ବାମନର ଚନ୍ଦ୍ରକୁ ହାତ ବଢ଼ାଇବା ଚେଷ୍ଟା ନିତାନ୍ତ ହାସ୍ୟାସ୍ପଦ; କିନ୍ତୁ ଚନ୍ଦ୍ରକୁ ହାତ ବଢ଼ାଇବା ବିଷୟରେ, କେବଳ ବାମନ କାହିଁକି, ପୃଥିବୀର ସବୁଠାରୁ ଡେଙ୍ଗା ଲୋକ ସମ୍ପର୍କରେ ସୁଦ୍ଧା, ଏକତା କୁହାଯାଇ ପାରିବ। ତଥାପି ପୃଥିବୀର ଇତିହାସରୁ ଦେଖାଯାଏ, କେତେକ ବାମନ, ଅଂସଖ୍ୟ ଡେଙ୍କା ଲୋକଙ୍କୁ ଟପି, ଚନ୍ଦ୍ରକୁ ହାତ ବଢ଼ାଇ ଅଳ୍ପାଧିକ କୃତକାର୍ଯ୍ୟ ହୋଇଛନ୍ତି ବିଲାତରେ କୌଣସି ପିଲା ଅର୍ଥାଭାବ ଯୋଗେ ଚା ନପାଇ ପାରି ଗରମ ପାଣି ପିଇ ଶୀତ ନିବାରଣ କରୁଥିଲା। ପରେ ସେ ପ୍ରଧାନମନ୍ତ୍ରୀ ହେଲା। ଆମେରିକା ଯୁକ୍ତରାଜ୍ୟର ଗୋଟିଏ ଗରିବ ପିଲା ଘରେ ଆଲୁଅ ଜାଳିବାକୁ ପଇସା ନ ପାଇବାରୁ ସଡ଼କ ଆଲୁଅରେ ବସି ପାଠ ପଢ଼ୁଥିଲା। ସେ ଦିନେ ଯୁକ୍ତରାଜ୍ୟର ସଭାପତି ଆସନରେ ବସିଲା। ସେହି ଯୁକ୍ତରାଜ୍ୟର ଜଣେ ସଭାପତିଙ୍କ ଉନ୍ନତି ଘଟିଥିଲା, ‘ପତ୍ର କୁଡ଼ିଆରୁ ରାଜପ୍ରାସାଦକୁ’।

ବଙ୍ଗ ପ୍ରଦେଶରୁ ଜଣେ ଗୋରା ଲାଟ ଆସିଥିଲେ, ଯେ କି ଦିନେ କୁଲି ବ୍ୟବସାୟରେ ଜୀବିକା ଉପାର୍ଜନ କରୁଥିଲେ। ପ୍ରଥମ ମହାସମରର ବିରାଟ ମନ୍ଥନ ମଧ୍ୟରୁ ଚେକୋସ୍ଲୋଭାକିଆ ରାଜ୍ୟ ପ୍ରତିଷ୍ଠା କରିଥିଲେ ଯେଉଁ ସାମରିକ ବ୍ୟକ୍ତି, ସେ ଜଣେ ସାମନ୍ୟ ଦରୱାନର ପୁଅ। ଇଟାଲୀର ସେଦିନର ଭାଗ୍ୟବିଧାତା ମୁସୋଲିନ୍ ସେହିପରି ଦରିଦ୍ର କମାର ଘରେ ଜନ୍ମ ହୋଇଥିଲେ। ପୃଥିବୀ ବିଖ୍ୟାତ ହିଟ୍‌ଲର ଇଟାଭାଟିରେ କାମକରି ପିଲାଦିନେ ପେଟ ପୋଷୁଥିଲେ। ରୁଷିଆର କର୍ଣ୍ଣଧାର ଷ୍ଟାଲିନ୍ ମୋଚି ପିଲା। ଆମ ଭାରତର ମଧ୍ୟ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମ ସାମାନ୍ୟ ପୂଜାରୀ ଘରେ।

ଏମାନେ ଯେ ବାମନ ହୋଇ ଜନ୍ମ ଲଭିଥିଲେ, ତାହା କିଏ ଅସ୍ୱୀକାର କରିବ? କୋଟି କୋଟି ବାମନ ପୃଥିବୀକୁ ଆସି ବନର ମାଳତୀ ପରି ବନରେ ଫୁଟି ଝଡ଼ୁଛନ୍ତି। ତାଙ୍କ କଥା କେହି ଜାଣୁ ନାହାନ୍ତି; କିନ୍ତୁ ସେମାନଙ୍କ ଭିତରୁ ଯେ ଚନ୍ଦ୍ରକୁ ହାତ ବଢ଼ାଇ ଧରି ପାରୁଛି, ସେ ବଡ଼ ହେଉଛି ଓ ଉଚ୍ଚତାରେ ଲକ୍ଷ ଲକ୍ଷ ଡେଙ୍ଗା ଲୋକଙ୍କୁ ଟପି ଯାଉଛି। କୋଟି କୋଟି ବାମନ ଆକାଶରେ ଉଜ୍ଜ୍ୱଳ ଚନ୍ଦ୍ରମଣ୍ଡଳ ଦେଖି ଲୋଭ ସମ୍ବରଣ କରି ନ ପାରି ହାତ ବଢ଼ାଉଛନ୍ତି; ମାତ୍ର ଧରି ନ ପାରି ହାସ୍ୟାସ୍ପଦ ହେଉଛନ୍ତି। ଆମ ମଧ୍ୟ-ଓଡ଼ିଆ ବିଦ୍ୟାଳୟର ଦ୍ବିତୀୟ ଶିକ୍ଷକ ମାଧବ ମିଶ୍ର ଥରେ ମତେ କହିଲେ, “ଏଣ୍ଟ୍ରାନ୍ସ ଖଣ୍ଡକ ପାସ୍ କରିଗଲେ ମଣିଷରେ ଗଣା ହୁଅନ୍ତୁ; ମାତ୍ର ତୋ ପକ୍ଷରେ ତ ଏ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ନ୍ୟାୟ। କଣ ପଡ଼ିଛି? ବହିପତ୍ର କିଣିବୁ, ଖୋରାକ ଧରିବୁ, ପ୍ରବାସରେ ଯାଇ ରହିବୁ; ସବୁ କରିପାରିଲେ ସିନା ହବ। ଏ ତ ଷାଠିଏ ପଉଟି ଘିଅ ହବ ନା ରାଧା ନାଚିବେ।”

ବର୍ତ୍ତମାନ ମାଟ୍ରିକ୍ୟୁଲେଶନ୍ ପରୀକ୍ଷାର ନାମ ସେ ସମୟରେ ଏଣ୍ଟ୍ରାନ୍ସ ଥିଲା। ମୋ ପୂର୍ବରୁ ବାଣପୁରର ଷାଠିଏ ହଜାର ଲୋକଙ୍କ ମଧ୍ୟରୁ କେବଳ ଜଣେ ଏଣ୍ଟ୍ରାନ୍ସ ପାଶ୍‌ କରିଥିଲେ। ଏଣ୍ଟ୍ରାନ୍ସ ପାଶ୍‌ କଲେ ଯେ ମନ୍ୟୁଷ୍ୟରେ ଗଣା ହୁଅନ୍ତି ତାଙ୍କୁ ଦେଖିଲେ ଜଣା ଯାଉଥିଲା। ତାଙ୍କ ହତାରେ ଶହ ଶହ ଲୋକ ରୁଣ୍ଡ ହୁଅନ୍ତୁ; ଦଶ ପଚାଶ ସରବରାକାର ତାଙ୍କ ପାଖେ ଯାଇ ଯୁଟନ୍ତି; ତାଙ୍କ ମୁହଁରୁ ପଦେ କଥା ଶୁଣିବାକୁ ଲୋକେ ଚାହିଁ ରହିଥାନ୍ତି। ସେ ଖୋରଧା କଚେରୀରେ କିରାନି କାମରେ ରହିଥିଲେ। ତାଙ୍କ ପଛକୁ ମୁଁ ମଧ୍ୟ ଆଉ ଜଣେ ବାହାରିବି ବୋଲି, ମୋର ପୁରୀରେ ପଢ଼ିବାବେଳୁ ଅନେକ ଧରି-ନେଲେ। ସେଥିପାଇଁ ମୁଁ ଛୁଟିରେ ଘରକୁ ଗଲେ, ବରାବର ଶୁଣେ, “ଟିକିଏ ଦୟା ରଖିଥିବଟି!”

କିନ୍ତୁ ଦୟା ରଖିବା ଅବସ୍ଥାକୁ ଯିବା ପୂର୍ବରୁ ମୋତେ ପ୍ରଥମେ ଚନ୍ଦ୍ରଙ୍କୁ ହାତ ବଢ଼ାଇବାକୁ ପଡ଼ିଲା। ଅଥଚ ମୁଁ ଦେଖିଲି ମୋ ହାତ ପାଉନାହିଁ। ସୁତରାଂ ମାସ ମାସ ଧରି ନୈରାଶ୍ୟ ବହ୍ନିରେ ମୋତେ ଜଳିବାକୁ ହେଲା। ଶେଷରେ ଅତି ଆକସ୍ମିକ ଭାବରେ ଦିନେ ଆକାଶ କୟାଁ ଓ ଚିଲିକା ମାଛର ସଂଯୋଗ ଘଟିଲା; ମୁଁ ପୁରୀରେ ନାମ ଲେଖାଇବାକୁ ଗଲି। ମୁଁ ନିତି ଅସ୍ଥାୟୀ ମାଇନର ସ୍କୁଲରେ ଯାଇ ବସେ। ଦିନ ଖୋରଧାର ତହସିଲ୍‌ଦାର ସ୍କୁଲ ପରିଦର୍ଶନରେ ଗଲେ। ମୁଁ ଉଚ୍ଚ ବିଦ୍ୟାଳୟକୁ ପଢ଼ିବାକୁ ନ ଯାଇ ସେଠାରେ କାହିଁକି ଘୁଷୁରୁଛି, ସେ ପଚାରିଲେ। ଶିକ୍ଷକଙ୍କ ଠାରୁ ଉତ୍ତର ପାଇବା ପରେ ସେ ଟିକିଏ ଭାବି କହିଲେ, ‘ଆଚ୍ଛା, ମୁଁ ତାର ବ୍ୟବସ୍ଥା କରିବି।’ ଯଥା ସମୟରେ ସେ ଗୋଟିଏ ବ୍ୟବସ୍ଥା କଲେ ମଧ୍ୟ। ରାମକୃଷ୍ଣ ବୋଷଙ୍କ ନିକଟକୁ ପୁରୀକୁ ମୋ ହାତରେ ଖଣ୍ଡିଏ ଚିଠି ଦେଲେ। ରାମକୃଷ୍ଣ ବୋଷ କଟକର ସେ ଯୁଗର ଖ୍ୟାତନାମା ଓକିଲ ହରିବଲ୍ଲଭ ବୋଷଙ୍କ ପୁତୁରା। ସେ ‘ଶଶି ନିକେତନ’ ରେ ରହୁଥିଲେ।

ଦରିଦ୍ର କୁଟୀରର ବଡ଼ ନିଧି ହେଉଛି ପିଲା। ବୟସରେ ମୋଠାରୁ ଦଶବର୍ଷ ସାନ ମୋର ଗୋଟିଏ ଭଉଣୀ ଥିଲା। ସମାଜରେ ପୁଅ ଓ ଝିଅ ଉଭୟଙ୍କ ଆବଶ୍ୟକତା ସମାନ ହେଲେ ସୁଦ୍ଧା, ପୁଅମାନେ ଝିଅଙ୍କ ତୁଳନାରେ ଅଧିକ ଆଦର ପାଆନ୍ତି। ବର୍ତ୍ତମାନ ନାରୀଜାତି ନିଜ ଦାବୀ ପ୍ରତିଷ୍ଠିତ କରିବାକୁ ବସୁଛି। ତା’ର ଫଳାଫଳ ଯଥାସମୟରେ ଜଣାଯିବ; କିନ୍ତୁ ବିଧାତା ନାରୀ ମୁଣ୍ଡରେ ଯେଉଁ କଠୋର କର୍ତ୍ତବ୍ୟ ଲଦିଛି, ତାକୁ ବହନ କରି ସେ ଯେ ଖୁବ୍ ଉଚ୍ଚକୁ ଉଠିପାରିବ ସେ ବାଟ ଏବେ ପ୍ରାଞ୍ଜଳ ଦିଶୁନାହିଁ। ସେହି କର୍ତ୍ତବ୍ୟ ପାଳନ ହିଁ ନାରୀ ପକ୍ଷେ ଗର୍ବର ହେତୁ; ତାହାରି ଯୋଗେ ନାରୀର ମହତ୍ତ୍ବ ଏବେ ବଢ଼ିଛି।

ନାରୀ ଜାତିର ମହିୟସୀ ପ୍ରତିନିଧି ରୂପ ଦୁର୍ଗା, ଲକ୍ଷ୍ମୀ, ସରସ୍ବତୀ ପୂଜା ପାଉଛନ୍ତି; ଶକ୍ତି ସୃଷ୍ଟି ସର୍ଜନା କରୁଛି। ପରିବାର ମଧ୍ୟରେ ଜୀବିକା ଅର୍ଜନ ଭାର ପଡ଼ିଛି ପୁରୁଷ କାନ୍ଧରେ। ଗ୍ରୀନ୍‌ଲାଣ୍ଡ, ସୁଇଜର୍‌ଲାଣ୍ଡ ପ୍ରଭୃତି କେତେକ ସ୍ଥାନରେ ନାରୀମାନେ ପୁରୁଷଙ୍କୁ ଘରେ ରଖାଇ ନିଜେ ବାହାରର ସକଳ କାର୍ଯ୍ୟ ନିର୍ବହନ କରନ୍ତି, ଏପରିକି ଜୀବିକା ଅର୍ଜନ କରି ମଧ୍ୟ ଆଣନ୍ତି। ପୁରୁଷମାନେ ଘରଧନ୍ଦା ବୁଝନ୍ତି, ସନ୍ତାନର ଲାଳନପାଳନ ଭାର ମୁଣ୍ଡାନ୍ତି। ବର୍ମାଦେଶର ନାରୀ ପୁରୁଷ ଅପେକ୍ଷା ପ୍ରବଳ; ତଥାପି ମାନବ-ସମାଜରେ ସଚରାଚର କୁଟୁମ୍ବ ପୋଷିବା କାମ ପୁରୁଷର, ନାରୀର ନୁହେଁ। ସେହି କାରଣରୁ ବିବାହିତ ପୁଅର ନାମ ଭର୍ତ୍ତା ଓ ବିବାହିତା ଝିଅ ହେଉଛି ଭାର୍ଯ୍ୟା।

Pages: 1 2 3