ଉପହାରଟିଏ ଦେବାର ସୁଯୋଗ ପ୍ରତ୍ୟେକଙ୍କ ଭାଗ୍ୟରେ ଥରେ ଅଧେ ଘଟିଥାଏ। କିନ୍ତୁ ଉପହାରରେ କି ପଦାର୍ଥ ଅର୍ପଣ କରାଯିବ ତାହା ବାଛିବା ପାଇଁ ମଧ୍ୟ ପ୍ରତ୍ୟେକଙ୍କୁ ବହୁତ ଚିନ୍ତା ବ୍ୟୟ କରିବାକୁ ପଡ଼େ। ଉପହାର ଅର୍ପଣ ସଭ୍ୟତାର ପରିଚାୟକ। ସମାଜର ଉନ୍ନତି ସଙ୍ଗେ ଅନେକ ଦାନ ଉପହାରର ଆକାର ଧରେ। ଇଉରୋପର ସଭ୍ୟ ଦେଶମାନଙ୍କର ବଡ଼ଦିନ ଉପହାର (Christmas Presents) ଘେନି ଅନେକ ଆଡ଼ମ୍ବର ଦେଖାଯାଏ। ସଖାଙ୍କର ପରିଣୟରେ ଶୁଭାଗମନ ହେବା ମଙ୍ଗଳ ବିଦାୟ ବେଳେ ଆମ୍ଭମାନଙ୍କୁ ବେଳେ ବେଳେ ଉପହାର ଦେବାର ସୁଯୋଗ ମିଳିଥାଏ। ସେତେବେଳେ ମନରେ ଘୋର ସନ୍ଦେହ ଉଠେ। କଅଣ ଦେଲେ ସୁନ୍ଦର, ସୁଧାମୟ ହେବ?

ଉପହାରଟି ହୃଦୟର ପ୍ରଗାଢ଼ ପ୍ରୀତିର ବାହ୍ୟ ବିଷୟ ମାତ୍ର। ଏହା ପ୍ରାଣର ସ୍ନେହରୁ ନିରାଲମ୍ବରେ ବନ୍ଧୁଙ୍କର ପ୍ରାଣ ମଧ୍ୟକୁ ବହିଯାଏ। ଅପରର ଯାହା ନାହିଁ ସେ ବସ୍ତୁ ତାହାକୁ ଦେବା ଉପହାର ନୁହେଁ, ଏହା ଦାନ। ଅଭାବ ମୋଚନ କରିବାରେ ସ୍ନେହର ପ୍ରବାହ ଏକ ଆତ୍ମାରୁ ଅପର ଆତ୍ମାକୁ ବହିଯାଏ ନାହିଁ। ଏଥିରେ ଦତ୍ତ ଦ୍ରବ୍ୟଟି ଦାତାର ମଧୁର ବାସନା, ପ୍ରେମମୟ ପ୍ରସନ୍ନ ଉପରେ ନିର୍ଭର ନ କରି ଗ୍ରହୀତାର ଅଭାବ, ଆବଶ୍ୟକ ଉପରେ ନିର୍ଭର କରେ। ମିଲ୍‌ (Mill) ଙ୍କର ଛବି ଖଣ୍ଡିଏ ଉପହାର ଦେବାକୁ ମୋତେ ଭଲ ଲାଗେ। କିନ୍ତୁ ଦରିଦ୍ର ଭିକ୍ଷୁକ ଯେତେବେଳେ ମୋର ଦ୍ୱାରସ୍ଥ ହୋଇ ଚାଉଳ ମୁଠାଏ ମାଗୁଅଛି, ମୁଁ ଯଦି ତାକୁ ସେତେବେଳେ ଛବି ଖଣ୍ଡିଏ ଦିଏଁ ସେଥିରେ ତାହାର ତୃପ୍ତି ଜନ୍ମିବ କି? ନା ମୋହର ବୁଦ୍ଧିର ପରିଚୟ ମିଳିବ? ମୁଁ ଛବି ଖଣ୍ଡ ଦେବାକୁ ଗଲାବେଳେ ଆନନ୍ଦରେ ଯାଇପାରେ, ମାତ୍ର ଭିକ୍ଷୁକ ସେ ଛବିଖଣ୍ଡି ପାଇ ଖୁସି ହେଉନାହିଁ ଦେଖିଲେ ମୋହର ଆନନ୍ଦ ଦୁଃଖରେ ପରିଣତ ହୋଇଯିବ। ବର୍ତ୍ତମାନ ଦାତାର ‘ଦେଇ’ ଦୁଃଖ, ଗ୍ରହୀତାର ନେଇ ଦୁଃଖ। ଏପରି ଅବସ୍ଥାରେ ମୋତେ ବାଧ୍ୟହୋଇ ଅପରର ଯାହା ଦରକାରୀ ସେ ଦ୍ରବ୍ୟ ଦେବାକୁ ହେବ। ଅତଏବ ଏ ଦାନ ଉପହାର ନୁହେଁ ଏଥିରେ ଏକ ପ୍ରାଣର ପ୍ରେମ ପ୍ରବାହଟି ଅପର ପ୍ରାଣକୁ ଛୁଇଁପାରେ ନାହିଁ।

ଏହି ବାଧ୍ୟତାମୂଳକ ଦାନର ସୀମା ଅତିକ୍ରମ କରି ଯାହା ଆମ୍ଭମାନଙ୍କର ପ୍ରକୃତିର ଅଙ୍ଗବିଶେଷ, ଯାହା ପ୍ରାଣର ଗଠନ ସଙ୍ଗରେ ମିଶି ଯାଇଅଛି, ସେପରି ଦ୍ରବ୍ୟ ଉପହାରରେ ଅର୍ପଣ କରିବାକୁ ଉପହାର ନୀତି ଆମ୍ଭମାନଙ୍କୁ ଆଦେଶ କରେ। ଏହି ଶ୍ରେଣୀର ଦ୍ରବ୍ୟ ଅର୍ପଣ କଲାବେଳେ ଆମ୍ଭମାନଙ୍କର ବିଶ୍ୱାସ ଥାଏ ଯେ, ପ୍ରାଣର ଆଦରଣୀୟ ପଦାର୍ଥକୁ ବନ୍ଧୁଙ୍କ କରକମଳରେ ସନ୍ନିବେଶିତ ହେଉଅଛି। ଏଥିପାଇଁ କବି ନିଜର କବିତାଟିଏ ଉପହାର ଦିଅନ୍ତି, ଗାୟକର ଗାନଟିଏ, ଚିତ୍ରକାରର ଚିତ୍ରଟିଏ। ମୁଦିଟିଏ, ଘଡ଼ିଟିଏ, ଚେନ୍‌ଟିଏ ଉପହାର ଦେବା ଆଧୁନିକ ବିବାହର ଅଙ୍ଗ ପ୍ରାୟ ହୋଇ ପଡ଼ିଲାଣି।

ଏ ଶ୍ରେଣୀର ଉପହାରରେ ଦାତାର ଉପହାର ଅର୍ପଣ କ୍ଷମତା ପ୍ରକାଶ ପାଏ ସତ୍ୟ, ତାହାର ସ୍ନେହ, ପ୍ରୀତିର ଅଣୁମାତ୍ର ଆଭାସ ମିଳେନାହିଁ। ଦାତାଙ୍କର ପ୍ରଚୁର ଅର୍ଥ ଥିବାର ପରିଚୟ ମିଳେ, କିନ୍ତୁ ହୃଦୟଟି ଥିବାର ମିଳେନାହିଁ। ଅତଏବ ଏ ଜାତୀୟ ଉପହାରରେ ଦାତାଙ୍କର ପ୍ରକୃତ ତୃପ୍ତି ହୁଏ ନାହିଁ କି ଗ୍ରହୀତାଙ୍କର ହୁଏ ନାହିଁ। ଏହାର ଅର୍ପଣ ଦୈନିକ ଦାନ-ପ୍ରତିଦାନ-ଭାର-ପ୍ରପୀଡ଼ିତ ଜଗତ ଉପରେ ଗୋଟିଏ ଅନାବଶ୍ୟକ ବୋଝ ମାତ୍ର। ତେବେ ବାଳକ ବାଳିକାମାନଙ୍କ ନିମନ୍ତେ ପିତୁଳା କଣ୍ଢେଇ ପ୍ରଭୃତି ପଠାଇ ଦେବା ଏ ଜାତୀୟ ଉପହାରରେ ଗଣ୍ୟ ନୁହେଁ।

ବାଳକ ବାଳିକାଙ୍କୁ ଉପହାର ଦେଲାବେଳେ ଆମ୍ଭେମାନେ ଦୀର୍ଘକାଳ ପରିତ୍ୟକ୍ତ ସେହି ଶୈଶବ ବୟସକୁ କ୍ଷଣକ ପାଇଁ ଲେଉଟି ଆସୁଁ। ସେତେବେଳେ କଣ୍ଢେଇଟି ଆମ୍ଭ ପ୍ରିୟତମ ଦେବତା । ଅତଏବ ତାହାର ଅର୍ପଣରେ ଆମ୍ଭମାନଙ୍କର ଶୈଶବ ଜୀବନର କୋମଳ ପ୍ରୀତି, ଲଳିତ ସ୍ନେହ ଅପର ଶିଶୁଙ୍କ ହୃଦୟରେ ଗଭୀର କନ୍ଦରକୁ ବହିଯାଏ। ଏଥିରେ କେବଳ ବସ୍ତୁର ହସ୍ତାନ୍ତର ନୁହେଁ, ଆତ୍ମାର ମିଳନ, ପ୍ରୀତିର ସମ୍ମିଶ୍ରଣ ହୁଏ।

ଜଗତରେ ଦୁଇ ଶ୍ରେଣୀର ପଦାର୍ଥ ଅଛି-ରମଣୀୟ ଓ ଉପକାରୀ, ସୁନ୍ଦର ଓ ବ୍ୟବହାରୋପଯୋଗୀ। ବ୍ୟବହାରୋପଯୋଗୀର ପ୍ରଦାନରେ ସୌନ୍ଦର୍ଯ୍ୟ ନାହିଁ। ସୁନ୍ଦରଟି ପୃଥିବୀର ସମସ୍ତ ବ୍ୟବହାରୋପଯୋଗୀ ବସ୍ତୁଠାରୁ ମହତ୍ତର। କି ଦ୍ରବ୍ୟ ଉପହାରରେ ଅର୍ପଣ କରାଯିବ ଏ ବିଷୟରେ ଅନ୍ବେଷଣ କଲାବେଳେ, ଫୁଲଟି ପ୍ରଥମେ ନେତ୍ର ପଥରେ ଉଭା ହୁଏ। ଫୁଲ ପ୍ରକୃତ ଉପହାରର ସାମଗ୍ରୀ। ସୌନ୍ଦର୍ଯ୍ୟର ଗୋଟିଏ ବିନ୍ଦୁ, ଜଗତର ସମୁଦାୟ ବ୍ୟବହାରଣୀୟତାଠାରୁ ଗୁରୁତର। ଫୁଲଟି ମରୁଭୂମିରେ ଝରଣା ପରି, ପଙ୍କ ରାଶିର ମଣିପରି, କମାରଶାଳର ସଙ୍ଗୀତ ତୁଲ୍ୟ। ଫୁଲର ସେ ବର୍ଣ୍ଣ-ବୈଭବ, ସେ ଲଳିତ ନୃତ୍ୟ, ସେହି ତୃପ୍ତିର ଅବସନ୍ନତା ସ୍ୱର୍ଣ୍ଣ ଖଣି ମଧ୍ୟରେ ବା ହୀରକର ସ୍ତୂପ ଉପରେ ଦେଖିବାକୁ ମିଳେ ନାହିଁ। ଏଥିପାଇଁ ଫୁଲଟି ଆଦରର ସାମଗ୍ରୀ।

ଫୁଲଟି ଏଥିପାଇଁ ମାନବର କଠିନ ଜୀବନର ସ୍ନିଗ୍ଧ ରତ୍ନ। ଫୁଲଟିଠାରୁ ଅଧିକ ପ୍ରୀତିକର ଆଉ କି ବସ୍ତୁ ଉପହାର ଦିଆଯାଇପାରେ। ମୋହର ସାୟାହ୍ନ ବିଷାଦ ବେଳେ ଥରେ ମୋହର ବନ୍ଧୁଟିଏ ମୋତେ ଗୋଟିଏ ଗୋଲାପ ଫୁଲ ଦେଇ ଚାଲିଗଲେ। ତାହା ପୂର୍ବରୁ ମୋର ହର୍ଷରେ ବିଷାଦରେ ମୁଁ ତାଙ୍କଠାରୁ କେତେ ମୂଲ୍ୟବାନ ଦ୍ରବ୍ୟ ନେଇଥିଲି। କିନ୍ତୁ ଏପରି ତୃପ୍ତିତ ପ୍ରାଣ ମଧ୍ୟରେ କେବଳ ଅନୁଭବ କରି ନ ଥିଲି। ନିମିଷ ମଧ୍ୟରେ ମୋର ସେ ସାୟାହ୍ନ ଅବସାଦ ଅପସାରିତ ହୋଇଗଲା। ବର୍ତ୍ତମାନ ସେ ଫୁଲ ମଉଳି, ଶୁଖି, ଅଳିଆରେ ମିଶି ଗଲାଣି। କିନ୍ତୁ ତାହା ସଙ୍ଗରେ ବନ୍ଧୁଙ୍କର ଯେ ସ୍ନେହ ସ୍ରୋତ ବହି ଆସିଥିଲା ସେହିଟି ମୋ ପ୍ରାଣ ଭିତରେ ଅବିକଳ, ଅକ୍ଷୁର୍ଣ୍ଣ ପ୍ରବାହିତ ହେଉଅଛି। ବନ୍ଧୁଙ୍କର ସବୁକଥା ପାଶୋରି ଯିବ। କିନ୍ତୁ ସେ ପ୍ରଦୋଷଟି ମନରୁ ପୋଛି ହେବାର ନୁହେଁ। ଫୁଲଟି ଦାତାଙ୍କର ଯେପରି ପ୍ରିୟ, ଗ୍ରହୀତାଙ୍କର ମଧ୍ୟ ସେହିପରି ପ୍ରିୟ। ସେ ଦୁଇଟି ପ୍ରୀତି ପାରାବାରକୁ ମିଳାଇ ଦିଏ।

Pages: 1 2