
ଆଦ୍ରବାସେ ଭାଦ୍ରମାସେ କେ ତୁମ୍ଭେ ସୁନ୍ଦରୀ
ଅବସ୍ଥିତ ଦଶଦିଗ ରୂପେ ଆଲୋକିତ କରି।
ବିମ୍ବାଧରେ ପୁଷ୍ପହାସେ ବରଷ ଅମୃତ
ଶ୍ୟାମ ସୁକୁମାର ତନୁ ଫୁଲେ ଅଳଙ୍କୃତ।
ଅଗସ୍ତ୍ୟ-ଶୈକ୍ତିବ ମଣି ଦୋଳେ ନାସାତଳେ
ମୌକ୍ତିକ ନିହାର ହାର ଶୋଭେ ବକ୍ଷସ୍ଥଳେ।
ପ୍ରସନ୍ନ ପାବନ ଦୃଷ୍ଟି-କୌମୁଦି ଶୀତଳ
କଳୁଷ ପଙ୍କିଳ ଜଳେ କରେ ସୁନିର୍ମଳ।
ବନସ୍ପତି ରାଜଜେମା ଅଲେକ ବାଳିକା
ତାଳେ ପୁଷ୍ପାଞ୍ଜଳି ତବ ପଦେ ଶେଫାଳିକା।
ବିତରିଛ ବରାଭୟ ଦ୍ବିକରେ ହରଷେ
କରୁଛ ସମୃଦ୍ଧ ବିଶ୍ବେ କଟାକ୍ଷ ପରଶେ।
ହସାଉଛ ଧରଣୀକି ପ୍ରିୟଭାଷା ଭାଷି,
ଝରୁଛି ସେ ହାସୁ ତାର ମଣି ମୁକ୍ତା ରାଶି।
ସରଳ ତୁମ୍ଭର ମୂର୍ତ୍ତି ମଧୁର ଉଦାର
ସରଳ ହୃଦୟ ପୁଣି ସରଳ ବେଭାର।
ସରଳ ଶୀତଳ ଶୋଭା ଖେଳେ ଅପଘନେ
ଆଣେ ନାହିଁ ଅବସାଦ ସେ ଶୋଭା ନୟନେ।
ମହିମା-ମୟୁଖ ଧାରା ନିଃସରେ ବଦନୁ
ତା ଦେଖି ମିଳାଏ ନଭେ ଭୟେ ଇନ୍ଦ୍ରଧନୁ।
ଅନନ୍ତ କରୁଣା କରି ଜଗତକୁ ଦାନ,
ଭଜିବ ଦ୍ବିମାସ ପରେ ତୁମ୍ଭେ ଅନ୍ତର୍ଦ୍ଧାନ।
ଦେବା ପାଇଁ ଆସ ତୁମ୍ଭେ ତାହା ତୁମ୍ଭ କାମ,
ଦେଇସାରି ଚାଲିଯାଅ ସାଧି ସ୍ବୀୟ ଧର୍ମ।
-୦୦-
