ଚିହ୍ନା ପଥରେ ଲମ୍ବିଯାଇଛି ଯେତେ ଅଚିହ୍ନା ପଦଚିହ୍ନ
ସେ ପଦଚିହ୍ନରେ ମୁଁ ନିଜକୁ ଖୋଜୁଛି
ଯେତେ ଆଗକୁ ବଢୁଛି,
ସେତେ ନିଜର ଅସ୍ତିତ୍ଵ ହରାଉଥିବା ଭାବନାରେ ଉଦ୍ବେଳିତ ହେଉଛି
ସବୁ କିଛି ଖାଁ ଖାଁ
ଯେମିତି ମନ ଭିତରଟା ଧୀରେ ଧୀରେ କୋରି ହୋଇଯାଉଛି
ଅନେକ ପଦଚିହ୍ନ ଆଜି କେବଳ ସ୍ମୃତିରେ ସାଇତା,
ସମୟର ଧୂଳି ତଳେ ଧୂସରିତ ମୁହଁ ସବୁ ନିରବରେ ତା’ର ସତ୍ତା ହରାଉଛି
ମନ ମୋର ଖାଲି ଖାଲି
ଯେମିତି କିଛି ଅମୂଲ୍ୟ ରତ୍ନ ନିଶବ୍ଦରେ ହଜିଯାଉଛି॥
ନିରୋଳାର ଏକ ଦୀର୍ଘ ପଥରେ ମୁଁ ନିଜକୁ ଖୋଜୁଛି
ମୋରି ଭିତରେ ମୁଁ ମୋତେ ଅଣ୍ଡାଳୁଛି
ନିଜ ପ୍ରଶ୍ନର ଉତ୍ତର ନିଜେ ଖୋଜୁଛି,
ବନ୍ଧନ ସବୁ ଯେମିତି ସ୍ଵାର୍ଥ ଆଉ ବ୍ୟସ୍ତତାର ଛାୟା ତଳେ ଗୁମୁରି ଗୁମୁରି କାନ୍ଦୁଛି,
ସାପ ଶିଢ଼ିର ମାୟାଜାଲରେ ଜୀବନ କାହିଁ ଅଧୀର ହୋଇ ପଡୁଛି,
ସବୁ କିଛି ଅଧା ଅଧା
ଏ ଅପୂର୍ଣ୍ଣତାର ଭାବନାର
ଅସହନୀୟ ବେଦନାରେ ମନ ବ୍ୟଥିତ ହୋଇ ପଡୁଛି॥
ତଥାପି କାହିଁ ଅନ୍ତରରେ
ଏକ ଆଲୋକର ସୂକ୍ଷ୍ମ ରେଖା ଝଲମଲ କରେ
ଯେମିତି ପ୍ରଭାତ ପୂର୍ବରୁ ଅନ୍ଧକାରର ଶେଷ ନିଶ୍ଵାସ,
ସେଇ ଆଲୋକ କହେ ହରାଇବା ମାନେ ଶେଷ ନୁହେଁ
ସେଇ ଆଲୋକରେ ସମ୍ଭବ,
ପୁଣି ଥରେ ନିଜକୁ ଖୋଜି ପାଇବା, ପୁଣି ଥରେ ନିଜର ପଦଚିହ୍ନ
ଏ ଅଚିହ୍ନା ପଥରେ ଛାଡି ଯିବା॥