(୧)

ପଶ୍ଚିମର ଚକ୍ରବାଳେ ବୁଡ଼ଇ ଭାସ୍କର
ପ୍ରଶାନ୍ତ ଦିନାନ୍ତ-ଛାୟା ଆବରେ ଅମ୍ବର।

ନିଃଶବ୍ଦେ ଗମ୍ଭୀରେ ଧୀରେ ସନ୍ଧ୍ୟା ଶାନ୍ତିମୟୀ
ଶ୍ରାନ୍ତ ମହୀ-ଶୀରେ ଶାନ୍ତି ବାରି ବରଷଇ।

ଦିବା ଅବସାନେ ଶ୍ରାନ୍ତ ମୁହିଁ ପାନ୍ଥ ଜନ
ଗୃହ ଧ୍ୟାନେ ଚାଲୁଅଛି ଚଞ୍ଚଳ ଚରଣ,
ସହସା ସୁଦୂର ଗ୍ରାମେ ବାଜେ ଶଙ୍ଖଧ୍ବନି
ସ୍ତମ୍ଭିତ ସେ ନାଦେ ଯେହ୍ନେ ନିଖିଳ ଅବନ।

କ୍ଷଣେ କର୍ଣ୍ଣ ଡେରି ଆହା ସେ ସ୍ବରଲହର
ଶୁଣିଲି ମୁଁ ଆଚମ୍ବିତେ ସ୍ୱପ୍ନାବିଷ୍ଟ ପରି।

ତହୁଁ ମହାଜାଗରଣେ ଜାଗିଲା ମୋ ପ୍ରାଣ
ଶୁଣିଲି ସେ ଧ୍ୱନି ମଧ୍ୟେ ମହାସିନ୍ଧୁ-ତାନ
ଅନନ୍ତ ଅର୍ଣ୍ଣବ-ଧ୍ୱନି ମହାମହୋଦର
ଅର୍ଣ୍ଣବ ସମ୍ଭବ ଶଙ୍ଗେ କରୁଛି ବିହାର।

(୨)

ମହା ଅର୍ଣ୍ଣବର ମହା-ପ୍ରଣବ ଝଙ୍କାର
ମନ୍ଦ୍ର ନାଦେ ଶଙ୍ଖ ଆହା ଘୋଷେ ଅନିବାର।

‘‘ଅନନ୍ତ କୃପାର ସିନ୍ଧୁ ମୋର ମହାଳୟ
ମୋ ଅନ୍ତର ଅନନ୍ତର ନାଦେ ନାଦମୟ,
ସେ ଅମୃତ ଆଳୟରୁ ହୋଇ ଅନ୍ତରିତ
ଭୁଲିବି କି ମୋହେ ତାର ଅମୃତ ସଙ୍ଗୀତ?

କ୍ଷୁଦ୍ରାଦପି କ୍ଷୁଦ୍ରତର ମର୍ତ୍ତ୍ୟ-ଗୃହପାଇଁ
ଅବିଦ୍ୟା-ପ୍ରମାଦେ, ପାନ୍ଥ ହେଲ କି ହେ ବାଇ?

କେମନ୍ତେ ହେ ପାସୋରିଲ ଜନ୍ମଭୂମି-କଥା,
କାହିଁ ତୁମ୍ଭ ରଚନାରେ ଅମୃତ ବାରତା?

ଆସ ଆସ ସୁଗମ୍ଭୀର ମହାବେଦ-ତାନେ
ଜଗତେ ଜଗାଅ ସର୍ବ ଅନନ୍ତ ସନ୍ତାନେ।
ଅନନ୍ତେ ଜୀବନ-ସ୍ଫୁର୍ତ୍ତି ଅନନ୍ତେ ଅଭୟ
ମର୍ତ୍ତ-ପ୍ରବାସରେ ଗାଅ ଅମୃତର ଜୟ।”

-୦-