ବାକ୍ୟ, ମନ ଓ ହାତଗୋଡ଼ ଲଗାଏ ତ ଯେତୋଟି ଇନ୍ଦ୍ରିୟକୁ ମିଶାଇ ମଣିଷର ସଂଜ୍ଞା ତିଆରି ହୋଇଅଛି, ପୃଥିବୀରେ ସଭ୍ୟ, ଅସଭ୍ୟ ସମସ୍ତଙ୍କୁ ଚାହିଁ ମନେହୁଏ ସେଥି ଭିତରୁ ହାତଗୋଡ଼ ହିଁ ସବୁଠୁଁ ବେଶୀ ବଳୁଆ। ଯାହାର ହାତଗୋଡ଼ ଯେତିକି ବୋଲ କରିପାରେ, ଦୁନିଆରେ ଚାଲିବୁଲି ପାରିବାକୁ ପରୁଆ ତାହାର ସେତିକି କମ୍‌। ହାତଗୋଡ଼ ପଛକୁ ଦେଖାଯାଏ ମୁହଁଜୋର ଏବଂ ସବାଶେଷରେ, ବିଦ୍ୟାବୁଦ୍ଧି ନାମଧେୟ ଇନ୍ଦ୍ରିୟଜାତ ଗୁଣମାନ ବୋଧହୁଏ ଥାର୍ଡକ୍ଲାସରେ ସ୍ଥାନ ପାଇବ। ଏ ରୂପ ଶ୍ରେଣୀ ବିଭାଗର ଯଥାର୍ଥ ବୁଝିବାପାଇଁ ବିସ୍ତର ଉଦାହରଣ ସମସ୍ତଙ୍କର ସବୁ ପାଖରେ ପୂରି ରହିଛି।

ଜୋର ଜାର ମୁଲକ ତାହାର କଥାଟା ପଛରେ ଯେ ଅନେକ ଅଭିଜ୍ଞତା ଓ ପର୍ଯ୍ୟବେକ୍ଷଣ ଲୁଚିଅଛି, ପୁଣି ପୃଥିବୀର ଅଳ୍ପ କେତେଟା ସତ୍ୟ ଭିତରୁ ଏ ଯେ ଗୋଟେ ବଡ଼ ସତ୍ୟ ଏବଂ ଏତକ ପ୍ରମାଣ କରିବା ପାଇଁ ଡାରଉଇନ୍‌ଙ୍କଠାରୁ ନିଟ୍‌ସେଙ୍କ ପର୍ଯ୍ୟନ୍ତ ବୈଜ୍ଞାନିକ ଓ ଦାର୍ଶନିକଗଣ ପୁଣି ସେମାନଙ୍କର ବହୁ ଚେଲା ଓ ଟୀକାକାର ଯେ ଅସୁମାରି ଶବ୍ଦ ଲେଖିଯାଇଛନ୍ତି, ସେ କଥା ମନେ ପକାଇଲେ ଅନାମଧେୟ ଏହି ଓଡ଼ିଆ ପ୍ରବଚନକାରଙ୍କୁ ସାବାସ୍‌ ନ କହି ଚାରା କାହାର?

ଏହି ପ୍ରବଚନକାରଙ୍କ କଥା ସଙ୍ଗେ ଇଂଲଣ୍ଡର ବିଜ୍ଞାନ ବିଶାରଦ ଡାରଉଇନ୍‌ଙ୍କ ‘ସରଭାଇଭାଲ୍‌ ଅଫ୍‌ ଦି ଫିଟେଷ୍ଟ୍‌’ ଏବଂ ଜର୍ମାନ ଦାର୍ଶନିକ ନିଟ୍‌ସେଙ୍କର ‘ୱିଲ୍‌ ଟୁ ପାୱାର୍‌’, ପୁଣି ଭାରତର ଶ୍ରେଷ୍ଠ ଋଷିଙ୍କର “ଦାୟମାତ୍ମା ବଳହୀନେନ ଲଭ୍ୟଃ” କଥାଗୁଡିକ ତୁଳିଦେଲେ ବରାବର ସମାନ ଓଜନ ହେବ ନାହିଁ କି? ଗୋଟିଏ କଥାକୁ ହିଁ ଟିକିଏ ଫରକ ବାଟରେ ଅଲଗା ଭାଷାରେ କହିବାର ଭଙ୍ଗୀ ଛଡ଼ା ଏଗୁଡ଼ିକରେ ଆଉ କଣ ଅଛି? ଏବେ ମଧ୍ୟ ଆମେ ଦେଖୁଥାଇଁ, ସାଧାରଣତଃ ଯେଉଁ ଲୋକକୁ ଆଦିମ ଓ ଅନାର୍ଯ୍ୟ କହିଥାନ୍ତି, ତାଙ୍କ ଭିତରେ ସବୁଠୁଁ ବଳୁଆ ଲୋକର ଆୟୋଜନ ଅଧିକାର ଯେମିତି ଅଧିକ, ସଭ୍ୟ ଆର୍ଯ୍ୟଙ୍କ ଭିତରେ ବି ଠିକ୍ ସେୟା।

ପଶୁମାନଙ୍କ ଭିତରେ ମଧ୍ୟ ବଳୁଆ ମାଙ୍କଡ଼, ବଳୁଆ କୁକୁର ବା ବଳୁଆ ଷଣ୍ଢ ନିଜ ଆହାରବିହାର ପାଇଁ ଦୁର୍ବଳଠାରୁ ବେଶୀ ଆଦାୟ କରିଥାଏ। ଆର୍ଯ୍ୟ ଅନାର୍ଯ୍ୟ ସବୁ ମଣିଷ ଆପଣାର ବଳ ପରଖ ପାଇଁ ସୁବିଧା ପାଇଲେ ସବୁ ପ୍ରକାର ଧର୍ମ ଓ ନୀତି ମୁହଁରେ ଉକ୍ତ ରୂପ ଆଚରଣ କରିବାକୁ ଛାଡ଼େ ନାହିଁ।

ଏ ତଥ୍ୟର ଉଦାହରଣ ପାଇଁ ଖାଲି ଈଶ୍ୱର-ଈଶ୍ୱରୀ, ଷଣ୍ଢ-ଗାଈ କିମ୍ବା ପୁରୁଷ ଓ ସ୍ତ୍ରୀର ସମ୍ବନ୍ଧ ଉଲ୍ଲେଖ କଲେ ଯଥେଷ୍ଟ ହେବନାହିଁ। ଟିକିଏ ନିରେଖି ଚାହିଁଲେ ବଳୁଆ ବ୍ୟକ୍ତିଠାରୁ ବଳୁଆ ଜାତିର ସ୍ୱାର୍ଥପରତା ଭୀଷଣତର, ଉତ୍କଟତର ଏବଂ ମାରାତ୍ମକ। ବିଜିତ ଦେଶର ସ୍ତ୍ରୀ ଉପରେ ବିପକ୍ଷ ସୈନ୍ୟମାନେ ଯେଉଁ ଧର୍ଷଣ କରନ୍ତି, ତାହା ଆଜି ମଧ୍ୟ ଅସାଧାରଣ ଘଟଣା ନୁହେଁ।

ଦୁର୍ବଳ ବୋଲି ତାହାର ପୈତୃକ ଚୁଟି କେରାକ ପାଇଁ କେତେ ପରିହାସ, ଅପମାନ ଓ ଝିଙ୍କାଓଟରା ସହି ଶେଷରେ ସମଗ୍ର ଓଡ଼ିଆ ଜାତିଟା ପିତୃପୁରୁଷଙ୍କ ଶ୍ରାଦ୍ଧ କରି ଲଣ୍ଡା ହେବାକୁ ବାଧ୍ୟ ହୋଇଛି; ଅଥଚ ଶିଖ୍ ଜାତିଟା ସୁସଭ୍ୟ ଇଂରେଜ ସମ୍ରାଟ୍‌ଙ୍କ ଦରବାରରେ ମଧ୍ୟ ଖାଲି ତ ଚୁଟି ନୁହେଁ, ତହିଁରେ ପାନିଆ ଖୋସି ଏବଂ ଲମ୍ବା ଦାଢ଼ିରେ ଲୁହା ବଳା ଲଗା ହାତ ବୁଲାଇ ନିର୍ବିକାର ଚିତ୍ତରେ ବସୁଛି, ସେଥିରେ କାହାରି ଟିକିଏ ଉଁଚୁଁ ହେବାର ସାହାସ ନାହିଁ।

ହାତଗୋଡ଼ ଯାହାର ବେଶୀ ବୋଲ କରେ ନାହିଁ, ତାକୁ ପ୍ରାୟ କିସ୍ତିମାତ୍ କରିବାର ଦେଖାଯାଏ ନାହିଁ ମୁହଁଜୋରରେ; କିନ୍ତୁ ହାତ-ଗୋଡ଼-ଚାଳକ ପାଖରେ କଥାର ଚାଳକକୁ ଅନେକ ସମୟରେ ତୁନି ରହିଥିବାର ଦେଖାଯାଏ। ପୃଥିବୀର ନାରୀ ଏବଂ ଶିଶୁ ଜାତିର ଏହି କାରଣରୁ ହିଁ ମୁହଁ ବେଶୀ ବୋଲ କରେ ଏବଂ ଭାରତବର୍ଷର ନାରୀ ଏହି କାରଣରୁ ପୁରୁଷ ଆଗରେ ଚୁପ୍। ଏହି କାରଣରୁ ହିଁ ମିଲିଟାରିଜିମ୍‌ର ଆସନ ଆଜି ପୃଥିବୀର ଶୀର୍ଷ ସ୍ଥାନରେ ଏବଂ ଆନ୍ତର୍ଜାତିକ ଲିଗ୍‌ର ରାଜନୈତିକ ବାକ୍‌ସ୍ଫୃର୍ତ୍ତି ଇଟାଲି ଓ ଜର୍ମାନୀର ସାମରିକ ଧମକ ପାଖରେ ଏକାବେଳକେ ତୁଚ୍ଛ ଓ ଅର୍ଥହୀନ।

ଏହି କାରଣରୁ ହିଁ ଆମ ଆଖି ଆଗରେ କେତେ କାଳର ଗୋଟେ ପୁରୁଣା ସାମ୍ରାଜ୍ୟ ସ୍ବାଧୀନତା ହରାଇ ବୈଧବ୍ୟ ଗ୍ରହଣ କଲା, ଆଉ ଗୋଟାକର ଦଶା ତାହା ହିଁ ହେବାକୁ ଯାଉଛି। ଆବିସିନିଆରେ କୁହାଳିଆ ଲୋକେ ଥିଲେ, ଚାଏନାରେ ମଧ୍ୟ ଅଛନ୍ତି; କିନ୍ତୁ ଆଧୁନିକ ରୀତିରେ ଗୋଇଠାଚାପୁଡ଼ା ମାରିବାପାଇଁ ସେ ଦେଶ ଲୋକଙ୍କର ହାତଗୋଡ଼ ଖୁବ୍ ସମର୍ଥ ନୁହେଁ; ସେଇଥିଲାଗି ତାଙ୍କର ଏହି ଦଶା। ଯେତେ କୁହାଳିଆ ହୁଅ, ଭଲ ରୂପେ ଯେ ହାତଗୋଡ଼ ଚଳାଇ ଜାଣେ, ତାହା ପାଖେ ସାବଧାନରେ ମୁହଁ ଫିଟେଇବାକୁ ପଡ଼ିବ।

ଯୁଦ୍ଧଭୁଇଁର ନାନା ଅଦ୍ଭୁତ ଗପ ଭିତରେ ଶୁଣାଯାଏ, ଦିନେ ଦିନେ ମଲାଖଣ୍ଡିଆ ସୈନ୍ୟ ସଂଖ୍ୟା ଏତେ ବେଶି ହୋଇପଡ଼େ ଯେ, ଡାକ୍ତର ପକ୍ଷରେ ପ୍ରତି ସୈନ୍ୟଙ୍କୁ ପରୀକ୍ଷା କରି କିଏ ମଲା, କିଏ ଜୀଅନ୍ତା ବାରି ପାରିବା ଅସମ୍ଭବ ହୋଇଉଠେ। ମଲାଖଣ୍ଡିଆ ନିଆରା ନିଆରା ସୁମାରି କରି ସାର୍ଟିଫିକେଟ ଦେଲାବେଳେ ଡାକ୍ତରର ଏ କ୍ଷେତ୍ରରେ ଭୁଲ୍ ହେବା ହିଁ ସାଧାରଣ କଥା ଏବଂ ଠିକ୍ ହେବା ବରଂ ଅସାଧାରଣ।

ସେଥିପାଇଁ ଏ ରୂପ ମଲା ସାର୍ଟିଫିକେଟ୍ ପାଇସାରିବା ପରେ କେହି କେହି ଜୀଅନ୍ତା ସୈନ୍ୟର ହୋସ୍ ଆସିଗଲେ ଏବଂ ସେ ମଲାଲୋକ ପାଖେ ରଖାହୋଇଥିବାର ଆପତ୍ତି କଲେ, ଜଗୁଆଳମାନେ ତାହାର ସାକ୍ଷ୍ୟ ଅପେକ୍ଷା ଡାକ୍ତର ସାର୍ଟିଫିକେଟ୍ ବେଶି ମୂଲ୍ୟବାନ୍ ଓ ବିଶ୍ୱାସଯୋଗ୍ୟ ବୋଲି ଜବାବ ଦିଅନ୍ତି। ଅଥଚ ସେହି ସୈନ୍ୟର ହାତଗୋଡ଼ ଯେବେ ଟିକିଏ ଚଳୁଥାନ୍ତା, ତେବେ ଜଗୁଆଳ କଥା କଣ, ଯେ କେହି ଡାକ୍ତରଙ୍କୁ ମଧ୍ୟ ଆଗ ଆପଣାର ଦେହମୁଣ୍ଡ ସମ୍ଭାଳି ପରେ ତାହାକୁ ପରୀକ୍ଷା କରିବାକୁ ହୁଅନ୍ତା।

ଅବଶ୍ୟ ନିତାନ୍ତ ବିକାରଗ୍ରସ୍ତ ନ ହେଲେ ୩୬୫ ଦିନ କୌଣସି ଲୋକ ଖାଲି ହାତଗୋଡ଼ ପ୍ରୟୋଗ କରିବାକୁ ସୁଖ ପାଇବ ନାହିଁ। ଯେଉଁମାନେ ଯୁଦ୍ଧ କରନ୍ତି, ତାଙ୍କୁ ମଧ୍ୟ ବହୁକାଳ ବିଶ୍ରାମ କରି ଥରେ ଅଧେ ଯୁଦ୍ଧଭୂଇଁରେ ଓହ୍ଲାଇବାକୁ ହୋଇଥାଏ। ଇଂଲଣ୍ଡ, ଆମେରିକା ଓ ଋଷିଆ ପ୍ରଭୃତି କେତୁଟା ଦେଶର ସୈନ୍ୟମାନେ ଓ ପ୍ରଥମ ମହାଯୁଦ୍ଧ ପରଠାରୁ କୋଡ଼ିଏ ବର୍ଷ ହେବ ଖାଲି ଲେଫଟ୍‌ ରାଇଟ୍ ଛଡ଼ା ଆଉ କିଛି ଉଲ୍ଲେଖଯୋଗ୍ୟ କାମ କରିଥିବାର ଶୁଣା ନାହିଁ। ସ୍ପେନ୍ ଦେଶରେ ଯେଉଁ ରାଜନୈତିକ ଘରକଜିଆ ଲାଗିଥିଲା, ତାହାର ସାଲତମାମିରୁ ଦେଖାଯାଏ, ତହିଁରେ ମରି ଶୋଇଥିଲେ ଦଶଲକ୍ଷ ଏବଂ ଖଣ୍ଡିଆ ଓ ଅକର୍ମଣ୍ୟ ହୋଇ ପଡ଼ିଥିଲେ ଏହି ସଂଖ୍ୟାର ପ୍ରାୟ ଦୁଇଗୁଣ।

ଆମ୍ଭେମାନେ ସ୍ପେନ୍ ଦେଶର ଅନେକ ଦୂରରେ ବର୍ତ୍ତମାନ ନିରାପଦରେ ଅଛୁଁ। ଆମ ନିଜର କିମ୍ବା କେହି ବନ୍ଧୁସ୍ବଜନର କିଛି କ୍ଷତି ଘଟିନାହିଁ। ତେଣୁ ସ୍ପେନ୍ ବା ସାଂଘାଇର ଯୁଦ୍ଧ ଖବର ପାଇବା, ମଲା ଓ ଖଣ୍ଡିଆଙ୍କର ସଂଖ୍ୟା ଜାଣିବା, ଆମପାଇଁ ସ୍ପନ୍ଦନପୂର୍ଣ୍ଣ ଓ ଉପଭୋଗ୍ୟ ହୋଇପାରେ। ସେମିତି କିଛି ଖବର ନ ଥିଲେ କିଛି ନାହିଁ କହି ଖବର କାଗଜକୁ ତାଚ୍ଛଲ୍ୟ କରିପାରୁ; କିନ୍ତୁ ଯେଉଁମାନେ ଅସଲ ଯୁଦ୍ଧ କରନ୍ତି, ଅନ୍ୟକୁ ହାଣନ୍ତି, ନିଜେ ହାଣ ଖାଆନ୍ତି, ତାଙ୍କ ଭିତରୁ ଅତି ଅଳ୍ପ ଖବର କାଗଜ ପଢ଼ନ୍ତି ବା ପଢ଼ିଥାନ୍ତି। ଯେ ବା ପଢ଼ନ୍ତି, ସ୍ପନ୍ଦନ ଅନୁଭବ କରିବାର କ୍ଷେତ୍ର ତାଙ୍କର ଅତି ସଂକୀର୍ଣ୍ଣ ଓ ନିଘଞ୍ଚ ଏବଂ କୌଣସି ସ୍ପନ୍ଦନର ବଶବର୍ତ୍ତୀ ହୋଇ ଅନ୍ୟ ଅପରିଚିତ ଲୋକକୁ (ଯାହା ସଙ୍ଗେ କେବେ ହେଲେ ନିଜର ଶତ୍ରୁତା ନାହିଁ କି ନ ଥିଲା) ଆଖି ବୁଜି ହତ୍ୟା କରନ୍ତି ନାହିଁ।

କାରଖାନାର କୁଲି ଯେମିତି କଳ ପାଖେ ଛିଡ଼ା ହୋଇ କାମ କରେ; ଚାଷୀ ବି ସେହିପରି ହଳ ବୁଲାଏ, କିରାଣି ଯେମିତି ଅଫିସ୍‌ ଘରେ ଫାଇଲ ଘାଣ୍ଟେ, ତାଙ୍କର ମଣିଷ ମାରିବା କାମ ସେମିତି। ମାତ୍ର ଦେଶପ୍ରେମର ସ୍ପନ୍ଦନ ଖାଲି ଅଳ୍ପ କେତେଜଣ ଖବରକାଗଜ ପଢୁଆଙ୍କୁ ଗ୍ରାସ କରିଥାଏ। ସୈନ୍ୟ ବିଭାଗରେ ମଧ୍ୟ ଯେଉଁମାନେ ନାମ ଲେଖାନ୍ତି ସେମାନେ ସମସ୍ତେ ହିଁ ଚାକିରି ଓ ଖାତିରି ପାଇବା ପାଇଁ ତାହା କରନ୍ତି। ଦେଶପାଇଁ ଆତ୍ମବଳି ଦେବାର କାହାର ଉଦ୍ଦେଶ୍ୟ ଥାଏ, ସେ ସମ୍ବନ୍ଧେ ଏ ଯୁଗରେ ଅତି ଅଳ୍ପ ବିବରଣୀ ପ୍ରକାଶିତ ହୋଇଅଛି। ବରଂ ଯେଉଁମାନେ ଯୁଦ୍ଧଭୂଇଁରେ ଓହ୍ଲାନ୍ତି, ଯେଉଁ ଶ୍ରେଣୀରୁ ସୈନ୍ୟମାନଙ୍କୁ ନିଆଯାଏ ଏବଂ ସମଗ୍ର ପୃଥିବୀର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଯାହାଙ୍କ ସଂଖ୍ୟା ପନ୍ଦର ପଣରୁ ବେଶୀ ପଛେ କମ୍ ନୁହେଁ, ସେମାନେ ପ୍ରାୟ ଶାନ୍ତିପ୍ରିୟ ବୋଲି ଅନେକ ବିବରଣୀ ଆଖି ଆଗରେ ପଡ଼େ।

ପୃଥିବୀ ଉପରର ଏହି ବହୁ ଏବଂ ଅଧିକାଂଶ ହିଁ ଯୁଦ୍ଧ ନାଁ ଶୁଣି ଭୟ କରନ୍ତି, ହଣାମରାଠାରୁ ଦୂରରେ ରହିବାକୁ ଲୋଡ଼ନ୍ତି। କେଉଁ ଦେଶର ସ୍ତ୍ରୀ ଆପଣା ବାପା-ଭାଇ, ପିଲାଛୁଆଙ୍କୁ ଘେନି ଦୁଃଖ ଓ ଅଭାବର ଘରଟିରେ ହସଖୁସି କରୁଥିବା ବେଳେ ଆକାଶରୁ ଚଡ଼କ ପଡ଼ି ପରକ୍ଷଣରେ କାହାକୁ ହାତଗୋଡ଼ହୀନ ଏବଂ କାହାକୁ ପ୍ରାଣହୀନ ଦେଖିବ। ଦେଶ ପାଇଁ ବା ସେମିତି ଗୋଟାଏ କିଛି ବଡ଼ ଆଦର୍ଶ ଯୋଗୁଁ ଏହା ତ୍ୟାଗ କଲା ବୋଲି ତୃପ୍ତି ପାଇବ। ଦିନଯାକ ପରିଶ୍ରମ ପରେ ଘରଭିତରେ ଶୋଇଥିଲାବେଳେ କେଉଁ ପୁରୁଷ ରାତିଅଧରେ ଆପଣା ପୁଅ ଭାର୍ଯ୍ୟା ରକ୍ତରେ ଭାସୁଥିବାର ଦୃଶ୍ୟ ଦେଖି ସୁଖକର ମଣିବ। ଭାରତର ଶତକଡ଼ା ନବେ ଲୋକ ଯେ ଗରିବ ଏବଂ ପୃଥିବୀ ଲୋକସଂଖ୍ୟାର ଏହିପରି ବା ଏଥିରୁ କିଛି କମ୍ ଅନୁପାତ ଲୋକ ଯେ ଅଭାବ ନିଅଣ୍ଟ ଭିତରେ ଯୁଗଯୁଗ ଧରି ତୁନି ହୋଇ ପଡ଼ିଛନ୍ତି। ପୁଣି ଯେତେ ସ୍ଲୋଗାନ୍ ତାଙ୍କ ଆଗେ ଗାଇଲେ ହେଁ ବନ୍ଧପୋଖରୀକୁ ଟେକା ଫିଙ୍ଗିଲା ପରି ତାହାଠାରୁ ସେମାନଙ୍କ ଶାନ୍ତିପ୍ରିୟତାର ବଡ଼ ପ୍ରମାଣ କ’ଣ ଥାଇପାରେ?

ସମାଜତତ୍ତ୍ବ ଗବେଷଣା କରୁଥିବା କେହି କେହି ମତ ଦିଅନ୍ତି ପୃଥିବୀରେ ଯେତେ କିଛି ଅଶାନ୍ତି ଓ ଗଣ୍ଡଗୋଳ, ତାହା ଅତି ଅଳ୍ପସଂଖ୍ୟକ ଲୋକ ହିଁ ଘଟାଇଥାନ୍ତି ଏବଂ ସେ ସମସ୍ତେ ପ୍ରାୟ ଆଦର୍ଶବାଦୀ। ଦେଶ-ଜାତି-ପ୍ରେମର ଦ୍ୱାହି ଦେଇ ଏହି କେତେଜଣ ଆଦର୍ଶବାଦୀ ହିଁ ପୃଥିବୀରେ ଯେଉଁ ଭୀଷଣ ପୈଶାଚିକ ଘଟଣାରାଶିର କାରଣ ହୋଇଅଛନ୍ତି, ଗୋଟି ଗୋଟି କରି ତାହାକୁ ବାଢ଼ି ବସିଲେ ଯେ କେହି ଶୁଣି ତାଜୁବ୍‌ ହେବ। ଯେତେ ବିକଳ ବୀଭତ୍ସ ନିର୍ମମ ଓ ନିରାଟ ହେଲେ ମଧ୍ୟ ସତଟାକୁ ସଯତ୍ନରେ ଘୋଡ଼ାଇ ରଖିବା ପାଇଁ ଆଦର୍ଶବାଦ ପରି ସୁନ୍ଦର ସୁକୁମାର, ଚିତ୍ତାକର୍ଷକ ଘୋଡ଼ଣିଟାଏ ବୋଧହୁଏ ଆଉ ଦ୍ୱିତୀୟ ନାହିଁ।

ପ୍ରଥମ ମହାଯୁଦ୍ଧଟାକୁ ସବୁ ଦେଶର ସବୁ ଶ୍ରେଣୀ ଲୋକ ନିନ୍ଦା କରିଛନ୍ତି। ଲେଖକ ଓ ସଂପାଦକମାନେ ଏହି ବର୍ବରତାକୁ ସଭ୍ୟ ମନୁଷ୍ୟ ପରିତ୍ୟାଗ କରିବା ପାଇଁ ଶହେ ମୁହଁରେ ଘୋଷିଛନ୍ତି। ସବୁ ଦେଶର ବକ୍ତା ଓ ରାଜନୀତିଜ୍ଞମାନେ ଭବିଷ୍ୟତ ଯୁଦ୍ଧକୁ ଏଡ଼ିବା ପାଇଁ ପ୍ରରୋଚନା ଦେଇଛନ୍ତି। ନିରସ୍ତ୍ରୀକରଣର ସଭା ବସି କେତେ ଆଲୋଚନା ହୋଇଯାଇଛି। ତଥାପି ୧୯୧୮ ମସିହା ନଭେମ୍ବର ମାସଠାରୁ ୨୦ ବର୍ଷ ହେଲା ପ୍ରତିଦେଶର ମୃତ ସୈନିକଙ୍କୁ ସମ୍ମାନ ଦେଖେଇବାକୁ ମହାସମାରୋହରେ ସବୁଦେଶରେ ଉତ୍ସବ କରାଯାଉଥିବା ଛଳରେ ପ୍ରକାରାନ୍ତରେ ଆଗାମୀ ଯୁଦ୍ଧପାଇଁ ସବୁଦେଶର ଲୋକଙ୍କୁ ଉତ୍ସାହ ଦିଆଯାଉ ନାହିଁ କି? ଧର୍ମ ଓ ନୈତିକତାର ଆଦର୍ଶ ତଳେ ଦୈନିକ ହଜାରଟା ଠକାମି ପ୍ରତି ଲୋକଙ୍କୁ ଅଙ୍ଗେ ନିଭାଇବାକୁ ପଡ଼ୁଛି ଏବଂ ତାହାକୁ ପ୍ରାଚୀନ ରୀତି ତଳେ ରଖିଦେଇ ରକ୍ଷା ପାଇବାକୁ ହୁଏତ ଗୋଟାଏ ବାଟ ଅଛି। କିନ୍ତୁ ଏ ରୂପ ଉତ୍ସବ ଯେ ପୃଥିବୀ ଉପରେ ସର୍ବଶ୍ରେଷ୍ଠ ସୁସଭ୍ୟ, ସୁଶିକ୍ଷିତ ସୁବିଚାରକ ବୋଲାଉଥିବା ଜାତିମାନଙ୍କର ସୁଚିନ୍ତିତ କାମ; ପୁଣି ସରକାରୀ ଘଣ୍ଟଢୋଲ ପିଟି ସବୁଦେଶରେ ପାଳିତ ହେଉଅଛି। ଏ କାମପାଇଁ କ୍ଷମା ଖୋଜିବାକୁ ଗଲେ ବିଶ୍ୱବ୍ରହ୍ମାଣ୍ଡରେ କେଉଁ କୋଣରେ ତାହା ମିଳିବ ଭଲା?

ପୃଥିବୀର ଏଇ ଅଳ୍ପସଂଖ୍ୟକ ବୁଦ୍ଧିଜୀବୀଙ୍କୁ କୁହାଳିଆ ଶ୍ରେଣୀ ଧରାଯାଇପାରେ। ଏମାନେ ନିଜେ ହାଡ଼ଭଙ୍ଗା କଠିନ କାମ କରିବାକୁ ଯେତେ ପାରଗ ନୁହନ୍ତି, ଅନ୍ୟକୁ ତାହା କରିବାକୁ ଫୁସୁଲେଇ ପାରିବାରେ ବେଶି ତତ୍ପର। ଅତି ବଡ ଧନୀ ଓ ବ୍ୟବସାୟୀ ମାଲିକମାନଙ୍କ ପରି ଏମାନେ ତୁଚ୍ଛା ଘୁଙ୍ଗୁଡ଼ି ପକେଇ ବେଶି ଭୋଜନରେ ମରନ୍ତି ନାହିଁ; କିନ୍ତୁ ଯାହାଙ୍କର କିଛି ନାହିଁ, ତାଙ୍କୁ ନିରାହାରରେ ମରିବା ପାଇଁ ଉତ୍ସାହ ଉତ୍ତେଜନା ଦିଅନ୍ତି ଢେର।

ନିଜର ମାରିବାକୁ ସୁବିଧା ସାହସ ନ ଥିବାରୁ ଅନ୍ୟକୁ ମାରିବାକୁ ତିଆରି କରନ୍ତି। କହିପୁଚ୍ଛି ଜାଣିବା ଛଡ଼ା ସେମାନେ ଆଉ କିଛି ଜାଣନ୍ତି ନାହିଁ। ଅବଶ୍ୟ ସବୁବେଳେ ଆପଣାର ଦେହକୁ ଓ ଧନସମ୍ପତ୍ତିକୁ ଜଗିରଖି, ଚତୁରତା ଗୁଣରେ ଯଥାର୍ଥରେ ପୁଇଁଚିଙ୍ଗୁଡି ବିକନ୍ତି ଏହିମାନେ; କାରଣ ଉକ୍ତ ଶ୍ରେଣୀର ସବୁଗୁଡ଼ିକ ପ୍ରାୟ ପଚା ଚିଙ୍ଗୁଡ଼ି କାରବାରବାଲା।
-0-

ସୌଜନ୍ୟ-ଓଡ଼ିଆ ଗଦ୍ୟ ସଙ୍କଳନ
ସଂକଳନ ଓ ସଂପାଦନା-ଡ.ଯତୀନ୍ଦ୍ର ମୋହନ ମହାନ୍ତି
ପ୍ରକାଶନ କାଳ-୨୦୦୪