ବର୍ତ୍ତମାନ ବୁଝିଲି, ଉପହାର ଦେଲା ବେଳେ ପ୍ରକୃତିର ପ୍ରଦର୍ଶନୀରୁ କି ଦ୍ରବ୍ୟ ବାଛିବି। କିନ୍ତୁ ପ୍ରାଣର ପ୍ରିୟ ଦ୍ରବ୍ୟଟି ଘେନିଗଲା ବେଳକୁ ପୁଣି ଆଉ ଏକ ସନ୍ଦେହ ଆସି ମନକୁ ଘୋଟିଯାଏ-କାହାକୁ ଦେବି? ସଖାଙ୍କୁ? ସଖା ତ ମୋହର ମୁଁ ତ ତାଙ୍କର। ମୋର ଘରଟି ତାଙ୍କର ଘର, ମୋହର ଧନ ତାଙ୍କର ଧନ, ମୋହର ଶରୀର ତାଙ୍କର, ମୋହର ପ୍ରାଣ ପର୍ଯ୍ୟନ୍ତ ତାଙ୍କର ପ୍ରାଣ। ତେବେ ମୁଁ କଅଣ ଦେବି? ଦୁଇଟି ନଦୀ ଯେପରି ବର୍ଷା କାଳରେ ଏକତ୍ର ମିଶି ଗୋଟିଏ ହୋଇଯାଆନ୍ତି, ଯେପରି ଗୋଟିକର ନୀର ଅନ୍ୟଟିର ସ୍ରୋତରେ ଯାଇ ଲୀନ ହୋଇଯାଏ, ସେହିପରି ସଖାଙ୍କର ଓ ମୋହର ଆତ୍ମା ତ ଏକହୋଇ ଯାଇଅଛି, ମୋହର ଅର୍ଦ୍ଧ ଆତ୍ମାରୁ ସଖାଙ୍କଠାରୁ ଓ ସଖାଙ୍କର ଅର୍ଦ୍ଧ ଆତ୍ମାରୁ ମୋଠାରୁ ସର୍ବଦା ପ୍ରେମର ପ୍ରବାହ ବହି ଆସୁଅଛି। ଏଥିରେ ମୁଁ କିପରି ସଖାଙ୍କୁ ଅପର ମଣି ତାଙ୍କ କରକମଳରେ ଛାର ଉପହାରଟିଏ ଦେବି? ଦେଲେ କେଉଁଠାରେ ବା ଦେବି? ଯାହା ଦେବି ସେ ଯେତିକି ମୋର, ତେତିକି ତ ମଧ୍ୟ ତାଙ୍କର।

ବାସ୍ତବିକ ଯାହାକୁ ଆମ୍ଭେମାନେ ପ୍ରାଣର ବନ୍ଧୁ ବୋଲି ମଣୁ ତାହାକୁ ଉପହାରଟିଏ ଦ୍ୱାରା ପ୍ରୀତି କରିବାକୁ ଆମ୍ଭେମାନେ ସାହସୀ ହେଉ ନାହିଁ। ଯେଉଁମାନେ ବନ୍ଧୁ ନୁହଁନ୍ତି ଯେଉଁମାନ ଅନ୍ତରର ପବିତ୍ର ମନ୍ଦିରରେ ଆସନ ପାଇ ନାହାନ୍ତି, ପ୍ରାଣର ପୁଣ୍ୟ ପ୍ରୀତିର ଭାଗରୁ ଯେଉଁମାନେ ବିଚ୍ୟୁତ, ସେମାନେ କେବଳ ଉପହାର ପାତ୍ର। ଉପହାର ଦ୍ୱାରା ସେମାନଙ୍କୁ ପ୍ରୀତି ଅର୍ପଣ କରାଯାଇ ପାରେ।

ମାତ୍ର ଉପହାର ଦେବାରେ ଟିକିଏ ବିପଦ ଅଛି। ଏଥିରେ ଗ୍ରହୀତାର ସ୍ୱାଧୀନତା ଆକ୍ରାନ୍ତ ହୁଏ। ଗ୍ରହଣ କଲାବେଳେ ସେ ବଦନ ମଣ୍ଡଳରେ ହାସ୍ୟ ଦେଖାଉଥିଲେ ସୁଦ୍ଧା, ଅନ୍ତରର ଲଜ୍ଜା ଅନୁଭବ କରେ। ଏ ଲଜ୍ଜା ନିକଟରେ ଉପହାରଟିର ମୂଲ୍ୟ ଯେତେ ଗୁରୁହେଲେ ମଧ୍ୟ, ନିତାନ୍ତ ନଗଣ୍ୟ। ଗ୍ରହୀତା ପ୍ରାଣରେ ସୁଖ ଲଭିପାରେ ନାହିଁ। ଏ ସ୍ଥଳରେ ଉପହାର ତାହାର ଚରମ ଲକ୍ଷ୍ୟଟିକୁ ହରାଇ ବସେ। ପୁଣି ଉପହାରଟି ଗ୍ରହୀତାର ଅଭିଳାଷ ଅନୁଯାୟୀ ନ ହୋଇପାରେ। ଦାତା ତାଙ୍କର ସ୍ୱଭାବ ଅବଗତ ହୋଇ ନାହାନ୍ତି ଦେଖି ଏ ଘଟନାରେ ଗ୍ରହୀତା ବିରକ୍ତ ହେବାର ସମ୍ଭବ।

ପ୍ରକୃତରେ ଉପହାରଟି ଗ୍ରହୀତାଙ୍କ ପ୍ରକୃତିର ଉପଯୁକ୍ତ ହେବା ଦରକାର ପୁଣି ଯେଉଁଠାରେ ଉପଯୁକ୍ତ ହୁଏ, ଗ୍ରହୀତାଙ୍କ ମନର ଗଠନ ଓ ଦାତାଙ୍କ ଉପହାର ମଧ୍ୟରେ ଯେଉଁଠାରେ ସାମଞ୍ଜସ୍ୟ ଥିବାର ଦେଖାଯାଏ। ସେଠାରେ ମଧ୍ୟ ଗ୍ରହୀତା ଲଜ୍ଜିତ ହୋଇ ମନେ ମନେ ବିଚାର ପାରନ୍ତି-ମୁଁ ଏଡ଼େ କିଞ୍ଚିତ୍ ଯେ ମୋହର ବନ୍ଧୁମାନେ ମୋତେ ପୁଙ୍ଖାନୁପୁଙ୍ଖ ରୂପେ ବୁଝିପାରି ଅଛନ୍ତି। ସେମାନେ ତ ବିଚାରନ୍ତି ଯେ ମୁଁ ସେମାନଙ୍କ ଅପେକ୍ଷା ତାଙ୍କ ଦତ୍ତ ସାମଗ୍ରୀଗୁଡ଼ିକ ଅଧିକ ଆଦର କରେ। ଏ କଥା ମନରେ ଚିନ୍ତା କଲାବେଳେ ଗ୍ରହୀତା ପ୍ରକୃତ ଲଜ୍ଜା ଓ ଦୁଃଖରେ ଅଭିଭୂତ ହୋଇ ପଡ଼ନ୍ତି।

ପୁଣି ଉଦାରମନା ଲୋକଠାରେ କୌଣସି ଉପହାର ଗୁରୁ ନୁହେଁ। ତାହାର ଉଦାରତାର ମୂଲ୍ୟ ସଂସାରର ସମୁଦାୟ ଉପହାର ଉପଯୋଗୀ ସାମଗ୍ରୀଠାରୁ ଅଧିକ। ଆମ୍ଭମାନଙ୍କର ମହାର୍ଘ ଉପହାରର ଶତଗୁଣ ପ୍ରତିଦାନ ସେ ଗୋଟିଏ ନୟନ ଭଙ୍ଗୀରେ ରସନାର ପଦେ ମଧୁର ବାଣୀରେ ନିମିଶ ମଧ୍ୟରେ ବିତରଣ କରେ। ତାହାର ପ୍ରାଣ ଉଚ୍ଚତାର ଗୋଟିଏ କ୍ଷୁଦ୍ର ରଶ୍ମି ନିକଟରେ ଆମ୍ଭମାନଙ୍କର ସୁନିର୍ବାଚିତ ଉପହାରର ସମସ୍ତ କେନ୍ଦ୍ରୀଭୂତ ଆଲୋକ ସାମାନ୍ୟ ମାତ୍ର। ସେ ତାହାର ସ୍ନେହରେ ଆମ୍ଭର ପ୍ରାଣକୁ କିଣି ନିଏ।

ତେବେ ଉପହାର ଅର୍ପଣ କଅଣ ଜଗତର ପ୍ରୀତି କାରବାରର ତାଲିକାରୁ ଉଠିଯିବ? ପ୍ରୀତି ତ ଚିରକାଳ ରହିବ। ଏବେ ତାହାର ପ୍ରଦର୍ଶନୀ ମଧ୍ୟ ଚିରକାଳ ରହିବ ବୋଲି ସନ୍ଦେହ ହେଉନାହିଁ। ଉପହାର ଦେବା ପ୍ରଥାକୁ କେହି ଘୃଣ୍ୟ କହୁ ନାହିଁ। କିନ୍ତୁ ପ୍ରକୃତ ପ୍ରୀତି ରାଜ୍ୟରେ ଉପହାରର ଆସନ ଅତି ନିମ୍ନ ସୋପାନରେ । ଯଦି ପ୍ରାଣରେ ପ୍ରୀତି ନ ଥାଏ ଉପହାର କେଉଁଆଡ଼େ ଯିବ, ଜୀବନ ବ୍ୟାପୀ ସେବା, ପଦ ପ୍ରକ୍ଷାଳନ, ସବୁ ବିସୃତ ହୋଇଯିବ। ଯଦି ଜୀବନ ସ୍ନେହରେ ପୁରିଥାଏ, ସେଥିରେ ଜଗତ ମଜ୍ଜିତ ହୋଇ ରହିବ। ପ୍ରାଣର ପବିତ୍ର ପ୍ରୀତିର ଅର୍ପଣଠାରୁ ଜଗତର କେଉଁ ଉପହାର ଆଉ ଅଧିକ ସୁନ୍ଦର ସୁଧାମୟ ହୋଇପାରେ?
-୦-

Pages: 1 2