ଆମ ପାଇଁ ସେ ପରାଣ ଦିଏ
କାନ୍ଧେ ବସାଇ ମେଳାକୁ ନିଏ
ସିଏ ଆମ ଠାକୁର,
ଯା’ ହାତ ଧରି ଚାଲି ଶିଖିଲେ
ଯା’ ଠାରୁ ଆମେ କଥା ଶିଖିଲେ
ସିଏ ବାପା ଆମର।

ବାପା କାନ୍ଧରେ ପକାଇ ଥାନ୍ତି
ଝାଳ ବୋହିଲେ ପୋଛି ଦିଅନ୍ତି
ନିତି ପଡ଼ଇ ଖୋଜା,
ଢାଉଆ ରଙ୍ଗ ଭାରି ସୁନ୍ଦର
ସୂତାରେ ଗଢ଼ା ହୁଏ ଆଦର
ବାପାଙ୍କ ଏ ଗାମୁଛା।

ହାତରେ ଧରି ଶାସନ କରି
କଠୋର କଥା କୁହନ୍ତି ମାରି
ଆମ ପାଇଁ ତ ହିତ,
ପାହାର ବସେ ଦୃଷ୍ଟାମି କଲେ
ଚାଇଁ ଚାଇଁ ତା’ କଷଣ ଭଲେ
ବାପାଙ୍କର ସେ ବେତ।

ଆମକୁ ମାରି ଲୁଚି କାନ୍ଦନ୍ତି
ଶୋଇଲା ବେଳେ ଆଉଁସି ଥାନ୍ତି
ଆଖିରୁ ଝରେ ଝର,
ଖୁସିରେ ଝରେ ଦୁଃଖରେ ଝରେ
ଓଠ ଚାପିକି ନିଗାଡ଼ି ଧିରେ
ଲୁହ ବାପା ଆଖିର।

ଖାଲି ପାଦରେ ଯାଆନ୍ତି ଚାଲି
ସବୁ କଥାକୁ ମନରୁ ଭୁଲି
କଣ୍ଟା ହେଉ କି ନିଆଁ,
ବରଷ ଯାକ ଖଣ୍ଡେ କପଡ଼ା
ନ ପଡ଼େ ତାଙ୍କ ନୂତନ ଲୋଡ଼ା
ଜୀବନ ମାଟି ଧୂଆଁ।

ଆମ ଜୀବନ ସାକାର ପାଇଁ
ଝଡ଼ ବତାସ ମାନନ୍ତି ନାହିଁ
ଦେହ ପାଆ ନା ଡର,
ଭୋକରୁ ପେଟେ ନିଜେ ରୁହନ୍ତି
ଆମକୁ ଆଣି ଖୁଆଇ ଥାନ୍ତି
ଏହି ଦେବତା ମୋର।

ଯେତେ ଭାଙ୍ଗିଲେ ଦାମୀ ଜିନିଷ
ତଥାପି ବାପା ମୋଡ଼ନ୍ତି ନିଶ
କୁହନ୍ତି ହଉ ହେଲା,
ଆଉ ଆଣିବି କାନ୍ଦନା ତୁହି
ଯେତେ ପଇସା ଲାଗୁରେ ସେହି
ବୋଉ ଯା’ କହୁ ଭଲା।

ଯେତେ ଲେଖିବି ବାପାଙ୍କ ପାଇଁ
ଅସରନ୍ତିର ଭଣ୍ଡାର ସେହି
ସରିବ କେତେ ଯୁଗ
ସେ ଥିବା ଯାଏଁ ମୁଁ ପରା ରାଜା
ତାଙ୍କରି ବିନା ମୁଁ ନୁହେଁ ଖୋଜା
ମୁଁ କେଉଁ ବନ ମୃଗ!