‘ସର୍ବଦେବନମସ୍କାରଃ କେଶବଂ ପ୍ରତିଗଚ୍ଛତି’

ଏହି ଉଦାର ମାନବିକତାକୁ ଲକ୍ଷ୍ୟକରି ଜାତୀୟ ଉନ୍ନତି ପଥରେ ଅଗ୍ରସର ହେବାକୁ ହେବ। ଏଥିରେ କୌଣସି ଭୟ ନାହିଁ; ଅକଲ୍ୟାଣ ନାହିଁ।

‘ନହି କଲ୍ୟାଣକୃତ୍ କଶ୍ଚିତ୍ ଦୁର୍ଗତିଂ ତାତ ଗଚ୍ଛତି’

ହୃଦୟରେ ଏହି ବିଶ୍ୱାସ ଜାଗ୍ରତ ଥିଲେ, ଏହି ଉଦାର ନୀତିରେ ଜୀବନର ଗତି ନିୟମିତ ହେଲେ, କ୍ଷୁଦ୍ର ପଲ୍ଲୀରେ ସୀମାବଦ୍ଧ କାର୍ଯ୍ୟକ୍ଷେତ୍ରରେ ରହି ମନୁଷ୍ୟ ସମଗ୍ର ମାନବ କଲ୍ୟାଣରେ ଆତ୍ମବିନିଯୋଗ କରିପାରେ। ଏହି ବିଶ୍ୱାସ, ଏହି ମହା ଲକ୍ଷ୍ୟ ବିଭିନ୍ନ ପ୍ରକୃତିର ବିଭିନ୍ନ ଜାତିର ଲୋକମାନଙ୍କୁ ଏକ ସୂତ୍ରରେ ଆବଦ୍ଧ କରି ସମଗ୍ର ମାନବସମାଜରେ ମଧୁମୟ ସମନ୍ୱୟ ସ୍ଥାପନ କରିବ। ଏହି ବିଶ୍ୱାସ ଦୃଢ଼ ନ ହେଲେ ମନୁଷ୍ୟ ନିଜ ଜାତିର ଦେବତ୍ୱ ଦେଖିବ ନାହିଁ। ଉତ୍କଳ ଜାତିର ପବିତ୍ର ମୂର୍ତ୍ତି ଆମ୍ଭମାନଙ୍କର ଏହି ସମ୍ମିଳନୀ ଆମ୍ଭମାନଙ୍କର ଆରାଧ୍ୟ ଈଶ୍ୱର। ଏହି ସ୍ଥାୟୀ ଜ୍ଞାନ ହୃଦୟରେ ଜାଗ୍ରତ ରହିବ କେବଳ ଉଦାର ମାନବିକତା ଆଡ଼କୁ ଲକ୍ଷ୍ୟ ରଖି ଆମ୍ଭମାନଙ୍କର ଜାତୀୟ ଜୀବନ ଗଠନ କରିବାରେ।

ଓଡ଼ିଆମାନେ ଯେ ଏହି ଉଦାର ମାନବ ଧର୍ମରେ ଚିରଦିନ ଦୀକ୍ଷିତ ଏବଂ ଭାରତ ସହିତ ଉତ୍କଳର ନିତ୍ୟ ସମ୍ବନ୍ଧ ଅନୁଭବ କରିଅଛନ୍ତି, ଓଡ଼ିଆଜାତିର ଇତିହାସ ଅଭ୍ରାନ୍ତ ଭାବରେ ଏହା ପ୍ରମାଣ କରୁଅଛି। ଓଡ଼ିଶାର ଯଥାର୍ଥ ଇତିହାସ ଏପର୍ଯ୍ୟନ୍ତ ଲେଖା ହୋଇ ନାହିଁ। ଏହାର ଗିରିବନକନ୍ଦରରେ ଯେ ସମସ୍ତ ଉପାଦାନ ବିକ୍ଷିପ୍ତଭାବେର ପଡ଼ିରହିଅଛି; ଭଗ୍ନ ମନ୍ଦିରରେ ଯେ ସମସ୍ତ ସ୍ମୃତି ଏବଂ ସଂସ୍କାର ଜଡିତ ଏବଂ ପୁଣ୍ୟ ପର୍ବମାନଙ୍କରେ, ଏମନ୍ତ କି ଯେ ସମସ୍ତ ଅନୁଷ୍ଠାନ ଆଜି ଅନେକଙ୍କ ନିକଟରେ କୁସଂସ୍କାର, ସେସବୁର ମଜ୍ଜାରେ ଯେ ସତ୍ୟସାର ନିହିତ ଅଛି, ପ୍ରବାଦ ପ୍ରବଚନ ପରମ୍ପରାରେ ଜୀବନର ଯେ ସମସ୍ତ ତଥ୍ୟ ପ୍ରକାଶ ପାଉଅଛି, ସେ ସବୁର ଭିତରକୁ ଦେଖିଲେ ଜଣାଯାଏ, ଓଡ଼ିଆ ଜାତି ଇତିହାସରେ କେବେ ସଂକୀର୍ଣ୍ଣ ସୀମାରେ ଆବଦ୍ଧ ନ ଥିଲେ।

ନଦୀ ପର୍ବତଦ୍ୱାରା ଓଡ଼ିଶାର ସୀମା ଆବଦ୍ଧ ହେଲେ ସୁଦ୍ଧା ଓଡ଼ିଆମାନେ ସର୍ବଦା ସେ ସୀମା ଅତିକ୍ରମ କରି ବିଶାଳତା ଆଡ଼କୁ ଗତି କରିଅଛନ୍ତି। ଜାତୀୟତାର ଲକ୍ଷ୍ୟ ଯେ ଉଦାର ମାନବିକତା, ସମଗ୍ର ଭାରତରେ ତାହା ଓଡ଼ିଆ ହିଁ ବୁଝିଥିଲେ। ବିଶ୍ୱପ୍ରୀତି ହିଁ ଓଡ଼ିଆର ଜାତୀୟତା, ପୂର୍ଣ୍ଣପ୍ରାଣ ଓଡ଼ିଆର ମନୁଷ୍ୟତା। ଓଡ଼ିଆର ଏକ ଜାତୀୟତା ଦେଶାନୁରାଗ କେବେ ଜଡ଼, ନିର୍ଜୀବ, ନୀରସ ଓ ସ୍ୱାର୍ଥ ନୁହେଁ; ରାଜ୍ୟଲାଭ ବା ରକ୍ତପାତରେ ଏହାର ପ୍ରତିଷ୍ଠା ନୁହେଁ, ଗଭୀର ଧର୍ମଭାବ ଏବଂ ଦୃଢ଼ ବିଶ୍ୱାସ ଏହାର ଭିତ୍ତି; ସାମ୍ୟ, ମୈତ୍ରୀ, ସ୍ବାଧୀନତା ଏହାର ବିଗ୍ରହ। ଓଡ଼ିଶାର ଏହି ଭାବ ନୀଳାଚଳ ଧାମରେ ପ୍ରକଟିତ; ତେଣୁ ଜଗନ୍ନାଥ ଓଡ଼ିଶାର ଜାତୀୟ ଦେବତା। ବଦ୍ରିନାଥ, ରାମନାଥ, ଦ୍ୱାରିକାନାଥ ସ୍ଥାନବିଶେଷର ନାଥ; ମାତ୍ର ଜଗତର ନାଥ ନୁହଁନ୍ତି। ପ୍ରାଚୀନ କାଶୀଧାମରେ ବିଶ୍ୱନାଥ ଅଛନ୍ତି। କିନ୍ତୁ ସମସ୍ତ ବିଶ୍ୱକୁ ଆଲିଙ୍ଗନ କରିବାର ଉଦାରତା ସେଠାରେ ନାହିଁ। କାଳକ୍ରମେ ଆମ୍ଭମାନଙ୍କ ଜାତୀୟ ଅଧୋଗତି ସଙ୍ଗେ ସଙ୍ଗେ ନୀଳାଚଳର ମୌଳିକ ଉଦାର ଭାବ ଆଜି ବହୁ ସଙ୍କୁଚିତ ହୋଇଅଛି ସତ୍ୟ; କିନ୍ତୁ ଧର୍ମ ଜୀବନରେ ସାର୍ବଜନୀନ ଉଦାରତା ଯେ ଏକମାତ୍ର ସତ୍ୟ, ଏ ଭାବ ଓଡ଼ିଶାରୁ ଲୋପ ପାଇ ନାହିଁ। ନୀଳାଚଳର ନୀତିରେ କ୍ଷୁଦ୍ର ବୃହତ୍ ନାହିଁ, ରାଜା ପ୍ରଜା ନାହିଁ, ଚଣ୍ଡାଳ-ବ୍ରାହ୍ମଣ ନାହିଁ ପାମର ପ୍ରେମିକା ନାହିଁ, ଏମନ୍ତ କି ହିନ୍ଦୁ ବୌଦ୍ଧର ଭେଦ ନାହିଁ।

ପରବର୍ତ୍ତୀ ଚୈତନ୍ୟ ଯୁଗରେ ମଧ୍ୟ ହିନ୍ଦୁ ମହମ୍ମଦୀୟ ଭେଦ ପର୍ଯ୍ୟନ୍ତ ଲୁଚି ଯାଇଥିଲା। ଏହି ଉଦାର ମାନବିକତା ଓ ମହାଭାରତ ଜାତୀୟତାର ବୀଜ ନୀଳାଚଳ ଧାମରେ ଅଛି ବୋଲି ତ କାଳେ କାଳେ ଭାରତର ଦିଗଦିଗନ୍ତରୁ ସିଦ୍ଧ ସାଧକ ମହାପୁରୁଷମାନ ଆକୃଷ୍ଟ ହୋଇ ଆସିଅଛନ୍ତି। ଜଗନ୍ନାଥ ତ ସାକ୍ଷାତ ବୌଦ୍ଧାବତାର। ସମସ୍ତଙ୍କର ପ୍ରଧାନ ମଠ ପୁରୀରେ। ରାମାନୁଜଙ୍କର ଏହା ପୁଣି ଏକ ପ୍ରଧାନ ଧର୍ମକେନ୍ଦ୍ର। ନାନକ ପୁରୀର ସାଗରେ ସୈକତରେ ନିଜର ସର୍ବୋତ୍କୃଷ୍ଟ ମଧୁମୟ ସଙ୍ଗୀତ ଗାଇଥିଲେ। କବୀରଙ୍କର ମଧ୍ୟ ଆସ୍ଥାନ ଏହିଠାରେ। ଅବିଶେଷରେ ପ୍ରେମର ଅବତାର ଭଗବାନ ଶ୍ରୀକୃଷ୍ଣଚୈତନ୍ୟ ଭାରତର ସମଗ୍ର ତୀର୍ଥ ଭ୍ରମି ଏହି ସାର୍ବଜନୀନ ପ୍ରେମଧାମରେ ସ୍ଥାୟୀ ନିବାସ କରି ଗାଇଲେ, “ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବ ତୁମେ।” ମୁସଲମାନ ଭକ୍ତ ହରିଦାସ, ସାଲବେଗ ପ୍ରଭୃତିଙ୍କର ସମାଧି ମଧ୍ୟ ଏହି ପୁରୀରେ ପ୍ରତିଷ୍ଠିତ।

ବାସ୍ତବିକ ଉତ୍କଳଭୂମି ସଂକୀର୍ଣ୍ଣ ଭୂମି ନୁହେଁ। ଓଡ଼ିଆ କେବେ କ୍ଷୁଦ୍ରରେ ସୀମାବଦ୍ଧ ନୁହେଁ। ପୁରୀ ଭୁବନେଶ୍ୱର, କୋଣାର୍କ ମନ୍ଦିରର ବିଶାଳତା ଏହାର ପରିଚୟ। ମନୁଷ୍ୟ ହାତଗଢ଼ା ଏ ଶିଳ୍ପଛଡା ଓଡ଼ିଶାର ପାରିପାର୍ଶ୍ୱିକ ବେଷ୍ଟନୀ ଓଡ଼ିଶାର ସେହି ବିଶାଳ ଭାବ ଓ ଉଦାରତାର ପ୍ରମାଣ। ଯେଉଁ ଦେଶର ଦେବତା ଜଗନ୍ନାଥ, ସେ ଦେଶର ନଦୀ ଗିରି ସାଗର ଶ୍ମଶାନରେ ଯେ ସେହି ମହାଉଦାର ଭାବ ବିକାଶ ପାଇବ, ତାହା ସ୍ୱାଭାବିକ। ଓଡ଼ିଶାର ନଦୀ ମହାନଦୀ, ସମୁଦ୍ର ମହୋଦଧି, ଗିରି ମହେନ୍ଦ୍ର, ବୃକ୍ଷ କଳ୍ପବଟ, ଏମନ୍ତ କି ଶ୍ମଶାନ ମାନବର ଅନ୍ତିମ ସ୍ଥାନ ନୁହେଁ, ଦିବ୍ୟ ଅନନ୍ତଧାମର ପ୍ରବେଶ ଦ୍ୱାର ସ୍ୱର୍ଗଦ୍ୱାର।

ଏହି ନାମ ସବୁ କଣ ପ୍ରକାଶ କରୁଅଛି? ଓଡ଼ିଆ ପ୍ରାଣ ଯେ ମହାଭାବ କଳ୍ପନା କରୁଅଛି, ଚତୁର୍ଦ୍ଦିଗରେ ତାହା ହିଁ ଦେଖିବାକୁ ପ୍ରୟାସୀ ହୋଇଅଛି। ଗୋଟିଏ ଗୋଟିଏ ଶବ୍ଦ ଏକ ଏକ ଜାତିର ଇତିହାସ ପଟ ଫିଟାଇ ଦେଇ ଅତୀତ ଅନ୍ଧାରରେ ଆଲୋକ ଦେଉଅଛି, ମହାନଦୀ ପ୍ରଭୃତି ଓଡ଼ିଆ ପ୍ରାଣର ବିଶାଳତା ଏବଂ ପୂର୍ଣ୍ଣତା ନିମନ୍ତେ ଓଡ଼ିଆ ହୃଦୟର ଆକାଙ୍କ୍ଷା ପ୍ରକାଶ କରୁ ନାହିଁ କି? ଶିଳ୍ପରେ ଏବଂ ଦେବ ମୂର୍ତ୍ତିରେ ଓଡ଼ିଆ ହୃଦୟ ଯେ ଭାବ ବ୍ୟକ୍ତ କରିଅଛି, ଏହିପରି ଗୋଟିଏ ଶବ୍ଦରେ ତାହାର ପ୍ରାଣର କବିତା, ସେହି ଉଦାର ମହାଭାବ ପ୍ରକାଶ କରିଅଛି।

Pages: 1 2