” ଦୋକାନୀ ରାମକୃଷ୍ଣ କିଛ ନ କହି, ଟିକିଏ କଟମଟ କରି ଚାହିଁଲା ଓ ମୁଁ ଭୟରେ ହାତ ଘୁଞ୍ଚାଇ ଆଣୁ ଆଣୁ, ଏକ କରେଇରେ କରଚୁଲି ବୁଡ଼ାଇ, ସେହି ଜନିଷ ଉପରେ ଚାରି ଛ ଟୋପା ମହୁ ପରି ଅଠାଳିଆ ଜିନିଷ ପକାଇ ଦେଲା। କେତେଦିନ ପରେ ମୁଁ ବୁଝିଲି ଯେ ମୋ କିଣା ଜିନିଷର ନାମ ‘ପୁରି’ ଓ ଦୋକାନୀ ଅନୁଗ୍ରହରେ ଦେଇଥିବା ପଦାର୍ଥ ରସଗୋଲାର ଗୋଲାଂଶ ଯହିଁରେ ଭାସେ, ସେହି ରସ।
ପନ୍ଦର ମାସ ପର୍ଯ୍ୟନ୍ତ ମୁଁ କଷ୍ଟେମଷ୍ଟେ କଟାଇଲି। ଆମ ଗ୍ରାମ ପାଖର ଦୀନବନ୍ଧୁ ନରେନ୍ଦ୍ର ସିଂହ ସେ ବର୍ଷ ପ୍ରବେଶିକା ପରୀକ୍ଷାକୁ ଯିବା ନିମନ୍ତେ ପ୍ରସ୍ତୁତ ହେଉଥିଲେ। ସେ ମୋତେ ଦୟା ପରବଶ ହୋଇ କହିଲେ, “ତୁମେ ଉପର ଶ୍ରେଣୀକୁ ଉଠିବ, ମୁଁ ମାସିକ କୋଡ଼ିଏ ଟଙ୍କା ବୃତ୍ତି ପାଇ କଟକରେ ଯାଇ ପଢ଼ିବି। ମୋର ମାସକୁ ପନ୍ଦର ଖର୍ଚ୍ଚ ଗଲେ, ବାକି ପାଞ୍ଚ ଟଙ୍କା ତୁମର; ଚିନ୍ତା କାହିଁକି କରୁଛ?” ସେତେବେଳେ ପ୍ରବେଶିକା ପରୀକ୍ଷା ଫଳ ଉପରେ ସମଗ୍ର ବଙ୍ଗ ବିହାର ଓ ଓଡ଼ିଶାରେ ପ୍ରଥମ ଦଶଜଣ ପରୀକ୍ଷାର୍ଥୀ ମାସିକ କୋଡ଼ିଏ ଟଙ୍କା ଲେଖାଏଁ ବୃତ୍ତି ପାଉଥିଲେ। ସେଥିରୁ ପାଞ୍ଚଟଙ୍କା ପାଇବା ଆଶା ମୋର ବୃଥା ହୋଇଗଲା। ନରେନ୍ଦ୍ର ସିଂହ ଚାରିବର୍ଷ ଫେଲ୍ ହୋଇ ମୋ ସହିତ ୧୯୦୬ ମସିହାରେ ପ୍ରବେଶିକା ପାଶ୍ କଲେ। ମୁଁ ପାଶ୍ କଲି ଦ୍ବିତୀୟ ଶ୍ରେଣୀରେ, ସେ କଲେ ତୃତୀୟ ଶ୍ରେଣୀରେ।
ମୁଁ ସମସ୍ତ ଦୁଃଖ କଷ୍ଟ ସହି ଅଭାବ ଅନଟନ ମଧ୍ୟରେ ମାଟି କାମୁଡ଼ି ପଡ଼ି ରହିଲି। କାରଣ ମୁଁ ବାମନ ହୋଇ ସୁଦ୍ଧା, ଚନ୍ଦ୍ରକୁ ହାତ ବଢ଼ାଇଥିଲି। ଚନ୍ଦ୍ର ଆଖିକି ଦାଉ ଦାଉ ଦିଶୁଥିଲା; କିନ୍ତୁ ତାହା ଯେ କେତେ ଦୂରରେ ଥିଲା; ମୁଁ ବୁଝିବି କିପରି? କେତେ ଶିଶୁ ମା’ କାଖରେ ବସି, ଆକାଶକୁ ଚାହିଁ, ଚନ୍ଦ୍ରକୁ ହାତ ବଢ଼ାନ୍ତି। କେତେ ମା’ ପିଲାଙ୍କୁ ସାନ୍ତ୍ୱନା ଦେବା ନିମନ୍ତେ କହନ୍ତି,
‘ଆ, ଜହ୍ନମାମୁଁ ସରଗ ଶଶୀ;
ମୋ କାହ୍ନୁ ହାତରେ ପଡ଼ରେ ଖସି।’
ସେହି ଗୀତ ପଦକ ମୋ କାନରେ ବରାବର ପଡ଼ୁଥାଏ। ଶିଶୁ ଗୀତ ଏକ ମୃଗତୃଷ୍ଣା କହିଲେ ଚଳେ। ହଜାରକେ ଅନେଶତ ତା ପଛରେ ଧାଇଁ ଧାଇଁ ନିରାଶ ହୁଅନ୍ତି; ଜଣେ ଅବା କଦାଚିତ୍ ତାକୁ ଛୁଇଁପାରେ; କିନ୍ତୁ ଦଉଡ଼ ପ୍ରତିଯୋଗିତାରେ ଧାଇଁଲା ପରି, ତା ପଛରେ ନ ଧାଏଁ କିଏ? ମୁଁ ବାଦ ଗଲି ନାହିଁ। ନଅଶହ ଅନେଶତଙ୍କ ଭିତରେ ଜଣେ ହୋଇ ଧାଇଁବାରେ ଲାଗିଲି।
-୦-