‘ସୁରୁ ଲୋ,

ମୋର ସ୍ନେହ ନେବୁ। ମୋ କଥା ତୋର ଆଉ ମନେ ଥିବ କି ନାହିଁ ଜାଣି ପାରୁନାହିଁ। ହେଲେ ଏ ଚିଠିଟି ଟିକିଏ ମୂଳରୁ ଶେଷ ଯାଏ ପଢ଼ିବୁ। ତେବେ ଯାଇ ସବୁ ଜାଣିପାରିବୁ।

ସ୍କୁଲ କଥା ତୋର ପୂରା ମନେ ନ ଥିଲେ ବି, ଝାପ୍‌ସା ହୋଇ ମନେ ଥିବ, ମନଗହନରୁ ପୂରା ପୋଛି ହୋଇଯାଇ ନ ଥିବ। ମନେ ଥିବ, କ୍ଲାସରେ ଯେଉଁ ରେଣୁକୁ ତୁ ଦିନେ ନ ଦେଖିଲେ ପାଗଳିନୀ ହୋଇ ଯାଉଥିଲୁ, ମୁଁ ସେଇ ରେଣୁ। ଯାହାକୁ ତୋ’ରି ପାଖରେ ବସିବାକୁ ଦେଇ କେତେ ବଡ଼ଲୋକ ଝିଅଙ୍କ ମରମଜଳା ଟାହୁଲିଟାପୁରାରୁ ରକ୍ଷା କରିଥିଲୁ, ମୁଁ ସେହି ତୋର ରେଣୁ। ମନେଥିବ ତୋର-ସେଦିନ ଯେତେବେଳେ ଶୁଭ୍ରା ହାତରୁ ମୁଦିଟିକୁ ମୋ ହାତର କେଉଁ ଆଙ୍ଗୁଠିକୁ ହେଉଛି ଦେଖିବା ବୋଲି କହି ମୁଁ ନେଇଆସିଥିଲି, ଆଉ ଶୁଭ୍ରା ସେତେବେଳେ କହିଲା, ‘ପର ମୁଦି ପରଖିଲେ ମନର ସାଧ ମେଣ୍ଟିଯାଏନି, ପର ଲୁଗା ପିନ୍ଧି ହାଟକୁ ଗଲେ ଶୋଭାପାଏନି। ତୋର ତ ନିଜର ମୁଦିଟିଏ ପିନ୍ଧିବାର ଶକ୍ତି ନାହିଁ ରେଣୁ, ପର ମୁଦି ପରଖି ଦେଖିବୁ କିଆଁ?’

ତୁ ସେତେବେଳେ ଚୁପ୍ ହେଲୁ ନାହିଁ। ତାରି ମୁହଁରେ ତୁ ଜବାବ ଦେଲୁ, ‘ଶୁଭ୍ରା, ରେଣୁ ଗରିବ ବୋଲି ତୁ ଜାଣିସୁଦ୍ଧା କଟାଘା’ରେ ଚୂନ ଦେଉଛୁ? ମୁଦିଟିଏ ପିନ୍ଧିଲେ ହୃଦୟର ପରିବର୍ତ୍ତନ ହୋଇଯାଏ ନାହିଁ। ରେଣୁର ହୃଦୟ ଅଛି। ତୋ’ ଭଳି ପଥରବସା ମୁଦି ନ ଥାଇପାରେ। ମାତ୍ର ତୁ ହୃଦୟହୀନା।’ ସେହିଦିନୁ ସ୍କୁଲରେ ତା ସାଙ୍ଗରେ ତୋର ମନର ମେଳ ରହିଲା ନାହିଁ। ଶୁଭ୍ରା ଓ ତା’ ଭଳି ଆଉ କେତେ ଝିଅଙ୍କୁ ଅପମାନ ଦେଇ ମୋ ମୁହଁରେ ହସ ଖେଳାଇବାକୁ ତା’ ଆରଦିନ ତୁ ମୋ ହାତରେ ଠିକ୍ ସେମିତିଆ ଗୋଟାଏ ନାଲି ପଥରବସା ମୁଦି ପିନ୍ଧାଇ ଦେଇଥୁଲୁ। ସାରା ଜୀବନ ପାଇଁ ତା ସହିତ ସମ୍ପର୍କ ତୁଟାଇ-ଦେଲୁ। କେବଳ ମୋରି ପାଇଁ ସିନା ତୁ, ଶୁଭ୍ରା ଭଳି କେତେ ଝିଅଙ୍କ ସାଙ୍ଗ ହୋଇ ପାରିଲୁ ନାହିଁ।

ସୁରୁ, ତୋର ମନେ ଥିବ, ତୋ ପାଇଁ ଯାହା ତୁମ ବାପା ଆଣନ୍ତି, ତୁ ମୋ ପାଇଁ ବି ଅଳି କରି ଗୋଟିଏ ଗୋଟିଏ ଘେନିଆସୁ। ଖେଳଛୁଟିବେଳେ ତୋ ପାଇଁ ଆସିଥିବା ଜଳଖିଆ ବି ସମାନ ଦି’ ଭାଗ ହୁଏ। ମୁଁ ଯେତେ ମନା କଲେ ବି, ତୁ ତୋର ଦରଦୀ କଣ୍ଠରେ କହୁ, ରେଣୁ, ତୁ ମତେ ନିଜର ବୋଲି ଭାବୁନୁ। ମୁଁ କ’ଣ ତୋ’ର କେହି ନୁହେଁ?’ ତୋ ଆଖିରେ ଲୁହ ମୁଁ ସହିପାରେ ନାହିଁ, ତୋ ଇଛାରେ ବାଧା ଦିଏନି। ତୋ’ରି ପାଇଁ ମୁଣ୍ଡକଣ୍ଟାଠୁ ଆରମ୍ଭ କରି ଶାଢ଼ୀ ପର୍ଯ୍ୟନ୍ତ ମୋର କେଉଁଥିରେ ବି ଅଭାବ ନ ଥାଏ। ମୋଟରେ କହିଲେ ତୁ ଯେମିତି, ମତେ ଠିକ୍‌ ସେମିତ କରି ସବୁରି ଆଗରେ ଦେଖାଇବାକୁ ଚେଷ୍ଟା କରିଥିଲୁ।

ସ୍କୁଲ ଦିନଗୁଡ଼ିକ କୌଣସିମତେ ଗଡ଼ିଲା। ତା’ ପରେ କଲେଜ ଗଲୁ ତୁ, ଆଉ ତୋର ପ୍ରାଣର ନିରିମାଖୀ ରେଣୁ ବାହାହେଲା ଏଇ ହରିପୁର ସ୍କୁଲର ପ୍ରଧାନ ଶିକ୍ଷକ ସୂର୍ଯ୍ୟକାନ୍ତଙ୍କୁ। କଲେଜ ଜୀବନରେ ଧନୀପୁତ୍ର ଚନ୍ଦ୍ରକାନ୍ତଙ୍କ ଗୃହପତ୍ନୀ ହୋଇଗଲୁ ତୁ। ସେଦିନ ତୁମ ଦୁହିଁଙ୍କ ଫଟୋ ଖବରକାଗଜରେ ଦେଖିବାକୁ ପାଇଥିଲି ସୁରୁ! ସେଦିନ ତୋ ଫଟୋ ଦେଖି ମନେ ମନେ କେତେ ଯେ ଆନନ୍ଦ ଅନୁଭବ କରିଥିଲି, ତାର ଠିକଣା ନାହିଁ। ଫଟୋରେ ତୋ ମୁହଁରେ ହସ ଉକୁଟି ଉଠୁଥିଲେ ବି ତୁ ତାକୁ କୌଣସିମତେ ଲୁଚେଇ ଦେଇଥିଲୁ, ନୁହେଁ ଲୋ?

ବିବାହର ଦୁଇବର୍ଷ ପରେ କୋଳରେ ମୋର ଗୋଟିଏ ସନ୍ତାନ ଲାଭ କଲି; ମାତ୍ର ଭାଗ୍ୟଚକ୍ର ଆଉ ସମତଳ ପଥ ଉପରେ ଗଡ଼ିଗଲା ନାହିଁ। ଦୁଖଃର ପଥର ଭଗ୍ୟଚକ୍ରକୁ ମୋର ଦୋହଲାଇ ଦେଲା। ତିନି ବରଷ ନ ପୂରୁଣୁ ସେ ଅନ୍ଧ ହୋଇଗଲେ। ମଣିଷ ଜୀବନର ଦୁଇଟି ଅମୂଲ୍ୟ ସମ୍ପଦ ତାଙ୍କର ନଷ୍ଟ ହୋଇଗଲା। ଘରୋଇ ସ୍କୁଲରୁ ତାଙ୍କୁ ବିଦାୟ ନେବାକୁ ହେଲା। ଚାରୋଟି ମାସରେ ଦୁଃଖ-କଷ୍ଟର ସଂସାର ଟଳିପଡ଼ିଲା। ମୋ ଜୀବନର ଆଉ ଏକ ଆଶ୍ରୟ ବାପା ଆଉ ଦୁଇ ଭାଇ ନିୟତିର ଚକତଳେ ଚିପି ହୋଇଗଲେ। ସେ ମୋ ଅଜ୍ଞାତରେ, କଟକ ଚାଲିଗଲେ ଆଖି ଭଲ କରିବା ପାଇଁ। ଦିନେ ସକାଳେ ତାଙ୍କ ଚିଠିରୁ ଜାଣିଲି, ସେ ଘର ଛାଡ଼ି ଚାଲିଯାଇଛନ୍ତି। ସେଥିରେ ଲେଖାଅଛି, ‘ରେଣୁ ଲୋ, ଆଖି ଦୁଇଟି ନ ଥିବାରୁ ମୁଁ ତୁମ୍ଭମାନଙ୍କ କୌଣସି କାମରେ ଲାଗିପାରିବି ନାହିଁ। ଆଖି ଭଲ କରିବାକୁ ମୁଁ ଯାଉଛି। ଭଲ ହେଲେ ପୁଣି ଫେରିଆସିବି।’

ସୁରୁ, ମୋ କପାଳର ସିନ୍ଦୂରଗାର ମଉଳିପଡ଼ିଲା, କେଉଁ ଏକ ଧନୀ ଯୁବକଙ୍କ ମଟରଚକ ତଳେ ଚାପି ହୋଇ ତାଙ୍କ ଜୀବନଦୀପ ଲିଭିଗଲା, ଆଉ ତୋର ଆଦରର ରେଣୁ ହାତରୁ ପତିବ୍ରତାର ସନ୍ତକ ସ୍ବରୂପ କାଚଗୁଡ଼ିକ କାଢ଼ି ନିଆଗଲା, ଆଉ ତା’ର ସାଥିରେ ତୋ ଦେଇଥିବା କଙ୍କଣ ବି କଢ଼ା ହୋଇଗଲା।

ଏତିକିରେ ବି ଭାଗ୍ୟ ଖେଳ ସରିଲା ନାହିଁ। ମା’ ଆଉ ପୁଅ କୌଣସିମତେ ଗୁଜୁରାଣ ମେଣ୍ଟାଉଥିଲୁ, ତାଙ୍କ ବାପାଙ୍କର ଦୁଇ ମାଣ ନଈକୂଳ ଜମିରୁ। ଆଜକୁ ଚାରି ବର୍ଷ ହେବ ପରଘରେ କାମ କରି ତୋ’ରି ସେହି ସ୍ନେହର ରେଣୁ ତାର ପାଞ୍ଚ ବରଷର ପର ଲାଗି ନ ଥିବା ଚଢ଼େଇ-ଛୁଆକୁ ନେଇ ସଂସାର ଚଳାଉଥିଲା।

Pages: 1 2 3