ଛନ୍ଦ ବାବୁ ମୋର କୋମଳ ବସନ
ଅଙ୍ଗକୁ ଯହିଁରେ ନ ହେବ ପୀଡ଼ା
ଦେବ ଦେଲେ ଦିଅ ଏ ମନ୍ତ୍ର ଭୂଷଣ
ଯାହା ଘେନି ମୋର ନ ହେବ ବ୍ରୀଡ଼ା।

ଅଙ୍ଗ ଚାହିଁ ଦିଅ ଯୋଗ୍ୟ ପରିଚ୍ଛଦ
ପରିଚ୍ଛଦ ଯୋଗୁଁ ନ କାଟ ଦେହ
କଟା ହେଲେ ହେବ ଜୀବନେ ବିପଦ
ନ କର ମାତାକୁ ସେପରି ସ୍ନେହ।

ନଖ ବଢ଼ିଥିଲେ କର କରତନ
ରଞ୍ଜି ଦିଅ ତହିଁ ଅଳତା ରଙ୍ଗ,
ନାକ ବଡ଼ ଥିଲେ ତା କଲେ ଛେଦନ
ହେବ ନାହିଁ କି ମୋ ସୌଷ୍ଣବ ଭଙ୍ଗ?

ରୋଗ ଦେହେ ଥିଲେ ପ୍ରତିକାର କର
ପ୍ରକୃତିସ୍ଥ ହେଉ ଜୀବନ ମୋର
ଭିନ୍ନ ବର୍ଣ୍ଣେ ଯଦି ଭଞ୍ଜ କଳେବର
ହେବ ମାତ୍ର ତହିଁ ବିଭତ୍ସ ଘୋର।

ତୁମେ ମୋତେ ଯେଉଁ ବେଶରେ ସାଜିବ
ସେ ବେଶ ଦେଖିବେ ଜଗତଜନେ,
ତୁମ୍ଭେ ମୋତେ ଯଦି ଯତନେ ମାଜିବ
ମାର୍ଜିତ ଉଜ୍ଜ୍ୱଳ ହେବି ଭୁବନେ।

ଦେଉଁ ଦେଉଁ ମୋର ନୟନେ ଅଞ୍ଜନ
ମୁଖ ଯଦି ହେବ କାଳିମାମୟ,
ପୋଛ ଗଣ୍ଡ କାଳି ନ ଦେଇ ଗଞ୍ଜନ
ହେବ ମନୋହର କାନ୍ତି ଉଦୟ।

ପାଇଥିଲେ ଦିଅ ବିଲାତି ପ୍ରସୂନ
ଥାଏ ଯଦି ତହିଁ କିଛି ସୌରଭ,
ସୌରଭ ନ ଥିଲେ କାନ୍ତିରେ ନିଉନ
ନ ଥିଲେ ବଢ଼ିବ ସିନା ଗୌରବେ।

ମସ୍ତକେ ମୋ ଟୋପି ନ ଦେବ ବାବା ରେ
ନ କାଢ଼ିବ ମୋର କରୁ କଙ୍କଣ,
ସିନ୍ଦୂର ବିନ୍ଦୁ ମୋ ଭାଲେ ରଖିବାରେ
ନିରନ୍ତର ମନେ ଥିବ ସ୍ମରଣ।

ଭାଇ ଭାଇ ମଧ୍ୟେ କଳହ ନ କର
ତୁମ୍ଭ କଳହେ ମୁଁ ହେବି ଦୂଷିତ,
ରତନ ସ୍ରଂଗହେ ହୁଅ ଯତ୍ନପର
ରତ୍ନ ଗୁଛି ମୋତେ କର ଭୂଷିତ।

ଅଭିମାନ ରୋଗେ ନ କର ପ୍ରଳାପ
ପ୍ରଳାପ ଶୁଣିଲେ କାନ୍ଦେ ମୋ ହୃଦ,
ଜ୍ଞାନେ ଧ୍ୟାନେ ରଖ କର ସଦାଳାପ
ସଦାଳାପେ ସଦା ବଢୁ ମୋ ମୁଦ।

ମନ୍ଦିରକୁ ମୋର କର ସୁସଜ୍ଜିତ
ରମ୍ୟ ରମ୍ୟ ଉପକରଣ ଆଣି,
କାଠ ଖମ୍ବମାନ କର ସୁସଜ୍ଜିତ
ଢ଼ାଳି ଦିଅ ତହିଁ ସୁବର୍ଣ୍ଣ ପାଣି।

ନାନା ଦେଶୁ ଆଣି ତରୁବଲ୍ଲୀମାନ
ରୋପାଣ କର ମୋ ଉଦ୍ୟାନ ଗର୍ଭେ,
ଉଦ୍ୟାନ କରିବ ସୁଫଳ ପ୍ରଦାନ
ଭୁଞ୍ଜିବ ସୁଖ ମୋ ନନ୍ଦନ ସର୍ବେ।

ଆବର୍ଜ୍ଜନାହୀନା କର ମୋ ସଦନ
କର ଆବଶ୍ୟକ ଜୀର୍ଣ୍ଣ ସଂସ୍କାର,
ମାନୀ ଧର୍ମ ରଖି କର ବିଚରଣ
ନ କର ମୋ ପୁରେ ଯଥେଚ୍ଛାତାର।

ନିଜ ଉନ୍ନତିକି ଉନ୍ନତି ନ ମଣ
ମୋତେ ନ କରିବାଯାଏ ଉନ୍ନତ
ଏକ ତରୁତଳେ ଥିବେ କେତେ ଜଣ
ବହୁ ଜଳ ଫଳ ଦିଏ ପର୍ବତ।

ତୁମ୍ଭ ରାଜ୍ୟ ଭୂମି ପ୍ଲାବି ନ ପାରନ୍ତି
ଆଣ୍ଡିସ ଗିରର ଅସଂଖ୍ୟ ଝର,
କେ ହରିବ ତୁମ୍ଭ ହୃଦୟ ତପତି
ନ ବହିଲେ ପୂତ ସ୍ରୋତ ମୋହର।

ହୋଇ ଏକପ୍ରାଣ ହୋଇ ଏକ ମନ
ଉଚ୍ଚତାନେ ଗାଅ “ଭାରତୀ ଜୟ”
ଉଚ୍ଚେ ଟେକ କୀର୍ତ୍ତି-ପତାକା ଗଗନ
ହୋଇ ଯାଉ ଶୁଭ୍ର ପତାକାମୟ।