ବିଶ୍ବଜୀବନ ହେ ତୁମ୍ଭଙ୍କୁ କରୁଣାସିନ୍ଧୁ
ବୋଲିବାକୁ ମନ ବଳୁ ନାହିଁ ଯେଣୁ
ସିନ୍ଧୁ ତୁମ୍ଭ କୃପାବିନ୍ଦୁ।
ତୁମ୍ଭ ଭଜନରେ ହେବି ନାହିଁ ନାଥ
ମାଳା ଜପିବାକୁ ବାଧ୍ୟ।
କୋଟି କୋଟି ଗ୍ରହ କଣ୍ଠି ସେ ମାଳାର
କେ ଜପି ପାରିବ ସାଧ୍ୟ।
ଦେଇନାହିଁ ବଳ ପାଦଧୂଳି ଘେନି
ପାରିବ ନାହିଁ ମୋ ମୁଣ୍ଡ
କୋଟି କୋଟି ରବି ଧୂଳିରୂପେ ତୁମ୍ଭ
ପାଖେ ହୋଇଛନ୍ତି ରୁଣ୍ଡ।
ହୃଦୟର କଥା ଜାଣିବାକୁ ଅଛି
ତୁମର ଅସୀମ ଶକ୍ତି
ସେତିକି ଘେନିବ ଯେତିକି ଅଛି ମୋ
ହୃଦେ ତୁମ ପ୍ରତି ଭକ୍ତି।
ଥାପିବାକୁ ତୁମ୍ଭ ମୁରତି ମୋ କ୍ଷୁଦ୍ର,
ହୃଦୟରେ ନାହିଁ ସ୍ଥାନ
ସର୍ଷପ ଗରଭେ ରହି କି ପାରଇ
ହିମାଳୟ ସାନୁମାନ?
କି ଦେଇ ପୂଜିବି ଯାହା ମୁଁ ଦେଖୁଛି
ସବୁ ତୁମ୍ଭର ପ୍ରସାଦ
ଯାହା ପରସାଦ ତାଙ୍କୁ ଅରପିଲେ
ହେବ ସିନା ଅପରାଧ!
ମୁଁ କାର ମାତର ମୋର ନୁହେଁ ବୋଲି
କହିବାକୁ ନାହିଁ ବାଟ
ଦୂରୁ ଶ୍ରୀ ଚରଣେ ଅର୍ପଣ କରୁଚି
ଘେନ ତା’ ବିଶ୍ବ-ସମ୍ରାଟ।
-୦-
୰ ଗଙ୍ଗାଧର ମେହେର
ଏକାଧାରରେ ସ୍ବାଭାବ କବି ଏବଂ ପ୍ରକୃତି କବି ଭାବେ ପରିଚିତ ଗଙ୍ଗାଧର ମେହେର(୧୮୬୨-୧୯୨୪) ଓଡ଼ିଆ ସାହିତ୍ୟରେ ଏକ ପ୍ରତିଷ୍ଠିତ ସ୍ରଷ୍ଟା। ତାଙ୍କ ଦ୍ବାରା ରଚିତ ‘ତପସ୍ବିନୀ’, ‘ଇନ୍ଦୁମତି, ‘କବିତା କଲ୍ଲୋଳ’ ‘ପ୍ରଣୟ ବଲ୍ଲରୀ’ ଓ ‘ଅର୍ଘ୍ୟଥାଳୀ’ ଆଦି କାବ୍ୟ କବିଙ୍କର ଗୋଟିଏ ଗୋଟିଏ କାଳଜୟୀ ସୃଷ୍ଟି। ବିଶେଷ କରି ପୌରାଣିକ ବିଷୟ ଏବଂ ପ୍ରକୃତିର ଶୋଭାରାଜି ପ୍ରସଙ୍ଗକୁ ନେଇ କବିଙ୍କ ରଚନା ବେଶ୍ ହୃଦୟସ୍ପର୍ଶୀ।
ପ୍ରଣୟବଲ୍ଲରୀ କବିଙ୍କ ଶେଷ ସମୟର ରଚନା। ଏଥିରେ ସମସ୍ତ ପ୍ରଜ୍ଞା ଢାଳି ଦେଇଛନ୍ତି କବି। କାଳିଦାସଙ୍କଠାରୁ କଥାବସ୍ତୁ ଗ୍ରହଣ କରିଥିଲେ ସୁଦ୍ଧା କବିଙ୍କ ବର୍ଣ୍ଣନାଶୈଳୀ ଏହି କାବ୍ୟକୁ ଏକ ସ୍ୱତନ୍ତ୍ର କାବ୍ୟର ପରିଚୟ ଦେଇଛି। ତାଙ୍କ ରଚନାରେ ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପର ବର୍ଣ୍ଣନା ତଥା ମାନବତାର ଉଲ୍ଲେଖ ରହିଛି। ଛନ୍ଦମାଧୁର୍ଯ୍ୟର ଆଧୁନିକୀକରଣ କରି ମଧ୍ୟ ସେ ଓଡ଼ିଆ କବିତା ରଚନା କରିଛନ୍ତି।
ଅର୍ଘ୍ୟଥାଳି କବିତାମାଳା ତାଙ୍କ ରଚିତ ଗୀତି କବିତାମାନଙ୍କ ମଧ୍ୟରୁ ଅନ୍ୟତମ। ଗୌରବ ମଣ୍ଡିତ ପ୍ରାଚୀନ ସାହିତ୍ୟର ପରମ୍ପରା ସଂରକ୍ଷଣ ସହ ଉନ୍ନତ ଭାଷା ଓ ଭାବର ଉପାଦାନରେ ନବୀନ ସାହିତ୍ୟର ସୃଷ୍ଟି ମେହେର-ସାହିତ୍ୟର ବୈଷିଷ୍ଟ୍ୟ ଅଟେ।
କ୍ରମେ ସବିଶେଷ →