ଏ ବର୍ଷର ପ୍ରଥମ ବଢ଼ିରେ ଆମ ଜମିସବୁ ଧୋଇ ହୋଇଗଲା। ଦ୍ବିତୀୟ ବଢ଼ିରେ ଆମର ସନ୍ତକ ଦୁଇ ମାଣ ଜମି ଉପରେ ବାଲିଚର ମାଡ଼ିଗଲା। ଯାହା ଘରେ କାମ କରି ପେଟ ପୋଷୁଥିଲି, ସେ ବି କିଏ କୁଆଡ଼େ ଭାସିଗଲେ। ଗାଁ’ରେ ଆଉ ଗୋଟିଏ ବୋଲି ଘର ନାହି। ମୋ କୁଡ଼ିଆର ତିନୋଟି କାନ୍ଥ ବି ପଡ଼ିଯାଇଛି।
କାଲି ମୋ ଧନ ଦଉଡ଼ିଆସି କହିଲା, ‘ବୋଉ, ଚାହିଁଲୁ!’ ଛିଣ୍ଡା କନା ବଦଳରେ ତା’ ଦେହରେ ଦାମିକା କନାର ପୋଷାକ ଥିଲା। ମୋ ପ୍ରଶ୍ନର ଉତ୍ତରରେ ଦୁଃଖୀଧନ କହିଲା, ‘ଜିଲା ମାଜିଷ୍ଟର ଦେଇଛନ୍ତି- ବୋଉ, ଭାରି ଭଲ ଲୋକ। ମାଷ୍ଟ୍ରେ ଯେମିତି କହିଲେ ମୋର ବାପା ନାହିଁ, ଜମି ବାଲିଚର ମାଡ଼ିଯାଇଛି ବୋଲି, ସେମିତି ମୋତେ ଧରି କୁଣ୍ଢେଇ ପକାଇଲେ, ଆଉ ଏ ଜାମା ପିନ୍ଧେଇଦେଲେ। ମାଷ୍ଟ୍ରଙ୍କଠାରୁ ମୁଁ ଭଲ ପଢ଼ୁଛି ଶୁଣି, ମତେ ଏ ବହି ଦେଲେ।’ ବହି ଉପରେ ଗୁଡ଼ାହୋଇଥିବା ଫିତା ଉପରେ ଥିବା କାଗଜରୁ ଜାଣିଲି, ଚନ୍ଦ୍ରକାନ୍ତ ଆଜି ଜିଲ୍ଲା ମାଜିଷ୍ଟ୍ରେଟ୍। ମୋ ମନ କୁଣ୍ଢେମୋଟ ହୋଇଗଲା।
ଦେଖିବାକୁ ମନ ମୋର ଉଚ୍ଛନ୍ନ ହେଲେ ବି, ଏ ଛିଣ୍ଡା ଲୁଗା ପିନ୍ଧି ଅଲାଜୁକୀ ଭାବରେ ଯାଇପାରିଲିନି। ତାଙ୍କର ବି ବେଳ ନ ଥିବ ଏ ଦୁଃଖିନୀର ଦୁଃଖ ଶୁଣିବାକୁ। ହେଲେ ସୁରୁ, ତାଙ୍କୁ ଦେଖି ମୋର ତତେ ଦେଖିବାକୁ ଭାରି ମନ ହେଉଛି। ତୁ କ’ଣ ସତରେ ମତେ ଚିହ୍ନିପାରିବୁ? ନା, ତୁ ଭୁଲିଯିବୁଣି, ମାତ୍ର ତୋ ପ୍ରାଣର ରେଣୁ ଆଜି ହୀନିମାନୀ, ନୁଖୁରା ବାଳ, ଛିଣ୍ଡାକନା, ଆଉ ଅମଙ୍ଗଳ ହାତ ନେଇ ତୋ ପାଖକୁ ଯାଇ-ପାରୁନି। ହେଲେ ତତେ ଆଜି ହାତ ପାତୁଛି ସୁରୁ, ଦୁଇ ବରଷ ହେଲା ପାଳି ଆସୁଥିବା କାର୍ତ୍ତିକ ହବିଷ ଯେମିତି ଏ ବର୍ଷ ବନ୍ଦ ହୋଇ ନ ଯାଏ। ମୋ ଆକାଶ ଦୀପ ଯେମିତି ଚଉଁରା ଉପରେ ଏ ବର୍ଷ ଜଳେ। ସୁରୁ ଲୋ, ତୋ ପାଖରେ ତୋର ପ୍ରାଣ ରେଣୁର ଏତିକି ପ୍ରାର୍ଥନା-(ମୋ ପାଳନା ଯେମିତି ଏ ବରଷ ବନ୍ଦ ହୋଇ ନ ଯାଏ। ତାଙ୍କ ଆତ୍ମା ଯେମିତି, ଶାନ୍ତି ପାଏ।)
। ଇତି।
ତୋର “ରେଣୁ”
ଲୁହ ପଡ଼ି ଅସ୍ପଷ୍ଟ ହୋଇଥିବା ଚିଠିଟି ସୁରଭିର ଳୁହରେ ଆହୁରି ଅସ୍ପଷ୍ଟ ହୋଇଉଠିଲା। ଲୁହଧାର ଗଡ଼ି ଆସୁଥିଲା ତାର ଚିବୁକ ଦେଇ। ମନକୁ ସାନ୍ତ୍ୱନା ଦେଇପାରୁ ନ ଥିଲା ସେ।
-“ସୁରୁ, ସୁରୁ, ଆଜି ମୋର ଗୋଟାଏ ବଡ଼ଦିନ ସୁରୁ”। କହି କହି ପଶିଆସିଲେ ଚନ୍ଦ୍ରକାନ୍ତ।
ସୁରୁ ଲୁହବୋଳା ମୁହଁଟି ପୋଛିଦେଇ ତାଙ୍କୁ ଚାହିଁ ରହିଲା। ହାତରୁ ଚିଠିଟି କେତେବେଳେ ଖସିପଡ଼ିଲା ତାହାର ଖିଆଲ ନାହିଁ। ସୁରୁର ଏ ଅବସ୍ଥା ଚନ୍ଦ୍ରକାନ୍ତଙ୍କୁ ବ୍ୟତିବ୍ୟସ୍ତ କରିଦେଲା। ଚନ୍ଦ୍ରକାନ୍ତ ପଚାରିଲେ, “ତୁମେ ଏତେ ଶୁଖିଲା ଦିଶୁଛ କାହିଁକି? କ’ଣ ହେଲା?”
-“ନା, କିଛି ହୋଇ ନାହିଁ। କ’ଣ କହୁଥିଲ, କହୁନା?” ପଚାରିଲା ସୁରୁ।
-“ଆଜି ମୋର ଡିଗ୍ରୀ ହେଲା ମକଦ୍ଦମାରେ।”
-“କୋଉ ମକଦ୍ଦମା?”
-“ଯେଉଁ ମକଦ୍ଦମା ଉପରେ ମୋର ଜିଲ୍ଲା ମାଜିଷ୍ଟ୍ରେଟ୍ ପଦର ମର୍ଯ୍ୟାଦା ନିର୍ଭର କରୁଥିଲା, ମୋର ସେଇ ମକଦ୍ଦମାରେ ଡିଗ୍ରୀ ହୋଇଛି ସୁରୁ! ଆଜି ବଡ଼ ସୁଦିନ ସୁରୁ! ଆଜି ମୋର ସୁଦିନ।”
-“କେଉଁ ମକଦ୍ଦମା, ତୁମ ନାଁ’ରେ ମକଦ୍ଦମା?”
-“ହଁ ସୁରୁ, ମୋ ନାଁରେ ମକଦ୍ଦମା। ଆଜିକୁ ପ୍ରାୟ ସାତ ବର୍ଷ ତଳର କଥା। କଲେଜକୁ ବାପାଙ୍କ ଗାଡ଼ି ନେଇ ଖୁବ୍ ଜୋରରେ ଯାଉଥିଲି। ଅଚାନକ ଭାବରେ ମଙ୍ଗଳାବାଗ ଛକରେ ଗୋଟିଏ ଦୁର୍ଘଟଣା ଘଟିଲା। ଜଣେ ଲୋକ ମୋର ମଟରଚକ ତଳେ ଚିପି ହୋଇଗଲା। ଖବର ନେବାରେ ଜାଣିଲି, ସେ ଲୋକଟା ଅନ୍ଧ, ହରିପୁର ସ୍କୁଲର ପ୍ରଧାନ ଶିକ୍ଷକ। ପୋଲିସ ତା’ ପକ୍ଷରୁ ମୋ ନାଁରେ ମକଦ୍ଦମା କରିଥିଲା। ଯାହା ହେଉ, ଆଜି ଡିଗ୍ରୀ ହୋଇଗଲା ସେ ମକଦ୍ଦମାରେ।”
ସୁରଭିର ବନ୍ଦ ହୋଇଯାଇଥିବା ଲୁହଧାର ପୁଣି ବହିବାକୁ ଲାଗିଲା। ଚନ୍ଦ୍ରକାନ୍ତ କିଛି ବୁଝିପାରିଲେ ନାହିଁ। ବାରମ୍ବାର ପ୍ରଶ୍ନ କରିବାରୁ ସୁରଭି ତାଙ୍କ ଆଡ଼କୁ ଖଟ ଉପେର ପଡ଼ିଥିବା ଚିଠିଟିକୁ ଠାରି ଦେଖାଇ-ଦେଲା।
ଚିଠିଟିକୁ ଉଠାଇନେଇ ପଢ଼ିଗଲେ ଚନ୍ଦ୍ରକାନ୍ତ। ପଢ଼ିସାରି ଲୁହ ଛଳଛଳ ଆଖିରେ ଡାକ ପକେଇଲେ ଅଫିସ ଷ୍ଟେନୋ ପ୍ରଫୁଲ୍ଲ ବାବୁଙ୍କୁ।
ଭୟଭୀତ ହୋଇ ଶୋଇବା ଘରକୁ ପଶିଆସିଲେ ପ୍ରଫୁଲ୍ଲବାବୁ। ଚନ୍ଦ୍ରକାନ୍ତ ତାଙ୍କୁ ଚିଠିର ଠିକଣାଟି ଦେଖାଇ କହିଲେ, ‘ତୁମେ ଚଞ୍ଚଳ ଯାଅ, ଏଇ ଠିକଣାର ପାଞ୍ଚ ଶହ ଟଙ୍କା ମନିଅର୍ଡ଼ର କରିଦେବ।”
ଚନ୍ଦ୍ରକାନ୍ତଙ୍କ ହାତରୁ ଟଙ୍କା ନେଇ ଠିକଣାଟି ଦେଖୁ ଦେଖୁ ପ୍ରଫୁଲ୍ଲବାବୁ କହିଲେ, “ସରକାର ତାଙ୍କ ପକ୍ଷରୁ ଆମକୁ ପାଞ୍ଚ ଶହ ଟଙ୍କା ମକଦ୍ଦମା ଖର୍ଚ୍ଚ ଦେବା ପାଇଁ ପରା ରାୟ ହୋଇଛି!”
“ତୁମର ସେସବୁରେ ମୁଣ୍ଡ ଖେଳାଇବା ଦରକାର ନାହିଁ,”-ଗମ୍ଭୀର ଭାବରେ ଉତ୍ତର ଦେଲେ ଚନ୍ଦ୍ରକାନ୍ତବାବୁ।
ଭୟଭୀତ ହୋଇ ପ୍ରଫୁଲ୍ଲବାବୁ ଫେରିପଡ଼ିଲେ। ଚନ୍ଦ୍ରକାନ୍ତ ପଛରୁ ଡାକିଲେ, (“ ହଁ ଶୁଣ, ମନିଅର୍ଡ଼ର ମୋ ନାଁରେ ନ ପଠାଇ ସୁରଭି ଦେବୀଙ୍କ ନାଆଁରେ ପଠାଇବ। ଆଉ କୁପନ୍ରେ ଲେଖିଦେବ, ‘କାର୍ତ୍ତିକ ହବିଷ ଓ ଆକାଶ ଦୀପ ଖରଚ।’ ହଁ, ଚଞ୍ଚଳ ଯାଅ, ଡେରି କଲେ ଡାକଘର ବନ୍ଦ ହୋଇଯିବ।”)
-o-
ବିଦ୍ୟାଳୟର ସହପାଠିନୀ ଥିବା ଦୁଇଜଣ ମହିଳାଙ୍କ ସୁଖ ଓ ଦୁଃଖର କଥାକୁ ନେଇ ରଚିତ ଏହି ଗଳ୍ପଟି ଏକ ମାର୍ମିକ ପ୍ରତିନିବେଦନ। ଏହି ଗଳ୍ପଟି ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୧୯୮୦ ମସିହାରେ ପ୍ରକାଶିତ ‘ଗଳ୍ପ ଏକାଙ୍କିକା’ ପୁସ୍ତକରୁ ଆନୀତ।