କେବଳ ସେତିକି ନୁହେଁ, ହିନ୍ଦୁ ସମାଜରେ ପୁଅ ପିଣ୍ଡ ଦେବାକୁ ଅର୍ହ ବିବେଚିତ ହେଉଥିବା ଯୋଗେ, ଝିଅଠାରୁ ତା’ର ଆଦର ଅଧିକ ହୋଇପାରେ; କିନ୍ତୁ ପ୍ରାୟ ସବୁ ସମାଜରେ ଝିଅ ଅଳ୍ପାଧିକ ପରିମାଣରେ ଏକ ସମସ୍ୟା। ବେଶି ଝିଅ ଜନ୍ମ ହେଲେ, କେହି କେହି ତାକୁ ଅଭିଶାପ ମଣନ୍ତି। କାରଣ ଉପଯୁକ୍ତ ପାତ୍ର ସହିତ ବିବାହ କରାଇବା କ୍ୱଚିତ୍‌ ସମ୍ଭବପର ହୁଏ।

ପୁଅମାନଙ୍କୁ ଅବିବାହିତ ଅବସ୍ଥାରେ ଯେତେ ବୟସ ପର୍ଯ୍ୟନ୍ତ ରଖିହୁଏ, ଝିଅମାନଙ୍କୁ ରଖି ହୁଏ ନାହିଁ। ନାରୀର ସତୀତ୍ୱ ଉପରେ ସମାଜ ତୀବ୍ର ଦୃଷ୍ଟି ଦେଇଥାଏ। ଝିଅର ଆଚରଣ ଯୋଗୁଁ ଅନେକ ବାପା ଓ ମା’ ସମାଜରେ ଲାଞ୍ଛନା ଭୋଗିବାର ଦେଖାଯାଏ। ପୁଅର ଯେଉଁ ଦୋଷ ପୌରୁଷ ବିବେଚିତ ହୁଏ, ଝିଅ ପକ୍ଷେ ତାହା ମାରାତ୍ମକ ସ୍ଖଳନ। ଝିଅକୁ ଘରେ ନରଖି ବିବାହ କରାଇଦେବା ନିମନ୍ତେ ବାପା ଓ ମା’ ଯେ ବ୍ୟାକୁଳ ହୁଅନ୍ତେ, ବରପାତ୍ରମାନେ ସେଥିରୁ ଲାଭ ଉଠାଇବାକୁ ବସନ୍ତି, ତହିଁରୁ କନ୍ୟାଶୁଳ୍କର ଉତ୍ପତ୍ତି। ପିତା କନ୍ୟାଶୁଳ୍କ ଦେବାକୁ ଅକ୍ଷମ ଥିବାର ଦେଖି କେତେ କନ୍ୟା ଆତ୍ମହତ୍ୟ କରନ୍ତି!

ଆଜିକାଲି ଝିଅମାନେ ଅବିବାହିତା ରହିବାକୁ ଇଚ୍ଛା କରୁଥିବାର ଦେଖାଯାଉଛି। ବିବାହର ବୟସ ଆଇନରେ ବଢ଼ାଇ ଦିଆଯାଉଥିବା ଯୋଗେ ତାହା ସମ୍ଭବପର ହେଉଛି। ପୁରୁଷ ସହିତ ନାରୀର ସମ୍ପର୍କ ନିୟନ୍ତ୍ରଣ କରିବା ଗୋଟାଏ ବଡ଼ ସାମାଜିକ ସମସ୍ୟା। ପାରିବାରିକ ଜୀବନ ଯଥାର୍ଥ ଆଦର୍ଶ କି ନା, ବର୍ତ୍ତମାନ କ୍ରମେ ସନ୍ଦେହର ବିଷୟ ହୋଇ ପଡ଼ୁଛି। ପୁରୁଷଙ୍କ ପରି ନାରୀମାନେ ରାଜନୀତି କ୍ଷେତ୍ରରେ ବଡ଼ ବଡ଼ ପୀଠରେ ବସିବାକୁ ଆରମ୍ଭ କଲେଣି। ତଥାପି ଝିଅ ଅପେକ୍ଷା ପୁଅର ଆଦର ଅଧିକ ରହିଛି।

ଘରେ କୋଳକୁ ଝିଅଟି ରହୁଥିଲେ ମଧ୍ୟ ମୋ ପୁରୀ ଯିବାଦିନ ବୋଉ ବହୁତ କାନ୍ଦିଲା। ମୋ ବୁଢ଼ୀମା ଅନ୍ଧୁଣୀ। ନାତୁଣୀ ତାଙ୍କ ପକ୍ଷେ ଅନ୍ଧର ଲଉଡ଼ି ଥିଲା; ମୁଁ ନ ଥିଲି। ତଥାପି ସେ ମୋତେ କୁଣ୍ଢାଇ ଧରି ଆଖିରୁ ଝର ଝର ଲୁହ ଗଡ଼ାଇଲେ। ବହୁ ବନ୍ଧନ ଗୋଟି ଗୋଟି ଛିଣ୍ଡାଇ, ଲେଉଟ ଚକୁଳି ଖାଇ ମୁଁ ପିତାଙ୍କ ସଙ୍ଗେ ଘରୁ ଗୋଡ଼ କାଢ଼ିଲି। ଏଥର ପୁରୀ ପର୍ଯ୍ୟନ୍ତ ରେଳରେ ଗଲି। ରାମକୃଷ୍ଣ ବୋଷ ଚିଠି ପଢ଼ି, ମୋ ହାତେ ପାଞ୍ଚଟି ଟଙ୍କା ଦେଇ କହିଲେ, “ଏତିକି ନିଅ, ଆଉ ଆସିବ ନାହିଁ।” ସେ ଜଣେ ଧର୍ମଭୀରୁ ଲୋକ। ବି.ଏ. ପାସ୍ କରି ଅର୍ଥ ଉପାର୍ଜ୍ଜନ ପନ୍ଥା ଛାଡ଼ି, ଜଗନ୍ନାଥଧାମ ଆଶ୍ରୟ କରିଥାଆନ୍ତି। ସେ ବେକରେ ବଡ଼ ବଡ଼ ତୁଳସୀ କଣ୍ଠିମାଳ ପିନ୍ଧୁଥିଲେ, ଆମିଶ ଖାଉ ନଥିଲେ, କୀର୍ତ୍ତନରେ କାଳ କଟାଉ ଥିଲେ।

ସେତେବେଳକୁ ତାଙ୍କର ସମ୍ଭବତଃ ୩୨/୩୩ ବର୍ଷ ବୟସ। ଯୌବନର ମଧ୍ୟାହ୍ନରେ ଏତେ ସଂଯମରେ ରହିବା ଲୋକ ବିରଳ। ଦିନେ ପୁରୀ ରାଜା ମୁକୁନ୍ଦଦେବ ଉଆରେଣ୍ଟରେ ଧରା ହୋଇ ସୁଆରିରେ ବସି କଚେରୀକୁ ଯାଉଥିଲେ। ସେ ଦୃଶ୍ୟ ଦେଖିବା ସକାଶେ ବାଟଯାକ ଲୋକାରଣ୍ୟ ହୋଇଥିଲା। ସୁଆରି ‘ଶଶି ନିକେତନ’ ଆଗରେ ଯିବାବେଳେ ରାମକୃଷ୍ଣ ବାବୁ ଧାଇଁ ଆସି ସଡ଼କରେ ଲାଲି ଧୂଳି ଉପରେ ଲମ୍ବ ହୋଇ ଶୋଇ ଦଣ୍ଡ-ପ୍ରଣାମ କରିଗଲେ।

ମୁଁ ପୁରୀ ଜିଲ୍ଲା ସ୍କୁଲରେ ପଞ୍ଚମ ଶ୍ରେଣୀରେ ନାମ ଲେଖାଇଲି। ସେହି ଶ୍ରେଣୀର ନାମ ଆଜିକାଲି ‘ସପ୍ତମ’ ହୋଇଛି। ବର୍ତ୍ତମାନ ଉଚ୍ଚ ବିଦ୍ୟାଳୟର ଶ୍ରେଣୀସବୁ ନିଶୁଣୀରେ ଚଢ଼ିବା କ୍ରମରେ ତଳୁ ଉପରକୁ ଗଣାଯାଉଛି; ସେ ସମୟରେ ଉପରୁ ତଳ ଆଡ଼କୁ ଗଣା ଯାଉଥିଲା। ମୁଁ ବିଦ୍ୟାଳୟରେ ପ୍ରବେଶ କଲି ଦୁର୍ଗାପୂଜା ଛୁଟିର କିଛିଦିନ ପୂର୍ବରୁ। ସେ ବର୍ଷର ବାକି କେତେ ମାସ ଓ ଚତୁର୍ଥଶ୍ରେଣୀର ପୂରା ବର୍ଷକ ପିତାଙ୍କୁ ଜମି ବିକି ମୋ ପଢ଼ାଖର୍ଚ୍ଚ ଚଳାଇବାକୁ ପଡ଼ିଲା। ରାମକୃଷ୍ଣ ବୋଷଙ୍କ ପାଖକୁ ଆଉଥରେ ଯିବାକୁ ମୋର ସାହସ ତ ନଥିଲା, ଇଛା ମଧ୍ୟ ହେଲା ନାହିଁ। ମୁଁ ପ୍ରଥମେ ତାଙ୍କ ପାଖକୁ ଯେଉଁଦିନ ଯାଇଥିଲି, ତାଙ୍କ ଘରୁ ଜଣେ ବାବୁ ବାହାରି ମୋତେ କହିଲେ, “କଣ, ରୋଷେଇବାସ କର? ଆମର ପୂଜାରୀ ଅଛି।” ଯେତେ ଦରିଦ୍ର ହେଲେ ସୁଦ୍ଧା, ମୁଁ ବାପା ମା’ଙ୍କର ଗେହ୍ଲାପୁଅ; ସେତେବେଳେ ‘ପୂଜାରୀ’ ଆଖ୍ୟା ପାଇବାକୁ ପ୍ରସ୍ତୁତ ନଥିଲି; କିନ୍ତୁ ପରେ ବାପା ଓ ମାଙ୍କ ମୃତ୍ୟୁ ଉତ୍ତାରେ, କଲେଜରେ ପଢ଼ିବାବେଳେ ମୋତେ ଅନେକ କାଳ ପ୍ରାୟ ପୂଜାରୀ ଭାବରେ ପଢ଼ା ଖର୍ଚ୍ଚ ଉଠାଇବାକୁ ହେଲା।

ରାମକୃଷ୍ଣ ବାବୁଙ୍କ ଘରେ ମୋତେ ଯେ ପୂଜାରୀ ମନେ କଲେ, ତାହା ମୋତେ ଯେତେ ବିସୁଖ ଲାଗୁ, ତା ପାଇଁ କାରଣ ଥିଲା। ଆଜିକାଲି ନିତାନ୍ତ ମଫସଲ ଛଡ଼ା କୌଣସିଠାରେ ପୁରୁଷ ପିଲାଙ୍କ ମୁଣ୍ଡରେ ପେଣ୍ଡାବାଳ ଦେଖାଯାଏ ନାହିଁ। ସେ ସମୟରେ ପଲ୍ଲୀର ପୁରୁଷମାନେ, ଆବାଳ ବୃଦ୍ଧ ପ୍ରାୟ ସମସ୍ତେ, ପେଣ୍ଡାବାଳ ରଖୁଥିଲେ। କେବଳ ସହରରେ ପିଲାଙ୍କ ମଧ୍ୟରେ, ତା’ର ପ୍ରଚଳନ ନ ଥିଲା। ମୋ ମୁଣ୍ଡରେ ପେଣ୍ଡାଏ ବାଳ ତ ଥିଲା, ତା ଛଡ଼ା ଦୁଇକାନରେ ଦୁଇପଟ ଢୋଲା ପେଟୁଆ ନୋଳି ମଧ୍ୟ ଝୁଲୁ ଥିଲା। ତାହା ଦେଖି ଅନେକେ ମୋତେ ‘ନାଟୁଆ ପିଲା’ ବୋଲି ଚିଡ଼ାଉଥିଲେ। ପୂଜାରୀ ହେବା ତ ତାହାଠାରୁ ସ୍ପୃହଣୀୟ। ବର୍ତ୍ତମାନ ବୁଝୁଛି, ପୂଜାରୀ ଡାକରେ ମୋର ବିଚଳିତ ହେବାରେ କାରଣ ନ ଥିଲା।

Pages: 1 2 3