ଓଡ଼ିଆ ଜାତି କିଏ? ପୃଥିବୀରେ ସ୍ଥାନ ଅନୁସାରେ ଜାତିର ନାମକରଣ ହୋଇଥିବା ପ୍ରାୟ ସର୍ବତ୍ର ଦେଖାଯାଏ। ଏକ ସ୍ଥାନରେ ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ସ୍ୱତଃ ମାୟା ମମତା ଜନ୍ମେ। ସେମାନଙ୍କର ଆଶା, ଅଭିପ୍ରାୟ, ଭାଗ୍ୟ ଓ ଭବିଷ୍ୟତ ଏକ ଶ୍ରେୟଃ ସ୍ୱାର୍ଥରେ ଆବଦ୍ଧ। ସେମାନଙ୍କର କର୍ମଭୂମି ଏକ ଏବଂ ଅଭିନ୍ନ। ସେହି ଭୂମି ସେମାନଙ୍କର ପକ୍ଷରେ ପବିତ୍ର ଏବଂ ପ୍ରେମମୟ କ୍ଷେତ୍ର। ଏହା ସେମାନଙ୍କର ଜନ୍ମଭୂମି; ସେମାନଙ୍କ ଦୃଷ୍ଟିରେ ‘ସ୍ୱର୍ଗାଦପି ଗରୀୟସୀ’। ସୁତରାଂ ଯେଉଁମାନେ ଏପରି ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ବାସକରନ୍ତି, ସେମାନେ ଏକ ଜାତି ଏବଂ ସେହି ଭୂଖଣ୍ଡର ନାମାନୁସାରେ ନାମିତ ହୁଅନ୍ତି। ଏହି ପ୍ରାକୃତିକ ବିଧାନରେ ଯେଉଁମାନେ ଉତ୍କଳ ବା ଓଡ଼ିଶାରେ ସମାନ ଆଶା, ଆକାଙ୍କ୍ଷା ଧରି ଜନ୍ମ ମରଣରେ, ସମାନ ଶ୍ରେୟଃ ସ୍ୱାର୍ଥରେ ବିଜଡ଼ିତ, ସେମାନେ ସମସ୍ତେ ଓଡ଼ିଆ ଜାତି।

କେହି କେହି ପୁଣି ଉତ୍କଳ ଓ ଓଡ଼ିଆ ମଧ୍ୟରେ ପାର୍ଥକ୍ୟ ଦେଖନ୍ତି। ଯଥାର୍ଥରେ ଏ ଉଭୟ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ କିମ୍ବା ରହିବା ଉଚିତ ନୁହେଁ। ବଙ୍ଗଳାର ହୁଅନ୍ତୁ ବା ପଞ୍ଜାବର ହୁଅନ୍ତୁ, ମାରବାରର ହୁଅନ୍ତୁ ବା ମାନ୍ଦ୍ରାଜର ହୁଅନ୍ତୁ, ହିନ୍ଦୁ ହୁଅନ୍ତୁ ବା ମୁସଲମାନ ହୁଅନ୍ତୁ, ଆର୍ଯ୍ୟ ହୁଅନ୍ତୁ ବା ଆଦିମ ଅଧିବାସୀ ହୁଅନ୍ତୁ, ଯେ ଉତ୍କଳ ବା ଓଡ଼ିଶା ସଙ୍ଗେ ଆପଣାର ସମସ୍ତ ସ୍ୱତ୍ୱ ଓ ସ୍ୱାର୍ଥ ମିଳାଇ ଦେଇଅଛନ୍ତି, ଓଡ଼ିଶା ତାଙ୍କର ଏବଂ ସେ ଓଡ଼ିଶାର। ଆଜିକାଲି ସମୟରେ ଏକ ସ୍ଥାନରେ ଯେ କେବଳ ଏକ ପ୍ରକାର ଲୋକ ରହିବେ ତାହା ଅସମ୍ଭବ। ପୃଥିବୀର ଏପରି ପ୍ରାୟ ସ୍ଥାନ ନାହିଁ, ଯେଉଁଠାର ଭିନ୍ନ ଭିନ୍ନ ଜାତି ବା ସମାଜର ଲୋକ ଏକତ୍ର ବାସ କରୁନାହାନ୍ତି। ମାତ୍ର ସେମାନଙ୍କର ସ୍ୱାର୍ଥର କେନ୍ଦ୍ର ଏକ। ତେଣୁ କାଳକ୍ରମେ ଏକୀଭୂତ ହେବା ସେମାନଙ୍କ ପକ୍ଷ ସ୍ୱାଭାବିକ ଏବଂ ଶ୍ରେୟସ୍କର। ଆମେରିକାର ଇଉନାଇଟେଡ୍ ଷ୍ଟେଟସ୍ ଏହି ଜାତୀୟତା ଗଠନ ବିଷୟରେ ଉଦାହରଣ ସ୍ଥଳ।

ଭଗବାନ ଏକ ଏକ ଜାତି ନିମନ୍ତେ ସ୍ୱତନ୍ତ୍ର ଏକ ଏକ ଦେଶ ନିରୂପଣ କରିଥିଲା ପରି ଜଣାଯାଏ; ମାତ୍ର ଏକ ଦେଶ ବା ପ୍ରଦେଶର ଜାତିବିଶେଷ କାଳକ୍ରମେ ଅନ୍ୟ ଜାତିର ସଂଶ୍ରବରେ ଆସିଲେ ସେହି ଦେଶର ଭାଷା, ଆଶା, ଶିକ୍ଷା, ସଭ୍ୟତାରେ ପରିବର୍ତ୍ତନ ଘଟିବା ସ୍ୱାଭାବିକ।

ଏହି ନବ ପରିବର୍ତ୍ତିତ ସଭ୍ୟତା ସେ ଦେଶର ତଥା ସେ ଦେଶର ନୂତନ ଏବଂ ପୁରାତନ ଅଧିବାସୀଙ୍କର ସଭ୍ୟତା ହୁଏ।

ପ୍ରାକୃତିକ ଅବସ୍ଥାନ ଦ୍ୱାରା ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ। ଆଜିକାଲି ରାଜନୈତିକ ଓଡ଼ିଶା ନୁହେଁ, ସ୍ବାଧୀନତା ଓଡ଼ିଶା ଯେଉଁ ପର୍ଯ୍ୟନ୍ତ ବିସ୍ତୃତ ଥିଲା, ଗଙ୍ଗାନଦୀଠାରୁ ଗୋଦାବରୀ ପର୍ଯ୍ୟନ୍ତ, ମହୋଦଧିଠାରୁ ମଧ୍ୟପ୍ରଦେଶର ପର୍ବତଶ୍ରେଣୀ ପର୍ଯ୍ୟନ୍ତ ସେହି ବିଶାଳ ରାଜ୍ୟ ଯେ ଏକ ସ୍ୱତନ୍ତ୍ର ପ୍ରାକୃତିକ ଭୂଖଣ୍ଡ ଏହା ଦେଖିବାମାତ୍ରେ, ଯେ କେହି ସ୍ୱୀକାର କରିବାକୁ କୁଣ୍ଠିତ ହେବେ ନାହିଁ। ଓଡ଼ିଆମାନେ ଏଠାରେ ବାସ କରି ନିଜର ଏକ ସ୍ୱତନ୍ତ୍ର ସଭ୍ୟତା ଗଠନ କରିଥିଲେ। କାଳକ୍ରମେ ଅନ୍ୟାନ୍ୟ ଧର୍ମ ଓ ଜାତିର ଲୋକେ ସ୍ଥାନାନ୍ତରରୁ ଆସି ସେମାନଙ୍କ ସଙ୍ଗରେ ଏକତ୍ର ବାସ କରିଅଛନ୍ତି। ଏହି ବିଭିନ୍ନ ଶ୍ରେଣୀର ସମ୍ମିଳନରେ ଆଜି ଓଡ଼ିଆ ସଭ୍ୟତା ପ୍ରଭାବିତ ହୋଇଅଛି, ଏହା ବୋଲିବା ବାହୁଲ୍ୟ।

ଭାଇ ଉତ୍କଳବାସୀ, ତୁମ୍ଭେ ଯେ ହୁଅ-ବଙ୍ଗ, ଓଡ଼ିଆ, ତେଲଙ୍ଗା, ହିନ୍ଦୁସ୍ଥାନି, କୋହ୍ଲ, ହିନ୍ଦୁ, ଖ୍ରୀଷ୍ଟାନ, ମୁସଲମାନ ଯେ ହୁଅ, ଉତ୍କଳ ଭୂମି ତୁମକୁ ଆପଣା ଶରୀରେର ବହି ତୁମର କେତେ ଅଳି ଅର୍ଦ୍ଦଳି ସହୁଛନ୍ତି। ତୁମ୍ଭର ହେଉ ବା ତୁମ୍ଭର ଶିଶୁ ସନ୍ତାନମାନଙ୍କର ହେଉ, ଏହା ଶୈଶବର ଲୀଳାଭୂମି, ଯୌବନର କର୍ମକ୍ଷେତ୍ର, ବାର୍ଦ୍ଧକ୍ୟର ବିଶ୍ରାମ ସ୍ଥାନ ଏବଂ ଅନ୍ତିମକାଳର ଆଶ୍ରୟ। ଏ ଦେଶକୁ ଏପରି ଭାବରେ ଯେବେ ଗ୍ରହଣ କରୁଥାଅ, ଦେଶାନୁରାଗର ପବିତ୍ର-ସୂତ୍ରରେ ଏ ଦେଶର ଅନ୍ୟାନ୍ୟମାନଙ୍କ ସଙ୍ଗେ ଯଦି ଭାଗ୍ୟ ଆବଦ୍ଧ କରିଥାଅ ଏବଂ ଦେଶର ଜାତୀୟ ଭାଷା, ଶିକ୍ଷା ଓ ସଭ୍ୟତାରେ ଆତ୍ମସମର୍ପଣ କରିଥାଅ, ତେବେ ଏ ଦେଶ ଅନୁସାର ତୁମର ଜାତି, ଏ ଦେଶର ଇତିହାସ ଓ ସଭ୍ୟତା ତୁମ୍ଭର, କାରଣ ଏ ଦେଶର ଅତୀତ ଇତିହାସର ଫଳ ଏବେ ତୁମ୍ଭେ ଭୋଗ କରୁଅଛ ଏବଂ ଏହାର ବର୍ତ୍ତମାନ ଓ ଭବିଷ୍ୟତ ଗଠନରେ ତୁମ୍ଭେ ଯୋଗ ଦେଉଛ। ସୁତରାଂ ତୁମ୍ଭେ ଓଡ଼ିଆ, ତୁମ୍ଭେ ଉତ୍କଳ; ଉତ୍କଳ ସମ୍ମିଳନୀରେ ତୁମ୍ଭ ନିମନ୍ତେ ପ୍ରଶସ୍ତ ସ୍ଥାନ ରହିଅଛି। ଉତ୍କଳମାତା ମଧ୍ୟ ତୁମ୍ଭର ସେବା ପୂଜା ଗ୍ରହଣ କରିବାକୁ ସତୃଷ୍ଣ ନୟନରେ ଅନାଇ ରହିଛନ୍ତି।

ଭାରତରେ ଜାତୀୟତା ଗଠନର ନାନା ଅନ୍ତରାୟ ରହିଅଛି। ନାନା ଭାଷା, ନାନା ଧର୍ମ, ନାନାବିଧ ଆଚାର ବ୍ୟବହାର ଯୋଗୁଁ ଭାରତୀୟମାନଙ୍କ ମଧ୍ୟରେ ଏତେ ପାର୍ଥକ୍ୟ ରହିଅଛି ଯେ, ଭାରତ ଜାତୀୟତା ଏକାବେଳକେ କେହି କେହି ଅସମ୍ଭବ ମନେ କରନ୍ତି; ସେଥିରେ ପୁଣି କୌଣସି ଏକ ପ୍ରଦେଶ ବା ଅଞ୍ଚଳରେ ସେହି ପ୍ରକାର ଭେଦ ଘଟିଲେ ଭାରତର ଜାତୀୟ ସମସ୍ୟା ଅଧିକ ଦୁଃସାଧ୍ୟ ଏବଂ ଜଟିଳ ହେବ। ଏକ ପ୍ରଦେଶରେ ବାସକରି ସମସ୍ତ ଶ୍ରେୟଃ ସ୍ୱାର୍ଥ ମାୟାମମତା ତାହା ସଙ୍ଗେ ମିଶାଇ ନ ଦେଇ ଯେଉଁମାନ ସ୍ୱତନ୍ତ୍ର ସ୍ୱାର୍ଥ ଏବଂ ସ୍ୱତନ୍ତ୍ର ଦାବୀ କରନ୍ତି, ସେମାନେ ସେ ପ୍ରଦେଶରେ ଉନ୍ନତିପଥରେ କଣ୍ଟକ, ନିଜର ସଂକୀର୍ଣ୍ଣ ଆପାତ ସ୍ୱାର୍ଥ ଲାଗି ଅନ୍ୟ ଜାତିର ଉନ୍ନତିରେ ଅନ୍ତରାୟ ଏବଂ ଏକ ପ୍ରଦେଶ ମଧ୍ୟରେ ସ୍ୱାର୍ଥର ଅନୈକ୍ୟ ଘଟାଇବାଦ୍ୱାରା ଭାରତର ସମୂହ କଲ୍ୟାଣର ଶତ୍ରୁ, ସୁତରାଂ ପରିଣାମରେ ଆତ୍ମଘାତୀ। ଅତଏବ ପ୍ରାକୃତିକ ଓଡ଼ିଶାରେ ଯେଉଁ ବିଭିନ୍ନ ଶ୍ରେଣୀ ସମ୍ପ୍ରଦାୟର ଲୋକେ ବାସକରି ଏହାକୁ ନିଜ ଦେଶ ବୋଲି ଗ୍ରହଣ କରିଅଛନ୍ତି, ସେ ସମସ୍ତଙ୍କ ସମ୍ମିଳନୀରେ ଯେଉଁ ଓଡ଼ିଆ ଜାତି ସଂଗଠିତ, ତାହାର ଜାତୀୟତାର ବିକାଶ ସମ୍ମିଳନୀର ଉଦ୍ଦେଶ୍ୟ।

ଯେ ଯେଉଁ ଜାତିର ହୁଅନ୍ତୁ, ସେ ସର୍ବପ୍ରଥମେ ମନୁଷ୍ୟ, ଈଶ୍ବରଙ୍କର ସନ୍ତାନ। ଏହି ସମତା ଏବଂ ଭ୍ରାତୃଭାବ ପ୍ରତ୍ୟେକ ଜାତିର ଧର୍ମଶାସ୍ତ୍ରରେ ପ୍ରତିପାଦିତ ହୋଇଅଛି ଏବଂ ଏହା ହିଁ ଜାତୀୟ ଜୀବନର ମୂଳମନ୍ତ୍ର ହେବା ଉଚିତ। ମାନବ ସମାଜ କ୍ରମେ ବଢ଼ିବାକୁ ଲାଗିଲା। ଭିନ୍ନ ଭିନ୍ନ ଭୂଖଣ୍ଡରେ ବିଭିନ୍ନ ଦଳର ମନୁଷ୍ୟ ବାସକରି ସେଠାରେ ସେମାନେ କେତେଗୁଡ଼ିଏ ସ୍ୱାତନ୍ତ୍ର୍ୟ ଲାଭ କଲେ। ଏହି ସ୍ୱାତନ୍ତ୍ର୍ୟ ସେମାନଙ୍କର ଜାତୀୟ ଚରିତ୍ର। ଏହି ଜାତୀୟ ଚରିତ୍ର ଛଡ଼ା ପୁଣି ବ୍ୟକ୍ତିବିଶେଷର କେତେଗୁଡ଼ିଏ ସ୍ୱତନ୍ତ୍ର ପ୍ରବୃତ୍ତି, ଅଭ୍ୟାସ, ଇଚ୍ଛା, ଅନୁରାଗ ଅଭିପ୍ରାୟ ରହିବା ସ୍ୱାଭାବିକ। ଆମ୍ଭେମାନେ ବ୍ୟକ୍ତିଗତ ଭାବରେ ବା ଜାତିଗତ ଭାବରେ ଯାହା କରୁଁ, ତାହା ମାନବ ଧର୍ମର ଅନୁକୂଳ ନହେଲେ, ଉଦାର ମାନବଭାବର ପରିପୋଷକ ନ ହେଲେ, ଅମ୍ଭମାନଙ୍କର ଅକର୍ତ୍ତବ୍ୟ। ମାନବ ଆତ୍ମାର କ୍ରମେ ବିକାଶ ହେଉଅଛି, ମାନବସମାଜ କ୍ରମେ ବିଧାତାଙ୍କର ସୃଷ୍ଟି ନିୟମର ନୂତନ ଅଧ୍ୟାୟ ଫିଟାଉଅଛି, ମାନବ ଜୀବନରେ କ୍ରମେ ଭଗବାନଙ୍କର ଇଚ୍ଛା ଅଧିକାରୁ ଅଧିକତର ଭାବରେ ପରିସ୍ଫୁଟ ହେଉଅଛି, ମାନବଜାତିର ଏହି କ୍ରମୋନ୍ନତି ଓ ମାନବଧର୍ମର ଏହି ଅଭ୍ୟୁଦୟରେ ପ୍ରତ୍ୟେକ ଜାତିର ଉନ୍ନତି। ସୁତରାଂ ଉଦାର ମାନବିକତା ପ୍ରତ୍ୟେକ ଜାତୀୟ ଅନୁଷ୍ଠାନର ଲକ୍ଷ୍ୟ ହେବା ଉଚିତ।

ଅନେକ କ୍ଷୁଦ୍ର ଜଳପ୍ରବାହ ମିଳନରେ ନଦୀର ଉତ୍ପତ୍ତି, ପୁଣି ଏହିପରି ଅନେକ ନଦୀ ମିଶି ମହାନଦୀରେ ପରିଣତ ଏବଂ ପରିଶେଷରେ ସମସ୍ତ ମହାନଦୀର ପ୍ରବେଶ ସମୁଦ୍ରରେ। ଆମ୍ଭମାନଙ୍କର ବ୍ୟକ୍ତିଗତ ଏବଂ ଜାତିଗତ ଆତ୍ମାର ପୂର୍ଣ୍ଣ ପରିଣତି ମାନବ ଆତ୍ମାର ମିଳନରେ। ପ୍ରତ୍ୟେକ ବ୍ୟକ୍ତିର କାର୍ଯ୍ୟ ଏପରି ହେବା ଉଚିତ ଯେ, ସମସ୍ତ ବ୍ୟକ୍ତିଗତ କ୍ରିୟାର ସମଷ୍ଟିରେ ସମୂହ ଜାତିର କଲ୍ୟାଣ ସାଧିତ ହେବ; ପୁଣି ଭିନ୍ନ ଭିନ୍ନ ଜାତିର କାର୍ଯ୍ୟ ଏବଂ ଗତି ପରିମାଣରେ ସମଗ୍ର ମାନବ ଜାତିର କଲ୍ୟାଣରେ ସହାୟ ହେବ। ଏହି ଲକ୍ଷ୍ୟରେ ଜାତୀୟ ଆକାଙ୍କ୍ଷା ପରିଚାଳିତ ଏବଂ ନିୟମିତ ନ ହେଲେ ଜାତୀୟ ଉନ୍ନତି ଏବଂ ପୂର୍ଣ୍ଣତା ଦିଗରେ ଜାତିର ଗତି ଅସମ୍ଭବ।

ସାର୍ବଜନୀନ ମାନବସମାଜ ଭଗବାନଙ୍କର ଅଭିବ୍ୟକ୍ତି। ମାନବସେବା ହିଁ ଭଗବତ୍ ସେବା।

ମାତ୍ର ବ୍ୟକ୍ତିବିଶେଷର ଶକ୍ତି କ୍ଷୀଣ, ବାହୁ କ୍ଷୁଦ୍ର, ଦୃଷ୍ଟି ସଂକୀର୍ଣ୍ଣ, ଗତି ସୀମାବଦ୍ଧ, ସୁତରାଂ ବିଶ୍ବଜନନୀ ସମଗ୍ର ମାନବସମାଜର ସେବା ତା’ ପକ୍ଷରେ ଅସମ୍ଭବ। ସେ ଯେଉଁ ନିର୍ଦ୍ଦିଷ୍ଟ ଦେଶର ଏବଂ ନିର୍ଦ୍ଦିଷ୍ଟ ଜାତି ମଧ୍ୟରେ ବାସ କରନ୍ତି, ସେହି ଦେଶ ତାଙ୍କର ପୂଜାପୀଠ ଏବଂ ସେହି ଜାତିର ସେବାରେ ହିଁ ତାଙ୍କର ମାନବସେବା।

Pages: 1 2